Unknown

 

 

 

 

 

 

 

 

ରାଣାଦିଲ୍‌

(ଐତିହାସିକ ଉପନ୍ୟାସ)

 

ମୂଳ ବଙ୍ଗଳା : ଶ୍ରୀ ପାରାବତ୍‌

ଅନୁବାଦ : ଶ୍ରୀମତୀ ନୀହାରବାଳା ମହାନ୍ତି

 

ରାଣାଦିଲ୍‌

 

ବର୍ତ୍ତମାନକୁ ଅବଲମ୍ବନ କରି ଲେଖିଲେ ତାହା ହୁଏ ସାମାଜିକ ଉପନ୍ୟାସ । ଏହି ବର୍ତ୍ତମାନ ଯେତେବେଳେ ଅତୀତର ପର୍ଯ୍ୟାୟଭୁକ୍ତ ହୁଏ, ସେତେବେଳେ ତାକୁ ଭିତ୍ତିକରି ଯେଉଁ ଉପନ୍ୟାସ ଲେଖାଯାଏ, ତାହା ହୁଏ ଐତିହାସିକ ଉପନ୍ୟାସ । ଐତିହାସିକ ତଥ୍ୟକୁ ଅବିକୃତ ରଖି ତା’ରି ଉପରେ କାହାଣୀ ସୃଷ୍ଟି କରିବା ଉପରେ ଐତିହାସିକ ଉପନ୍ୟାସର ସାର୍ଥକତା ନିର୍ଭରକରେ ।

 

‘ରାଣାଦିଲ୍‌’ ଏକ ଐତିହାସିକ ଉପନ୍ୟାସ; କିନ୍ତୁ ଇତିହାସ ପୁସ୍ତକରେ ଐତିହାସିକମାନେ ରାଣାଦିଲ୍‌କୁ ସ୍ଥାନ ଦେଇନାହାନ୍ତି । ସେ ଥିଲା ଏକ ସାଧାରଣ ନର୍ତ୍ତକୀ––ମୋଗଲ ପ୍ରାସାଦର ନର୍ତ୍ତକୀ ନୁହେଁ, ରାଜପଥର ଏକ ସାଧାରଣ ନର୍ତ୍ତକୀ । ଅନାଘ୍ରାତା ଓ ଅଚୁମ୍ବିତା ରାଜପଥର ନର୍ତ୍ତକୀ ରାଣାଦିଲ୍‌ ଦିନେ ଶାହନଶାହ ଶାହଜାହାନଙ୍କର ଜ୍ୟେଷ୍ଠପୁତ୍ର ଦାରାଶୁକୋଙ୍କ ମନମଧ୍ୟରେ ଝଡ଼ ସୃଷ୍ଟିକଲା । ଦାରା ରାଣାଦିଲ୍‌କୁ ପାଇବାପାଇଁ ପାଗଳ ହେଲେ । କିନ୍ତୁ ରାଣାଦିଲ୍‌ର ସର୍ତ୍ତ––ବେଗମ୍‌ ରୂପେ ତାକୁ ଗ୍ରହଣ ନକଲେ, ମୋଗଲ ପ୍ରାସାଦରେ ତାର ସ୍ଥାନ ନାହିଁ । ଶାହଜାହାନ ଓ ଜାହାନ୍ନାରା ରାଣାଦିଲ୍‌କୁ ବେଗମ୍‌ର ସ୍ଵୀକୃତି ଦେଲେ । ହିନ୍ଦୁସ୍ଥାନର ସେ କାଳର ଅନ୍ୟତମ ମହାନ ପ୍ରତିଭାବାନ୍ ପୁରୁଷ ଦାରାଙ୍କୁ ଚିହ୍ନିଥିଲେ କେବଳ ଶାହଜାହାନ ଓ ଜାହାନ୍ନାରା ଆଉ ରାଣାଦିଲ୍‌ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ରାଣାଦିଲ୍‌ ଦାରାଙ୍କର ଅନୁଗତା ହୋଇଛି । ତାଙ୍କ ପାଖେ ପାଖେ ରହି ମନ୍ତ୍ରଣା ଦେଇଛି, ସାହାଯ୍ୟ କରିଛି, ବିପଦରୁ ରକ୍ଷାକରିଛି । ଦାରାଙ୍କ ମୃତ୍ୟୁ ପରେ ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବାକୁ ସମସ୍ତଙ୍କ ଅଲକ୍ଷ୍ୟରେ ପ୍ରତିଦିନ ଯାଇଛି ହୁମାୟୁନଙ୍କ ସମାଧି ନିକଟକୁ ଯେଉଁଠାରେ ଦାରାଙ୍କର ଛିନ୍ନ ମସ୍ତକ ପ୍ରୋଥିତ ହୋଇଛି–ସନ୍ଧ୍ୟାର ଅନ୍ଧକାରରେ ସମାଧିରେ ବତି ଜାଳିଛି ଓ ଫୁଲ ଦେଇଛି । ମୃତ୍ୟୁକୁ ତା’ର ଭୟ ନାହିଁ । ପଣତକାନିରେ ବନ୍ଧା ହୋଇଛି ବିଷ, ଆଉରଙ୍ଗଜେବଙ୍କ ଦ୍ୱାରା ଧରାହେବା ପୂର୍ବରୁ ବିଷ ଖାଇ ରାଜପଥର ନର୍ତ୍ତକୀ ରାଜପଥର ଧୂଳି ଉପରେ ଲୋଟିପଡ଼ିବ । ଏକ ସାଧାରଣ ପରିଚୟହୀନା ନର୍ତ୍ତକୀର ମହାନ୍‌ ପ୍ରେମର ପରାକାଷ୍ଠା, କର୍ତ୍ତବ୍ୟନିଷ୍ଠା, ମହତ୍‌ ଚରିତ୍ର ପ୍ରତି ଆକୃଷ୍ଟହୋଇ ମୁଁ ସିଦ୍ଧାନ୍ତ କଲି ଏହି ବଙ୍ଗଳା ଉପନ୍ୟାସଟିକୁ ଓଡ଼ିଆ ଭାଷାରେ ରୂପାନ୍ତରିତ କରିବି । ଅନୁବାଦ କଲି । ପ୍ରକାଶ କରିବାପାଇଁ ଲେଖକ ଶ୍ରୀ ପାରାବତ୍‌ଙ୍କର ସଦୟ ଅନୁମତି ବି ପାଇଲି ।

 

ମୂଳଲେଖାଟି ନିଜସ୍ୱ ନହେଲେ ମଧ୍ୟ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିର ଯେତେବେଳେ ‘ରାଣାଦିଲ୍‌’ ପୁସ୍ତକଟିକୁ ପ୍ରକାଶ କରିବାପାଇଁ ସ୍ୱୀକୃତି ଦେଲେ, ମୋ ମନ ଆନନ୍ଦରେ ପୂରିଉଠିଲା । ତାଙ୍କ ପ୍ରତି କୃତଜ୍ଞତାରେ ମୋ ମୁଣ୍ଡ ନଇଁଆସିଲା । ମୋର ଏତେ ପରିଶ୍ରମର ଫଳ ଯଦି ପାଠକ ପାଠିକାମାନଙ୍କୁ ଆନନ୍ଦ ଦେଇପାରିବ, ତେବେ ମୋପାଇଁ ତା’ର ମୂଲ୍ୟ କଣ କିଛି ଅର୍ଥଲାଭ ଠାରୁ ବେଶି ନୁହେଁ ? ଶ୍ରୀ ଅଭିରାମ ମହାପାତ୍ରଙ୍କ ନିକଟରେ ମୁଁ କେତେଦୂର କୃତଜ୍ଞ ସେକଥା ଭାଷାରେ ବେଶି ବର୍ଣ୍ଣନାକଲେ ହୁଏତ ସମସ୍ତେ ଭାବିବେ ମୁଁ ଖୋସାମତ କରୁଛି, ତେଣୁ ମୋ ମନର ପ୍ରତିକ୍ରିୟା ମୋ ମନଭିତରେ ସବୁଦିନ ପାଇଁ ଥାଉ ।

 

ପରିଶେଷରେ ବୟୋଜ୍ୟେଷ୍ଠ ଔପନ୍ୟାସିକ ଶ୍ରୀ ପାରାବତ୍‌ଙ୍କ ନିକଟରୁ ପ୍ରାପ୍ତ ସଦୟ ଅନୁମତି ପାଇଁ ମୁଁ ଆଉଥରେ ତାଙ୍କ ନିକଟରେ ମୋର କୃତଜ୍ଞତା ଜଣାଉଛି ।

 

କଟକ

ନୀହାରବାଳା ମହାନ୍ତି

୧୫।୧୨।୮୦

 

✽✽✽

 

ଉତ୍ସର୍ଗ

 

ଯେଉଁମାନଙ୍କର ସ୍ନେହ, ଶ୍ରଦ୍ଧା, ଉତ୍ସାହ ଓ ପ୍ରେରଣା ମତେ ଅଗଣିତ ପାଠକ ପାଠିକାଙ୍କ ନିକଟରେ ପହଞ୍ଚେଇ ଦେଇ ପାରିଲା, ସେଇମାନଙ୍କ ହସ୍ତରେ–

 

ନୀହାରବାଳା ମହାନ୍ତି

✽✽✽

 

ରାଣାଦିଲ୍‌

 

ମୋ କାହାଣୀ ତୁମମାନଙ୍କୁ ଶୁଣେଇବାକୁ ଚାହେଁନାହିଁ । ଚାହିଁଲେ ମଧ୍ୟ ଶୁଣିବ କାହିଁକି ? ମୁଁ ତ ଶାହଜାଦୀ ନୁହେଁ ! ଯଦି ଜାହାନ୍ନାରା, ରୋଶନାରା, ଗଉହରା ବେଗମ ବା ନାଦିରା ବେଗମ ହୋଇ ଜନ୍ମହୋଇଥାନ୍ତି, ତେବେ ହୁଏତ ତୁମ ଅନ୍ତରରେ କୌତୂହଳର ସ୍ଫୁଲିଙ୍ଗ ଉଙ୍କି ମାରିଥାନ୍ତା । ସେମାନଙ୍କ ଜୀବନର ଘଟଣାଗୁଡ଼ିକ ତ ମୋପରି ନିରାମିଷ ନୁହେଁ––ଗରମ ଗରମ ମସଲା, ଅନେକ ପେସ୍ତା, ବାଦାମ, କିସ୍‌ମିସ୍‌, ଆଖରୋଟ୍ ଓ ଅଙ୍ଗୁର ରସର ନିଶାଧରା ସମ୍ମିଶ୍ରଣ ରହିଛି ସେମାନଙ୍କ ଘଟଣାରେ । ଶୁଣିଲେ ବକ୍ଷ କମ୍ପିଉଠେ, ରକ୍ତରେ ଅଗ୍ନି ସଞ୍ଚାର ହୁଏ । ପୁଣି କେତେବେଳେ ହିମସ୍ପର୍ଶରେ ଦେହ ମନ ବରଫପରି ଜମାଟବାନ୍ଧେ ।

 

କିନ୍ତୁ ତୁମର ଚାହିଦା ମୁଁ କେବହେଲେ ପୂରଣ କରିପାରିବି ନାହିଁ । ଭୁଲିଯାଅନା, ତୁମମାନଙ୍କଠାରୁ ମଧ୍ୟ ମୁଁ ଅତି ସାଧାରଣ । ତୁମର ପରିବାର କୁଟୁମ୍ବ ଅଛନ୍ତି––ଅସୁସ୍ଥ ହୋଇ ପଡ଼ିଲେ, ଦୁଇପଦ ମଧୁର କଥା କହି କପାଳରେ ହାତ ବୁଲେଇଦେବେ । ମୃତ୍ୟୁହେଲେ ଦୁଇଟୋପା ଲୁହ ଝରେଇବାକୁ ତୁମର ପ୍ରିୟଜନର ଅଭାବନାହିଁ; କିନ୍ତୁ ମୋର କେହି ନାହିଁ । ମୁଁ ଏକା, ହୁଏତ କେବେ କିଏ ଥିଲା––କିନ୍ତୁ ମନେନାହିଁ । ମୁଁ ସେମାନଙ୍କୁ କେବେ ଦେଖିନାହିଁ । ଊଷରମରୁର ଯେଉଁ ଦୃଶ୍ୟ ବେଳେବେଳେ ଦୃଷ୍ଟି ସମ୍ମୁଖରେ ଭାସିଉଠେ ସେସବୁ କେବଳ କଳ୍ପନା–କାରଣ ମରୁଭୂମି ମୁଁ କେବେହେଲେ ଦେଖିନାହିଁ ।

 

ଗୁଲରଙ୍ଗ ବେଳେବେଳେ ମୋ ହାତ ଦେଖି କହେ–ତୁ ନିଶ୍ଚୟ ରାଜପୁତ୍–ନୁହେଁ ?

 

–ମୁଁ ତ ଜାଣେନା ।

 

–କଣ ତୁ କହୁଛୁ ? ନିଜର ପରିଚୟ ଜାଣୁନା ?

 

–ହଁ ।

 

–କଣ ?

 

–ନର୍ତ୍ତକୀ ।

 

–ଧେତ୍‌, ସେ କଥା ତ ସମସ୍ତେ ଜାଣନ୍ତି । କିନ୍ତୁ...

 

ମୋର ଆଖିରେ ଲୁହ ଦେଖି ଗୁଲରଙ୍ଗ ଆଉ କିଛି କହେନାହିଁ । ଏହି ପରିଚୟହୀନତା ମୋର ଯେ କେତେବଡ଼ ଦୁର୍ବଳତା, ସେକଥା ପୃଥିବୀରେ କାହାରିକୁ ମୁଁ ବୁଝେଇ ପାରିବିନାହିଁ । କେବଳ ସେଇମାନେ ବୁଝିପାରନ୍ତି, ଯେଉଁମାନେ ସୁସ୍ଥସବଳ ଦେହ ମନ ନେଇ ଧରିତ୍ରୀ ବକ୍ଷରେ ବିଚରଣ କରନ୍ତି, ଅଥଚ ସେମାନଙ୍କର ଉତ୍ସ କେଉଁଠାରେ ଜାଣନ୍ତି ନାହିଁ ।

 

ମୁଁ ଏକ ସାଧାରଣ ନର୍ତ୍ତକୀ ! ଗୋଟିଏ ନର୍ତ୍ତକୀ ଜୀବନର କାହାଣୀ ତୁମ ମନରେ କେତେ ଦୂର ଆଗ୍ରହ ସୃଷ୍ଟି କରିପାରିବ ? କରିପାରିଥାନ୍ତା, ଯଦି ଏହି ଜୀବନର ଆରମ୍ଭରେ ସୁଦୀର୍ଘ ପୂର୍ଣ୍ଣଚ୍ଛେଦ ପଡ଼ିନଥାନ୍ତା । ନର୍ତ୍ତକୀ ଜୀବନରେ ଉତ୍‌ଥାନ ପତନ ରହିଛି । ସେହି ଜୀବନ ପାଏ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ସ୍ପର୍ଶ, ଯେଉଁମାନଙ୍କର ମୁଖା–ଖୋଲା ଉତ୍କଟ ପାଶବିକ ଚେହେରା ଦେଖି ଦେହରେ ଶିହରଣ ସୃଷ୍ଟିହୁଏ । ମୁଁ କିନ୍ତୁ ସେମିତି ହୋଇପାରିନାହିଁ । ସେଥିପାଇଁ ତୁମମାନଙ୍କୁ ଶୁଣେଇବାପାଇଁ ମନରେ ଦ୍ୱିଧା ଆସେ । ତୁମମାନଙ୍କପରି ମୋ ମନ ପ୍ରିୟଜନମାନଙ୍କର ସ୍ନେହଛାୟାର ପରିପୂର୍ଣ୍ଣତା ଲାଭ କରିନାହିଁ । କଣ କହିବାକୁ ଯାଇ କଣ କହିବି କେଜାଣି ? ଯାହା କହିବାକୁ ଚାହିଁବି, ହୁଏତ କହିପାରିବି ନାହିଁ । ତା’ ଅପେକ୍ଷା ନିଜର ଦୁଃଖ ମନମଧ୍ୟରେ ରୋମନ୍ଥନ କରିବା ଭଲ । ବାଦଶାହ ହୁମାୟୁନଙ୍କ ସମାଧି ବର୍ତ୍ତମାନ ବହୁତ ଦୂରରେ । ମୋ ପ୍ରତି ତୁମର ଦରଦ ଅସୀମ, ଏ କଥା ମୁଁ ଜାଣେ । ତୁମର ମନ ସରଳ । ମୁଁ ତୁମମାନଙ୍କ ନିକଟରେ କୃତଜ୍ଞ ।

 

ଏହି ଅବହେଳିତ ଜୀବନରେ ଅନେକ କଥା ଦେଖିଛି––ଯାହା କେବେହେଲେ କଳ୍ପନା କରିନଥିଲି । ମୋଗଲ ରାଜଧାନୀର ପ୍ରବଳ ଜୀବନସ୍ରୋତ ମୋର ଜୀବନର କ୍ଷୀଣଧାରା ସଙ୍ଗରେ ମଧ୍ୟ ପ୍ରତିହତ ହୋଇଛି । କେତେବେଳେ ଭାସିଯାଇଛି, କେତେବେଳେ ଛିଡ଼ାହେବାକୁ ଆପ୍ରାଣ ଚେଷ୍ଟାକରିଛି; କିନ୍ତୁ ପାରିନାହିଁ । ବଡ଼ ଭୟଙ୍କର ସେହି ସ୍ରୋତ । ବହୁତ କାନ୍ଦିଛି । ସକଳ ଆଖିରେ, ହତାଶାଭରା ହୃଦୟରେ ଦେଖିଛି ସେହି ଅଜଣା ଅଦେଖା ମରୁପାନ୍ତରର ଚିତ୍ର ।

 

ଏହିପରି ଭାବରେ ଦିନେ ବସିଥିଲି ରାଜଧାନୀର ପ୍ରାନ୍ତସୀମାରେ–ମୋର କ୍ଷୁଦ୍ର କୁଟୀରରେ । ବାହାରେ ଓସ୍ତାଦ୍‌ ଅମିନ ଖାଁଙ୍କର ଗୁରୁଗମ୍ଭୀର କଣ୍ଠସ୍ୱର ଶୁଣିଲି–ଚଞ୍ଚଳବାଈ !

 

ତ୍ରସ୍ତ ପଦରେ ଉଠିଯାଇ କବାଟ ଖୋଲିଲି । ଓସ୍ତାଦଜୀ ମତେ ଚାହିଁଲେ । ତା’ପରେ ମୋ କାନ୍ଧରେ ହାତରଖି କହିଲେ–ଆଖିରେ ଲୁହ କାହିଁକି ? କାହାପାଇଁ ଦୁଃଖ କରୁଛୁ ?

 

ହଠାତ୍‌ ମୋର ମୁହଁରୁ ବାହାରି ପଡ଼ିଲା–ନିଜପାଇଁ ଓସ୍ତାଦଜୀ !

 

–ନିଜପାଇଁ ? ତୋଠାରୁ ବେଶି ଭାଗ୍ୟବତୀ ଆଉ କିଏ ଅଛି ? ମୁଁ ତ ତତେ ସବୁ ଦେଇଛି । ଲୋକମାନଙ୍କ ପାଖରେ ତୋର ପରିଚୟ ହେଉଛି ନର୍ତ୍ତକୀ । ଏହି ପରିଚୟ ନଥିଲେ ତୁ ଜୀବିକା ଅର୍ଜନ କରିପାରିବୁ ନାହିଁ; କିନ୍ତୁ ତୁ ନିଶ୍ଚୟ ଭଲରୂପେ ଜାଣୁ, ସଙ୍ଗୀତ ତୋର ଅନୁଗତ ।

 

–ଜାଣେ ମୁଁ ସୌଭାଗ୍ୟବତୀ; କିନ୍ତୁ ଏତିକି କଣ ଯଥେଷ୍ଟ ? ଅତୁଳ ଧନସମ୍ପଦର ଅଧିକାରୀ ହୋଇ ମଣିଷ କଣ ଦୁଃଖୀ ହୋଇପାରେନାହିଁ ?

 

–ନିଶ୍ଚୟ ହୋଇପାରେ । ସେ ସବୁ ପାର୍ଥିବ କଥା । କିନ୍ତୁ ସଙ୍ଗୀତ ?

 

–ବେଳେବେଳେ ମୁଁ ସେକଥା ଭୁଲିଯାଏ । ଏକା ଏକା ବଡ଼ ଅସହାୟ ବୋଧକରେ । ମୁଁ ଏକା ।

 

ଓସ୍ତାଦଜୀ ଟିକିଏ ଗମ୍ଭୀର ହୋଇ କହିଲେ–ହଁ, ଠିକ୍‌ କହିଛୁ । ନିଃସଙ୍ଗତା ଏକ ବଡ଼ ଅଭାବବୋଧ ସୃଷ୍ଟିକରେ । ସେହି ଅଭାବବୋଧ ମନୁଷ୍ୟକୁ ପାଗଳକରେ । ସେ କିଛି ଗୋଟାଏ ପାଇବାକୁ ଚାହେଁ । ସେ ଚାହେଁ ଶସ୍ତା ଆନନ୍ଦ କିମ୍ବା ସ୍ୱର୍ଗୀୟ ବସ୍ତୁ । ଯେ କୌଣସି ଗୋଟାଏ କଥା ତୁ ବାଛିନେ । ଯେମିତି ବାଛିବୁ ସେମିତି ଫଳ ପାଇବୁ । ମୁଁ ସଙ୍ଗୀତ ବାଛିନେଇଛି–ତୁ ମଧ୍ୟ ତାକୁ ଗ୍ରହଣ କର ।

 

କିଛି କହିପାରିଲିନାହିଁ । ଏହି ଫକୀରପରି ମଣିଷଟାକୁ ଗୋଟିଏ ସାଧାରଣ ଝିଅର ମନର ଅବସ୍ଥା ବୁଝେଇ ଲାଭନାହିଁ । ସେ ବୁଝିପାରିବେ ନାହିଁ । ମୋର ଯୌବନ ଯେ ଧୀରେ ଧୀରେ ପ୍ରସ୍ଫୁଟିତ ହୋଇଉଠୁଛି, ଏହି ସତ୍ୟ ମଧ୍ୟ ତାଙ୍କ ଦୃଷ୍ଟିରେ ପଡ଼ିପାରିନାହିଁ । ତଥାପି ଓସ୍ତାଦଜୀ ମୋ ଜୀବନରେ ସବୁ କିଛି । ମୋତେ ରାସ୍ତାରୁ ଗୋଟେଇଆଣି କେବେ ସେ ନିଜ ପାଖରେ ଆଶ୍ରୟ ଦେଇଥିଲେ, ମୁଁ ଜାଣେନାହିଁ । ଅତୀତଆଡ଼କୁ ଦୃଷ୍ଟି ପ୍ରସାରଣକଲେ କିଛି ମନେପଡ଼େନାହିଁ । କେବଳ ଦେଖିଛି, ଓସ୍ତାଦଜୀଙ୍କ ପାଖରେ ବସି ସଙ୍ଗୀତ ଶିକ୍ଷା କରିଛି । ତା’ପରେ ଯେତେବେଳେ ଟିକିଏ ବଡ଼ହେଲି, ସେ ମତେ ଘରେ ନୃତ୍ୟ ଶିଖେଇବାର ବ୍ୟବସ୍ଥା କଲେ ।

 

ଶେଷରେ ଦିନେ କହିଲେ–ଏଥର ନିଜ ଗୋଡ଼ରେ ନିଜେ ଠିଆହେବାକୁ ଶିଖ୍‌ ।

 

–ମୁଁ ?

 

–ହଁ । ମୁଁ ତୋପାଇଁ ରହିବାର ବ୍ୟବସ୍ଥା କରିଛି । ଗୁଲରଙ୍ଗ ବୋଲି ଗୋଟିଏ ଝିଅ ଅଛି, ତା’ସାଙ୍ଗରେ ତୁ ରହିବୁ । ସେ ତତେ ଶିଖେଇଦେବ କେମିତି ନିଜ ଗୋଡ଼ରେ ଠିଆହେବାକୁ ପଡ଼େ-।

 

ମୁଁ କାନ୍ଦିଥିଲି । ଓସ୍ତାଦଜୀଙ୍କ ଆଖିରୁ ମଧ୍ୟ ଲୁହ ଗଡ଼ିପଡ଼ିଥିଲା । କହିଲି–ଆପଣଙ୍କୁ ଛାଡ଼ି ମୁଁ କେଉଁଆଡ଼େ ଯିବିନାହିଁ । ମୁଁ କିଛି ଜାଣେନାହିଁ, କାହାରିକୁ ଚିହ୍ନିନାହିଁ ।

 

ସବୁ ଜାଣିବୁ ଚଞ୍ଚଳ, ଧୀରେ ଧୀରେ ସବୁ ଜାଣିବୁ, ସମସ୍ତଙ୍କୁ ଚିହ୍ନିବୁ । ମୁଁ ବର୍ତ୍ତମାନ ବୃଦ୍ଧ ଆଉ ଅସୁସ୍ଥ । ବର୍ତ୍ତମାନଠାରୁ ତତେ ପ୍ରସ୍ତୁତହେବାକୁ ପଡ଼ିବ । ଉପାୟ ଥିଲେ ତତେ ମୁଁ ପାଖରୁ ଦୂରେଇ ଦିଅନ୍ତିନାହିଁ । ତୁ ମୋର ଝିଅ । ଦେଖିଛୁ ତ ମୋର କେହି ନାହିଁ–କେବେ ମଧ୍ୟ କେହି ନଥିଲେ ।

 

–ବାପା ? ମା ? ଆପଣଙ୍କର କେହି ନଥିଲେ ?

 

ଓସ୍ତାଦଜୀ ହସିଉଠି କହିଲେ–ସେ ତ ସମସ୍ତଙ୍କର ଥାଆନ୍ତି ପାଗଳି ! ଖୁବ୍‌ କମ୍‌ ବୟସରେ ମୁଁ ପିତାଙ୍କୁ ହରେଇଲି । ତା’ପରେ ମା’ ମତେ ଛାଡ଼ି ଚାଲିଗଲେ । ମା’ଙ୍କର ମୁହଁ ସ୍ପଷ୍ଟ ମନେପଡ଼ୁନାହିଁ ।

 

–କିନ୍ତୁ ମୋର ବାପା ଆଉ ମା’ ନାହାନ୍ତି ?

 

ଓସ୍ତାଦଜୀ ଗମ୍ଭୀର ହେଲେ । କିଛି କହିଲେନାହିଁ ।

 

ଆଜି ମଧ୍ୟ କୁଟୀରର ଦ୍ୱାରପ୍ରାନ୍ତରେ ଓସ୍ତାଦଜୀ ଛିଡ଼ାହୋଇଛନ୍ତି ଗମ୍ଭୀର ହୋଇ । ଆହୁରି ବୃଦ୍ଧ ହୋଇଯାଇଛନ୍ତି । ପ୍ରତିଟି ଦିନ ପରମାୟୁ ନିଃଶେଷିତ ହୋଇଆସୁଛି । ତାଙ୍କର ପାଦତଳେ ବସିପଡ଼ି ପୁଣି ଥରେ ପଚାରିଲି–ମୋ ବାପା ମା’ କେଉଁଠି ?

 

ମୋ ମୁଣ୍ଡରେ ହାତ ବୁଲାଉ ବୁଲାଉ ସେ କହିଲେ–ସେମାନେ ଥିଲେ । ତାଙ୍କ ହାତ ଦୁଇଟିକୁ ଧରିପକେଇ କହିଲି–କେଉଠିଁ ? ଆପଣ ମତେ କେଉଁଠୁ ପାଇଲେ ? ମୋ ବାପା ମା’ କେଉଁଠି ଥିଲେ ?

 

–ଉଦୟପୁରରେ ।

 

–ଉଦୟପୁରରେ ? ରାଜପୁତାନାରେ ?

 

–ହଁ ।

 

–କେଉଁଆଡ଼େ ଗଲେ ?

 

–ନାହାନ୍ତି । ସମସ୍ତେ ଯେଉଁଠିକି ଯାଆନ୍ତି, ସେଠିକି ସେମାନେ ଚାଲିଯାଇଛନ୍ତି–କିନ୍ତୁ ବହୁତ ଅଳ୍ପ ବୟସରେ । ତୁ ତାଙ୍କର ପ୍ରଥମ ସନ୍ତାନ ।

 

–ତାଙ୍କର କଣ ହୋଇଥିଲା ?

 

–ଜାଣେନାହିଁ ।

 

–ମତେ କେଉଁଠାରୁ ପାଇଲେ ?

 

–ଏଇ ଆଗ୍ରା ସହରର ଜଣେ ମୋଗଲ ସୈନିକ ଉଦୟପୁରରୁ ତତେ ନେଇଆସିଥିଲା । ସେ ବିଶେଷ କିଛି କହିପାରିଲା ନାହିଁ–କହିବାକୁ ମଧ୍ୟ ଚାହିଁଲାନାହିଁ ।

 

ମୁଁ ତା’ହେଲେ ରାଜପୁତ ? ମୋର ବାପା ମା’ ଥିଲେ ? ଉଦୟପୁରରେ ଆମର ଘର ? ମେବାରର ରାଜଧାନୀ ଉଦୟପୁର ନା ? ସେଠି ଆମର ନିଶ୍ଚୟ ଘର ଅଛି ? ଆମର ଆତ୍ମୀୟ ପରିଜନ ଅଛନ୍ତି ? ମୁଁ ଉଦୟପୁର ଯିବି । ସେମାନଙ୍କୁ ଖୋଜି ବାହାରକରିବି; କିନ୍ତୁ କିଏ ମୋର ବାପା ମା’ ? ତାଙ୍କ ନାଁ କଣ ?

 

ଓସ୍ତାଦଜୀ ଚାଲିଯାଇଛନ୍ତି । ମୁଁ ବୁଝିପାରିଲି ମୋ ବାପା ମା’ଙ୍କର ପରିଚୟ ସେ ମଧ୍ୟ ଜାଣନ୍ତିନାହିଁ । ଜାଣିଥିଲେ ମତେ ଦେଶକୁ ପଠେଇଦେଇଥାନ୍ତେ । ନିଜ ଗୋଡ଼ରେ ଛିଡ଼ାହେବାକୁ ଶିକ୍ଷା ଦେଇନଥାନ୍ତେ ।

 

ଏତେଦିନପରେ ଉପଲବ୍‌ଧ କଲି, କାହିଁକି ସେ ମୋ ନାଁ ଚଞ୍ଚଳବାଈ ରଖିଛନ୍ତି । ତାଙ୍କୁ ବାପା ବୋଲି ଡାକିବାକୁ ମତେ କାହିଁକି ଶିଖେଇଛନ୍ତି । ଏତେଦିନର ରହସ୍ୟ ସ୍ପଷ୍ଟ ହେଲା ।

 

ଗୁଲରଙ୍ଗ ମୋଗଲ ପ୍ରାସାଦକୁ ଯାଏ । ବାଦଶାହ ଜାହାଙ୍ଗୀରଙ୍କ ସମୟରୁ ଗୋଟିଏ ପ୍ରଥା ଥିଲା ଯେ ସନ୍ଧ୍ୟାପରେ ଦେଶର ଖୁବ୍‌ ସୁନ୍ଦରୀ ଯୁବତୀ ଓ ନର୍ତ୍ତକୀର ଦଳ ବାଦଶାହଙ୍କର ଅବସରବିନୋଦନର ବିରାଟ ପ୍ରକୋଷ୍ଠରେ ତାଙ୍କୁ ଦର୍ଶନକରିବାପାଇଁ ଉପସ୍ଥିତ ହୁଅନ୍ତି । ଏଥିରେ ବାଦଶାହ ଖୁସି ହୁଅନ୍ତି । ଶାହନଶାହ ଶାହଜାହାନ ମଧ୍ୟ ଏହି ପ୍ରଥା ଚାଲୁରଖିଥିଲେ ଦେଶରେ । ସମସ୍ତଙ୍କର ଧାରଣା, ମୋଗଲବଂଶ ଚିରକାଳ ହିନ୍ଦୁସ୍ଥାନରେ ରାଜତ୍ୱ କରିବ; ସୁତରାଂ ଚିରକାଳ ଏହି ପ୍ରଥା ଚାଲିଥିବ ।

 

ଗୁଲରଙ୍ଗ ମତେ ପ୍ରତ୍ୟେକ ଦିନ ପ୍ରାସାଦକୁ ଯିବାକୁ ଅନୁରୋଧ କରେ । ସେ କଥା ଶୁଣି ମତେ ଭାରି ଖରାପ ଲାଗେ । ସେ ମୋର ପରମ ହିତୈଷୀ । ବାରମ୍ବାର ତା ମନରେ କଷ୍ଟଦେବାକୁ ମତେ ଭଲଲାଗୁନଥିଲା । ଶେଷରେ ତାକୁ ଦିନେ କହିଲି–ଆଉ ମତେ ସେକଥା କହନା ଗୁଲରଙ୍ଗ ! ମତେ କିଛିଦିନ ଭାବିବାକୁ ଦେ ।

 

–ଆଉ କେତେଦିନ ଭାବିବୁ ? ସମୟ ଯେ ଚାଲିଯାଉଛି । ତୋର ଦେହର ଚର୍ମ କେମିତି ମସୃଣ ଓ କୋମଳ ହୋଇଉଠିଛି ଦେଖିପାରୁନାହୁଁ ? ତୋର ଦୁଇ ଗଣ୍ଡଦେଶରେ ରକ୍ତର ଆଭା ଫୁଟିଉଠିଛି । ଏଇ ତ ସମୟ ! ୟାକୁ କାମରେ ନ ଲଗେଇଲେ ଦିନେ ଦେଖିବୁ ସବୁ ନଷ୍ଟ ହୋଇଯାଇଛି । ସେତେବେଳେ ତତେ ରାସ୍ତାରେ ଠିଆହେବାକୁ ପଡ଼ିବ, କେହି ତତେ ଫେରି ଚାହିଁବେନାହିଁ ।

 

–ବାଦଶାହଙ୍କ ପାଖକୁ କାହିଁକି ତୁମେମାନେ ଯାଅ ?

 

–ସେ କଥା ତ ଜାଣେ ନାହିଁ...ଏଇଟା ନିୟମ !

 

–ସେମାନେ କାହିଁକି ଦେଖିବାକୁ ଚାହାଁନ୍ତି ?

 

–ଏକଥା ତୁ ଜାଣିନୁ ? ସେମାନେ ତୈମୁରବଂଶର ଲୋକ ।

 

–ତୈମୁରବଂଶର ଲୋକ ହେଲେ କଣ ହେଲା ?

 

–ଯୁଦ୍ଧ, ଶିକାର ଆଉ ସୁନ୍ଦରୀ ଯୁବତୀ–ଏହି ତିନୋଟି ସେମାନଙ୍କ ରକ୍ତରେ ମିଶି ରହିଛି-

 

–ଛିଃ, ଛିଃ ।

 

–ଛିଃ ଛିଃ କଣ କହୁଛୁ ? ଭଲ ତ । ଆମର କେତେ ଦୋଷ ଅଛି କହିଲୁ !

 

–ଶୁଣିଛି, ଶାହନଶାହ ମମତାଜଙ୍କୁ ଖୁବ୍‍ ଭଲପାଉଥିଲେ । ବରହମପୁରରେ ଯେଉଁ ଦିନ ତାଙ୍କର ମୃତ୍ୟୁ ହେଲା, ତା’ପରଦିନଠାରୁ ଶାହନଶାହଙ୍କର ମୁଣ୍ଡର ବାଳସବୁ ଧଳା ହୋଇଯାଇଥିଲା-

 

ଗୁଲରଙ୍ଗର ମୁଖମଣ୍ଡଳ ବ୍ୟଥାରେ ଭରିଉଠିଲା–ହଁ, ସତକଥା । ସମସ୍ତେ ସେକଥା କହନ୍ତି । ଏତେଦିନ ପରେ ମଧ୍ୟ ତାଙ୍କ ମୁଖରେ ବିଷଣ୍ଣ ଭାବ, ଚକ୍ଷୁର ଦୃଷ୍ଟିରେ ଅନ୍ୟମନସ୍କତା ।

 

–ତା’ହେଲେ ଏସବୁ କାହିଁକି ?

 

ଗୁଲରଙ୍ଗ କହିଲା–ତୁ କେଡ଼େ ବୋକା ।

 

–କାହିଁକି ?

 

–ତୁ ଶାହନଶାହଙ୍କୁ ଅନ୍ୟମାନଙ୍କ ପରି ଭାବୁଛୁ ।

 

–ସେ କଣ ମଣିଷ ନୁହନ୍ତି ?

 

–ନା, ଶାହନଶାହ ମଣିଷଠାରୁ ଆହୁରି ବଡ଼, ଅନେକ ଉଚ୍ଚରେ । ମମତାଜ ବେଗମ୍‌ଙ୍କର ମୃତ୍ୟୁ ହୋଇଛି; କିନ୍ତୁ ହାରେମ୍‌ରେ ତାଙ୍କର ବେଗମ୍‌, ଉପବେଗମ୍‌ ଓ କ୍ରୀତଦାସୀଙ୍କର ସଂଖ୍ୟା ଦୁଇହଜାରରୁ ବେଶି–ଏକଥା ତୁ ଜାଣୁ ?

 

–ଦୁଇ ହଜାର ?

 

–ହଁ । ସେମାନେ ଶାହନଶାହଙ୍କୁ ଖୁସିକରିବାପାଇଁ ଆକୁଳ ପ୍ରତୀକ୍ଷାରେ ଛଟପଟ ହୁଅନ୍ତି-

 

ମୁଁ ଅବାକ୍‌ ହୋଇ ଶୁଣୁଥିଲି । ଏତେଦିନ ନଗରୀରେ ରହି ମଧ୍ୟ ଆଗ୍ରା କିଲ୍ଲାର ଜୀବନଧାରା ମୋ ପାଖରେ ଅଜଣା ହୋଇ ରହିଯାଇଛି । ଓସ୍ତାଦଜୀ ମତେ ଶିଖେଇଛନ୍ତି କେବଳ ସଙ୍ଗୀତ ଓ ନୃତ୍ୟ । ଗୁଲରଙ୍ଗ କହିଲା–ଜାଣିଛୁ, ବର୍ତ୍ତମାନ କିଲ୍ଲାରେ ନୃତ୍ୟ ଗୀତ ସବୁ ବନ୍ଦ । ଶାହନଶାହଙ୍କୁ ଆମୋଦ-ପ୍ରମୋଦ ଭଲ ଲାଗୁନାହିଁ ।

 

–ତେବେ ତୁମେମାନେ କାହିଁକି ଯାଅ ?

 

–ସେ ଅନୁଗ୍ରହ କରି ଅନୁମତି ଦେଇଛନ୍ତି । ଅନୁମତି ନଦେଇଥିଲେ ଆମେ କିଛି ପାଇନଥାନ୍ତୁ; ଚଳିଥାଆନ୍ତୁ କେମିତି ?

 

–ସେ ଏତେ ମହାନ୍ ?

 

–ହଁ, କିନ୍ତୁ ବର୍ତ୍ତମାନ ସମସ୍ତେ କଥାବାର୍ତ୍ତା ହେଉଛନ୍ତି, ଏଥର ବୋଧହୁଏ ନିସ୍ତବ୍‌ଧ ପରିବେଶ ଦୂରହେବ ।

 

–ତା’ର ଅର୍ଥ ?

 

–ପୁଣି ଆଗପରି ନୃତ୍ୟ-ଗୀତ ଆରମ୍ଭହେବ ।

 

–କାହିଁକି ? ମମତାଜ ବେଗମ୍‌ଙ୍କର ଶୋକ ସେ ଭୁଲିଯାଇଛନ୍ତି ?

 

–ମମତାଜ ବେଗମ୍‌ଙ୍କର ଶୋକ ଶାହନଶାହ ତାଙ୍କର ମୃତ୍ୟୁପରେ ମଧ୍ୟ ପୃଥିବୀରୁ ନିଶ୍ଚିହ୍ନ ହେବାକୁ ଦେବେନାହିଁ । ଏଇ ଯମୁନା ନିକଟରେ ଗୋଟିଏ ବିରାଟ ପ୍ରାସାଦ ତିଆରି ହେଉଛି, ଜାଣିଛୁ ?

 

ମୁଁ ଶୁଣିଛି ନବାବ ବାଦଶାହମାନଙ୍କର କେତେପ୍ରକାର ଖିଆଲ ହୁଏ । ଓସ୍ତାଦଜୀ କହନ୍ତି, କେତେଲୋକ ଅମର ହେବାକୁ ଚାହାନ୍ତି । ଯେଉଁମାନଙ୍କର କିଛି ଦେବାର ନାହିଁ, ସେମାନେ ବଡ଼ ବଡ଼ ହର୍ମ୍ୟ ନିର୍ମାଣ କରି ନିଜକୁ ବଞ୍ଚେଇ ରଖିବାର ଆପ୍ରାଣ ଚେଷ୍ଟା କରନ୍ତି । କିନ୍ତୁ ଶାହନଶାହଙ୍କୁ ଏତେ ଛୋଟ ବୋଲି ଭାବିବାକୁ ଇଚ୍ଛା ହେଉନାହିଁ । ସେ ନିଜ ଅପେକ୍ଷା ମମତାଜ୍‌ଙ୍କ ସୃତି ହୁଏତ ବେଶି ରକ୍ଷାକରିବାକୁ ଚାହାନ୍ତି । ତାଙ୍କର ହାରେମ୍‌ରେ ଦୁଇହଜାର ରମଣୀଙ୍କର ଅସ୍ତିତ୍ୱ କଥା ନଜାଣିଲେ ମଧ୍ୟ ଏକଥା ମୁଁ ଜାଣିଥିଲି ଯେ ମୋଗଲ ବାଦଶାହମାନଙ୍କର ଅନେକ ବେଗମ୍‌ ଥାଆନ୍ତି; ଶାହଜାହାନଙ୍କର ମଧ୍ୟ ଥିଲା । ତେବେ କେବଳ ମମତାଜ୍‌ ବେଗମଙ୍କ ଗର୍ଭରୁ ତାଙ୍କର ଚୌଦଟି ସନ୍ତାନ ଜନ୍ମ ହୋଇଥିଲେ । ଏହି ଘଟଣା ପ୍ରମାଣକରେ ବେଗମ୍‌ଙ୍କ ପ୍ରତି ତାଙ୍କର ଅପରିସୀମ ଆକର୍ଷଣ । ଶେଷ ସନ୍ତାନ ଗଉହରା ବେଗମ୍‌ଙ୍କର ଜନ୍ମ ସମୟରେ ମମତାଜ୍‌ ପୃଥିବୀରୁ ଚିରବିଦାୟ ନେଲେ ।

 

ଗୁଲରଙ୍ଗ ସ୍ନିଗ୍‌ଧ ଦୃଷ୍ଟିରେ ମତେ ଚାହିଁ କହିଲା–ବାଦଶାହଜାଦାଙ୍କର ଶୀଘ୍ର ବିବାହ ହେଉଛି ।

 

–କେଉଁ ବାଦଶାହଜାଦା ?

 

–ତୁ ସତରେ ଅଦ୍ଭୁତ ! କୌଣସି ଖବର ରଖିବାକୁ ତୁ କଣ ପ୍ରୟୋଜନ ମନେକରୁନାହିଁ-?

 

ମୁଁ ଲଜ୍ଜିତ ହେଲି । ଗୁଲରଙ୍ଗର ଏହି ଧିକ୍‌କାର ଅମୂଳକ ନୁହେଁ । ରାଜଧାନୀରେ ରହି ଏମିତି ନିର୍ବିକାର ରହିବା ଶୋଭାପାଏନାହିଁ । ଜଡ଼ିତକଣ୍ଠରେ କହିଲି–ବର୍ତ୍ତମାନଠାରୁ ସବୁ ଖବର ରଖିବି । ତୁ ମୋ ଉପରେ ରାଗ ନାହିଁ ।

 

–ତୋର ଭବିଷ୍ୟତ କଥା ଭାବି ରାଗହୁଏ । ଏଇସବୁ ଖବର ରଖିବା ଆମର କର୍ତ୍ତବ୍ୟ । ଏହାରି ଉପରେ ନିର୍ଭର କରୁଛି ଆମର ଜୀବିକା ।

 

–ବାଦଶାହଜାଦା ଦାରାଶୁକୋଙ୍କର ବିବାହ ବୋଧେ ?

 

–ହଁ । ସେ ହେଉଛନ୍ତି ଶାହନଶାହଙ୍କର ନୟନର ମଣି । ତା’ଛଡ଼ା ଏ ବିବାହ ଠିକ୍‌ କରିଯାଇଛନ୍ତି ସ୍ୱୟଂ ମମତାଜ୍‌ ବେଗମ୍‌ ।

 

ମୁଁ ଗୁଲରଙ୍ଗ ସହିତ ଏହିସବୁ ଗଳ୍ପ କରେ । ଏହି ଗଳ୍ପ କରିବାର ସୁଯୋଗରୁ ସେ ଅଦ୍ଭୁତ ପ୍ରେରଣା ପାଏ । ଉତ୍ତେଜନାରେ ତା’ର ମୁହଁ ଆଖି ଲାଲ୍‌ ହୋଇଉଠେ । ବେଳେ ବେଳେ କେଉଁ ବେଗମ୍‌ଙ୍କ ପ୍ରତି କୃତଜ୍ଞତାରେ ତା’ର ମୁଣ୍ଡ ନଇଁଯାଏ । ପୁଣି କେଉଁ ଖୋଜାର ଦୁର୍ବ୍ୟବହାର କଥା କହି ସେ ରାଗରେ କମ୍ପିଉଠେ; କିନ୍ତୁ ସେ ଜାଣେନା, ଏସବୁ କଥା ଶୁଣିବାପାଇଁ ମୋ ମନରେ କେତେ ଅନାଗ୍ରହ । ଜାଣିଲେ ସେ ମର୍ମାହତ ହେବ; କାରଣ ମୋପରି ଏକ ଅଭିଭାବକହୀନ କୁମାରୀ କନ୍ୟାଙ୍କୁ ବଞ୍ଚିରହିବାକୁହେଲେ ଶାହନଶାହଙ୍କର ଅନୁଗ୍ରହପୁଷ୍ଟ ହେବାକୁ ପଡ଼ିବ । ଏମିତି କେହି ନାହାନ୍ତି, ଯେ ସ୍ୱଇଚ୍ଛାରେ ଆସି ମୋର ହାତ ଧରି କହିବ ମୋ ଘରକୁ ଚାଲ–ମୁଁ ତତେ ମୋର ହୃଦୟରେ ସ୍ଥାୟୀ ଆସନ ଦେବି ।

 

ଯମୁନାର କୃଷ୍ଣବର୍ଣ୍ଣ ଜଳ ଉପରେ ସନ୍ଧ୍ୟା ନଇଁଆସେ । ଯମୁନା ପାର୍ଶ୍ୱବର୍ତ୍ତୀ ବିଟପୀ ଶ୍ରେଣୀ ସନ୍ଧ୍ୟାକୁ ଅଭ୍ୟର୍ଥନା କରିବାପାଇଁ ନିଷ୍ପନ୍ଦ, ନିଥର । ଦୂରରେ ଜୁମ୍ମା ମସଜିଦ୍‌ରୁ ‘ଆଲ୍ଲା’ ଧ୍ୱନି ଦିଗନ୍ତରେ ମିଳେଇଯାଏ । ଆକାଶ ବକ୍ଷରେ ଦଳ ଦଳ ହୋଇ ବଳାକା ତ୍ରସ୍ତହୋଇ ଉଡ଼ିଯାଆନ୍ତି ।

 

ମୁଁ ଝରକାପାଖରେ ଏକା ବସିଛି । ଗୁଲରଙ୍ଗ ଅନେକ ରାତିରେ ଫେରିବ । ବାଦଶାହଜାଦାଙ୍କର ବିବାହ ଆୟୋଜନ ଆଗେଇ ଚାଲିଛି । ଶାହଜାହାନ ତାଙ୍କ ଜ୍ୟେଷ୍ଠା କନ୍ୟା ଜାହାନ୍ନାରାଙ୍କ ଉପରେ ଦାରାଶୁକୋଙ୍କର ବିବାହ ଦାୟିତ୍ୱ ଦେଇଛନ୍ତି । ଜାହାନ୍ନାରା ବେଗମ୍‌ ଦାରାଙ୍କୁ ସବୁଠାରୁ ବେଶି ଭଲପାଆନ୍ତି । ଇତିମଧ୍ୟରେ ତାଙ୍କ ନିଜସ୍ୱ ଭଣ୍ଡାରରୁ ଷୋହଳଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ବିବାହ ଆଉ କେତେ ମାସ ବାକି; କିନ୍ତୁ ଏକ ସପ୍ତାହ ମଧ୍ୟରେ କନ୍ୟା ଗୃହକୁ ଏକ ଆଡ଼ମ୍ବରପୂର୍ଣ୍ଣ ଉପଢୌକନ ପଠାହେବ । ସାଙ୍ଗରେ ଯିବେ ମମତାଜ୍‌ ବେଗମ୍‌ଙ୍କର ବୃଦ୍ଧା ମାତା, ତାଙ୍କର ଆଉ ଏକ କନ୍ୟା ଏବଂ ଅନ୍ୟାନ୍ୟ ଆତ୍ମୀୟସ୍ୱଜନ ।

 

ଗୁଲରଙ୍ଗ ପାଖରୁ କନ୍ୟାର ନାମ ଶୁଣିଥିଲି । ତାଙ୍କର ନାମ କରିମ୍‌-ଉନ୍‌-ନିଶା, ଦକ୍ଷିଣର ନବାବ ସୁଲତାନ ପରିଭିକ୍‌ଙ୍କର କନ୍ୟା । ଜାହାନ୍ନାରା ଭ୍ରାତାର ବେଗମ୍‌ଙ୍କର ଅନ୍ୟ ନାମକରଣ କରିଛନ୍ତି । ନାମ ରଖାହୋଇଛି ନାଦିରା ବେଗମ୍‌ । ନାଦିରା ବେଗମ୍‌ ଅପୂର୍ବ ସୁନ୍ଦରୀ । ଗୁଲରଙ୍ଗ ସବୁବେଳେ ସେହି ରାଜପ୍ରାସାଦ କଥା ମତେ କହେ । ମୁଁ ତାର ଉତ୍ସାହକୁ ଦମନ ନକରି କୌତୂହଳ ପ୍ରକାଶକରେ; କିନ୍ତୁ ଆଉ ପାରୁନାହିଁ । ସବୁବେଳେ ହାରେମ୍‌ ଆଉ ହାରେମ୍‌ । ଏହି ବିଶାଳ ଦେଶ ତୁଳନାରେ ହାରେମ୍‌ର ସ୍ଥାନ କେତେ ଛୋଟ ? ତା’ର ଗୁରୁତ୍ୱ ଅବା କେତେ ? ବେଳେବେଳେ ମନେହୁଏ, ସାରା ଦେଶର ରକ୍ତ ଶୋଷି ହାରେମ୍‌ ତା’ର ମନୋଲୋଭା ରଙ୍ଗ ନେଇ ସମସ୍ତଙ୍କୁ ପ୍ରଲୁବ୍‌ଧ କରୁଛି । ଏସବୁ କଥା ଭାବିଲେ ମୁଣ୍ଡ ଭିତରେ ଯେମିତି ନିଆଁ ଜଳିଉଠେ । କିଛି ଭଲଲାଗେନାହିଁ ।

 

ମୁଁ ମନ ସ୍ଥିରକଲି–ହାରେମ୍‌ ନୁହେଁ, ଆଗ୍ରାନଗରୀର ପଥଘାଟ ଏବଂ ପ୍ରାନ୍ତର ମୋର ନୃତ୍ୟର ପ୍ରାଙ୍ଗଣ ଓ ସୁଲଳିତ କଣ୍ଠର ଜଲସାଘର ହେବ । ଶାହନଶାହ କିମ୍ବା ବାଦଶାହଜାଦା ନୁହେଁ, ପଥର ଧୂଳିଧୂସରିତ ସାଧାରଣ ମଣିଷ ମୋର ନୃତ୍ୟର ଦର୍ଶକ ଓ ସଙ୍ଗୀତର ଶ୍ରୋତା ହେବ ।

 

ଜାଣେ, ଓସ୍ତାଦଜୀ ଖୁବ୍‌ ମର୍ମାହତ ହେବେ । ସେ ଚାହାଁନ୍ତି ଖାନ୍‌ଦାନ୍‌ ଘରେ ମୁଁ ସ୍ଥାନ ପାଏ; କାରଣ ସେହିଠାରେ ହିଁ ମୁଁ ପାଇବି ପ୍ରକୃତ ବୁଝିବା ଲୋକ–ସେଠାରେ ପାଇବି ସ୍ନେହ ଓ ଐଶ୍ୱର୍ଯ୍ୟ, କିନ୍ତୁ ନା–ମୁଁ ବନ୍ଦିନୀ ହୋଇପାରିବି ନାହିଁ ।

 

ଅନ୍ଧକାର ନଇଁଆସିଛି । ଗୁଲରଙ୍ଗ ପ୍ରାସାଦରୁ ଏପର୍ଯ୍ୟନ୍ତ ଫେରିନାହିଁ । ଫେରିବା ସମୟରେ ରାତିପାଇଁ ଖାଇବା ଜିନିଷ ସେ ସାଙ୍ଗରେ ନେଇଆସେ । ତା’ର ପ୍ରତୀକ୍ଷାରେ ମୁଁ ବସିରହିଛି । ଅନତିଦୂରରେ ଯମୁନାଜଳରେ ଇତସ୍ତତଃ କ୍ଷୁଦ୍ର କ୍ଷୁଦ୍ର ଆଲୋକର ଅତି କ୍ଷୀଣ ରଶ୍ମି । କେଉଟମାନେ ମାଛ ଧରୁଛନ୍ତି । ସାରା ରାତି ବୁଲିବୁଲି ଏମିତି ମାଛ ଧରିବେ । କ୍ଳାନ୍ତିରେ ଆଖିପତା ଅବଶ ହେବାର ଉପାୟ ନାହିଁ । ଏମାନଙ୍କ ପାଇଁ ଗ୍ରୀଷ୍ମ ଶୀତ ସବୁ ସମାନ । ପ୍ରାସାଦର ପ୍ରସାଦ ଏମାନଙ୍କ ଭାଗ୍ୟରେ ଜୁଟେନାହିଁ । ପ୍ରାସାଦର ଆଲୋକ ଏମାନଙ୍କ ମନରେ କୌଣସି ପ୍ରେରଣା ସୃଷ୍ଟି କରେନାହିଁ ।

 

ଦ୍ୱାରରେ କରାଘାତହେଲା । ଦୌଡ଼ିଗଲି । ଗୁଲରଙ୍ଗ ଆସିଛି, ନିଶ୍ଚୟ କିଛି ମଜାଖବର ଦେବାପାଇଁ ଉତ୍ତେଜିତ ହୋଇଉଠିଛି–ନହେଲେ ଘନଘନ ଏତେ କରାଘାତ କାହିଁକି ? ଏତେ ଜୋର୍‌ରେ ଅବା କାହିଁକି ?

 

ଦ୍ୱାରଖୋଲି ଚମକିପଡ଼ିଲି, ଭୟରେ ଦୁଇପାହୁଣ୍ଡ ପଛେଇଗଲି । ସମ୍ମୁଖରେ ଛିଡ଼ାହୋଇଛି ଅପରିଚିତ ବଳିଷ୍ଠ ଏକ ପୁରୁଷ । ପୁରୁଷଟିର ମୁଖରେ ଆକର୍ଣ୍ଣବିସ୍ତୃତ ହାସ୍ୟ । ସେ ଦୁଇପାଦ ଆଗେଇ ଆସିଲା । ମୋର ନିଃଶ୍ୱାସ ବନ୍ଦହେବାର ଉପକ୍ରମ ହେଲା ।

 

–ଆପଣ କିଏ ?

 

–ମୁଁ ? ଚିହ୍ନିପାରିବ ନାହିଁ ଅପ୍‌ସରାବାଈ !

 

–କଣ ଆପଣ ଚାହାଁନ୍ତି ?

 

–କେବଳ ତୁମକୁ ।

 

–ନା ।

 

ଖୁବ୍‌ ଜୋର୍‌ରେ ପୁରୁଷଟି ହସିଉଠିଲା । ପ୍ରତି ମୁହୂର୍ତ୍ତରେ ମୋର ଭୟ । ପାଦଦୁଇଟି ଥରିଉଠିଲା । ଶରୀର ବରଫ ପାଲଟିଗଲା ।

 

–ଭୟ ନାହିଁ ଅପ୍‍ସରାବାଈ, ମୁଁ ତମର କିଛି କ୍ଷତି କରିବିନାହିଁ ।

 

–ତା’ହେଲେ କାହିଁକି ଆସିଛନ୍ତି ?

 

–ଦେଖିବାକୁ ।

 

–ଆପଣ କିଏ ?

 

–କହିଲି ତ ଚିହ୍ନିପାରିବ ନାହିଁ ।

 

–ଆପଣ ଚାଲିଯାଆନ୍ତୁ ।

 

ସେ ଅଟ୍ଟହାସ୍ୟ କରିଉଠିଲା । ଓଃ, କି ବୀଭତ୍ସ ! ମୋର ଜ୍ଞାନ ଲୋପପାଇବାର ଉପକ୍ରମ ହେଲା । ହସ ବନ୍ଦହେଲା । ଧୀରେ ଧୀରେ ସେ କହିଲା–ବ୍ୟକ୍ତିଗତ ଭାବରେ ତୁମର କ୍ଷତି କରିବାକୁ ସାଧ୍ୟ ମୋର ନାହିଁ ।

 

ମୁଁ ନିର୍ବାକ୍ ହୋଇଗଲି ।

 

–ମୁଁ ଜଣେ ଖୋଜା ଅପ୍‌ସରାବାଈ !

 

ମୁହୂର୍ତ୍ତକ ମଧ୍ୟରେ ମନଟା ମୋର ହାଲୁକା ଲାଗିଲା । ଅବଶ ଦୁଇପାଦରେ ରକ୍ତ ଚଳାଚଳ ଆରମ୍ଭହେଲା । ଖୋଜା ସବୁ ଲକ୍ଷ୍ୟ କଲା । ମୃଦୁ ହସି କହିଲା–ତେବେ ଅନ୍ୟ ଭାବରେ କ୍ଷତି କରିପାରେ । ତୁମକୁ ନେଇ ହାରେମ୍‌ରେ ରଖିଲେ ଏହି ସୁନ୍ଦର ମୁହଁଟିକୁ କେହି ଆଉ ଦେଖିବାକୁ ପାଇବେନାହିଁ । ବାଦଶାହଜାଦା ସୁଜା ଠିକ୍‌ ଏମିତି ଗୋଟିଏ ରୂପପାଇଁ ଘୂରିବୁଲୁଛନ୍ତି ।

 

–ନା ନା, ତୁମେ ମୋର ସର୍ବନାଶ କରନାହିଁ ।

 

–କେବେ ନୁହେଁ–ତୁମର ସର୍ବନାଶ ମୁଁ କରିବିନାହିଁ । ତା’ ପୂର୍ବରୁ ମୋର ଅସଲ ପରିଚୟଟା ଦେଉଛି । ମୁଁ ଶାହନଶାହ ହାରେମ୍‌ର ଖୋଜା । ମୋର ନାଁ ମତଲବ୍‌ ଖାଁ । ବାଦଶାହଜାଦା ଦାରାଶୁକୋଙ୍କର ବିବାହ ପରେ ତାଙ୍କ ହାରେମ୍‌ର ଭାର ମୋ ଉପରେ ପଡ଼ିବ ।

 

ଅନ୍ୟ ସମୟ ହୋଇଥିଲେ ମତଲବ୍‌ ଖାଁର କଥା ମୋ ମନରେ ସାମାନ୍ୟ କୌତୂହଳ ସୃଷ୍ଟି କରିଥାଆନ୍ତା, କିନ୍ତୁ ବର୍ତ୍ତମାନ ଅବସ୍ଥାରେ କୌଣସି କୌତୂହଳ ହେଲାନାହିଁ ।

 

–କଣ ଅପ୍‌ସରାବାଈ, ଏକଥା ଶୁଣି ମନରେ ଆନନ୍ଦ ହେଉନାହିଁ ?

 

–ମୋର ନହେଉ; ତମର ତ ଆନନ୍ଦ ହେବାର କଥା ! ତମର କେତେ ଉନ୍ନତି ହେବ ।

 

–ତମର ଉନ୍ନତିରେ ମୁଁ ଖୁସି ହେବି ଭାଇ !

 

ମୋର ଅଜାଣତରେ ମୁହଁରୁ ‘ଭାଇ’ ଶବ୍ଦ ବାହାରିଆସିଲା ଏବଂ ସେହି ଅମିତ ବଳଶାଳୀ ବ୍ୟକ୍ତିଟି ହଠାତ୍‌ କାନ୍ଦିଉଠିଲା । ମୁଁ କଣ କରିବି ବୁଝିପାରିଲିନାହିଁ । ସେ ହଠାତ୍‌ ମୋ ହାତଟାକୁ ଧରିପକେଇ କହିଲା–ଭଉଣୀ ! ଏମିତି କଥା ମତେ କେହି କେବେ କହିନାହିଁ । ତୁମର ପ୍ରାଣ ଅଛି, ସେଥିପାଇଁ ଅନ୍ୟର ପ୍ରାଣର କଥା ଏତେ ଶୀଘ୍ର ବୁଝିପାରିଲ । ତୁମକୁ ମୁଁ ଭୁଲିପାରିବି ନାହିଁ ।

 

ମୁହୂର୍ତ୍ତକ ମଧ୍ୟରେ ମୋ ମନରୁ ଭୟ କେଉଁଆଡ଼େ ଚାଲିଗଲା । ବୁଝିପାରିଲି, ମତଲବ ଖାଁ ହୃଦୟରେ ବ୍ୟଥାର ପାହାଡ଼ ଜମାହୋଇ ରହିଛି । ତା’ର ଖୋଜା ହେବାର ପଛରେ ହୁଏତ ରହିଛି କେଉଁ ଏକ ନିଷ୍କରୁଣ କାହାଣୀ । ଖୁସିରେ କେହି ନିଜ ଜୀବନର ସୁଖ ଆନନ୍ଦ ବିସର୍ଜନ ଦିଏନାହିଁ । ପୃଥିବୀରେ ଜନ୍ମହୋଇ ଜ୍ଞାନ ହେବା ପୂର୍ବରୁ ଯେଉଁମାନେ ଖୋଜା ହୁଅନ୍ତି ସେମାନଙ୍କ ମସ୍ତିଷ୍କ ଓ ବୁଦ୍ଧିବୃତ୍ତିକୁ ତ ଖୋଜା କରି ଦିଆଯାଇପାରିବ ନାହିଁ । ସବୁ କିଛି ଦେଖି ଶୁଣି ତୁଳନାତ୍ମକ ବିଚାର ବିବେଚନା କରି ନିଜର ସ୍ୱରୂପ ସେମାନେ ଚିହ୍ନିପାରନ୍ତି । ସେମାନେ ଉପଲବ୍‌ଧି କରନ୍ତି, ଏକ ଯୁବକ ପକ୍ଷରେ ଖୋଜା ହେବା ଅପେକ୍ଷା ପ୍ରାଣ ବିସର୍ଜନ ଦେବା କେତେ ସହଜ ।
 

 

ମତଲବ ଖାଁକୁ ବସିବାକୁ କହିଲି । ଭିତରୁ ପାନୀୟ ଆଣି ତା ହାତରେ ଦେଇ କହିଲି––ହାରେମ୍‌ପରି ଏ ପାନୀୟ ସୁସ୍ୱାଦୁ ନୁହେଁ, ତଥାପି ପିଇଦିଅ ।

 

ସେ ଆଗ୍ରହରେ ପାତ୍ର ନେଇ କହିଲା––ହାରେମ୍‌ର ସବୁଠାରୁ ସୁସ୍ୱାଦୁ ପାନୀୟ ୟା ତୁଳନାରେ ବିସ୍ୱାଦ ଭଉଣୀ !

 

କିଛି ସମୟ ପରେ କହିଲି–ଏଥର କହ, କଣପାଇଁ ଆସିଥିଲ ? ବର୍ତ୍ତମାନ ସୁଦ୍ଧା ମୋର ଛାତି ଥରୁଛି ।

 

ମତଲବ ଖାଁର ହସ ଏତେ ସମୟ ପରେ ମତେ ବଡ଼ ଭଲଲାଗିଲା । ମନୁଷ୍ୟର ନିଜ ମନ ଅପରକୁ ସୁଶ୍ରୀ କିମ୍ବା କୁଶ୍ରୀ କରେ । ଅପରର ବ୍ୟବହାର ଅବଶ୍ୟ ଏଥିପାଇଁ କମ୍‌ ଦାୟୀ ନୁହେଁ-

 

ମତଲବ ପଚାରିଲା–ଗୁଲରଙ୍ଗ ଏଇଠି ରହେ ?

 

–ହଁ ।

 

–ସେ ତୁମ କଥା ମତେ କହିଛି ।

 

–ସେ ତା’ହେଲେ ଭିତରେ ଭିତରେ ମୋ ସହିତ ଶତ୍ରୁତା କରୁଛି ?

 

–ଶତ୍ରୁତା ? ତମେ କଣ କହୁଛ ? ସେ ତମର ମଙ୍ଗଳ ଚାହେଁ ।

 

–ତା’ହେଲେ ମୋ କଥା କାହିଁକି କହିବାକୁ ଗଲା ?

 

–ତମର ଭଲପାଇଁ ।

 

–ହାରେମ୍‌ରେ ବନ୍ଦୀ ହୋଇ ରହିବା ଭଲ ?

 

–ବନ୍ଦୀ ହେବ କାହିଁକି ? ବାଦଶାହଜାଦା ଦାରାଶୁକୋଙ୍କର ବିବାହ ଉତ୍ସବରେ ବହୁ ନର୍ତ୍ତକୀ ଆସିବେ । ମେହେନ୍ଦି ରଙ୍ଗରେ ଅତିଥିମାନଙ୍କର ହାତ ସେମାନେ ରଙ୍ଗ କରିବେ । ତମେ ମଧ୍ୟ ତାଙ୍କ ମଧ୍ୟରୁ ଜଣେ । ଏ କଣ କମ୍‌ ସୌଭାଗ୍ୟ ? ଏ ସୁଯୋଗ କେତେଜଣଙ୍କ ଭାଗ୍ୟରେ ଆସେ ? ହିନ୍ଦୁସ୍ଥାନରେ କେତେଜଣ ନର୍ତ୍ତକୀ ଭାବୀ ଶାହନଶାହଙ୍କ ବିବାହରେ ଯୋଗ ଦେଇପାରନ୍ତି-?

 

–ଆଚ୍ଛା ଭାଇ, ମୋ ନାଁ ଅପ୍‌ସରା ବାଈ ବୋଲି କିଏ କହିଲା ?

 

–କିଏ ଆଉ କହିବ ? ମୁଁ ଏ ନାଁ ରଖିଛି । ତମେ ଦେଖିବାକୁ ଠିକ୍‌ ଗୋଟିଏ ଅପ୍‌ସରା ପରି ।

 

–ବାଃ, ସୁନ୍ଦର ନାଁ ତ ତୁମେ ରଖିପାର ! ଏଇ ନାଁ ତା’ହେଲେ ଥାଉ ।

 

ମତଲବର ମୁଖ ଉଜ୍ଜ୍ୱଳ ହୋଇଉଠିଲା । ସେ କହିଲା–ଏଥର ତା’ହେଲେ ଯାଏଁ ।

 

–କିନ୍ତୁ ମୋର ତ ଭଲ ପୋଷାକ ନାହିଁ ।

 

–ସେଥିପାଇଁ ଭାବୁଛ କାହିଁକି ? ବାଦଶାହଜାଦାଙ୍କର ବିବାହ ଉତ୍ସବକୁ ଯେ ଯାଏ, ସବୁ ସେହିଠାରୁ ସେ ପାଏ । ଫେରିଆସିବା ସମୟରେ ମଧ୍ୟ ଶୂନ୍ୟହସ୍ତରେ ଫେରେନାହିଁ ।

 

ମତଲବ ଖାଁ ବିଦାୟନେଲା । ମୁଁ ବସି ଭାବିଲି । ପୃଥିବୀରେ ମତଲବ ମୋର ପ୍ରଥମ ଆତ୍ମୀୟ, ମୋର ଭାଇ । ମୋ କଥା ଶୁଣି ତୁମେମାନେ ହୁଏତ ହସିବ, ଘୃଣାରେ ନାକ ଟେକିବ–ଛିଃ ଛିଃ, ଏମିତି ଲୋକକୁ କେହି ଆତ୍ମୀୟ ବୋଲି ପରିଚୟ ଦିଏ ? ତୁମେମାନେ ଏକଥା କହିପାର; କିନ୍ତୁ ମୋ’ପରି ରାସ୍ତାରୁ ଗୋଟାହୋଇ ଆସିଥିବା ଗୋଟିଏ ଝିଅର ହୃଦୟର ଉତ୍ତାପକୁ ଅସ୍ୱୀକାର କରାଯାଇନପାରେ । ଜୀବନରେ କେହି କେବେ ‘ଭଉଣୀ’ କହି ମୋ ହାତ ଧରିନାହିଁ । ମୁଁ ଯେ ‘ଭଉଣୀ’ ହୋଇପାରେ ଏ ଧାରଣା ମୋର ନଥିଲା । ଈଶ୍ୱରସୃଷ୍ଟ ମଣିଷର ବକ୍ଷ–ପିଞ୍ଜରାରେ ଆବଦ୍ଧ ଯେଉଁ ହୃଦୟ, ସେହି ହୃଦୟ ସ୍ତ୍ରୀ, ପୁରୁଷ କିମ୍ବା ନପୁଂସକର ସୀମାରେଖାକୁ ଧୋଇ ଲିଭେଇଦିଏ । ତୁମେମାନେ ମୋ’ଠାରୁ ବହୁତ ଅଭିଜ୍ଞ । ତୁମମାନଙ୍କର ବୁଦ୍ଧି ମୋ ଅପେକ୍ଷା ବେଶି ପରିଣତ । ତୁମେମାନେ କହିପାର ଯେ ଲିଙ୍ଗଭେଦରେ ଉଚ୍ଛ୍ୱାସ-ପ୍ରବଣତା କିମ୍ବା ଚାଞ୍ଚଲ୍ୟ ଭିନ୍ନ ଧରଣର ହୁଏ; କିନ୍ତୁ ହୃଦୟର ସେହି ଉତ୍ତାପ ? ତା’ର କଣ ଭେଦ ରହିଛି ?

 

ଅବଶେଷରେ ସେହି ପରମ ଶୁଭଦିନ ଆସିଲା । ବାଦଶାହଜାଦା ଦାରାଶୁକୋଙ୍କର ବିବାହ ଉପଲକ୍ଷେ ଆଗ୍ରା ନଗରୀ ଉତ୍ସବ-ମୁଖରିତ ହୋଇଉଠିଲା । ଏହି ଉତ୍ସବର ସୂଚନା ମିଳିଥିଲା ଦାରାଶୁକୋଙ୍କର ଭାବୀ ବେଗମ୍‌ ନାଦିରାଙ୍କ ଗୃହକୁ ବିରାଟ ଶୋଭାଯାତ୍ରାସହକାରେ ଉପଢୌକନ ପଠେଇବା ଦିନଠାରୁ । ଏମିତି ଶୋଭାଯାତ୍ରା ଆଗ୍ରାରେ କେହି କେବେ ଆଗରୁ ଦେଖିନଥିଲା । ସମସ୍ତେ କହନ୍ତି, ଶାହନଶାହ ଶାହଜାହାନଙ୍କର ଯେତେ ଐଶ୍ଵର୍ଯ୍ୟ ଥିଲା, ଅନ୍ୟ କୌଣସି ମୋଗଲ ବାଦଶାହଙ୍କର ନ ଥିଲା । ତାଙ୍କ ସମୟରେ ଯୁଦ୍ଧ ବେଶି ହୋଇ ନଥିଲା ବୋଲି କିଛି ଅପବ୍ୟୟ ହୋଇନାହିଁ । ଏହା ବ୍ୟତୀତ ଶାହଜାହାନଙ୍କର ଦାରାଶୁକୋ ଥିଲେ ପ୍ରାଣ । ଏକଥା ମତଲବ ଖାଁ ମତେ କହିଥିଲା । ବର୍ତ୍ତମାନ ମୁଁ ହାରେମ୍‌ ଓ ପ୍ରାସାଦ ବିଷୟରେ ଅନେକ ନିର୍ଭୁଲ ଖବର ପାଇଛି ।

 

ମତଲବ ଖାଁ କହୁଥିଲା, ଦାରାଶୁକୋ ଶାହଜାହାନଙ୍କର ସ୍ନେହ ପାଇନଥିଲେ ମଧ୍ୟ ଅନ୍ୟମାନଙ୍କର ସ୍ନେହ ପାଇପାରିଥାନ୍ତେ । ତାଙ୍କର ସ୍ୱଭାବ ଅତି ଭଲ ଥିଲା । ମତଲବ ଆହୁରି କହିଥିଲା, ବାଦଶାହ ଜାହାଙ୍ଗୀରଙ୍କ ସମୟରେ ଶାହଜାହାନ ଯେତେବେଳେ ବାଦଶାହଜାଦା, ସେତେବେଳେ ଥରେ ମେବାର ଦଖଲ କରି ରାଣାପ୍ରତାପଙ୍କ ପୌତ୍ରକୁ ଧରି ଶାହଜାହାନ ବିଜୟୀ ବୀର ପରି ଫେରିଆସିଲେ । ସେଥିପାଇଁ ସେ କେତେ ସମ୍ମାନ ପାଇଲେ । ତା’ର ଏକମାସ ପରେ ଦାରାଶୁକୋଙ୍କର ଜନ୍ମ । ପୁତ୍ରର ସ୍ୱଭାବ ଯଦି ଭଲ ହୁଏ, ତେବେ କେଉଁ ପିତା ତାକୁ ଭଲ ନପାଇବ-? ବାଦଶାହ ଜାହାଙ୍ଗୀର ପୌତ୍ରର ନାମ ରଖିଥିଲେ ଦାରାଶୁକୋ-

 

ମତଲବ ଖାଁ ଦାରାଶୁକୋଙ୍କୁ ଖୁବ୍‌ ଭଲପାଏ । ଦାରାଙ୍କ ପାଖରେ ନିଶ୍ଚୟ କିଛି ଭଲଗୁଣ ଅଛି । ଅନ୍ତତଃ ଅନ୍ୟାନ୍ୟ ବାଦଶାହଜାଦାଙ୍କ ପରି ବେଶି ଦୋଷ ନାହିଁ ।

 

ଦାରାଙ୍କ ସମ୍ବନ୍ଧରେ ମୁଁ ଟିକିଏ କୌତୂହଳୀ ହୋଇଉଠିଲି ଏବଂ ସେଥିପାଇଁ ବିବାହ ଉତ୍ସବ ଦିନ ପ୍ରଥମ କରି କମ୍ପିତ ବକ୍ଷରେ ଗୁଲରଙ୍ଗ ସହିତ ଆଗ୍ରା କିଲ୍ଲା ଯାଇଥିଲି । ସେଦିନ ଥିଲା ‘ହେନାବନ୍ଦୀ’ ଉତ୍ସବ । ଜୀବନରେ ପ୍ରଥମଥର ପାଇଁ ଦେଓ୍ୟାନ-ଇ-ଖାସ୍‌ ଦେଖିଲି । ଆଡ଼ମ୍ବରର ଆତିଶଯ୍ୟରେ ମୁଁ ବିହ୍ଵଳ ହୋଇପଡ଼ିଥିଲି ।

 

ଗୁଲରଙ୍ଗ କହିଲା–ଚାଲ୍‌, ସେଠି ଯେଉଁ ସୁବର୍ଣ୍ଣ ପାତ୍ର ସଜା ହୋଇ ରହିଛି, ସେଥିରେ ମେହେନ୍ଦି ରଙ୍ଗ ଅଛି । ସେଥିରୁ ଗୋଟିଏ ଆଣିବୁ ।

 

–ମତଲବ ଖାଁ କେଉଁଠି ?

 

–ସେ କଣ ଏଠିକି ଆସିପାରିବ ?

 

–ସେ ପାତ୍ରଗୁଡ଼ିକ କଣ ପ୍ରକୃତରେ ସୁନା ?

 

–ହଁ ।

 

–ଚୋରି ହେବନାହିଁ ?

 

–ନାଁ, ତଥାପି ଚୋରି ହେଲେ କଣ ହେଲା ? ତା’ଛଡ଼ା ହେବ ବା କେମିତି ? ତା’ ଉପରେ ଦୃଷ୍ଟି ରଖାଯାଇଛି । ଚାଲ୍‌, ସମସ୍ତେ ଆସିଗଲେଣି ।

 

ମୁଁ ଆଗେଇ ଯାଇ ଗୋଟିଏ ସୁନ୍ଦର କାରୁକାର୍ଯ୍ୟଶୋଭିତ ସୁବର୍ଣ୍ଣପାତ୍ର ଧରି ଛିଡ଼ାହେଲି । ଗୁଲରଙ୍ଗ କହିଲା–ଦେଖୁଛୁ, ସବୁ ପୁରୁଷଙ୍କ ଦୃଷ୍ଟି ତୋ ଉପରେ, ଖୁବ୍‌ ସାବଧାନ । ବାଦଶାହଜାଦା ସୁଜାଙ୍କର ଦୃଷ୍ଟି ପଡ଼ିଲେ, ସବୁ ନୃତ୍ୟ ସଙ୍ଗୀତ ବନ୍ଦହୋଇଯିବ । ମୁରାଦ୍‌ ମଧ୍ୟ କମ୍‌ ନୁହେଁ । କେବଳ ଆଉରଙ୍ଗଜେବ ଉପରେ ବିଶ୍ୱାସ ରଖିପାରୁ ।

 

–ଦାରାଶୁକୋ କେଉଁଠି ?

 

–କାହିଁକି ?

 

–ଦେଖିବାକୁ ଇଚ୍ଛା ହେଉଛି ।

 

–ସେ ଇଚ୍ଛାକୁ ଆଜିପରି ଦିନରେ ପ୍ରକାଶ କରନାହିଁ ।

 

–କାହିଁକି ?

 

–ତତେ ଦେଖି ସେ ଯଦି ଆତ୍ମହରା ହୁଅନ୍ତି ? ଗୁଲରଙ୍ଗ ହସିଲା । ମତେ ଟାଣିନେଇ କହିଲା–ସତରେ ତୁ ଦାରାଙ୍କୁ ଦେଖିବାକୁ ଚାହୁଁ ?

 

–ହଁ ।

 

ଆମେ ଧୀରେ ଧୀରେ ଆଗେଇଗଲୁ । ଚାରିଆଡ଼େ ବିଭିନ୍ନ ରଙ୍ଗର ଝାଡ଼ବତି । ଚିରାଗଦାନିଗୁଡ଼ିକ ଯେପରି ଆନନ୍ଦରେ ମତୁଆଲା ହୋଇଉଠିଛନ୍ତି । ସମ୍ମୁଖ ପ୍ରାଙ୍ଗଣରେ ନାନାପ୍ରକାର ବାଣ ଫୁଟୁଛି । ନିଜକୁ ନିଃଶେଷ କରି ସେଗୁଡ଼ିକ ଆକାଶରେ ନିଜର ଶୋଭା ପ୍ରଦର୍ଶନ କରୁଛନ୍ତି । ଗୁଲରଙ୍ଗ ରହିଯାଇ କହିଲା–ସେଆଡ଼କୁ ଚାହାଁ ।

 

ଦେଖିଲି ଗୋଟିଏ ସୂକ୍ଷ୍ମ ପର୍ଦ୍ଦା ଝୁଲୁଛି । ପର୍ଦ୍ଦାର ଆରପଟେ ବହୁ ସୁନ୍ଦରୀ ବସିଛନ୍ତି । ତାଙ୍କ ମଧ୍ୟରୁ ଜଣେ ଗୋଟିଏ ସୁନ୍ଦର ତରୁଣର ହାତରେ ମେହେନ୍ଦି ରଙ୍ଗ ଲଗାଉଛି । ଯୁବକର ଚେହେରା ଓ ଅତି ମୂଲ୍ୟବାନ ପୋଷାକ-ପରିଚ୍ଛଦ ଦେଖି ବୁଝିପାରିଲି, ସେ ହେଉଛନ୍ତି ଦାରା । ମୋ ଆଖିରେ ପଲକ ପଡ଼ୁ ନଥିଲା । ତାଙ୍କର ସୌମ୍ୟକାନ୍ତି ମୁଖମଣ୍ଡଳ ମତେ ବିସ୍ମିତକଲା । ଅଜ୍ଞାତରେ ଗୋଟିଏ ଗୋଟିଏ ପାଦ ପକେଇ ଆଗେଇଗଲି । ମୋର ଖିଆଲ ନାହିଁ । ଗୁଲରଙ୍ଗ ବହୁତ ପଛରେ ଛିଡ଼ାହୋଇଛି । ସେ ମତେ ଡାକିଲା । ବାଣ ଏବଂ ବାଦ୍ୟ ଶବ୍ଦରେ ମୁଁ କିଛି ଶୁଣିପାରିଲି ନାହିଁ । ସେ ଯେତେବେଳେ ଖୁବ୍ ଜୋର୍‌ରେ ଚିତ୍କାର କରିଉଠିଲା, ସେତେବେଳକୁ ବହୁତ ଡେରିହୋଇଯାଇଥିଲା । ମୁଁ ଚମକିପଡ଼ି ପଛକୁ ଫେରିଗଲାବେଳେ ଏକ ଗମ୍ଭୀର କଣ୍ଠସ୍ୱର ଶୁଣିଲି–ଶୁଣ !

 

ଅଟକିଗଲି । ବାଦଶାହଜାଦା ଆଗେଇଆସି ମୋ ସାମନାରେ ଛିଡ଼ାହେଲେ । ପର୍ଦ୍ଦାର ସେପଟୁ କିଏ କହିଲା–ଦାରା, ଆଜିପରି ଦିନରେ ଅନ୍ୟ କାହାକୁ ଚାହିଁବା ଠିକ୍‌ ନୁହେଁ ।

 

ଦାରା ମୁହଁ ବୁଲେଇ କହିଲେ–ଅଳ୍ପସମୟ ପାଇଁ ଜାହାନ୍ନାରା ।

 

ଗୋଟିଏ ଅପେକ୍ଷାକୃତ ନିର୍ଜନ ସ୍ଥାନକୁ ଦାରା ମତେ ନେଇଗଲେ । ଗୁଲରଙ୍ଗ ବିସ୍ଫାରିତ ଦୃଷ୍ଟିରେ ମତେ ଚାହିଁଥିଲା । ସେ ବୁଝିପାରୁଥିଲା, ମୁଁ ଚରମଶାସ୍ତି ପାଇବାକୁ ଯାଉଛି, କିନ୍ତୁ ମୋର ମନରେ ଭୟ ନ ଥିଲା । ଏଠାରୁ ବିତାଡ଼ିତ ହେଲେ ମୋର କିଛି କ୍ଷତି ହେବନାହିଁ । ମୋର ଭୟ କେବଳ ବାଦଶାହଜାଦାଙ୍କର ସମ୍ମୁଖୀନ ହେବାପାଇଁ । ଜୀବନରେ କେବେହେଲେ ଏମିତି ଅବସ୍ଥାରେ ପଡ଼ିନଥିଲି ।

 

ଦାରା ପଚାରିଲେ–ତୁମେ କିଏ ?

 

କି ପରିଚୟ ଦେବି ? ମୁଁ କଣ ନିଜେ ଜାଣେ ମୋର ପରିଚୟ ? କହିଲ–ମୁଁ ଜଣେ ସାମାନ୍ୟ ନର୍ତ୍ତକୀ ବାଦଶାହଜାଦା ! ମୋର ଅପରାଧ ହୋଇଛି । ମତେ କ୍ଷମାକରନ୍ତୁ ।

 

–ଅପରାଧ ? କି ଅପରାଧ କରିଛ ?

 

–ଏଠିକି ଆସିବା ମୋର ଉଚିତ ହୋଇନାହିଁ । ଆପଣ ବିଶ୍ୱାସ କରନ୍ତୁ, ମୁଁ ବୁଝିପାରିନାହିଁ । ଆଜି ପ୍ରଥମଥର ପାଇଁ ଆସିଛି । ଆପଣ ମୋ ଉପରେ ବିରକ୍ତ ହୋଇଛନ୍ତି ।

 

–କିଏ କହିଲା ମୁଁ ବିରକ୍ତ ହୋଇଛି ? ବରଂ ଆନନ୍ଦିତ ହୋଇଛି । ଖୁବ୍‌ ଖୁସି ହୋଇଛି, କିନ୍ତୁ ଏତେ ଖୁସି ହେବା ଉଚିତ ନୁହେଁ ।

 

–ମୋର ସୌଭାଗ୍ୟ ।

 

–କିଏ ଜାଣେ କାହାର ସୌଭାଗ୍ୟ ! ତୁମର ରୂପ ଅଛି ସତ, କିନ୍ତୁ ସେଥିପାଇଁ ନୁହେଁ । କିଛି ବୁଝିପାରୁନାହଁ–ନା, ରୂପ ନୁହେଁ, ରୂପ ଅନେକ ଦେଖିଛି ।

 

ଦାରାଙ୍କର କଥା ବୁଝିପାରିଲିନାହିଁ । ମତଲବ ଖାଁ ଠିକ୍ କହିଥିଲା । ଦାରାଙ୍କର କଣ୍ଠ ଯେପରି ସୁଧାବୋଳା ।

 

–ମୁଁ ଯାଉଛି ।

 

–ନା, ଆଉ ଟିକିଏ ରହ । ତୁମର ନାଁ କଣ ?

 

–ମୋ ନାଁ ଅପ୍‌ସରା ବାଈ ।

 

–ସୁନ୍ଦର ନାଁ । ଅଚ୍ଛା, ଗୋଟିଏ କଥା କହିବି ?

 

–ଆଦେଶ କରନ୍ତୁ !

 

–ମୁଁ ତୁମକୁ ଗୋଟିଏ ଛୋଟ ନାଁ ଦେବି, ରଖିବ ?

 

କଣ କରିବି ଭାବିପାରିଲିନାହିଁ । ସମ୍ମତି ଦେବାକୁ ପଡ଼ିବ ।

 

–ରଖିବି ବାଦଶାହଜାଦା ! ଏ ଆପଣଙ୍କର ଅନୁଗ୍ରହ ।

 

–ତୁମର ନାଁ ଦେଲି ‘ରାଣାଦିଲ୍‌’ । ମୁଁ ଯାଉଛି । ଏଇ ନାଁରେ ତୁମେ ପରିଚିତ ହେବ । ତା’ହେଲେ ମୁଁ ପୁଣି ତୁମକୁ ଖୋଜି ପାଇବି ।

 

ଦାରା ଚାଲିଗଲେ; କିନ୍ତୁ ମୋର କଣ ନେଇଗଲେ ଜାଣିପାରିଲିନାହିଁ । ଅଥଚ ମୁଁ ସଚେତନ ଯେ ପର୍ଦ୍ଦାର ଅନ୍ତରାଳରେ ମସଲିନ୍‌ରେ ଆବୃତା, ମଣିମାଣିକ୍ୟରେ ସଜ୍ଜିତା ଏକ ଅପରୂପା ସୁନ୍ଦରୀ ବସିଛି । ନାଦିରା ବେଗମ୍‌ । ଏଇ ମୁହୂର୍ତ୍ତରେ ଯେଉଁ ପୁରୁଷ ତା’ର ସୁମିଷ୍ଟ କଥାରେ ମୋ ହୃଦୟରେ ଝଡ଼ ସୃଷ୍ଟିକରି ଚାଲିଗଲେ, ତାଙ୍କ ଉପରେ ପୂର୍ଣ୍ଣ ଅଧିକାର ଏଇ ନାଦିରା ବେଗମ୍‌ଙ୍କର । କିନ୍ତୁ ମନ ଏମିତି ଜିନିଷ, ଯୁକ୍ତି ମାନେନାହିଁ । ଅଜ୍ଞାତକୁଳଶୀଳା ଏକ ଦରିଦ୍ର ନର୍ତ୍ତକୀ କେବଳ ରୂପର ଦୌଲତରେ କାହାରି ମନରେ କ୍ଷଣକପାଇଁ ଶିହରଣ ସୃଷ୍ଟି କଲେ ମଧ୍ୟ, ସେହି ମନକୁ ଚିରଦିନ ପାଇଁ ଜୟ କରିପାରିବ ନାହିଁ । ଏହି ଯୁକ୍ତି ସାଧାରଣ ପୁରୁଷଙ୍କ ପ୍ରତି ପ୍ରଯୁଜ୍ୟ । କିନ୍ତୁ ମୋଗଲ ସିଂହାସନର ଭାବୀ ଉତ୍ତରାଧିକାରୀଙ୍କ ପ୍ରତି ଏହା କଣ ପ୍ରଯୁଜ୍ୟ ? ମୁଁ କଣ ଉନ୍ମାଦିନୀ ?

 

କେତେ ସମୟ ସେମିତି ଛିଡ଼ାହୋଇଥିଲି ଜାଣେନାହିଁ । ଇତିମଧ୍ୟରେ ଦେଓ୍ୟାନ-ଇ-ଖାସ୍‌ ବିଶିଷ୍ଟ ଅତିଥିରେ ପରିପୂର୍ଣ୍ଣ ହୋଇଉଠିଛି । ମୁଁ ଲକ୍ଷ୍ୟ କରିନଥିଲି । ଗୁଲରଙ୍ଗ ସାମନାରେ ଆସି ଛିଡ଼ାହେଲା । କହିଲା–କି ସର୍ବନାଶ କଲୁ କହିଲୁ ?

 

–କାହିଁକି, କଣ ହେଲା ?

 

–ବାଦଶାହଜାଦା ତତେ ଚାଲିଯିବାକୁ କହିଲେ ତ ?

 

–ନା ।

 

–କଣ କହିଲେ ?

 

–ନାଁ ଜାଣିବାକୁ ଚାହିଁଲେ ।

 

–ଆଉ କିଛି ନୁହେଁ ?

 

–ନାଁ

 

–ତାହେଲେ ତ ତୋର ଭାଗ୍ୟ ଫିଟିଲା !

 

ଗୁଲରଙ୍ଗ ମତେ ଟାଣି ଟାଣି ନେଇ ଚାଲିଗଲା । ଉପସ୍ଥିତ ପୁରୁଷମାନଙ୍କ ହାତରେ ମେହେନ୍ଦି ରଙ୍ଗ ଲଗେଇଦେବାକୁ ପଡ଼ିବ । ଆଜି ସବୁଆଡ଼େ କେବଳ ରଙ୍ଗ । ମତେ ସବୁ ସ୍ୱପ୍ନ ପରି ମନେହେଉଥିଲା । ମୁଁ ଯାହା ପାଖକୁ ଗଲି, ସେ ମୋ ହାତକୁ ଟିକିଏ ଛୁଇଁଦେଲା । ମତେ ଏସବୁ ଭଲଲାଗିଲାନାହିଁ । ଅନେକ ଲୋକ ମୋ ନାଁ ଜାଣିବାକୁ ଚାହିଁଲେ । ମୁଁ କହିଲି–ଅପ୍‌ସରାବାଈ ।

 

କିଛିସମୟ ପରେ ଗୁଲରଙ୍ଗ ଆସି କହିଲା–ଦାରା ତୋ ସହିତ କଥା କହିଲେ କଣ ହେବ, ଆଉ ଜଣେ ତତେ ହରେଇ ଦେଇଛି ।

 

–ମୁଁ କଣ ଜିତିବାକୁ ଚାହିଁଛି ?

 

ଗୁଲରଙ୍ଗ ରାଗିଯାଇ କହିଲା–ତୁ ନ ଚାହିଁଲେ ମଧ୍ୟ ମୁଁ ଚାହିଁଛି । ମୋର ନିଜର ନହେଉ ଅନ୍ତତଃ ତୋର ସୁଖ୍ୟାତି ହେବ ବୋଲି ବଡ଼ ଆଶା କରିଥିଲି ।

 

–ତୁ ଦୁଃଖ କାହିଁକି କରୁଛୁ ?

 

–କିନ୍ତୁ କିଏ ସେଇ ଝିଅ ? ତା’ର କେତେ ରୂପ, ମୁଁ ଥରେ ଦେଖିବାକୁ ଚାହେଁ । ସମସ୍ତେ ତା’ରି ନାଁ ଜପୁଛନ୍ତି ।

 

–କଣ ତା’ର ନାଁ ?

 

–ଅପ୍‌ସରାବାଈ ।

 

ଗୁଲରଙ୍ଗ ଚାଲିଯାଉଥିଲା । ତାକୁ ଅଟକେଇ କହିଲି–ଝିଅଟିକୁ ଖୋଜି କଣ ଲାଭହେବ-?

 

–ନିଶ୍ଚୟ ଖୋଜିବି ।

 

–ମୋର ଅନୁରୋଧ ରଖିବୁନାହିଁ ?

 

–କାହିଁକି ? ତା’ ଉପରେ ତୋର ଏତେ ମମତା କାହିଁକି ?

 

–ନାଁ, ଟିକିଏ ବି ମମତା ନାହିଁ । ବରଂ ପାରିଲେ ଅପ୍‌ସରାବାଈର ନାଁ ଏ ଦୁନିଆରୁ ପୋଛିଦିଅନ୍ତି ।

 

–ତୁ ତା’ହେଲେ ହିଂସାକରି ଜାଣୁ ! ତୋର ଆଖି ତା’ ହେଲେ ଖୋଲିଛି ?

 

–ହିଂସା ନୁହେଁ, ରାଗ ।

 

ଗୁଲରଙ୍ଗ ହସି ହସି କହିଲା–ଏକା କଥା । ଚାଲ, ଦୁହେଁ ମିଶି ତାକୁ ଖୋଜି ବାହାର କରିବା ।

 

–ତା’କୁ ପାଇବୁ ନାହିଁ ଗୁଲରଙ୍ଗ !

 

–ତା’ର ମାନେ ? ତୁ ତାକୁ ଚିହ୍ନିଛୁ ? ସେକଣ ଚାଲିଯାଇଛି ? କେଉଁ ବାଦଶାହଜାଦା ତା’କୁ ସମସ୍ତଙ୍କ ଅଲକ୍ଷ୍ୟରେ ନେଇଯାଇଛନ୍ତି ?

 

–ନା, ସେ ଅଛି । ମୁଁ ସେଇ ହତଭାଗିନୀ ।

 

ଗୁଲରଙ୍ଗ ବାକ୍‌ଶକ୍ତିହୀନ ହୋଇଗଲା । କହିଲା–ତୁ ଅପ୍‌ସରାବାଈ ? କିଏ ତୋର ଏ ନାଁ ଦେଲା ?

 

–ମତଲବ ଖାଁ ଯେଉଁଦିନ ପ୍ରଥମେ ମୋ ପାଖକୁ ଯାଇଥିଲା, ଏଇ ନାଁ ଧରି ଡାକିଥିଲା । ଆଜି ସମସ୍ତେ ନାଁ ଜାଣିବାକୁ ଚାହିଁଲେ, ସେଥିପାଇଁ ସେଇ ନାଁଟା କହିଦେଇଛି । ପରେ ସେମାନେ ମତେ କେହି ଖୋଜି ପାଇବେନାହିଁ ।

 

–ଖୋଜି ପାଇବେ ନାହିଁ ? ତୁ ବୋକୀ । ସମସ୍ତେ ଯେତେବେଳେ ଆଗେଇଯାଇ ନିଜକୁ ଦେଖେଇବାପାଇଁ ବ୍ୟସ୍ତ, ସେତେବେଳେ ତୁ କାହିଁକି ନିଜକୁ ଲୁଚେଇ ରଖିବାପାଇଁ ଚେଷ୍ଟା କରୁଛୁ ? ନା, ମୁଁ ବର୍ତ୍ତମାନ ସମସ୍ତଙ୍କୁ କହିଦେଉଛି ।

 

–ଗୁଲରଙ୍ଗ, ତୁ ମୋର କ୍ଷତି କରନାହିଁ ।

 

ହଠାତ୍‌ କେଉଁ ଏକ ଅଦୃଶ୍ୟ ଶକ୍ତିର ସଙ୍କେତରେ ସବୁ ବାଦ୍ୟ ବନ୍ଦ ହୋଇଗଲା ସମସ୍ତେ ସମ୍ମାନ ଦେଖାଇ ଉଠି ଛିଡ଼ାହୋଇଗଲେ । ଶାହନଶାହ ଶାହଜାହାନ ଆଗେଇ ଆସିଲେ । ସୁଦୀର୍ଘ ପୁରୁଷ । ତାଙ୍କର ଦୁଇପାର୍ଶ୍ଵରେ ଦେହରକ୍ଷୀ । ଗୁଲରଙ୍ଗ ମୋର କାନ ପାଖରେ ଧୀରେ ଧୀରେ କହିଲା–ସବୁଠାରୁ ଯେ ବେଶି ଗୌରବର୍ଣ୍ଣ, ସେ ହେଉଛନ୍ତି ଆଉରଙ୍ଗଜେବ । ତାଙ୍କ ପାଖରେ ସୁଜା-

 

ଆଉରଙ୍ଗଜେବଙ୍କୁ ଦେଖି ମୁଁ ଆଖି ଫେରେଇ ପାରିଲିନାହିଁ । ଖୁବ୍‌ ସୁନ୍ଦର । ଚକ୍ଷୁ ଦୁଇଟି ବୁଦ୍ଧିଦୀପ୍ତ ।

 

ଶାହଜାହାନ ତାଙ୍କର ବହୁମୂଲ୍ୟ ଆସନରେ ଉପବେଶନ କଲେ । ଦାରା ଅଭିବାଦନ ଜଣେଇ ତାଙ୍କ ପାଖରେ ଛିଡ଼ାହେଲେ । ସମସ୍ତଙ୍କ ମୁହଁରେ ଆନନ୍ଦ, କେବଳ ଆଉରଙ୍ଗଜେବ୍‌ ଗମ୍ଭୀର । ଆଶ୍ଚର୍ଯ୍ୟ ଏହି ତରୁଣ ! ମୋର ମନେହେଲା, ଏଇ ତରୁଣଟି ଏତେ ଆନନ୍ଦ ଆଡ଼ମ୍ବର ପସନ୍ଦ କରୁନାହାନ୍ତି–ଅଥଚ ଅସାଧାରଣ ସଂଯତ ଭଙ୍ଗୀରେ ସେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି । ସବୁଠାରୁ ସୁପୁରୁଷ ହେଉଛନ୍ତି ସୁଜା । ତାଙ୍କ ମଧ୍ୟରେ ଚାଞ୍ଚଲ୍ୟ ଅନୁଭବ କରୁଥିଲି । ପ୍ରତି ସୁନ୍ଦରୀକୁ ସେ ଲକ୍ଷ୍ୟ କରୁଥିଲେ । ଶାହନଶାହ ସୁଜାଙ୍କୁ ଅନ୍ୟମନସ୍କ ଦେଇ ଟିକିଏ ବିରକ୍ତି ପ୍ରକାଶ କଲେ; ତଥାପି ସୁଜାଙ୍କର ଖିଆଲ ନାହିଁ । ତାଙ୍କ ଦୃଷ୍ଟି ଘୂରି ଘୂରି ଆସି ମୋ ଉପରେ ସ୍ଥିର ହୋଇଗଲା । ମୁଁ ମୁହଁ ଢାଙ୍କିଦେଲି ।

 

ଦାରା ଶାହନଶାହଙ୍କର ପାଦତଳେ ନତଜାନୁ ହୋଇ ବସି ଗମ୍ଭୀର କଣ୍ଠରେ କହିଲେ–ଶାହନଶାହ ! ଆଲ୍ଲାଙ୍କ କୃପାରୁ ଆପଣଙ୍କ ସ୍ନେହଛାୟାରେ, ଜାହାନ୍ନାରାଙ୍କ ସାହଚର୍ଯ୍ୟରେ ଏବଂ ମୋର ପରଲୋକଗତ ମା’ଙ୍କ ଇଚ୍ଛାରେ ଆଜି ନୂତନ ଜୀବନ ଆରମ୍ଭକଲି । ଏହି ସନ୍ଧିକ୍ଷଣରେ ଆଲ୍ଲାଙ୍କ ନାମ ଧରି ମୁଁ ଶପଥ କରୁଛି, ଯଦି ଦୀର୍ଘଜୀବୀ ହୁଏ, ତା’ହେଲେ ଆପଣ ଶେଷନିଃଶ୍ୱାସ ତ୍ୟାଗକରିବା ପର୍ଯ୍ୟନ୍ତ ଆପଣଙ୍କର ଅନୁଗତ ରହିବ । ଆପଣଙ୍କର ଇଚ୍ଛାହିଁ ମୋର ଇଚ୍ଛା । କୋରାନ୍‌ ବ୍ୟତୀତ ଆପଣଙ୍କ ଆଜ୍ଞାପରି ମୂଲ୍ୟବାନ୍‌ ଜିନିଷ ମୋ ପାଇଁ ଆଉ କିଛି ନାହିଁ ।

 

ଦାରା ଉଠି ଛିଡ଼ାହେଲେ । ଶାହନଶାହଙ୍କ ମଧ୍ୟରେ ଏକ ଭାବାବେଶ ପରିଲକ୍ଷିତ ହେଲା ତାଙ୍କ ଚକ୍ଷୁ ଦୁଇଟି ସଜଳ ହୋଇ ଉଠିଲା ।

 

କିନ୍ତୁ ଆଉରଙ୍ଗଜେବଙ୍କ ମୁହଁରେ ଏକ ଅସ୍ୱାଭାବିକ ବିଦ୍ରୂପାତ୍ମକ ହସ । ଭଲଭାବରେ ଲକ୍ଷ୍ୟ ନକଲେ କେହି ବୁଝିପାରିବେ ନାହିଁ ଯେ ସେ ହସୁଛନ୍ତି ।

 

ଶାହନଶାହ ଦାରାଙ୍କୁ ଆଲିଙ୍ଗନ କଲେ । ତା’ପରେ ଗୋଟିଏ ମୁକ୍ତାମାଳା ନିଜ ହାତରେ ପିନ୍ଧେଇଦେଲେ । ମସ୍ତକରେ ପିନ୍ଧେଇଦେଲେ ଶେହରା । ଶାନ୍ତ କଣ୍ଠରେ କହିଲେ–ମୋ ମସ୍ତକରେ ଏମିତି ଦିନେ ବାଦଶାହ ଜାହାଙ୍ଗୀର ଶେହେରା ପିନ୍ଧେଇ ଦେଇଥିଲେ । ସେଦିନ ତୋର ମା’ ମମତାଜ ବେଗମ୍‌ଙ୍କ ସହିତ ମୋର ବିବାହ ହୋଇଥିଲା ।

 

ଦେୱାନ୍‌-ଇ-ଖାସ୍‌ ଆନନ୍ଦରେ ଫାଟିପଡ଼ୁଥିଲା । ଶାହନଶାହଙ୍କ ମୁହଁରେ ଏଇ ପ୍ରଥମ ହସ । ମମତାଜ୍‌ ବେଗମ୍‌ଙ୍କ ମୃତ୍ୟୁ ପରଠାରୁ ତାଙ୍କ ମୁହଁରେ କେହି ହସ ଦେଖିନଥିଲେ ।

 

ଗୁଲରଙ୍ଗ ଅନ୍ୟ ନର୍ତ୍ତକୀମାନଙ୍କ ସହିତ କଣ ଆଲୋଚନା କରୁଥିଲା । ଟିକିଏ ପାଖକୁ ଯାଇ ସେମାନଙ୍କ ଆଲୋଚନା ଶୁଣିଲି । ସେମାନଙ୍କର ଆକାଂକ୍ଷିତ ପ୍ରତୀକ୍ଷା, କେବେ ଶାହନଶାହ ପୁଣି କିଲ୍ଲାରେ ନୃତ୍ୟ ଓ ସଙ୍ଗୀତ ପାଇଁ ଅନୁମତି ଦେବେ । ନର୍ତ୍ତକୀମାନଙ୍କର ନୂପୁର ଶବ୍ଦ ଏଠାରେ ପ୍ରତିଦିନ ଶୁଣାଯାଏ । ସେହି ଶବ୍ଦରେ ଏକପ୍ରକାର ଛନ୍ଦ ରହିଛି । ପାଦରେ ନୂପୁର ବାନ୍ଧିଲେ ନର୍ତ୍ତକୀମାନଙ୍କର ଗତି ଛନ୍ଦମୟ ହୁଏ; କିନ୍ତୁ ସେହି ଶବ୍ଦରେ ଉଦ୍ଦାମତା ନାହିଁ । ସଙ୍ଗୀତର ଆସର ଆଉ ବସେନାହିଁ । ବଡ଼ ବଡ଼ ଓସ୍ତାଦମାନେ ନର୍ତ୍ତକୀମାନଙ୍କ ପରି କେବଳ ପ୍ରତିଦିନ ଆସି ନିଜର ପ୍ରାପ୍ୟ ନେଇ ଚାଲିଯାଅନ୍ତି ।

 

ଶାହନଶାହ କିଛି କହିବାକୁ ଚାହିଁଲେ । ସମସ୍ତେ ଉଦ୍‌ଗ୍ରୀବ ହୋଇ ଉଠିଲେ ଶୁଣିବାପାଇଁ । ଶାହନଶାହ କହିଲେ–ଆମର ମୋଗଲ ବଂଶରେ ଗୋଟିଏ ଅପ୍ରୀତିକର ଜିନିଷ ଦୁଇପୁରୁଷ ଧରି ଚଳିଆସୁଛି । ମୋ ଇଚ୍ଛା, ତା’ ଯେପରି ଆଉ ନହୁଏ । କେଉଁ ବାଦଶାହଙ୍କର ମୃତ୍ୟୁ ପୂର୍ବରୁ ସିଂହାସନ ପାଇଁ ଅଶାନ୍ତି, ଯୁଦ୍ଧ ବିଗ୍ରହ ଏବଂ ହତ୍ୟା ଆରମ୍ଭ ହେଲା । ଜାଣେନା, ଏହାଦ୍ୱାରା ଆଲ୍ଲାଙ୍କର କି ଉଦ୍ଦେଶ୍ୟ ସାଧିତ ହୁଏ । ଏହି ଅଶାନ୍ତିମୟ ସମୟ ମତେ ମଧ୍ୟ ପାର ହେବାକୁ ପଡ଼ିଛି-। ମୁଁ ସେଥିପାଇଁ ତେଲେଙ୍ଗାନା, ପାଟନା ଓ ବିହାରର ପଥପ୍ରାନ୍ତରରେ ଘୂରି ବୁଲିଛି-। ସାଙ୍ଗରେ ଥିଲେ ମମତାଜ ବେଗମ୍ ଆଉ ପିଲାମାନେ । ସେମାନଙ୍କର ସେହି ଭୟଙ୍କର ଦିନଗୁଡ଼ିକର କଥା ନିଶ୍ଚୟ ମନେଥିବ । ସେହି ସମୟରେ ମୋର ଏକମାତ୍ର ସାନ୍ତ୍ୱନା ଥିଲା, ମମତାଜ ବେଗମ୍‌ଙ୍କର ଅପାର କଷ୍ଟସହିଷ୍ଣୁତା ଓ ତାଙ୍କ ମୁହଁର ମଧୁର ହସ ।

 

ଶାହନଶାହ ସଙ୍କୋଚ ନକରି ଆଖି ଦୁଇଟିକୁ ପୋଛିଦେଇ ପୁତ୍ରମାନଙ୍କୁ ପଚାରିଲେ–ତୁମେମାନେ ଏକଥା କଣ ଅସ୍ୱୀକାର କରିପାରିବ ?

 

ପୁତ୍ର କନ୍ୟା ସମସ୍ତେ ଏକଥା ସ୍ୱୀକାର କଲେ । ଶାହନଶାହଙ୍କର ଏହି ଦୁର୍ଦ୍ଦିନର କଥା ସମସ୍ତଙ୍କୁ ଜଣା । ନୁର୍‌ଜାହାନଙ୍କର ଚକ୍ରାନ୍ତ ଏବଂ କ୍ରୋଧଯୋଗୁଁ ସେ ଭାରତଭୂମିର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଘୂରି ବୁଲୁଥିଲେ । ଶେଷରେ ଜାହାଙ୍ଗୀରଙ୍କ ଆଗରେ ସବୁ କଥା ପ୍ରକାଶ କରି ସେ ଆତ୍ମସମର୍ପଣ କରିଥିଲେ । ଜାହାଙ୍ଗୀରଙ୍କର ପିତୃହୃଦୟ ତରଳିଯାଇଥିଲା; କିନ୍ତୁ ନୁର୍‌ଜାହାନ ଥିଲେ ଇସ୍ପାତପରି କଠିନ । ଜାହାଙ୍ଗୀରଙ୍କର ଆକସ୍ମିକ ମୃତ୍ୟୃଯୋଗୁଁ ନୁର୍‌ଜାହାନଙ୍କର ଚକ୍ରାନ୍ତ ପଣ୍ଡହେଲା । ଶାହନଶାହ ନିଜକୁ ଦିଲ୍ଲୀଶ୍ୱର ବୋଲି ଘୋଷଣା କଲେ ।

 

ଦେୱାନ-ଇ-ଖାସ୍‌ରେ ନିସ୍ତବ୍‌ଧତା ବିରାଜମାନ କରିଥିଲା । ଶାହନଶାହଙ୍କର ବକ୍ତବ୍ୟ ଶେଷହୋଇନଥିଲା । ଦାରା, ସୁଜା, ମୁରାଦ୍, ଆଉରଙ୍ଗଜେବ ସମସ୍ତେ ଦଣ୍ଡାୟମାନ । ଶାହଜାହାନ ପ୍ରତ୍ୟେକ ଅମୀର୍‌ଙ୍କ ଆଡ଼କୁ ଦୃଷ୍ଟି ପକେଇ ଶେଷରେ କହିଲେ–ମୋର ଏକାନ୍ତ ଇଚ୍ଛା, ଆଜି ଭବିଷ୍ୟତର ବାଦଶାହ ନିର୍ବାଚିତ ହୋଇଯାଆନ୍ତୁ । ଏଥରକଠାରୁ ଗୋଟିଏ ପ୍ରଚଳିତ ନିୟମ ହେଉ, ଜ୍ୟେଷ୍ଠପୁତ୍ର ହେବ ସିଂହାସନର ଉତ୍ତରାଧିକାରୀ–ଯଦି ସେ ଉନ୍ମାଦ କିମ୍ବା ଅକ୍ଷମ ନହୁଏ ।

 

ମୁରାଦ୍‌ ଗମ୍ଭୀର ହୋଇଗଲେ । ସୁଜା ଦାରାଙ୍କ ଆଡ଼ଙ୍କୁ ଚାହିଁ ବିଦ୍ରୂପର ହସ ହସିଲେ । ଆଉ ଆଉରଙ୍ଗଜେବ ? ତାଙ୍କ ଚକ୍ଷୁରେ ମୁହୂର୍ତ୍ତକପାଇଁ ବିଦ୍ୟୁତ୍ ଖେଳିଗଲା । ସେ ଧୀରେ ଧୀରେ କହିଲେ–ଗୋଟିଏ ସର୍ତ୍ତ କିନ୍ତୁ ରହିବା ଉଚିତ ଶାହନଶାହ–ଦେଶର ମଙ୍ଗଳ କଥା ଭାବି ମୁଁ କହୁଛି ।

 

ଶାହନଶାହ କହିଲେ–କଣ ତୁମର ବକ୍ତବ୍ୟ ସ୍ପଷ୍ଟଭାବରେ ପ୍ରକାଶକର ।

 

ଆଉରଙ୍ଗଜେବ କହିଲେ–କିଛିଦିନ ହେଲା ମୁଁ ଲକ୍ଷ୍ୟକରିଛି, ଏଠାରେ ଆଉ ନୃତ୍ୟ ସଙ୍ଗୀତ ହେଉନାହିଁ । ଏହା ଖୁବ୍‌ ଆନନ୍ଦର କଥା । ଇସଲାମ୍‌ ଧର୍ମ ବ୍ୟଭିଚାର ଶିଖାଏ ନାହିଁ । ନୃତ୍ୟ ଓ ସଙ୍ଗୀତକୁ ‘ଶିଳ୍ପ’ ବୋଲି କହିଲେ ମଧ୍ୟ ଏହା ସମସ୍ତ ପ୍ରକାର ବ୍ୟଭିଚାରର ଉତ୍ସସ୍ଥଳ ।

 

ଶାହନଶାହ ହାତ ଉଠେଇ କହିଲେ–ବନ୍ଦ କର ! ବହୁତ ହେଲା । ଧର୍ମକୁ ଠିକ୍‌ ଭାବରେ ପାଳନ କରିବାକୁ ହେଲେ ମନ ଭିତରର ସବୁ କୁପ୍ରବୃତ୍ତିକୁ ପ୍ରଥମେ ଦୂର କରିବାକୁ ହେବ । ତୁ ବୋଧହୁଏ କାଜି ମହମ୍ମଦ ଜ୍ୱାଲାଲଙ୍କର ଶିଷ୍ୟ । ସେଥିପାଇଁ ବାହାରର ଆଚରଣକୁ ବଡ଼କରି ଦେଖେଇବାକୁ ଚାହୁଁଛୁ ।

 

–ତା’ର ମଧ୍ୟ ପ୍ରୟୋଜନ ଅଛି ।

 

–ସମସ୍ତଙ୍କ କ୍ଷେତ୍ରରେ ନୁହେଁ । ଏ ବିଷୟ ନେଇ ମୁଁ ତୋ ସହିତ ଆଲୋଚନା କରିବାକୁ ଇଚ୍ଛୁକ ନୁହେଁ । କାରଣ ଆଜିଠାରୁ ମୁଁ ପୁଣି ନୃତ୍ୟ ଓ ସଙ୍ଗୀତର ଆସର ପାଇଁ ଅନୁମତିଦେଲି ।

 

ଶାହନଶାହଙ୍କର ଏହି ଘୋଷଣା ସଙ୍ଗେ ସଙ୍ଗେ ଦେୱାନ୍‌-ଇ-ଖାସ୍‌ରେ ଆନନ୍ଦର ପ୍ରବାହ ବହିଗଲା । ବହୁଦିନର ରୁଦ୍ଧ-ନିଃଶ୍ୱାସ ମୁକ୍ତିପାଇ ଯେପରି ବଞ୍ଚିଗଲା ।

 

ଆଉରଙ୍ଗଜେବଙ୍କ ମୁହଁ କଠିନ ହୋଇଉଠିଲା । ସେ କହିଲେ–ଦାରା ଯେପରି ଭାବରେ ଦାର୍ଶନିକ ହୋଇଉଠିଛନ୍ତି, ସେଥିରେ ଭୟ ହୁଏ, ଏଇ ଦେଶ ତାଙ୍କ ହାତରେ କେତେଦୂର ନିରାପଦ ରହିବ । କାରଣ ଦାର୍ଶନିକମାନେ ବାସ୍ତବ ଜଗତଠାରୁ ସବୁବେଳେ ଦୂରେଇ ରହନ୍ତି, କଳ୍ପନାର ଜଗତ ତାଙ୍କ ପାଖରେ ସତ୍ୟ ହୁଏ ।

 

–ଦାରାଙ୍କୁ ଏତେ ଛୋଟ ନଜରରେ ଦେଖନାହିଁ ଆଉରଙ୍ଗଜେବ ! ସେ ମୁଲ୍ଲା ଅବଦୁଲ ଲତିଫ୍‌ ସୁଲତାନପୁରୀଙ୍କ ପରି ବିଜ୍ଞବ୍ୟକ୍ତିଙ୍କ ପାଖରେ ଜ୍ଞାନଚର୍ଚ୍ଚା କରିଛି ।

 

ଆଉରଙ୍ଗଜେବ୍‌ ଚୁପ୍‌ ହୋଇଗଲେ । ସେ ବୁଝିପାରିଲେ, ଏହି ପରିବେଶରେ ତିକ୍ତତା ସୃଷ୍ଟିକରିବା ଉଚିତ ନୁହେଁ; କିନ୍ତୁ ତିକ୍ତତା ଯାହା ସୃଷ୍ଟିହେବା କଥା ତାହା ହୋଇଯାଇଛି । ଶାହଜାହାନ ସିଂହାସନ ଛାଡ଼ି ଉଠିଲେ । ଯିବାପୂର୍ବରୁ ଆଉଥରେ କହିଗଲେ–ଆଜିଠାରୁ ନର୍ତ୍ତକୀମାନେ ନୃତ୍ୟ କରିବେ, ଗାୟକମାନେ ଗାଇବେ । ଚିରପ୍ରଚଳିତ ପ୍ରଥା ଅନୁଯାୟୀ ନର୍ତ୍ତକୀ ଓ କୁମାରୀମାନେ ଅଭ୍ୟାଗତମାନଙ୍କୁ ରୁମାଲ ବାଣ୍ଟିବା ଆରମ୍ଭକଲେ । ତା’ପରେ ଦାରା ସିଂହାସନ ପାର୍ଶ୍ୱରେ ଥିବା ଗୋଟିଏ ସୁନ୍ଦର ପେଟିକା ଖୋଲିଲେ । ସେହି ପେଟିକାରୁ କୋମରବନ୍ଦ୍ ବାହାରକରି ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ଉପହାର ଦେଲେ । ଏହି ସମୟରେ ଟିକିଏ ଚାଞ୍ଚଲ୍ୟ ଦେଖାଦେଲା; କାରଣ ଏହି କୋମରବନ୍ଦ୍‌ ବ୍ୟବହାରରେ ଆଭିଜାତ୍ୟ ରହିଛି । ଏଥିରୁ ପ୍ରମାଣିତ ହୁଏ ବାଦଶାହଜାଦାଙ୍କ ବିବାହ ଉତ୍ସବରେ ନିମନ୍ତ୍ରିତ ହେବାର ଯୋଗ୍ୟତା ସେହି ବ୍ୟକ୍ତିର ଅଛି ।

 

ଦାରାଙ୍କ ଇଙ୍ଗିତରେ ନର୍ତ୍ତକୀମାନେ ନୃତ୍ୟଶାଳାରେ ସମ୍ମିଳିତ ହେଲେ । ଗୁଲରଙ୍ଗ ମତେ ମଧ୍ୟ ସେଠାକୁ ଟାଣିନେଲା । ତା’ର କେତେ ଦିନର ସ୍ୱପ୍ନ ଆଜି ବାସ୍ତବ ରୂପ ନେବ । ସେ ଆଜି ପ୍ରଥମଥର ପାଇଁ କିଲ୍ଲାରେ ନୃତ୍ୟ କରିବ ।

 

ବହୁଦିନପରେ ନୂପୁରର ଝଙ୍କାରରେ ନୃତ୍ୟଶାଳା ମୁଖରିତ ହୋଇଉଠିଲା । ଶେଷପର୍ଯ୍ୟନ୍ତ ମୁଁ ମଧ୍ୟ ସ୍ଥିରହୋଇ ରହିପାରିଲିନାହିଁ । ଅଦୂରରେ ବାଦଶାହଜାଦାମାନେ ଛିଡ଼ାହୋଇଛନ୍ତି । ଲକ୍ଷ୍ୟକଲି ଦାରା ଓ ସୁଜାଙ୍କର ଦୃଷ୍ଟି ମୋ ଉପରେ ନିବଦ୍ଧ । ବିବ୍ରତ ବୋଧକଲି । ଅତି କୌଶଳରେ ନୃତ୍ୟର ତାଳେ ତାଳେ ନିଜକୁ ନର୍ତ୍ତକୀମାନଙ୍କ ମଧ୍ୟରୁ ଅପସାରଣ କରିନେଲି । ଏଥରକ ମତେ ପଳେଇଯିବାକୁ ପଡ଼ିବ–କାରଣ ସୁଜାଙ୍କ ଦୃଷ୍ଟିରୁ ବିଚ୍ଛୁରିତ ଏକ ଅଦମ୍ୟ କ୍ଷୁଧାର ଜ୍ୱାଳା ମୋ ଶରୀରକୁ ବିଷାକ୍ତ କରିଦେବାକୁ ଲାଗିଲା ।

 

ନୃତ୍ୟଶାଳାରୁ ବାହାରି ଦ୍ରୁତପଦରେ ଅଗ୍ରସର ହେଲି । ଆଉ ଟିକିଏ ଆଗକୁ ଗଲେ ବୁଲନ୍ଦ ଦରୱାଜା–ତା’ପରେ ରାସ୍ତା । ହଠାତ୍‌ ଦେଖିଲି, ସାମନାରେ ସୁଜା ଛିଡ଼ାହୋଇଛନ୍ତି । ଶରୀର ମୋର କମ୍ପି ଉଠିଲା । ସୁଜାଙ୍କ ସମ୍ବନ୍ଧରେ ମତଲବଖାଁଙ୍କର ମନ୍ତବ୍ୟ ମନେ ପଡ଼ିଗଲା ।

 

–ଭୟ ଲାଗୁଛି ? ମୋର ଚେହେରା କ’ଣ ଏତେ ଖରାପ ?

 

–ନା ।

 

–ତେବେ ପଳାଉଛ କାହିଁକି ?

 

–ମୁଁ ଅସୁସ୍ଥ ବାଦଶାହାଜାଦା, ମତେ ଯିବାକୁ ଦିଅନ୍ତୁ !

 

–ଅସୁସ୍ଥ ହେଲେ ତା’ର ବ୍ୟବସ୍ଥା ଅଛି । ମୁଁ ବର୍ତ୍ତମାନ ହାକିମ୍‌-ଇ-ବୁଜ୍‌ରଗ୍‌ଙ୍କ ପାଖକୁ ଖବର ପଠାଉଛି, ଆସ ।

 

ସୁଜା ମୋର ହାତ ଧରିପକେଇଲେ ।

 

–ଅନୁଗ୍ରହ କରି ମତେ ଛାଡ଼ିଦିଅନ୍ତୁ ବାଦଶାହଜାଦା । ମୁଁ ବିଶ୍ରାମ ନେଲେ ସୁସ୍ଥ ହେବି ।

 

–ବେଶ୍‌, ମୋ ସାଙ୍ଗରେ ଚାଲ । ମୁଁ ବିଶ୍ରାମର ବ୍ୟବସ୍ଥା କରିଦେବି ।

 

–ଆପଣ ବୁଝିପାରିବେ ନାହିଁ ମୁଁ କେତେଦୂର ଅସୁସ୍ଥ ।

 

ସ୍ଥାନଟି ନିର୍ଜନ । ନିର୍ଜନ ନହେଲେ ମଧ୍ୟ ମତେ ଉଦ୍ଧାର କରିବାପାଇଁ କାହାର ସାହସ ହୋଇନଥାନ୍ତା । ସୁଜା ତାଙ୍କ ମୂଲ୍ୟବାନ୍‌ ପୋଷାକ ମଧ୍ୟରୁ ଗୋଟିଏ ରୁମାଲ ବାହାରକରି ମୋ ନାକ ପାଖରେ ହଲେଇ କହିଲେ–ଏହି ଗୋଲାପର ସୁବାସରେ ତୁମର ଅସୁସ୍ଥତା କମିଯିବ ।

 

ପ୍ରକୃତରେ ଅପୂର୍ବ ଗନ୍ଧ । ସୁଜା ପଚାରିଲେ–କେମିତି ଲାଗୁଛି ?

–ଭଲ ନୁହେଁ ।

ସୁଜା ପୁଣି ଗୋଟିଏ ରୁମାଲ ବାହାରକରି କହିଲେ–ଏ ହେଉଛି ଯୂଇଫୁଲର ସୁବାସ ।

ଅସ୍ୱୀକାର କରୁନାହିଁ–କିନ୍ତୁ ସୁଜା କେମିତି ବୁଝିବେ ମୋର ଅସୁସ୍ଥତାର କାରଣ ? ସେ ଗୋଟିକ ପରେ ଗୋଟିଏ ରୁମାଲ ବାହାରକରି ମୋ ନାକ ପାଖରେ ହଲେଇଲେ । ମୁଁ ବାହ୍ୟଜ୍ଞାନ ହରେଇ ବସିଲି । ମନେହେଲା ମୁଁ ଏକ ଅପୂର୍ବ ସ୍ୱପ୍ନ ଦେଖୁଛି । ମୋର ଶରୀର ଓ ମନ ଅବଶ ହୋଇଗଲା । ସୁଜା ପଚାରିଲେ–ତୁମର ନାଁ କଣ ?

–ଅପ୍‌ସରାବାଈ ।

–ଅପୂର୍ବ ! ପ୍ରକୃତରେ ତୁମେ ଅପ୍‌ସରା । ତୁମକୁ ଦେଖି ମୁଁ ପାଗଳ ହୋଇଛି । ଚାଲ ଅପ୍‌ସରା !

ଦୁଇପାଦ ଆଗେଇଗଲା ପରେ ଭିତରୁ କିଏ ଯେମିତି କହିଲା–ଏ କ’ଣ କରୁଛୁ ? ଜାଣୁ ଜାଣୁ ମୃତ୍ୟୁର ଫାଶ ଗଳାରେ ଦେଉଛୁ ?

ସୁଜାଙ୍କ ପାଖରୁ ନିଜକୁ ରକ୍ଷା କରିବାପାଇଁ ଅସୁସ୍ଥତାର ଅଭିନୟ କରି ତଳେ ପଡ଼ିଗଲି । ସୁଜା ଚମକିପଡ଼ିଲେ । କିଛି ସମୟ ମତେ ଚାହିଁ କହିଲେ–ମୁଁ ବର୍ତ୍ତମାନ ହାକିମ୍‌ଙ୍କୁ ନେଇଆସୁଛି । ତୁମେ ବ୍ୟସ୍ତ ହେବନାହିଁ ।

 

ସୁଜା ଚାଲିଯିବା ପରେ ପାଦର ନୂପୁର ଖୋଲି ଚାରିଆଡ଼କୁ ଚାହିଁଲି । ତା’ପରେ ଦ୍ରୁତପଦରେ ଚାଲିଲି । କିଲ୍ଲା ବାହାରକୁ ଆସି ସ୍ୱସ୍ତିର ନିଃଶ୍ୱାସ ମାରିପାରିଲି ନାହିଁ, କାରଣ ସୁଜାଙ୍କ ନିର୍ଦ୍ଦେଶରେ ମତେ ଖୋଜି ବାହାରକରିବା ଅସମ୍ଭବ ନୁହେଁ ।

 

ଘରକୁ ଫେରି କବାଟ ବନ୍ଦ କରିଦେଲି । ପ୍ରତି ମୁହୂର୍ତ୍ତରେ ମନେ ହେଉଥାଏ, ଏହି ମୁହୂର୍ତ୍ତରେ ମୋର ହୃଦଯନ୍ତ୍ରକ୍ରିୟା ଯେମିତି ବନ୍ଦ ହୋଇଯିବ ।

 

ଅବଶେଷରେ ମନ ସ୍ଥିର କଲି । ଓସ୍ତାଦଜୀ ମୋର ପିତୃତୁଲ୍ୟ । ରାସ୍ତାରୁ ଗୋଟେଇଆଣି ସେ ମତେ ମଣିଷ କରିଛନ୍ତି । ତାଙ୍କର ଯାହା କିଛି ଥିଲା ସବୁ ମତେ ଦେଇଛନ୍ତି । ସର୍ବହରା ହେବାପରେ ଯେଉଁ ପଥ ମତେ ଦିନେ ଟାଣିନେଇଥିଲା, ସେହି ପଥ ପ୍ରତି ମୋର ଦୁର୍ନିବାର ଆକର୍ଷଣ ଥିଲା । ପଥର ଆକର୍ଷଣ ଶେଷରେ ମତେ ବାହାରକୁ ଟାଣିନେଲା । ହାରେମ୍‌ର ଅଗାଧ ଐଶ୍ଚର୍ଯ୍ୟ ମୋ ମନରେ ମୋହଜାଲ ବିସ୍ତାର କରିପାରିଲାନାହିଁ ।

 

ମୁଁ ହେଲି ରାଜପଥର ନର୍ତ୍ତକୀ । ମୋ ପାଦର ନୂପୁର ଧୂଳିଧୂସରିତ ହେଲା । ମୋର ଛାୟା ପ୍ରାସାଦର ପ୍ରସ୍ତରନିର୍ମିତ ମସୃଣ ଚଟାଣରେ ପ୍ରତିବିମ୍ବିତ ନ ହୋଇ ରାଜପଥ ଉପରେ ଭାସିଉଠିଲା । ମୋର ଚତୁର୍ଦ୍ଦିଗର ବାୟୁମଣ୍ଡଳ ସୁରା ଏବଂ ଅତରର ସୁବାସରେ ଆମୋଦିତ ହେଉନଥିଲା । ସ୍ୱେଦସିକ୍ତ ଏକ ଅକ୍ଳାନ୍ତ ଜୀବନର ଗନ୍ଧ ମତେ ପ୍ରେରଣା ଦେଉଥିଲା । ମୋର କପାଳରୁ ଯେଉଁ ସ୍ୱେଦବିନ୍ଦୁ ଝରିପଡ଼ୁ ଥିଲା, ସେଥିରେ ମିଶିଥିଲା ରଙ୍ଗୀନ ଧୂଳିକଣା । ମୁଁ ମୁକ୍ତ ବିହଙ୍ଗ । ରାଜପଥର ମଣିଷ ମୋ ଚାରିପଟେ ଘେରିରହିଥିଲେ । ସେମାନେ ଅନ୍ତରର ସହିତ ପ୍ରଶଂସା କରନ୍ତି ମୋର ନୃତ୍ୟକୁ ଏବଂ ସଙ୍ଗୀତକୁ । ଅଣ୍ଟାରେ ଥିବା ସ୍ୱଳ୍ପ ପୁଞ୍ଜିରୁ ଅକୃତ୍ରିମ ହୃଦୟରେ ସେମାନେ ମୋ ପାଖକୁ କିଛି ପକେଇଦିଅନ୍ତି । ସେମାନଙ୍କ ଚକ୍ଷୁରେ ସୁଜାଙ୍କପରି ଲୋଭାତୁର ଦୃଷ୍ଟି ନାହିଁ, ଅନ୍ତରରେ କୁଟିଳତା ନାହିଁ । ସେମାନେ ନିଜର ସବୁ ଦୁଃଖ ଦୁର୍ଦ୍ଦଶା ଭୁଲିଯାଇ ମୋ ସଙ୍ଗୀତର ତାଳେ ତାଳେ ନୃତ୍ୟକରନ୍ତି । ସେହି ନୃତ୍ୟ ଦେଖି ମୁଁ ଯେଉଁ ପ୍ରେରଣା ପାଏ, କିଲ୍ଲାର ଶତସହସ୍ର ମୁଦ୍ରାର ବିନିମୟରେ ମଧ୍ୟ ତାହା ସମ୍ଭବ ନୁହେଁ ।

 

କେତେବେଳେ ଅବା ମୁଁ ଦୁଃଖର ସଙ୍ଗୀତ ଗାଏ । ବିଶେଷ କରି ପ୍ରେମିକ ବିଦେଶ କିମ୍ବା ଯୁଦ୍ଧକୁ ଯିବାର ପ୍ରାକ୍‌କାଳରେ, ବିଦାୟ ନେବା ସମୟରେ ପ୍ରେମିକା ମନରେ ଯେଉଁ ଅବସ୍ଥା ସୃଷ୍ଟିହୁଏ, ସେହି ଅବ୍ୟକ୍ତ ବେଦନାର କଥା ମୋ ସଙ୍ଗୀତରେ ଫୁଟାଏ । କାରଣ ମୁଁ ଲକ୍ଷ୍ୟ କରିଛି, ପୁରୁଷମାନେ ତାଙ୍କ ବିରହରେ ପ୍ରେମିକା ହୃଦୟର ବେଦନା କଥା ଶୁଣିବାକୁ ଭଲପାଆନ୍ତି । କେବେ ଯଦି ରମଣୀମାନଙ୍କ ମଧ୍ୟରେ ଗାଇବାର ସୁଯୋଗ ପାଏ, ସେତେବେଳେ ପ୍ରେମିକାର ପ୍ରତ୍ୟାଖ୍ୟାନରେ ପ୍ରେମିକ ଅନ୍ତରର ତୀବ୍ର ଜ୍ୱାଳାର କଥା ପ୍ରକାଶ କରେ । ଏଥିରେ ସେମାନେ ତୃପ୍ତି ପାଆନ୍ତି । ସେମାନେ ଅତି ଅସହାୟ । ଯଦି ସେମାନେ ଅନୁଭବ କରନ୍ତି, ସେମାନଙ୍କ ପାଇଁ ପୁରୁଷମାନେ କେତେ କାତର ହୁଅନ୍ତି, ତେବେ ସେମାନଙ୍କର ପ୍ରାଧାନ୍ୟ ପୁରୁଷମାନଙ୍କ ଉପରେ ବିସ୍ତାର ଲାଭକରେ । ଜୀବନର ପ୍ରତିଟି କ୍ଷେତ୍ରରେ ବଞ୍ଚିତହେବା ଛଡ଼ା ସେମାନଙ୍କର ଆଉ ଯେ କିଛି ସମ୍ବଳ ନାହିଁ ।

 

ରାଜପଥର ମଣିଷଙ୍କ ପାଖରେ ମୋର ପରିଚୟ–ରାଣାଦିଲ୍‌–ନର୍ତ୍ତକୀ ରାଣାଦିଲ୍‌ । ଗୁଲରଙ୍ଗ ମୋ ଉପରେ ଅସନ୍ତୁଷ୍ଟ । ସେ କଳ୍ପନା କରିନଥିଲା, ମୋ ପରି ରୂପସୀ ଆଗ୍ରାର ପ୍ରଖର ସୂର୍ଯ୍ୟକିରଣରେ ଶରୀରର ଚମ୍ପାବର୍ଣ୍ଣକୁ ଦଗ୍‌ଧ କରିବ । ସେ ଅନେକ କାକୁତିମିନତି କରିଛି । ଶେଷରେ ଦିନେ ମୋର ଅଜ୍ଞାତରେ ତାର ସମସ୍ତ ଜିନିଷପତ୍ର ଧରି ବିଦାୟ ନେଇଛି । ସେ ବର୍ତ୍ତମାନ କିଲ୍ଲାର ନର୍ତ୍ତକୀ । ଅପ୍‌ସରାବାଈର ଅନୁପସ୍ଥିତିରେ ବାଦଶାହଜାଦା ସୁଜାଙ୍କର ଦୃଷ୍ଟି ବର୍ତ୍ତମାନ ତା’ ଉପରେ ।

ମୁଁ ଏକା । ମତଲବ ଖାଁ ବ୍ୟତୀତ ମୋ ଘରକୁ କେହି ଆସନ୍ତିନାହିଁ । ଓସ୍ତାଦଜୀ ମଧ୍ୟ ନୁହେଁ । ଅବଶ୍ୟ ସେ ବର୍ତ୍ତମାନ ଅସୁସ୍ଥ; କିନ୍ତୁ ଅସୁସ୍ଥ ହେବା ପୂର୍ବରୁ ମୋ ଘରକୁ ଆସିବା ସେ ବନ୍ଦ କରିଦେଇଛନ୍ତି । ଗୁଲରଙ୍ଗ ତାଙ୍କୁ ମୋ ନାଁରେ ଅନେକ କଥା କହିଛି । ପୀଡ଼ିତ ହେବାର ସମ୍ବାଦ ପାଇ ତାଙ୍କୁ ଦେଖିବାକୁ ଯାଇ ମୁଁ ଫେରିଆସିଛି । ସେ ଦେଖା କରିବାକୁ ଅସ୍ୱୀକାର କରିଛନ୍ତି । ମୁଁ କାନ୍ଦିଛି–ବୃନ୍ତଚ୍ୟୁତ ପୁଷ୍ପପରି ଆକୁଳହୋଇ କାନ୍ଦିଛି । ତଥାପି ତାଙ୍କର ଅଭିଳାଷ ଅନୁଯାୟୀ ଜୀବନଧାରାକୁ ବଦଳେଇ ପାରିନାହିଁ । ତେଣୁ ଓସ୍ତାଦଜୀଙ୍କ ସହିତ ସମ୍ପର୍କ ଛିନ୍ନ କରିବାକୁ ମୁଁ ବାଧ୍ୟ ହୋଇଛି । ବର୍ତ୍ତମାନ ମୁଁ ଏକା ଚାଲିବି । ଯେଉଁ ଦୁଇଜଣଙ୍କ ସହିତ ଯୋଗସୂତ୍ର ଥିଲା, ସେମାନେ ଯେତେବେଳେ ମତେ ଉପେକ୍ଷା କରିଛନ୍ତି ମୁଁ ତାଙ୍କପାଇଁ କାହିଁକି କାନ୍ଦି କାନ୍ଦି ମରିବି ? ଗୁଲରଙ୍ଗ ମୋର କିଏ ? ଓସ୍ତାଦଜୀ ବା କିଏ ? ଈଶ୍ୱର ମତେ ନିଃସଙ୍ଗ ହୋଇ ବଞ୍ଚିରହିବାପାଇଁ ପୃଥିବୀକୁ ପଠେଇଛନ୍ତି ନହେଲେ ଜ୍ଞାନହେବା ପୂର୍ବରୁ ପିତୃ ମାତୃହୀନା ହୋଇଥାଆନ୍ତି କାହିଁକି ?

ରାଜପଥର ମଣିଷ ମୋର ନିଜର । ଯେଉଁଦିନଠାରୁ ଆଗ୍ରା ପଥରେ ନର୍ତ୍ତକୀ ରାଣାଦିଲ୍‌ ପାଦର ନୂପୁର ହଠାତ୍‌ ସ୍ତବ୍‌ଧ ହୋଇଯିବ, ସେହିଦିନ ଏକ ତୀବ୍ର ଅଭାବବୋଧ ସେମାନଙ୍କୁ ପୀଡ଼ାଦେବ । ଯଦି ସେମାନେ ଶୁଣିବେ ମୁଁ ଅସୁସ୍ଥ, ସେମାନଙ୍କ ମଧ୍ୟରୁ ଅନ୍ତତଃ ଚାରି-ପାଞ୍ଚ ଜଣ ସ୍ୱତଃପ୍ରବୃତ୍ତ ହୋଇ ମୋର ଖବର ଜାଣିବାପାଇଁ ଧାଇଁଆସିବେ । ସେମାନଙ୍କ ମଧ୍ୟରୁ କେହିହେଲେ କଣ ମୋର ଅସୁସ୍ଥ ଶରୀରକୁ ସେବାଦ୍ୱାରା ସୁସ୍ଥ କରିବାକୁ ଚାହିଁବେନାହିଁ ହୁଏତ ନୁହେଁ, କାରଣ ସେମାନଙ୍କର ଏତେ ସମୟ କାହିଁ ? ପ୍ରତିଦିନ ଅକ୍ଳାନ୍ତ ପରିଶ୍ରମ କରି ସେମାନେ ନିଜର ଆହାରର ବ୍ୟବସ୍ଥା କରନ୍ତି । ନିଜର ପ୍ରିୟଜନମାନଙ୍କର ଆରୋଗ୍ୟ ପାଇଁ ସେମାନେ କୌଣସି ବ୍ୟବସ୍ଥା କରିପାରନ୍ତି ନାହିଁ । ପରିଚୟହୀନ ଏକ ନର୍ତ୍ତକୀର ସେବା କରିବାର ଦୁଃସାହସ ସେମାନେ କେଉଁଠାରୁ ପାଇବେ ?

କିନ୍ତୁ ଯଦି ଦେଖନ୍ତି ରାଣାଦିଲ୍‌ ତା’ର କୁଟୀରରେ ମୃତ ଅବସ୍ଥାରେ ପଡ଼ିରହିଛି ତା’ହେଲେ ହୁଏତ ଶେଷକୃତ୍ୟ କରିବାର କିଛି ବ୍ୟବସ୍ଥା କରିବେ । ଆଖିରୁ ଲୁହ ନ ଗଡ଼େଇଲେ ମଧ୍ୟ ଦୁଃଖ କରିବେ; କିନ୍ତୁ ସେତିକି କଣ ମୋ ପାଇଁ ଯଥେଷ୍ଟ ନୁହେଁ ?

ବାଦ୍‌ଶାହ ହେଲେ ମଧ୍ୟ ମୃତ୍ୟୁ ସମୟରେ ସ୍ନେହରେ ଏକବିନ୍ଦୁ ଅଶ୍ରୁ ଲାଭକରିବା ଏତେ ସହଜ ନୁହେଁ । ଏହି ଭାଗ୍ୟ ଜଣଙ୍କର ମଧ୍ୟ ଅଛି କି ନାହିଁ ସନ୍ଦେହ !

ଯମୁନା କୂଳରେ ଗୋଟିଏ ଛୋଟ ମେଳା ବସିଥିଲା । ଆଗ୍ରାରେ ଏମିତି ବହୁତ ମେଳା ବସେ । ଏହି ମେଳାରେ ବହୁତ ଭିଡ଼ ହୁଏ । ଦୋକାନୀମାନେ ପସରା ସଜେଇ ବସନ୍ତି । ନବାବ, ବାଦଶାହ, ରାଜା–ଉଜିରଙ୍କର ସମାଗମ ସେଠାରେ ହୁଏ । ଦରିଦ୍ର ପ୍ରଜାମାନଙ୍କୁ ସେ ମେଳାକୁ ଯିବା ନିଷେଧ । ପ୍ରବେଶ କରିବାର ଅଧିକାର ମିଳିଲେ ମଧ୍ୟ କୌଣସି ଜିନିଷ କ୍ରୟ କରିବାର କ୍ଷମତା ସେମାନଙ୍କର ନଥାଏ; କିନ୍ତୁ ଯମୁନା ତୀରର ଏହି ମେଳାରେ ସାଧାରଣ ଲୋକ ଯୋଗଦିଅନ୍ତି । ଲାଠିଖେଳ, କୁସ୍ତି ପ୍ରଭୃତି ମଧ୍ୟ ହୁଏ । ମୁଁ ଏହି ମେଳାକୁ ଯିବାକୁ ଭଲପାଏ ।

ଗୋଟିଏ ସ୍ଥାନରେ ଧୁନି ଜାଳି ଜଣେ ସାଧୁ ବସିଥିଲେ । ସେଠାରେ ବହୁତ ଲୋକ ଜମା ହୋଇଥିଲେ । ସାଧୁ ଚିମୁଟାରେ ଭସ୍ମନେଇ ସମସ୍ତଙ୍କୁ ଟିକିଏ ଟିକିଏ ଦେଉଥିଲେ । ଲୋକମାନେ ସାଧୁଙ୍କୁ ଭକ୍ତିରେ ପ୍ରଣାମ କରୁଥିଲେ, ପଇସା ଦେଉଥିଲେ ।

 

ସେହି ବାଟ ଦେଇ ଜଣେ ମୁଲ୍ଲା ଯାଉଥିଲେ । ସେ ସାଧୁଙ୍କ ନିକଟରେ ଅଟକିଯାଇ ପଚାରିଲେ–ଏଠି କଣ ହେଉଛି ?

 

ଭକ୍ତମାନେ କହିଲେ–ଏ ଭସ୍ମ ପାଇଦେଲେ ସବୁ ରୋଗ ଭଲ ହୋଇଯିବ ।

 

ମୁଲ୍ଲା କହିଲେ–ମିଛ, ସବୁ ମିଛ ।

 

ସାଧୁ କହିଲେ–କେବେ ନୁହେଁ ।

 

ହଠାତ୍‌ କଳି ଆରମ୍ଭ ହୋଇଗଲା । ସାଧୁ ଚିମୁଟାରେ କାଜିଙ୍କୁ ଆଘାତକଲେ । କାଜିଙ୍କ ଅନୁଚରମାନେ ସାଧୁଙ୍କୁ ଆକ୍ରମଣକଲେ । ମୁଁ ଆଉ ସ୍ଥିରହୋଇ ରହିପାରିଲି ନାହିଁ । ଦୌଡ଼ିଯାଇ ସାଧୁ ଓ କାଜିଙ୍କ ମଝିରେ ଛିଡ଼ା ହୋଇଗଲି । ଦୁହିଁଙ୍କୁ ଅନୁରୋଧ କଲି––ଆପଣମାନେ ଶାନ୍ତହୁଅନ୍ତୁ-। ଅନେକ ଲୋକ ଏହି ମେଳାକୁ ଆସିଛନ୍ତି, ସେମାନଙ୍କର କ୍ଷତି କରନ୍ତୁ ନାହିଁ-

 

କିନ୍ତୁ କେଉଁଠାରୁ ଏକ ଲାଠିର ଆଘାତ ଆସି ମୋ ମୁଣ୍ଡ ଉପରେ ପଡ଼ିଲା । ମୁଣ୍ଡ ଘୂରେଇ ଦେଲା । ସବୁ ଅନ୍ଧକାର ଦେଖାଗଲା । ମୁଣ୍ଡରୁ ରକ୍ତର ଧାରା ଛୁଟିଲା । ମୁଁ ଆଘାତ ପାଇବା ଦେଖି କାଜି ଓ ସାଧୁ ସେଠାରୁ ପଳେଇଲେ ।

 

ମତେ ବହୁତ କଷ୍ଟହେଲା । ଗୋଟିଏ ‘ଶେର୍‌’ ମୁଁ ଜାଣିଥିଲି । ତା’ର ସ୍ୱର ମଧ୍ୟ ମୁଁ ନିଜେ ଦେଇଥିଲି । ମନେ ମନେ ଭାବିଲି, ନର୍ତ୍ତକୀ ହେଲେ ମଧ୍ୟ ପୃଥିବୀରେ ମୋର କଣ କିଛି ଦେଖିବାର ନାହିଁ ? ମୋର ଏ ଆଘାତ ଯେମିତି ଆଉ କେତେଜଣଙ୍କୁ ଆଘାତରୁ ରକ୍ଷାକଲା, ସେମିତି ମୋ ସଙ୍ଗୀତ କଣ ସହସ୍ର ମଣିଷର ମନକୁ ବଞ୍ଚେଇପାରିବ ନାହିଁ ? ବହୁତ କଷ୍ଟ ହେଉଥିଲା, ତଥାପି ଗାଇଲି–

ହିନ୍ଦୁ କହେ ସବ୍‌ ହାମ୍‌ ବଡ଼େ

ମୁସଲମାନ କହେ ହାମ୍‌,

ଏକ ମୁଙ୍ଗକୋ ଦୋ ଫୌଦ୍‌ ହୌ

କୌନ୍‌ ଜ୍ୟାଦା କୌନ୍‌ କମ୍‌ ।

କୌନ୍‌ ଜ୍ୟାଦା କୌନ୍‌ କମ୍‌

କରନେ ନାହି କାଜିୟା,

ଏକ ରାମକା ଭଗତ ହୈ

ବୁଝେ ରହମନ୍‌–ସେ ରାଜିୟା ।

ମୋର ଯନ୍ତ୍ରଣା ବଢ଼ିଲା । ଶରୀର ଅବସନ୍ନ ବୋଧହେଲା । କଣ୍ଠସ୍ୱର ସ୍ତିମିତ ହୋଇ ଆସିଲା । ତଥାପି ମୁଁ ଆପ୍ରାଣ ଚେଷ୍ଟାକରି ଗାଇ ଚାଲିଲି–କାରଣ ମୁଁ ଲକ୍ଷ୍ୟକଲି, ସଂଘର୍ଷର ପରିବେଶ ଅକସ୍ମାତ ପରିବର୍ତ୍ତିତ ହୋଇଆସୁଛି । ମୁଁ ଅତି କଷ୍ଟରେ ନୃତ୍ୟର ତାଳେ ତାଳେ ଦୂରକୁ ଚାଲିଆସିଲି । ମୋର ଚାରିପଟରେ ଭିଡ଼ହେବାକୁ ଲାଗିଲା । ସେହି ଭିଡ଼ ମଧ୍ୟରେ ବିସ୍ମୟ, ଭୀତି ଓ ଚକ୍ଷୁରେ ବିଷର୍ଣ୍ଣତା ମୋ’ରିପାଇଁ ।

ରକ୍ତର ଧାରା ଛୁଟୁଛି । ଚକ୍ଷୁର ଦୃଷ୍ଟି ଝାପ୍‌ସା ହୋଇଆସୁଛି । ଅସ୍ପଷ୍ଟ ଭାବରେ ଦେଖିବାକୁ ପାଇଲି, କେତେଜଣ ମୋ ଆଡ଼କୁ ଧାଇଁଆସୁଛନ୍ତି । କାହିଁକି ଆସୁଛନ୍ତି ? ତା’ପରେ ସବୁ ଅନ୍ଧକାର ହୋଇଗଲା । ଆଉ କିଛି ମନେନାହିଁ ।

 

ଏକ ଆଚ୍ଛନ୍ନ ଅବସ୍ଥା ମଧ୍ୟରେ ମୁଁ ଆଖି ଖୋଲିଲି । ଟିକିଏ ଆଗରୁ କଣ ସ୍ୱପ୍ନ ଦେଖୁଥିଲି ମନେନାହିଁ । ଏକ ମଧୁର ଆବେଶରେ ମୁଁ ମଗ୍ନ ଥିଲି । କାହିଁକି ଏ ଆବେଶ ବୁଝିପାରୁନଥିଲି । ଆଖି ଖୋଲି ଦେଖିଲି, ସାମନାରେ ଛୋଟ ପ୍ରଦୀପଟିଏ ଜଳୁଛି । ପ୍ରଦୀପ କାହିଁକି ଜଳୁଛି ? ମୁଁ କଣ ଶୋଇବାପୂର୍ବରୁ ଲିଭେଇନାହିଁ ? ପ୍ରଦୀପ ଲିଭେଇବାକୁ ହଠାତ୍‌ ଉଠି ପଡ଼ିଲି । ମୁଣ୍ଡରେ ବହୁତ ଯନ୍ତ୍ରଣା ହେଲା । ପୁଣି ଶୋଇପଡ଼ିଲି । ହଠାତ୍‌ ମେଳା କଥା ମନେପଡ଼ିଲା; କିନ୍ତୁ ମୁଁ ମୋ ଘରକୁ କେମିତି ଆସିଲି ? ଚାରିଆଡ଼କୁ ଚାହିଁ ଦେଖିଲି ଦୂରରେ ଜଣେ ପୁରୁଷ ନିଶ୍ଚଳ ମୂର୍ତ୍ତିପରି ବସିରହିଛନ୍ତି । ଚିହ୍ନିପାରିଲି ନାହିଁ । ଆଲୋକ ବଡ଼ ଅସ୍ପଷ୍ଟ ମୋର ଚକ୍ଷୁର ଦୃଷ୍ଟି ସ୍ୱଚ୍ଛ ନୁହେଁ ।

 

ଦୁଇ ଚକ୍ଷୁରୁ ମୋର ଅଶ୍ରୁ ଝରିପଡ଼ିଲା । ଅଶ୍ରୁ ପୋଛିବାକୁ ଶକ୍ତିନଥିଲା । ଇଚ୍ଛା ମଧ୍ୟ ନଥିଲା । ନିଶ୍ଚଳ ପୁରୁଷଟି ନିଶ୍ଚୟ ଖୁବ୍ ସହୃଦୟ ବ୍ୟକ୍ତି । ମତେ ଅଚେତନ ଅବସ୍ଥାରେ କୁଟୀରରେ ପହଞ୍ଚେଇଦେଇ କର୍ତ୍ତବ୍ୟ ଶେଷ ହୋଇଯାଇଛି ବୋଲି ଭାବି ଚାଲିଯାଇନାହାନ୍ତି । ମୋର ସେବା କରିଛନ୍ତି । ମତେ ନିଶ୍ଚୟ ସେ ଚିହ୍ନନ୍ତି, ନହେଲେ ମୋର କୁଟୀରରେ ସେ ପହଞ୍ଚେଇ ପାରିନଥାନ୍ତେ-। ତାଙ୍କୁ କୃତଜ୍ଞତା ଜଣେଇବାକୁ ମୋର ଶକ୍ତିନଥିଲା ।

 

କାନ୍ଥରେ ପୁରୁଷଟିର କମ୍ପିତ ଛାୟା ପଡ଼ିଲା । ସେ ଉଠି ଛିଡ଼ାହେଲେ । ତା’ପରେ ମୋ ପାଖକୁ ଆସିଲେ । ମୁଁ ସାଧ୍ୟମତେ ମୋର ଡାହାଣ ହାତଟିକୁ ଉଠେଇ ତାଙ୍କୁ ଆହ୍ୱାନ କଲି । ସେ ମୋ ହାତଟିକୁ ଧରି ପାଖରେ ବସିଲେ । ସ୍ୱଳ୍ପ ଆଲୋକରେ ତାଙ୍କ ମୁହଁ ଭଲରୂପେ ଦେଖିପାରିଲି ନାହିଁ । ତାଙ୍କ ଶରୀରର ସ୍ନିଗ୍‌ଧ ସୁବାସ ମୋ ନାକରେ ବାଜିଲା । ଅସ୍ପଷ୍ଟ ସ୍ୱରରେ କହିଲି–ଆପଣ ମୋର ପ୍ରାଣ ବଞ୍ଚେଇଛନ୍ତି । ଆପଣ ମୋର ପ୍ରାଣଦାତା ।

 

–ନା ରାଣାଦିଲ୍‌, ଯେଉଁମାନେ ତୁମକୁ ବଞ୍ଚେଇଲେ ସେମାନଙ୍କୁ ଅନୁସରଣ କରି ମୁଁ ଏଠିକି ଆସିଛି । ମୁଁ ତୁମର କୁଟୀର ଚିହ୍ନିନଥିଲି ।

 

–ଆପଣ କିଏ ।

 

–ତୁମେ କଣ ମତେ ଚିହ୍ନିପାରିବ ?

 

–ଆପଣଙ୍କ ସ୍ୱର ମୋର ଖୁବ୍‌ ପରିଚିତ । କିନ୍ତୁ ତା’ କଣ ସମ୍ଭବ ? ନା, ସମ୍ଭବ ନୁହେଁ–ଅଥଚ କି ଆଶ୍ଚର୍ଯ୍ୟ ସାଦୃଶ୍ୟ ?

 

–ସମ୍ଭବତଃ ଅନ୍ୟକାହାର କଣ୍ଠସ୍ୱର ସାଙ୍ଗରେ ମୋର ସାଦୃଶ୍ୟ ଅଛି । ତୁମେ ମତେ ଚିହ୍ନିନାହଁ ।

 

–ଆପଣଙ୍କୁ କେବେ କଣ ଦେଖିନାହିଁ ?

 

–ହଁ ଦେଖିଛି–ଅନେକ ଦିନ ପୂର୍ବରୁ ।

 

–ଆପଣଙ୍କ କଣ୍ଠସ୍ୱର ଠିକ୍‌ ବାଦଶାହଜାଦା ଦାରାଶୁକୋଙ୍କ ପରି ।

 

–ଆଶ୍ଚର୍ଯ୍ୟ ।

 

–କାହିଁକି ? ଏକଥା କାହିଁକି କହୁଛନ୍ତି ?

 

–ତୁମେ ମତେ ମନେରଖିଛ ରାଣାଦିଲ୍‌ ? ମୋର କଣ୍ଠସ୍ୱର ମଧ୍ୟ ?

 

–ବାଦଶାହଜାଦା ?

 

ମୁଁ ଚକ୍ଷୁ ମୁଦ୍ରିତ କଲି । ଅଶ୍ରୁ ବାଧା ମାନିଲାନାହିଁ ।

 

–ମୁଁ ତୁମକୁ ଅପମାନ କରିବାକୁ ଚାହିଁନାହିଁ ରାଣାଦିଲ୍‌, ମୁଁ କୃତଜ୍ଞତା ଜଣେଇବାକୁ ଆସିଛି ।

 

–ଅପମାନ ? ଏ ଆପଣ କଣ କହୁଛନ୍ତି ବାଦଶାହଜାଦା ? ଆଉ କୃତଜ୍ଞତା ମୋ ପ୍ରତି ନା....ନା.....

 

–ତୁମେ ମୋ କଥାର କେତେ ମୂଲ୍ୟ ଦେଇଛ, ଅଥଚ ପ୍ରତିଦାନର ପ୍ରତ୍ୟାଶା କରିନାହଁ । ତୁମେ ହାରେମ୍‍କୁ ନଯାଇ ରାସ୍ତାରେ ଘୂରିବୁଲିଛ ।

 

–ଆପଣଙ୍କ କଥାର ମୂଲ୍ୟ ? କେଉଁ କଥା ବାଦଶାହଜାଦା ?

 

–ଯେଉଁନାମରେ ତୁମେ ସମସ୍ତଙ୍କ ପାଖରେ ପ୍ରିୟ, ସେହି ନାମରେ ପରିଚିତ ହେବାକୁ ମୁଁ କହିଥିଲି ରାଣାଦିଲ୍‌ ।

 

ଲଜ୍ଜା ଅନୁଭବ କଲି । କିନ୍ତୁ ମୁଁ ରାଜପଥର ନର୍ତ୍ତକୀ । ଲଜ୍ଜା ଆମ ଅଙ୍ଗର ଭୂଷଣ ନୁହେଁ-। ଅଭିନୟ ଛଳରେ ଆମେ ଲଜ୍ଜା ପ୍ରଦର୍ଶନ କରୁ । ସେହି ଲଜ୍ଜାକୁ ସତ୍ୟବୋଲି କଳ୍ପନାକରି ଅନେକ ଲୋକ ଖୁସି ହୁଅନ୍ତି ।

 

–କହ ରାଣାଦିଲ୍‌, ଏତେ ମୂଲ୍ୟ କାହିଁକି ଦେଲ ?

 

–କଣ କହିବି ବାଦଶାହଜାଦା ?

 

–ମୋର ଅନୁରୋଧର ଏତେ ମୂଲ୍ୟ ଦେଲ କାହିଁକି ?

 

–ଭୟରେ ।

 

ଦାରାଶୁକୋଙ୍କର ମୁହଁ ଦେଖିପାରୁନଥିଲି । ସାମାନ୍ୟ ନୀରବତା ପରେ ତାଙ୍କ କଣ୍ଠସ୍ୱର ଶୁଣିବାକୁ ପାଇଲି । ଭାବିଥିଲି ସେହି ସ୍ୱରରେ ଥିବ ଆତ୍ମଗାରିମା; କିନ୍ତୁ ତାଙ୍କ କଣ୍ଠରେ ବେଦନାର ଭାବ ଫୁଟିଉଠିଲା ।

 

–ଭୟରେ !

 

–ଆପଣଙ୍କୁ ଯେ ଭୟ କରିବାକୁ ହୁଏ ବାଦଶାହଜାଦା–ଏକଥା କଣ ଆପଣ ଜାଣିନାହାନ୍ତି ?

 

–ଜାଣେ । ଆଚ୍ଛା ବର୍ତ୍ତମାନ ମୁଁ ଯଦି କହେ ସେ ନାଁଟା, ବଦଳେଇ ଦେବାକୁ–ବଦଳେଇ ଦେବ ?

 

–ନା ।

 

–ଭୟରେ ? ଭୟରେ ମଧ୍ୟ ବଦଳେଇ ଦେବନାହିଁ ?

 

–ମୁଁ ଯେ ସେ ନାଁରେ ପରିଚିତ ହୋଇଯାଇଛି । ମୁଁ ନାଁ ବଦଳେଇଲେ ମଧ୍ୟ ଅନ୍ୟମାନେ ଶୁଣିବେ କାହିଁକି ?

 

–ତୁମକୁ କଥା କହିବାକୁ ବୋଧେ କଷ୍ଟ ହେଉଛି ରାଣାଦିଲ୍‌ । ତୁମେ କଥା କହନାହିଁ ।

 

–ନା ବାଦଶାହାଜାଦା, ମତେ ଭଲଲାଗୁଛି; କିନ୍ତୁ ଆପଣ ଏ ପରିବେଶରେ ଖୁବ୍‌ କଷ୍ଟ ପାଉଛନ୍ତି ।

 

–ମୁଁ ସବୁ ପରିବେଶ ଚଳେଇନେଇ ପାରିବି । ମୁଁ ଫକୀର ସାଧୁମାନଙ୍କ ପାଖରେ ଅନେକ ସମୟରେ ରାତି କଟାଏ । ତୁମେ ବ୍ୟସ୍ତ ହୁଅନାହିଁ । ତୁମପାଇଁ ଖାଇବାକୁ ଆଣିବା ପାଇଁ ଲୋକ ପଠେଇଛି । ଖାଇବା ଆସିଲେ ମୁଁ ଚାଲିଯିବି ।

 

–ଆପଣଙ୍କର ଏତେ ଦୟା ?

 

–ମୁଁ ତୁମ ପ୍ରତି ଆଉ ଏକ କାରଣ ପାଇଁ ମଧ୍ୟ କୃତଜ୍ଞ ।

 

–ଏ କ’ଣ ଆପଣ କହୁଛନ୍ତି ?

 

–ଠିକ୍‌ କହୁଛି । ଯମୁନା ତୀରରେ ଯେଉଁ ମେଳାରେ ତୁମେ ଗାଉଥିଲ, ସେଠିକି ଜଣେ ଫକୀରଙ୍କର ଆସିବା କଥା ଥିଲା । ସେଥିପାଇଁ ମୁଁ ଯାଇଥିଲି; କିନ୍ତୁ ତାଙ୍କୁ ନପାଇ ଫେରି ଆସିବାବେଳକୁ ମୋ କାନରେ ବାଜିଲା ତୁମ ସଙ୍ଗୀତର ଝଙ୍କାର । ଗୀତ ଶୁଣି ଓ ଅର୍ଥ ବୁଝି ମୋର ଭାବାନ୍ତର ହେଲା । ଠିକ୍‌ ଯେମିତି ମୋ ମନର କଥା ତୁମେ କହୁଛ ! ତୁମ କଣ୍ଠ କି ସୁନ୍ଦର ! ତୁମେ ନର୍ତ୍ତକୀ, ମୁଁ ଜାଣେ; କିନ୍ତୁ ତା’ ଅପେକ୍ଷା ବଡ଼ ପରିଚୟ ହେଉଛି, ତୁମେ ସଙ୍ଗୀତରେ ମଧ୍ୟ ନିପୁଣା । ଏହି ଛଦ୍ମବେଶରେ ମୁଁ ବହୁତ ସମୟ ଛିଡ଼ାହୋଇ ତୁମ ଗୀତ ଶୁଣିଲି ।

 

ଦାରାଙ୍କର ପୋଷାକ ସାଧାରଣ ଥିଲା; କିନ୍ତୁ ଏହି ଚେହେରା ଓ ଶରୀରର ସୁଘ୍ରାଣରେ ତାଙ୍କୁ କଣ କେହି ଚିହ୍ନିପାରିଲେ ନାହିଁ ? ହୁଏତ ସମସ୍ତେ ତନ୍ମୟ ଥିଲେ ।

 

–ମୁଁ ଦେଖିଲି ତୁମେ ଅଚେତନହୋଇ ପଡ଼ିଗଲ ।

 

–ଆପଣ ମତେ ଚିହ୍ନି ପାରିଲେ ?

 

–ନା । ଏ ଅବସ୍ଥାରେ ଚିହ୍ନିବା ସମ୍ଭବ ନଥିଲା; କିନ୍ତୁ ତୁମ ନାଁ ଶୁଣିଲି । ଦେଖିଲି, ସାଧାରଣ ଲୋକଙ୍କ ପାଖରେ ତୁମେ ଅତି ପରିଚିତ । ସମସ୍ତଙ୍କ ମୁହଁରେ ତୁମ ନାଁ–ରାଣାଦିଲ୍‌ । ସେମାନେ ତୁମକୁ ଅତି ଶ୍ରଦ୍ଧାରେ ଟେକିନେଇ ଶଗଡ଼ ଗାଡ଼ିରେ ଏଠିକି ଆଣିଲେ । ମୁଁ ଗାଡ଼ିକୁ ଅନୁସରଣ କଲି । ସେମାନେ ତୁମକୁ ପ୍ରାଣଦେଇ ଭଲପାଆନ୍ତି, ରାଣାଦିଲ୍‌ ।

 

–ସେମାନେ ମହାନୁଭବ ।

 

–ତୁମ କାହାଣୀ ମୁଁ ସେମାନଙ୍କ ମୁହଁରୁ ଶୁଣିଛି । ସେ କାହାଣୀ ଶୁଣି ମୁଁ ମଧ୍ୟ ତୁମକୁ–

 

–ବାଦଶାହଜାଦା !

 

–କହ ରାଣାଦିଲ୍‌ !

 

–ସେମାନେ ମତେ ଏଠି ଛାଡ଼ି ଚାଲିଗଲେ ?

 

–ଯିବାକୁ ଚାହୁଁ ନଥିଲେ, ମୁଁ ତାଙ୍କୁ ଯିବାକୁ କହିଲି । ମୋର ପରିଚୟ ପାଇ ସେମାନେ ଆଶ୍ଚର୍ଯ୍ୟ ହେଲେ । ତା’ପରେ ଅନିଚ୍ଛାସତ୍ତ୍ୱେ ଚାଲିଗଲେ । ଭିଡ଼ ମଧ୍ୟରୁ ଗୋଟିଏ ମନ୍ତବ୍ୟ ଶୁଣିଲି–ବାଦଶାହଜାଦାମାନଙ୍କର ତ ହଜାର ନର୍ତ୍ତକୀ ଅଛନ୍ତି–ସେଥିରେ ମଧ୍ୟ ସେମାନେ ସନ୍ତୁଷ୍ଟ ନୁହନ୍ତି । ଆମର ଏକମାତ୍ର ରାଣାଦିଲ୍‌କୁ ମଧ୍ୟ ଛଡ଼େଇ ନେବାକୁ ଚାହାଁନ୍ତି । ମୁଁ ଉତ୍ତର ଦେଇପାରିଲିନାହିଁ । ମନ୍ତବ୍ୟକାରୀକୁ ଖୋଜି ବାହାର କରିବାକୁ ଚେଷ୍ଟା ମଧ୍ୟ କରିନାହିଁ ।

 

–କାହିଁକି ବାଦଶାହଜାଦା ?

 

–ଜାଣେନା ।

 

–ଆପଣ କଣ ପ୍ରକୃତରେ ମତେ ସେମାନଙ୍କପାଖରୁ ଛଡ଼େଇନେବାକୁ ଚାହାଁନ୍ତି ?

 

–ଯଦି କହେ ହଁ ।

 

–ମୁଁ ଯିବିନାହିଁ । ଯିବାକୁ ଚାହେଁନାହିଁ ବୋଲି ରାସ୍ତାକୁ ବାହାରିଛି । ମୁଁ ସେମାନଙ୍କର ।

 

–ସେ କଥା ପରେ; କିନ୍ତୁ ତୁମକୁ ମୁଁ ପ୍ରକୃତରେ ଚିହ୍ନି ପାରିନାହିଁ ରାଣାଦିଲ୍‌ । ତୁମର ରକ୍ତଝରା ମୁଖ ଏବଂ ସୂର୍ଯ୍ୟତାପରେ ଦଗ୍‌ଧ ତାମ୍ରବର୍ଣ୍ଣ ଶରୀର ମତେ ବିଭ୍ରାନ୍ତ କରିଥିଲା । ପରେ ଅବଶ୍ୟ ଚିହ୍ନିପାରିଥିଲି ।

 

–କେତେବେଳେ ?

 

–ଯେତେବେଳେ ସମସ୍ତେ ଚାଲିଗଲେ, ମୁଁ ତୁମ ମୁହଁରୁ ଭଲରୂପେ ରକ୍ତ ପୋଛିଦେଲି । ସେତେବେଳେ ବୁଝିଲି ଏ ରାଣାଦିଲ୍‌ ମୋର ।

 

–କଣ କହୁଛନ୍ତି ବାଦଶାହଜାଦା ?

 

–ନା; ମୁଁ କହିବାକୁ ଚାହେଁ । ମୁଁ ନାଁ ଦେଇଛି ରାଣାଦିଲ୍‌ । ଆଶ୍ଚର୍ଯ୍ୟ ହୋଇଥିଲି, ସେହି ଅପରୂପା ରାଣାଦିଲ୍‌ ରାସ୍ତାରେ ଘୂରିବୁଲେ ।

 

–ହଁ । କିଲ୍ଲା କଥା ଭାବିଲେ ମୋ ମନରେ ଭୟ ହୁଏ । ସେଥିପାଇଁ ମୁଁ ରାସ୍ତାକୁ ବାହାରିପଡ଼ିଛି ।

 

–ମୁଁ ତୁମକୁ ଅନେକ ଖୋଜିଛି–କିନ୍ତୁ ରାଜପଥରେ ଖୋଜିନାହିଁ । ଜାଣିଛ, ସୁଜାର ହାରେମ୍‍କୁ ମୁଁ ଗୁପ୍ତଚର ପଠେଇ ତୁମକୁ ଖୋଜିଛି ?

–କିନ୍ତୁ କାହିଁକି ?

–ଜାଣେନାହିଁ । ବର୍ତ୍ତମାନ ମଧ୍ୟ କହିପାରିବି ନାହିଁ । ତୁମକୁ ଆଜି ଖୋଜି ପାଇଛି । ସୁଯୋଗ ଆସିଲେ ସବୁ କହିବି ।

–ଆପଣ ପୁଣି ଆସିବେ ?

–ହଁ ।

–ନାଦିରାବେଗମ୍‌.....

–ଦାରାଙ୍କ ମୁହଁରେ ହସ ଫୁଟିଉଠିଲା । ସେ ହସ ମୁଁ ସ୍ପଷ୍ଟଭାବରେ ଦେଖିପାରୁନଥିଲି ।

–ମୁଁ ଜାଣେ ରାଣାଦିଲ୍‌, ଏକଥା ଉଠିବ । ତୁମେ କଣ ଜାଣନାହିଁ, ଆମ ରକ୍ତର ନିଶା ଗୋଟିଏ ନାରୀଦ୍ୱାରା କେବେହେଲେ ଦୂର ହୁଏନାହିଁ ।

ତାଙ୍କ କଣ୍ଠସ୍ୱରର ଏହି ଆକସ୍ମିକ ଉତ୍ତେଜନାରେ ମୋର ଦୁର୍ବଳ ଶରୀର କମ୍ପିଉଠିଲା ।

ବାରମ୍ବାର ମନ୍ତ୍ରଉଚ୍ଚାରଣ ପରି ମନେ ମନେ କହିବାକୁ ଲାଗିଲି–ହଁ ଠିକ୍‌ କଥା । ଠିକ୍‌ କଥା । ମୋର ଭୁଲ୍‌ । ମସ୍ତବଡ଼ ଭୁଲ ।

–ତୁମେ କିଛି କହୁଛ ରାଣାଦିଲ୍‌ ?

 

–ନା ବାଦଶାହଜାଦା ।

 

–ତୁମେ କିଛି ମନେକରୁନାହଁ ?

 

–ଜାଣେନା ।

 

–ନିଶ୍ଚୟ କରିଛ । ଶୁଣ ରାଣାଦିଲ୍‌, ନିଷ୍ଠୁର ସତ୍ୟକଥା ମୁଁ କହିଲି; କିନ୍ତୁ ମୋ କ୍ଷେତ୍ରରେ ସେ କଥା ଠିକ୍‌ ନୁହେଁ । ନାଦିରାକୁ ମୁଁ ଖୁବ୍‌ ଭଲପାଏ ।

 

–ଆପଣଙ୍କ କଥା ଶୁଣି ଆପଣଙ୍କ ପ୍ରତି ଶ୍ରଦ୍ଧାହେଉଛି ବାଦଶାହଜାଦା ।

 

–ଶ୍ରଦ୍ଧା ? କିନ୍ତୁ ଏହି ଶ୍ରଦ୍ଧା ସବୁଦିନପାଇଁ ରହିବ ତ ?

 

–ରହିବ ନାହିଁ କାହିଁକି ? ଆପଣ....

 

–ଆଉ ପ୍ରଶଂସା ଶୁଣିବାକୁ ମୁଁ ଚାହେଁନାହିଁ । କେବଳ ଏତିକି କହିବାକୁ ଚାହେଁ, ନାଦିରାକୁ ଖୁବ୍‌ ଭଲପାଇଲେ ମଧ୍ୟ ସେଦିନ ପ୍ରଥମେ ତୁମକୁ ଦେଖିବାମାତ୍ରେ ଏକ ତୀବ୍ର ଆକର୍ଷଣ ମୁଁ ଅନୁଭବ କରିଥିଲି । ସେହି ଆକର୍ଷଣର ଏକ ବିନ୍ଦୁ ମଧ୍ୟ ବର୍ତ୍ତମାନ କମିନାହିଁ, ବରଂ ବଢ଼ିଛି ।

 

ହାୟ ଭଗବାନ, ଏ ପୁଣି କି କଥା ? ଏମିତି କେବେ ଶୁଣିବି ବୋଲି ଭାବିନଥିଲି । ପୁରୁଷର ହୃଦୟକୁ କଣ ଭାଗ କରାଯାଇପାରେ ? ମୁଁ ନାରୀ ହୋଇ କେମିତି ବୁଝିବି ? ହୁଏତ ନାଦିରାଙ୍କ ପ୍ରତି ପ୍ରେମ ଓ ମୋ ପ୍ରତି କେବଳ ମୋଗଲ ରକ୍ତର ନିଶା ଅଛି । ନା, ଏହି ମଧୁର କଣ୍ଠସ୍ୱରରେ ଭୁଲିବି ନାହିଁ । ମୁଁ ଶକ୍ତ ହେବି ।

 

–ରାତି ବହୁତ ହେଲାଣି ବାଦଶାହଜାଦା ।

 

–ହଁ ।

 

ଏହି ସମୟରେ ଜଣେ ମୋପାଇଁ ଖାଇବା ନେଇଆସିଲା । ଦାରାଙ୍କ ସହିତ ଏତେ କଥାବାର୍ତ୍ତା କରି ମଧ୍ୟ ମୁଁ କ୍ଳାନ୍ତି ଅନୁଭବ କରୁନଥିଲି ।

 

–ମୁଁ ଯାଉଛି ରାଣାଦିଲ୍‌ ।

 

–ଆପଣଙ୍କ ସାଙ୍ଗରେ କେହି ଆସିନାହାନ୍ତି ?

 

–ହଁ, ଏଇ ତ ହାକିମ୍‌ ଖୁଦାଦୋସ୍ତ ଅଛନ୍ତି ।

 

–ସେ ହାକିମ୍‌ ?

 

–ହଁ । ତୁମର ଭାଗ୍ୟ ଭଲ । ସେ ମଧ୍ୟ ଫକୀର, ସାଧୁଙ୍କ ପଛରେ ଘୂରିବୁଲନ୍ତି । ତାଙ୍କ ପାଖରେ ଅନେକ ରକମର ଚେରମୂଳ ଅଛି । ସେଗୁଡ଼ିକ କାମରେ ଲାଗେ ।

 

–ବାଦଶାହଜାଦା, ଆପଣ କଣ ଅଜାତଶତ୍ରୁ ?

 

ଦାରା ହସି ହସି କହିଲେ–ନା, ରାଣାଦିଲ୍‌ । ମୋଗଲ ବଂଶରେ କେହି ଅଜାତଶତ୍ରୁ ନୁହନ୍ତି । ବିଶେଷକରି ଶାହାନଶାହଙ୍କର ଜ୍ୟେଷ୍ଠପୁତ୍ରର ଶତ୍ରୁ ଓ ମିତ୍ରଙ୍କ ସଂଖ୍ୟା ସମାନ । ବରଂ ଶତ୍ରୁ ସଂଖ୍ୟା ବେଶି ।

 

ଦାରା ତାଙ୍କ ପରିଚ୍ଛଦ ଭିତରୁ ଗୋଟିଏ ଲମ୍ବା ଅସ୍ତ୍ର ବାହାରକଲେ । ପ୍ରଦୀପର ଆଲୋକରେ ଅସ୍ତ୍ରଟି ଝଲସି ଉଠିଲ। ।

 

–ଦୂରରୁ ମଧ୍ୟ ଲକ୍ଷ୍ୟଭେଦ କରାଯାଏ ବାଦଶାହଜାଦା ।

 

–ହଁ । ସେଥିପାଇଁ ମୋର ଚାରିଦିଗରେ ଅନେକଗୁଡ଼ିଏ ଅଦୃଶ୍ୟ ମନୁଷ୍ୟର ଦୃଷ୍ଟି ରହିଛି-

 

ଲଜ୍ଜିତା ହେଲି; ସାମାନ୍ୟ ନର୍ତ୍ତକୀ ହୋଇ ହିନ୍ଦୁସ୍ଥାନର ଅଧୀଶ୍ୱରଙ୍କର ଜ୍ୟେଷ୍ଠପୁତ୍ରର ବୁଦ୍ଧିର ପରିମିତି ସମ୍ବନ୍ଧରେ ସନ୍ଦିହାନ ହେବା ଉଚିତ ନୁହେଁ । ଏ କେବଳ ତାଙ୍କ ନିଜର ବୁଦ୍ଧିର କଥା ନୁହେଁ, ବଂଶପରମ୍ପରାଲବ୍‌ଧ ବହୁ ଅଭିଜ୍ଞତାପ୍ରସୂତ, ଅତି ଯତ୍ନର ସହିତ ରୂପାୟିତ କେତେଗୁଡ଼ିଏ ନିୟମକାନୁନର ବ୍ୟାପାର ।

 

ପଥ ମୋର ଆଶ୍ରୟ । ପଥ ମୋର ବନ୍ଧୁ । ପଥହିଁ ମୋର ପ୍ରଭୁ ।

 

ମୁଣ୍ଡର ଆଘାତ ଭଲହେବା ପରେ ପୁଣି ରାସ୍ତାକୁ ବାହାରିପଡ଼ିଲି । ଦାରାଙ୍କର ସେଦିନର ଉପସ୍ଥିତି ମୋର ଅନ୍ତରରେ ଯେଉଁ ପ୍ରଦୀପ ଶିଖା ଜାଳିଥିଲା, ତାକୁ ଅସ୍ଵୀକାର କରିବାର କ୍ଷମତା ମୋର ନାହିଁ; କିନ୍ତୁ ଦିନପରେ ଦିନ ତାଙ୍କ ଅନୁଗ୍ରହ ଉପରେ ନିର୍ଭରକରି ଜୀବନ କଟେଇବା କଥା କଳ୍ପନା କରିବାକୁ ଭୟଲାଗୁଥିଲା ।

 

ଯେତେଦିନ ଶଯ୍ୟାରେ ପଡ଼ିରହିଥିଲି ପଥ୍ୟପାଇଁ ମୁଁ ଭାବିନଥିଲି । ପୃଥିବୀର ସର୍ବୋତ୍କୃଷ୍ଟ ପଥ୍ୟ ନିୟମିତ ଭାବରେ ପାଇଛି । ସେତେବେଳେ ପ୍ରତିବାଦ କରିବାର କ୍ଷମତା ମୋର ନଥିଲା । ମୋର ରାଜପଥର ବନ୍ଧୁମାନେ ମୋ ପାଇଁ ବେଦାନା, ପେସ୍ତା, କିସ୍‌ମିସ୍‌ ଏବଂ ଆହୁରି ଅନେକ ଜିନିଷ ଦେଇଯାଇଥିଲେ । ବାଦଶାହଜାଦାଙ୍କର ଅନୁଗ୍ରହର ପଥ୍ୟ ମୁଁ କେତେଦିନପର୍ଯ୍ୟନ୍ତ ଖାଇବାକୁ ବାଧ୍ୟ ହୋଇଥିଲି । ଦିନେ ଜଣେ ଯୁବକ କିଛି ଫଳଧରି ମୋ ଶଯ୍ୟାପାଖରେ ଛିଡ଼ାହେଲା-। ସେ ବୋଧହୁଏ ମୋ ସହିତ କଥା କହିବାକୁ ଚାହୁଁଥିଲା । ତାକୁ କହିଲି–ବସ ।

 

ଯୁବକଟି ବସିଲା । ବୟସ ମୋଠାରୁ କିଛି ବେଶି । ସେ ମୋ ମୁଣ୍ଡର କଟାଦାଗଟାକୁ ଚାହିଁଥିଲା ।

 

–ତୁମେ ଆଉଦିନେ ଫଳ ଆଣି ଦେଇଥିଲ–କାହିଁକି ଏତେ ଆଣୁଛ ?

 

–ଦେବି ନାହିଁ ତୁମେ କହୁଛ ?

 

–ଦେବି ନାହିଁ କାହିଁକି ? ତେବେ ଜାଣିବାକୁ ଇଚ୍ଛାହେଉଛି ।

 

–ତୁମେ କାହିଁକି ଏତେ ସୁନ୍ଦର ଗୀତ ଗାଅ ? କାହିଁକି ? କାହିଁକି ରାଜପଥ ଉପରେ ନୃତ୍ୟକରି ଘୂରିବୁଲ ?

 

–ନହେଲେ ଚଳିବି କେମିତି ?

 

–କେବଳ ସେଇଥିପାଇଁ ?

 

ଯୁବକଟିର ମୁଖମଣ୍ଡଳ ବ୍ୟଥାରେ ଭରିଉଠିଲା । ମୋର କଷ୍ଟ ହେଲା, ଲଜ୍ଜା ହେଲା ତା’ର ଶେଷ କଥାଟି ଯେପରି ଏକ ଆର୍ତ୍ତନାଦ ।

 

ମୁଁ କହିଲି–ମତେ ଭଲଲାଗେ ।

 

ସେ ମଧ୍ୟ ହସିଲା । କହିଲା–ମତେ ମଧ୍ୟ ଭଲଲାଗେ ।

 

–କ’ଣ ?

 

–ଭଲଲାଗେ ।

 

–କ’ଣ ଭଲଲାଗେ ?

 

–ତୁମକୁ ଦେବାପାଇଁ ।

 

–କାହିଁକି ?

 

ଯୁବକଟି ହୁଏତ ଭାବି ଭାବି ଉତ୍ତର ଖୋଜି ପାଇଲାନାହିଁ । ଶେଷରେ ଅସ୍ପଷ୍ଟ ସ୍ୱରରେ କହିଲା–ତା’ ତ ଜାଣେନାହିଁ ।

 

ପୁରୁଷର ପ୍ରଥମ ଯୌବନର ଏ ଏକପ୍ରକାର ଉଚ୍ଛ୍ୱାସ । ଯେଉଁ ନାରୀମଧ୍ୟରେ ସେ ସାମାନ୍ୟ ବିଶେଷତ୍ୱ ଦେଖେ, ତା ପ୍ରତି ଆକୃଷ୍ଟ ହୋଇପଡ଼େ । ହୁଏତ ଏଇ ଆକର୍ଷଣ ଭିତରେ ଜ୍ଞାତ ଓ କିମ୍ବା ଅଜ୍ଞାତ ଭାବରେ କାମ କରେ ନାରୀର ଦେହ । ହୁଏତ କାହିଁକି–ପୁରୁଷ ପ୍ରତି ନାରୀର ଆକର୍ଷଣ ମଧ୍ୟ କଣ ସେୟା ନୁହେଁ ? ପାର୍ଥକ୍ୟ କେବଳ, ପୁରୁଷମାନେ ତାହା ସ୍ପଷ୍ଟଭାବରେ ବୁଝିପାରନ୍ତି–ନାରୀମାନେ ପାରନ୍ତିନାହିଁ । ଦାରାଙ୍କ ପ୍ରତି ମୋର ଆକର୍ଷଣ କାହିଁକି, ମୁଁ ଜାଣେନାହିଁ ।

 

ମନ ମଧ୍ୟରେ ଯୁବକଟି ପ୍ରତି ଅନୁକମ୍ପା ସୃଷ୍ଟିହେଲା । ଯୁବକଟିକୁ କହିଲି–ମୁଁ ଯଦି ବଞ୍ଚିନଥାନ୍ତି ?

 

–ସେ କଥା କହ ନାହିଁ ରାଣାଦିଲ୍‌ ।

 

–କାହିଁକି ?

 

–ଶୁଣିଲେ କଷ୍ଟ ହୁଏ ।

 

–ତୁମେ ବିବାହିତ ?

 

–ଏ କଥା କାହିଁକି ପଚାରୁଛ ?

 

–ନା, ଏମିତି ପଚାରୁଥିଲି !

 

–ନା ରାଣାଦିଲ୍‌ । ମୁଁ ତୁମର ସଙ୍ଗୀତ ଓ ନୃତ୍ୟକୁ ଖୁବ୍ ଭଲପାଏ ।

 

ନିର୍ଲଜ୍ଜଙ୍କ ପରି ହଠାତ୍‌ ମୁହଁରୁ ବାହାରି ପଡ଼ିଲା–ଆଉ ମତେ ?

 

–ଯାହାର ନୃତ୍ୟ ଓ ସଙ୍ଗୀତକୁ ଭଲପାଏ, ତାକୁ ଭଲପାଇବି ନାହିଁ ? ଏହି ସମୟରେ ଦାରାଙ୍କର ଲୋକ ନାନାପ୍ରକାର ଖାଦ୍ୟ ଦ୍ରବ୍ୟ ଧରି ଉପସ୍ଥିତ ହେଲେ । ସେମାନେ ଚାଲିଯିବା ପରେ ଯୁବକଟି ସବୁ ଜିନିଷ ଦେଖିଲା । ଏ ଜିନିଷ ପାଖରେ ତା’ର ପ୍ରଦତ୍ତ ସାମଗ୍ରୀ ନିଷ୍ପ୍ରଭ ଦେଖାଯାଉଥିଲା । ସେ ହଠାତ୍‌ ସଙ୍କୁଚିତ ହୋଇଉଠିଲା । ସେ ଆଣିଥିବା ଫଳଗୁଡ଼ିକ ଧରି ଉଠିଯିବାପାଇଁ ଉଦ୍ୟତହେଲା ।

 

ମୋର ଶ୍ୱାସରୁଦ୍ଧ ହୋଇଆସିଲା । ଚିତ୍କାର କରି କହିଲି–ଛିଡ଼ାହୁଅ । ସେ ଛିଡ଼ାହୋଇପଡ଼ି ମତେ ଚାହିଁଲା ।

 

–ଏସବୁ କୁଆଡ଼େ ନେଇଯାଉଛ ?

 

–ମୋର ଅନ୍ୟାୟ ହୋଇଛି ରାଣାଦିଲ୍‌ । ବାଦଶାହଜାଦା ତୁମର ଦେଖାଶୁଣା କରୁଛନ୍ତି । ସେକଥା ଜାଣି ମଧ୍ୟ ଏ ତୁଚ୍ଛ ଫଳ କେତେଟା ଆଣିବା ମୋର ଉଚିତ ହୋଇନାହିଁ ।

 

–ନାଁ ।

 

ଯୁବକଟି ଖୁବ୍ ଜୋର୍‌ରେ ହସିଉଠିଲା ।

 

–ହସୁଛ କାହିଁକି?

 

–ହସମାଡ଼ିଲା ବୋଲି ହସିଲି ।

 

–ନା, ତୁମକୁ କହିବାକୁ ହେବ ।

 

–ଲାଭନାହିଁ ରାଣାଦିଲ୍‌–ମୁଁ ଯାଉଛି ।

 

–ତୁମେ ପରା ମତେ ଭଲପାଅ ?

 

–ମୁଁ ଅନ୍ୟାୟ କରିଛି । ତୁମପରି ନର୍ତ୍ତକୀକୁ ସାରାଦେଶର ମଣିଷର ସ୍ନେହ ମଧ୍ୟ ଅଟକେଇ ରଖିପାରିବ ନାହିଁ । ସେମାନେ ବଡ଼ ଦୁର୍ବଳ, ବଡ଼ ଅସହାୟ ।

 

–ମିଛକଥା ।

 

–ଜାଣେନା ଏ ତୁମର ମନର କଥା କି ନୁହେଁ ।

 

–ତୁମର ବୟସ ବା କେତେ, ଏ ବୟସରେ ତୁମେ ବହୁତ କଥା ବୁଝିପାରୁଛ ବୋଲି ଭାବୁଛ ?

 

–ନା ରାଣାଦିଲ୍‌, ଏ ବୁଦ୍ଧିର କଥା ନୁହେଁ, ମନର କଥା । ମନ ବୁଦ୍ଧି ଅପେକ୍ଷା ଜ୍ଞାନୀ ।

 

–କିଏ ତୁମେ ? ତୁମ ନାଁ କଣ ?

 

–ମୋ ନାଁ ଆବଦୁଲ୍ଲା । ସାଧାରଣ ମଣିଷ ମୁଁ ।

 

–ତୁମେ ମତେ ଅପମାନ କଲ ଆବଦୁଲ୍ଲା !

 

–ନା, ତୁମକୁ ମୁଁ ସମ୍ମାନ କରେ ରାଣାଦିଲ୍‌ । ବାଦଶାହଜାଦା ଯାହାକୁ ଅନାଦର କରିପାରନ୍ତିନାହିଁ, ସେ ସମ୍ମାନର ପାତ୍ରୀ ।

 

ଆଖିରୁ ଲୁହ ଝରିପଡ଼ିଲା । କାନ୍ଦି କାନ୍ଦି କହିଲି...ତୁମେ ଥରେ ମଧ୍ୟ ବୁଝିବାକୁ ଚାହିଁଲ ନାହିଁ, ତୁମମାନଙ୍କୁ ମୁଁ କେତେ ଭଲପାଏ–ରାସ୍ତାରେ କାହିଁକି ଗୀତଗାଏ, ନାଚେ ? ହାରେମ୍‌ରେ ମୁଁ କଣ ସ୍ଥାନ ପାଇନଥାନ୍ତି ? ତୁମେମାନେ ଶାହଜାଦା ଓ ବାଦଶାହଜାଦାଙ୍କଠାରୁ ମଧ୍ୟ ନିଷ୍ଠୁର । ସେମାନଙ୍କ ଅପେକ୍ଷା ହୃଦୟହୀନ ।

 

–ନା !

 

–ନିଶ୍ଚୟ । ନିଜ ଆଖିରେ ଥରେ ପାଖ ଘରକୁ ଯାଇ ଦେଖିଆସ । ପ୍ରଥମ ଦୁଇ ଚାରିଦିନ ଦାରାଙ୍କ ଜିନିଷ ମୁଁ ଥରେହେଲେ ମଧ୍ୟ ସ୍ପର୍ଶ କରିନାହିଁ । ତୁମମାନଙ୍କ ଦାନରେ ମୁଁ ଚଳେ । ତୁମମାନଙ୍କ ମଧ୍ୟରୁ ଯେଉଁଦିନ କେହି ନଆସନ୍ତି, ମୁଁ ସେଦିନ ଅଭୁକ୍ତ ଥାଏ । ଆବଦୁଲ୍ଲା ମୋ ହାତ ଧରିପକେଇ କହିଲା–ରାଣାଦିଲ୍‌, ମତେ କ୍ଷମାକର !

 

–ତୁମ ସାଙ୍ଗରେ କଥା କହିବାକୁ ମୋର ଘୃଣା ହେଉଛି ।

 

–ଜାଣେ; କିନ୍ତୁ ତୁମ ଦେହପାଇଁ ମୁଁ ତୁମକୁ ଭଲପାଏନାହିଁ । ମତେ କ୍ଷମାକର ।

 

–ତୁମକୁ ମୁଁ କ୍ଷମା କରିଛି । ପ୍ରକୃତରେ ମୁଁ ଅପରାଧୀ । କାହିଁକି ଜାଣ ?

 

–କାହିଁକି ?

 

–ଦାରା ମତେ ଆକୃଷ୍ଟ କରିଛନ୍ତି ।

 

–ବୁଝିଲି ।

 

–କିନ୍ତୁ ମୁଁ ହାରେମ୍‌କୁ ଯିବିନାହିଁ । ଆଉ ଅଳ୍ପଦିନ ମଧ୍ୟରେ ମତେ ପୁଣି ରାଜପଥରେ ଦେଖିବାକୁ ପାଇବ ।

 

–କିନ୍ତୁ ଯେଉଁ ଦିଗ ତୁମକୁ ଆକର୍ଷଣ କରୁଛି, ସେ ଦିଗରୁ ମୁହଁ ଫେରେଇ ଚାଲିବା ତୁମ ପକ୍ଷରେ କଣ ସମ୍ଭବ ?

 

କଥା କହିବାକୁ ବଡ଼ କଷ୍ଟହେଉଥିଲା । ତଥାପି ତରୁଣଟିକୁ ଛାଡ଼ିବାକୁ ଇଚ୍ଛା ହେଉନଥିଲା ତା’ର ଗୋଟିଏ ହାତ ଧରିଥିଲି ।

 

–ଛାଡ଼ ରାଣାଦିଲ୍‌, ମୋର ବହୁତ କାମ ଅଛି ।

 

–ପୁଣି ଥରେ ଆସିବ ତ ?

 

–ସେ କଥା ତୁମେ ଜାଣ । ତେବେ ତୁମ କଥା ମୋର ଚିରଦିନ ମନେରହିବ । ଆବଦୁଲ୍ଲା ଚାଲିଗଲା ।

 

ବହୁଦିନ ପରେ ରାଜପଥରେ ମତେ ଦେଖି ଦିଲ୍ଲୀର ଲୋକମାନେ ପାଗଳ ହୋଇଉଠିଲେ ସେହିଠାରେ ଦେଖା ହୋଇଥିଲା ଆବଦୁଲ୍ଲା ସହିତ ବହୁତଦିନ ପରେ । ସେଦିନ ଯାହା ପାଖରେ ଯେତେ ପଇସା ଥିଲା ରୁମାଲରେ ବାନ୍ଧି ମୋ ଆଡ଼କୁ ପକେଇଲେ । ରାଣାଦିଲ୍‌ ଆସିଛି । ଆମ ରାଣାଦିଲ୍‌ ପୁଣି ଆସିଛି ବୋଲି ସମସ୍ତେ କହିଲେ । ସେହି ଜନସ୍ରୋତ ମଧ୍ୟରେ ଦୃଷ୍ଟିପଡ଼ିଲା ଆବଦୁଲ୍ଲା ଉପରେ । ନିଷ୍ପଲକ ଦୃଷ୍ଟିରେ ସେ ମତେ ଚାହିଁଛି । ମୁଖମଣ୍ଡଳରେ ଆନନ୍ଦର ଜୁଆର; କିନ୍ତୁ ସେ ସମସ୍ତଙ୍କ ପଛରେ । ଆଗେଇ ଆସିଲାନାହିଁ–କଥା କହି ନାହିଁ–ମୋ ଆଡ଼କୁ ରୁମାଲ ଫୋପାଡ଼ିଲା ନାହିଁ ।

 

ସେ କଣ ମତେ ଭଲପାଏ ? ଅର୍ଥାତ ପୁରୁଷ ଯେପରି ନାରୀକୁ ଭଲପାଏ ? ଭାବିଲି ସେ ମତେ ଭଲପାଇଲେ ମଧ୍ୟ ମୁଁ ତ ତାକୁ ଭଲ ପାଇପାରିବି ନାହିଁ ।

 

ସେ ବୁଝିପାରିଲା, ମୁଁ ତାକୁ ଦେଖିପାରିଛି; କିନ୍ତୁ ସେଥିପ୍ରତି ତା’ର ଯେପରି କୌଣସି ଆଗ୍ରହ ବା ଉତ୍ସାହ ନାହିଁ । ନୃତ୍ୟ, ସଙ୍ଗୀତ ବନ୍ଦ ହେବାପରେ ସେ ମଧ୍ୟ ସମସ୍ତଙ୍କ ସହିତ କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

 

ଆବଦୁଲ୍ଲା ତେବେ କଣ ବିଶ୍ୱାସ କରୁନାହିଁ ଯେ ମୁଁ ସବୁଦିନ ଏହି ରାଜପଥରେ ହିଁ ରହିବି । ବିଶ୍ୱାସ ଯଦି କରୁନଥାଏ, ତେବେ ଭୁଲ୍‌ କରୁଛି; କାରଣ ଦାରାଙ୍କ ପ୍ରତି ମୋର ଆକର୍ଷଣ ଯେତେ ପ୍ରବଳ ହେଲେ ମଧ୍ୟ, ତାଙ୍କର ଉପପତ୍ନୀ ହୋଇ ହାରେମ୍‌କୁ କେବେହେଲେ ଯିବି ନାହିଁ । ଦାରା ମଧ୍ୟ ଜଣେ ନର୍ତ୍ତକୀକୁ ବେଗମ୍‌ କରି କେବେହେଲେ ହାରେମ୍‌ରେ ରଖିବେ ନାହିଁ । ସେ କେବେହେଲେ ମୋଗଲବଂଶର ଦୁର୍ନାମ କରିବେନାହିଁ ।

 

ଆଗକୁ ପାଦ ବଢ଼େଇଲି । ଦିଲ୍ଲୀରେ ବହୁତ ଦିନପରେ ବର୍ଷା ଆସିଛି । ଆକାଶରେ ଚାତକ ପକ୍ଷୀ ଉଡ଼ୁଛନ୍ତି । କିଛିବାଟ ଗଲାପରେ ଦେଖିଲି ଗୋଟିଏ ଗଛତଳେ ମତଲବ ଖାଁ ବିମର୍ଷ ମନରେ ବସିଛି । ଆଶ୍ଚର୍ଯ୍ୟ ହେଲି । ହାରେମ୍‌ ଛାଡ଼ି ଏ ବର୍ଷାରେ ସେ ଏଠି କାହିଁକି ?

 

ତା’ ପାଖରେ ଯାଇ ଛିଡ଼ାହେଲି । ସେ ମତେ ଦେଖିପାରିନାହିଁ । ନାଁ ଧରି ତାକୁ ଡାକିଲି-। ମତଲବ ଖାଁ ଚମକିପଡ଼ିଲା ।

 

–ତୁମେ ଏଠି କ’ଣ କରୁଛ ?

 

–କେଉଁଠିକି ଯିବି ଭଉଣୀ, କହିଦିଅ ।

 

–କ’ଣ ତୁମେ କହୁଛ ?

 

–ମୋର ଆଉ ହାରେମ୍‌ ସାଙ୍ଗରେ କିଛି ସମ୍ପର୍କ ନାହିଁ ।

 

–ତୁମକୁ କଣ ଚାକିରିରୁ ବାହାର କରିଦେଇଛନ୍ତି ?

 

–ନା ! ତା’ ହୋଇଥିଲେ ଭଲହୋଇଥାନ୍ତା । ମୋ ଉପରେ ଆଉ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

 

–ସେ କିଏ ?

 

–ତୁମେ ତାକୁ ଚିହ୍ନନାହିଁ; ତେବେ ନାଁଟା ଜାଣିରଖ । ବାଦଶାହଜାଦା କେବେ ଯଦି ତୁମ ପାଖକୁ ଆସନ୍ତି, ମୋ ପାଇଁ ଟିକିଏ କହିବ ।

 

–ନା ମତଲବ, ମୁଁ କହିପାରିବି ନାହିଁ । ତା’ଛଡ଼ା ସେ ମୋ କଥା କାହିଁକି ଶୁଣିବେ ?

 

–ସତକଥା, ତେବେ ନାଁଟା ମନେରଖ । ବାକି ବେଗ୍‌–ଖୋଜା ।

 

–ସେ କେମିତି ଲୋକ ?

 

–ସେ କଥା ଯଦି ଶୁଣିବାକୁ ଚାହଁ, ତେବେ ଏତିକି କହିପାରେ ତା’ପରି ବୁଦ୍ଧି ଖୁବ୍‌ କମ୍‌ ଲୋକଙ୍କର ଅଛି । ତାକୁ ସାମାନ୍ୟ ହାରେମ୍‌ର କର୍ତ୍ତା ନକରି ବଙ୍ଗଳା କିମ୍ୱା ବିହାରର ଶାସନକର୍ତ୍ତା କଲେ ଭଲହୁଅନ୍ତା ।

 

–ତା’ର ଅର୍ଥ ?

 

–ହଁ ଭଉଣୀ ! ମୁଁ ଆଦୌ ମିଛ କହୁନାହିଁ । ତା’ର ସବୁ କାମ ମୁଁ କରିବାକୁ ରାଜି; କିନ୍ତୁ ହାରେମ୍‌ରେ ତା’ର ଆଦେଶ ମାନିବାକୁ ମୁଁ ପ୍ରସ୍ତୁତ ନୁହେଁ । ଆଜିପର୍ଯ୍ୟନ୍ତ ସମସ୍ତେ ମୋ ହୁକୁମ ମାନୁଥିଲେ ।

 

–ତୁମେ ବୃଥାରେ କଷ୍ଟ ପାଉଛ ଭାଇ ! ତୁମ କଥା ଯଦି ସତ ହୋଇଥାଏ, ବାକି ବେଗ୍‌ ବେଶି ଦିନ ହାରେମ୍‌ରେ ରହିପାରିବନାହିଁ । ତା’ପରି ଲୋକ ଏତେ ଅଳ୍ପ କ୍ଷମତାରେ ସୁଖୀ ହୋଇପାରିବ ନାହିଁ ।

 

–ବହୁତ ଧନ୍ୟବାଦ; ତୁମର ଏ କଥାରେ ମତେ ବହୁତ ସାନ୍ତ୍ୱନା ମିଳିଲା ।

 

ବୃଷ୍ଟି ପ୍ରବଳ ହେଲା । ମୁଁ ଓ ମତଲବ ଖାଁ ଗଛତଳେ ଠିଆହୋଇଥିଲୁ । ବୃଷ୍ଟି ସହିତ ଧୂଳିଝଡ଼ ଚତୁର୍ଦ୍ଦିଗକୁ ଅନ୍ଧକାର କରିଦେଲା । ମୁଁ ଦୁଇହାତରେ ମୁହଁ ଢାଙ୍କିଲି । ପାଖରେ ଆଶ୍ରୟ ନେବାକୁ କୌଣସି ସ୍ଥାନ ନାହିଁ ।

 

ଦିନ ଶେଷ ହୋଇଆସୁଥିଲା । କିଛି ସମୟ ପରେ ଝଡ଼ବୃଷ୍ଟି କମିଗଲା । ମାଟିର ଗନ୍ଧ ନାକରେ ବାଜିଲା । ସୁନ୍ଦର ଗନ୍ଧ । ଚାରିଆଡ଼ ବେଶ୍‌ ଥଣ୍ଡା ।

 

–ଚାଲ ଭଉଣୀ, ମୁଁ ତୁମକୁ ଛାଡ଼ିଦେଇ ଆସିବି ।

 

–ଚାଲ । ଆଉ ହାରେମ୍‌ର ଖବର କଣ ? ନାଦିରା ବେଗମ୍‌ ?

 

–ଭଲ । ବେଗମ୍‌ ସାହେବାଙ୍କ ସ୍ୱଭାବ ଖୁବ୍ ଭଲ ।

 

–ବାଦଶାହଜାଦା ତାଙ୍କୁ ଖୁବ୍ ଭଲପାଆନ୍ତି ନା ?

 

–ସେଥିରେ କୌଣସି ସନ୍ଦେହ ନାହିଁ । ବାଦଶାହଜାଦା ଅନ୍ୟ କାହା ଆଡ଼କୁ ଚାହାଁନ୍ତି ନାହିଁ ।

 

–ତାଙ୍କ ହାରେମ୍‌ରେ ଆଉ କେତେଜଣ ଅଛନ୍ତି ?

 

–ଅନେକ; କିନ୍ତୁ ହଠାତ୍‌ ତାଙ୍କ କଥା ଶୁଣିବାକୁ ତୁମେ କାହିଁକି ଏତେ ଚାହୁଁଛ ?

 

–ସେମାନଙ୍କ କଥା ଶୁଣିବାକୁ କାହାକୁ ଭଲନଲାଗେ ?

 

–କିନ୍ତୁ ତୁମକୁ ଭଲଲାଗେ ବୋଲି ବିଶ୍ୱାସ ହୁଏନାହିଁ ।

Unknown

 

ମୁଁ ହସିଲି । ମତଲବ ମିଛ କହିନାହିଁ; କିନ୍ତୁ ଦାରାଙ୍କ ସମ୍ୱନ୍ଧରେ ଟିକିଏ ବ୍ୟତିକ୍ରମ ଅଛି । ମତଲବ ଚାଲୁ ଚାଲୁ କଣ ବୋଧହୁଏ ଭାବୁଥିଲା । ଅନୁମାନ କଲି ପଦର ଅବନତି ଯୋଗୁ ମାନସିକ ଅଶାନ୍ତି ଭୋଗୁଛି ।

 

–ମନ ଖରାପ କରନାହିଁ ମତଲବ !

 

–ନା; ଭାଗ୍ୟକୁ ମାନିନେବାକୁ ପଡ଼ିବ ।

 

–ଅନ୍ୟ ବାଦଶାହଜାଦାମାନଙ୍କର ଖବର କଣ ?

 

–ସୁଜା ?

 

–ହଁ !

 

–ସେ ତାଙ୍କ କାମ କରୁଛନ୍ତି । ବାଦଶାହଜାଦାମାନଙ୍କ ମଧ୍ୟରେ ତାଙ୍କପରି ବୁଦ୍ଧିମାନ୍ ଓ ସାହାସୀ ଆଉ କେହି ନାହାନ୍ତି; କିନ୍ତୁ ତାଙ୍କର ଗୋଟିଏ ଦୋଷ ଅଛି ।

 

–ଆଉରଙ୍ଗଜେବ୍ ତ ଖୁବ୍‌ ବୁଦ୍ଧିମାନ୍ !

 

–ନିଶ୍ଚୟ, କିନ୍ତୁ ସୁଜାଙ୍କ ପରି ନୁହେଁ । ତେବେ ସେ ହେଉଛନ୍ତି ପ୍ରକୃତ ମଣିଷ; କିନ୍ତୁ ତାଙ୍କୁ ବଡ଼ ଭୟଲାଗେ ।

 

–କାହିଁକି ?

 

–ସେ ଦାରାଙ୍କୁ ସହିପାରନ୍ତି ନାହିଁ–ତାଙ୍କର ଏତେ କ୍ଷମତା ବରଦାସ୍ତ କରିପାରନ୍ତିନାହିଁ ।

 

–ଦାରାଙ୍କର କ୍ଷମତା ବୋଧହୁଏ ବହୁତ ବେଶି ?

 

–ହଁ ! ସୁଜା, ମୁରାଦ୍‌, ଆଉରଙ୍ଗଜେବ୍‌ଙ୍କର ମିଶିଲେ ଯେତେ ହେବ, ତା’ଠାରୁ ଦାରାଙ୍କର ମନସବଦାରୀ ବହୁତ ବେଶି । ଦାରାଙ୍କର କୋଡ଼ିଏ ହଜାର ଜାଠ୍ ଓ ଦଶହଜାର ସବାର ଅଛନ୍ତି ।

 

ମୁଁ ଏସବୁ କଥାରୁ କିଛି ବୁଝିପାରିଲି ନାହିଁ । ଅବଶ୍ୟ କହିଲାବେଳେ ମତଲବ୍‌ର ଆଖି ଯେମିତି ଭାବରେ ବଡ଼ ବଡ଼ ହୋଇଗଲା, ସେଥିରୁ ଅନୁମାନ କଲି ଦାରାଙ୍କର ବହୁତ କ୍ଷମତା ଅଛି ।

 

ମତଲବ ଖାଁ ମତେ ମୋର ଘର ସାମନାରେ ପହଞ୍ଚେଇଦେଲା । ଦୂରରୁ ଦେଖିପାରୁଥିଲି, ଜଣେ ଲୋକ ମୋ ଘର ସାମନାରେ ଛିଡ଼ାହୋଇଛି । ମତଲବ୍‌ ଚାଲିଗଲାପରେ ସେ ଧୀରେ ଧୀରେ ଆଗେଇଆସିଲା । ମନରେ ମୋର କୌତୂହଳ ହେଲା ।

 

ସେ ସାମନାକୁ ଆସି କହିଲା–ଆପଣ ରାଣାଦିଲ୍‌ ?

 

–ହଁ ।

 

ଲୋକଟିକୁ ଦେଖି ମନେହେଉଥିଲା, ସେ ସହରକୁ ନୂଆ ଆସିଛି ।

 

ସେ କହିଲା–ଆଜି ମୁଁ ଆପଣଙ୍କ ପାଖକୁ ଅନେକଥର ଆସି ଫେରିଯାଇଛି; ଦେଖା ପାଇନାହିଁ ।

 

ଲୋକଟିର ଆଖି ଫୁଲିଛି; ବୋଧେ ବହୁତ କାନ୍ଦିଛି । ତା’ର ନିଶ୍ଚୟ କିଛି ବିପଦ ପଡ଼ିଛି; କିନ୍ତୁ ସେହି ବିପଦରୁ ମୁଁ ତାକୁ ରକ୍ଷାକରିବି ? ନର୍ତ୍ତକୀ ରାଣାଦିଲ୍‌ ?

 

–ଆପଣ କିଏ ?

 

–ମତେ ଚିହ୍ନିପାରିବେ ନାହିଁ । ମୋ ଘର ଆହ୍ଲାବାଦ ନିକଟରେ । ମନେହେଉଛି, ଆପଣ ବଡ଼ କ୍ଳାନ୍ତ । ତେବେ ମୋ ସହିତ ଟିକିଏ ଯିବାକୁ ପଡ଼ିବ । ଅବଶ୍ୟ ବର୍ତ୍ତମାନ ଯାଇ କ’ଣ ବା କରିବେ ? ଠିକ୍ ସମୟରେ ତ ଯାଇପାରିଲେ ନାହିଁ ।

 

–କାହିଁକି ? କଣ ହୋଇଛି ?

 

–ଆପଣଙ୍କୁ ଟିକିଏ କବରସ୍ଥାନକୁ ଯିବାକୁ ହେବ ।

 

ଆଶ୍ଚର୍ଯ୍ୟ ହେଲି । ଏ ଅସମୟରେ ଗୋଟିଏ ଅପରିଚିତ ମନୁଷ୍ୟ ସଙ୍ଗରେ କବରସ୍ଥାନକୁ ଯିବାକୁ ପଡ଼ିବ ? ଲୋକଟା କଣ ପାଗଳ ?

 

–ଆପଣଙ୍କ ନାଁ କଣ ?

 

–ମୈନୁଦ୍ଦୌଲା ।

 

–ମୁଁ କାହିଁକି ଯିବି କହନ୍ତୁ ?

 

–ଓହୋ, ମୁଁ ସେ କଥା କହିନି ? ସେ ସାରାଦିନ ଆପଣଙ୍କୁ ଟିକିଏ ଦେଖିବାପାଇଁ ବ୍ୟାକୁଳ ହେଉଥିଲେ । କେତେଥର ଆପଣଙ୍କୁ ନେବାପାଇଁ ଆସି ମୁଁ ଫେରିଗଲି । ଶେଷରେ ତାଙ୍କର ମୃତ୍ୟୁ ହେଲା । ଆପଣ ଚାଲନ୍ତୁ, ଅନ୍ତତଃ ଶେଷଥର ପାଇଁ ଟିକିଏ ଦେଖିଆସିବେ । ଆପଣଙ୍କ ହାତରୁ ମାଟି ମୁଠାଏ ପାଇବାପାଇଁ ସେ ଚାହିଁଥିଲେ କି ନାହିଁ ମୁଁ ଜାଣେନା ।

 

ମୁଁ ଅଧୈର୍ଯ୍ୟ ହୋଇ ଉଠିଲି । ଚିତ୍କାର କରି କହିଲି–ଆପଣ କାହା କଥା କହୁଛନ୍ତି ?

 

–ଆମର ଓସ୍ତାଦ୍ । ଓସ୍ତାଦ୍ କମାଲ୍ଉଦ୍ଦିନ ଆଉ ନାହାନ୍ତି ।

 

ପୃଥିବୀଟା ମୋ ସାମନାରେ ଅନ୍ଧକାର ହୋଇଗଲା । କେତେ ସମୟ ପର୍ଯ୍ୟନ୍ତ ମୁଁ ରାସ୍ତାର ଧୂଳି ଉପରେ ପଡ଼ିରହିଥିଲି ଜାଣେନାହିଁ । ଆଖି ଖୋଲି ଦେଖିଲି, ଲୋକଟି ମୋ ମୁହଁ ଉପରେ ବସିରହିଛି । ମୁଣ୍ଡରେ ଯେଉଁ ଆଘାତ ପାଇଥିଲି, ତା’ଠାରୁ ଏ ଆଘାତ ଦୁଃସହ ।

 

ଲୋକଟି କହିଲା–ଆପଣ ଘର ଭିତରକୁ ଯାଆନ୍ତୁ, ମୁଁ ଯାଉଛି । ଆପଣ ଏତେଦୂର ଯାଇପାରିବେ ନାହିଁ । ପ୍ରଥମରୁ ଯଦି ଜାଣିପାରିଥାନ୍ତି ଯେ ଚଞ୍ଚଳ ବାଈ ଓ ରାଣାଦିଲ୍‌ ଜଣଙ୍କର ନାଁ ବୋଲି, ତା’ହେଲେ ବହୁତ ଆଗରୁ ଆପଣଙ୍କୁ ପାଇଥାନ୍ତି । ଓସ୍ତାଦ୍‌ଜୀ ଚଞ୍ଚଳ ବାଈର ନାଁ ସବୁବେଳେ କହୁଥିଲେ ।

 

ଲୋକଟିକୁ ଧରିପକେଇ ମୁଁ କହିଲି–ମୁଁ ଯିବି । ଏଇ ଦେଖନ୍ତୁ, ମୁଁ ଛିଡ଼ାହୋଇପାରୁଛି ଚାଲିପାରୁଛି । ଦୟାକରି ମତେ ଓସ୍ତାଦ୍‌ଜୀଙ୍କ ପାଖକୁ ନେଇଯାଆନ୍ତୁ । ତାଙ୍କୁ ଟିକିଏ କେବଳ ଦେଖିବି ।

 

ମୁଁ ଉନ୍ମାଦ ହୋଇଯାଇଥିଲି । କବରସ୍ଥାନରେ କେମିତି ପହଞ୍ଚିଲି, ଜାଣେନାହିଁ ମୋ ମନଭିତରେ ସେତେବେଳେ ବିଦ୍ୟୁତ୍‌ ପରି ଝଲସି ଉଠୁଥିଲା ଓସ୍ତାଦ୍‌ଜୀଙ୍କର ବିଭିନ୍ନ ସମୟର ରୂପ, ବିଭିନ୍ନ ସମୟର କଥାବାର୍ତ୍ତା । ଯେଉଁଦିନ ସେ ମତେ ଦେଖାନଦେଇ ବାହାରୁ ଫେରେଇଦେଇଥିଲେ, ତା’ପରଠାରୁ ତାଙ୍କୁ ଆଉ ଦେଖିନାହିଁ ।

 

ଶବବାହକମାନେ ମୋ ପାଇଁ ଅପେକ୍ଷା କରିଥିଲେ । ନା ନା, ମୋ ପାଇଁ କାହିଁକି ଓସ୍ତାଦ୍‌ଜୀଙ୍କର ପ୍ରିୟତମ ଶିଷ୍ୟ ମୈନୁଦ୍ଦୌଲା ପାଇଁ ସେମାନେ ଅପେକ୍ଷା କରିଥିଲେ । ମୁଁ କିଏ ? ମୁଁ ଜଣେ ସାମାନ୍ୟ ନର୍ତ୍ତକୀ । ମୁଁ ଓସ୍ତାଦ୍‌ଜୀଙ୍କର ଅଭିଳାଷ ପୂର୍ଣ୍ଣ କରିପାରିନାହିଁ ରସିକ–ସମାଜ ମୋ ସଙ୍ଗୀତରୁ ଆନନ୍ଦ ପାଇପାରିନାହିଁ । ହାରେମ୍‌ର ଶ୍ୱେତମର୍ମରରେ ମୋର ପଦଦ୍ୱୟ ନୂପୁରର ଝଙ୍କାର ତୋଳିପାରିନାହିଁ । ମୁଁ ଓସ୍ତାଦ୍‌ଜୀଙ୍କର ମାନସ କନ୍ୟାରେ ରୂପାୟିତ ହୋଇପାରିନାହିଁ । ମୁଁ ଓସ୍ତାଦ୍‌ଜୀଙ୍କର କେହି ନୁହେଁ । ବାହକମାନେ ମୈନୁଦ୍ଦୌଲା ପାଇଁ ଅପେକ୍ଷା କରିଛନ୍ତି ।

 

ସମାଧିସ୍ଥଳକୁ ପରିବେଷ୍ଟନ କରି ଅନ୍ଧକାର ଘନୀଭୂତ ହୋଇଆସୁଥିଲା । ମୁଁ ସ୍ତବ୍‌ଧ ହୋଇ ବସିଥିଲି; କଣ ଭାବୁଥିଲି, ଆଜି କିଛି ମନେପଡ଼ୁନାହିଁ । ମୋର ଶରୀର ନିଶ୍ଚଳ ହୋଇଯାଇଥିଲା । ମୋର ସମ୍ମୁଖରେ ମାଟିତଳେ ଓସ୍ତାଦ୍‌ଜୀ ଶୋଇଛନ୍ତି । ପୃଥିବୀରେ ତାଙ୍କ ଅପେକ୍ଷା ଆଉ କାହାକୁ ତ ମୁଁ ବେଶି ଚିହ୍ନିନାହିଁ । ତାଙ୍କ ଅପେକ୍ଷା ମୋର ତ କେହି ବେଶି ମଙ୍ଗଳାକାଙ୍‌କ୍ଷୀ ନ ଥିଲେ !

 

ମୁଁ କାନ୍ଦିଉଠିଲି–ଓସ୍ତାଦ୍‌ଜୀ, ଆପଣ ମତେ କାହିଁକି ଛାଡ଼ି ଚାଲିଗଲେ । ମତେ ନେଇ ଯାଆନ୍ତୁ, ମୁଁ କିଛି ହେବାକୁ ଚାହେନାହିଁ । ମୁଁ ସଙ୍ଗୀତ ଚାହେନାହିଁ, ନୃତ୍ୟ ଚାହେନାହିଁ; କେବଳ ଆପଣଙ୍କ ପାଖରେ ରହିବାକୁ ଚାହେଁ ।

 

କାହାର କରସ୍ପର୍ଶ ଅନୁଭବ କଲି । ମୈନୁଦ୍ଦୌଲା କହୁଛି–ଚଞ୍ଚଳ, ଉଠ ।

 

ହଁ, ଯିବାକୁ ହେବ । ଏମିତି ବସିରହିଲେ ଓସ୍ତାଦ୍‌ଜୀ ଫେରିଆସିବେ ନାହିଁ । ଶୋକରେ ଅଧୀର ହୋଇ ପାଗଳ ହେଲେ ମଧ୍ୟ ସେ ଫେରିଆସିବେ ନାହିଁ । ତେଣୁ ମତେ ଫେରିଯିବାକୁ ପଡ଼ିବ । ଧୀରେ ଧୀରେ ଉଠି ଛିଡ଼ାହେଲି ।

 

ଯୁବକ କହିଲା–ଚଞ୍ଚଳ, ମୁଁ କାଲି ଚାଲିଯାଉଛି, ନହେଲେ ତୁମ ପାଖରେ ରହିଥାନ୍ତି । ଓସ୍ତାଦ୍‌ଜୀ ମୋ ଅପେକ୍ଷା ତୁମକୁ ବେଶି ଭଲପାଉଥିଲେ । ତୁମେ ମୋର ବହୁତ ଆପଣାର ।

 

–ପ୍ରକୃତରେ ଆପଣ ମୋର ଅତି ଆପଣାର ।

 

–ଗୋଟିଏ କଥା ଶୁଣି ତୁମେ ଖୁସି ହେବ, ତୁମେ ଯେଉଁ ପଥ ବାଛିନେଇଛ, ଓସ୍ତାଦ୍‌ଜୀ ସେଥିରେ ସ୍ୱୀକୃତି ଦେଇଛନ୍ତି ।

 

ମୋର ଆଖିରୁ ଲୁହ ଝରିପଡ଼ିଲା । ରାସ୍ତାରେ ଯାଉ ଯାଉ ମୈନୁଦ୍ଦୌଲା ଯେଉଁସବୁ କଥା କହିଲେ, ସବୁଗୁଡ଼ିକ ଦୈବବାଣୀ ପରି ମନେହେଲା ।

 

–ଓସ୍ତାଦ୍‌ଜୀ ଆଉ ଗୋଟିଏ କଥା କହିଯାଇଛନ୍ତି ।

 

–କଣ ?

 

–ତୁମେ ଯେତେ ସ୍ୱାବଲମ୍ବୀ ହେବାକୁ ଚାହିଁଲେ ମଧ୍ୟ ତୁମର ଶେଷ ଗନ୍ତବ୍ୟସ୍ଥଳ ମୋଗଲ ହାରେମ୍‌ । କାରଣ ପ୍ରକୃତ ବସ୍ତୁ କେବେହେଲେ ଦୀର୍ଘଦିନ ଧୂଳିଧୂସରିତ ହୋଇ ପଥଧାରରେ ପଡ଼ିରହେନାହିଁ । ତାଜ୍‌ର ଶୋଭାବର୍ଦ୍ଧନରେ ତାର ଶେଷ ଅବସ୍ଥାନ ।

 

ବହୁଦିନ ପରେ ଗୁଲରଙ୍ଗକୁ ମୋ ଘର ସାମନାରେ ଦେଖି ଆଶ୍ଚର୍ଯ୍ୟ ହେଲି । ମତଲବ୍‌ ଖାଁଠାରୁ ଶୁଣିଥିଲି, ବାଦଶାହଜାଦା ସୁଜାଙ୍କୁ ସେ ବହୁତ ଦିନ ପର୍ଯ୍ୟନ୍ତ ଅନ୍ୟ ନାରୀର ସଂସ୍ପର୍ଶଠାରୁ ଦୂରରେ ରଖିବାକୁ ସକ୍ଷମ ହୋଇଥିଲା । ଗୁଲରଙ୍ଗ ଅସାଧ୍ୟ ସାଧନ କରିପାରିଥିଲା ।

 

ଗୁଲରଙ୍ଗ ଖୁବ୍‌ ସୁନ୍ଦର ଦେଖାଯାଉଥିଲା । ତାର ଦେହର ବର୍ଣ୍ଣ ମୋ’ଠାରୁ ଉଜ୍ଜ୍ୱଳ ଦେଖାଯାଉଥିଲା । ମୋ ଘର ସାମନାରେ ଗୋଟିଏ ଘୋଡ଼ାଗାଡ଼ି । ଗୁଲରଙ୍ଗ ସେଥିରେ ଆସିଛି ।

 

–ଏତେଦିନ ପରେ ମୋ କଥା ମନେପଡ଼ିଲା ! ଭାବିଥିଲି, ତୁ ଭୁଲିଯାଇଛୁ ।

 

–ସେ କଥା ଯଦି ତୁ ଭାବିଥାଉ, ତେବେ କିଛି ଭୁଲ କରିନାହୁଁ । ମୁଁ ତତେ ଦେଖିବାକୁ ଆସିନାହିଁ ।

 

–ତା’ ହେଲେ କାହିଁକି ଆସିଛୁ ?

 

–ଏଇ ବାଟଦେଇ ଯାଉଥିଲି । ଘରଟା ଆଖିରେ ପଡ଼ିଲା । ଦିନେ ଏଇ ଘରେ ମୁଁ ରହୁଥିଲି । ସେଥିପାଇଁ ଭାଗ୍ୟର ପରିବର୍ତ୍ତନକୁ ମିଳେଇନେବାକୁ ଆସିଲି । ମୁଁ କଣ ଥିଲି; ଆଉ କଣ ହୋଇଛି–ଏହି ପାର୍ଥକ୍ୟକୁ ଉପଭୋଗ କରିବାକୁ ବଡ଼ ଭଲଲାଗେ ।

 

–ପ୍ରକୃତରେ ତୁ ଅନେକ ଉପରକୁ ଉଠିଯାଇଛୁ । ମୁଁ ତୋର ମଙ୍ଗଳକାମନା କରୁଛି ।

 

–ଆଚ୍ଛା, ମୁଁ ଯାଉଛି ।

 

ମନରେ ଦୁଃଖହେଲା । ସତରେ କଣ ସେ ଏତେ ଶୀଘ୍ର ଚାଲିଯିବ ? ମତେ ଦେଖିବାକୁ ପ୍ରକୃତରେ ସେ କଣ ଆସିନଥିଲା ? ମୋ ମୁହଁରୁ କଥା ବାହାରିଲା ନାହିଁ । ମୁଁ ଚୁପ୍‌କି ଛିଡ଼ାହୋଇଥିଲି ।

 

ଗୁଲରଙ୍ଗ ମୋ ଆଡ଼କୁ ଦୁଇପାଦ ଆଗେଇଆସି କହିଲା–ବହୁତ କାମ ଅଛି, ଯାଉଛି । ମୋ ଆଖିରେ ବୋଧେ ଲୁହ ଜମିଆସିଥିଲା । ମୁଁ ମୁଣ୍ଡ ତଳକୁ କରି ଛିଡ଼ାହୋଇଥିଲି ।

 

–କଣ କିଛି କହୁନାହୁଁ ? ମୁଁ ଯାଉଛି ।

 

ବହୁତ କଷ୍ଟରେ କହିଲି–ଅଚ୍ଛା, ବହୁତ ଦିନପରେ ତୋ ସାଙ୍ଗରେ ଦେଖାହେଲା ମୁଁ ଖୁବ୍‌ ଖୁସିହେଲି ।

 

ଗୁଲରଙ୍ଗ ପୁଣି ଦୁଇପାଦ ଆଗେଇ ଆସିଲା । ଆଖିରୁ ତାର ନିଆଁ ବାହାରୁଥିଲା । ତା’ର ବେଣୀକୁ ଡାହାଣ ହାତରେ ଚାବୁକ୍‌ ପରି ଧରି ମୋ ଦେହରେ ଜ୍ଞାନଶୂନ୍ୟ ପରି ପିଟିବାକୁ ଲାଗିଲା । ଆତ୍ମରକ୍ଷା ପାଇଁ ମୁଁ ଦୁଇପାଦ ପଛକୁ ଘୁଞ୍ଚିଗଲି: କିନ୍ତୁ ସେ ଉନ୍ମାଦ । ମତେ ସେମିତି ଆଘାତ କରିବାକୁ ଲାଗିଲା । ଚିତ୍କାର କରି କହିଲା–ତୁ ରାକ୍ଷସୀ, ତୁ ପିଶାଚୀ । ତୋର ହୃଦୟ ନାହିଁ, ତୋର ବକ୍ଷରେ ଛୁରି ଚଳେଇଲେ ମଧ୍ୟ ରକ୍ତ ବାହାରିବ ନାହିଁ ।

 

ଗୁଲରଙ୍ଗ ଆଉ କିଛି କହିପାରିଲା ନାହିଁ । ଦୁଇ ହାତରେ ମୁହଁକୁ ଢାଙ୍କି ସେ ତଳେ ବସିପଡ଼ିଲା । ତା’ର ଦେହ ଥରୁଥିଲା । ମୁଁ ତାକୁ ଦୁଇହାତରେ କୁଣ୍ଢେଇଧରି କାନ୍ଦିଲି । ଏମିତି କେତେ ସମୟ କଟିଗଲା ଜାଣେନାହିଁ । ଶରୀରରେ ଚାବୁକର ଜ୍ୱାଳା ନେଇ ଭାବୁଥିଲି, ପୃଥିବୀରେ ୟାଠାରୁ ବଳି ସୁଖ ଆଉ କଣ ଅଛି ? ମୋ ପରି ସାମାନ୍ୟ ନାରୀକୁ ଈଶ୍ୱର ଏତେ ସୁଖ ଦେଇପାରନ୍ତି !

 

କେତେ ସମୟ ପରେ ଗୁଲରଙ୍ଗ କହିଲା–ଦାରାଙ୍କର ଗୋଟିଏ ପୁଅ ହୋଇଛି ଜାଣିଛୁ ?

 

–ନା, କେବେ ହେଲା ?

 

–ଆଜି ତାକୁ ଚାଳିଶ ଦିନ ହେଲା ।

 

ଗୁଲରଙ୍ଗ ଏଥର ଯିବାପାଇଁ ଉଠି ଛିଡ଼ାହେଲା । ମୋର ଗାଲଉପରେ ହାତ ରଖି କହିଲା–ତତେ କହି କିଛି ଲାଭ ନାହିଁ । ତଥାପି ତୋ ପାଇଁ ବଡ଼ ଦୁଃଖ ହୁଏ । ଇଚ୍ଛା କରିଥିଲେ ତୁ କଣ ନ ହୋଇପାରିଥାନ୍ତୁ ? କିନ୍ତୁ ତୋ ଚେହେରା ଯାହା ହେଲାଣି, ଦର୍ପଣରେ ନିଜର ମୁହଁ ଦେଖିଛୁ-? ଆଉ କେତେଦିନ ପରେ ରାଜପଥର ମଣିଷମାନେ ମଧ୍ୟ ତୋ ଆଡ଼କୁ ଚାହିଁବେନାହିଁ-। ତୁ ଭାବ ନାହିଁ ଯେ ତୋର ନୃତ୍ୟ ଆଉ ସଙ୍ଗୀତ ପାଇଁ ଏତେ ଭିଡ଼ ହୁଏ ।

 

–ତେବେ କାହିଁକି ହୁଏ ?

 

–ସେ କଥା କଣ କହିବାକୁ ହେବ ? ତୁ ପୁରୁଷମାନଙ୍କୁ ଚିହ୍ନିପାରିଲୁନାହିଁ । ସୁଜା ଏପର୍ଯ୍ୟନ୍ତ ତୋ କଥା ଭୁଲିପାରିନାହାନ୍ତି ।

 

ଏକ ପୁରୁଣା କଥା ମନେପଡ଼ି ମନରେ ଭୟର ସଞ୍ଚାର ହେଲା । ମନେପଡ଼ିଲା, ସେଦିନ ଦେଓ୍ୱା‌ନ-ଇ-ଖାସ୍‌ର କଥା । ମୋ ସାମନାରେ ଗୋଟିଏ ପରେ ଗୋଟିଏ ସୁଗନ୍ଧ ରୁମାଲ ଦେଖାଇ ମୋର ଦେହ ଓ ମନକୁ ସୁଜା ଅବଶ କରିଦେଇଥିଲେ । ଆଉ କେତୋଟି ମୁହୂର୍ତ୍ତ ମଧ୍ୟରେ ମୋର ସର୍ବନାଶ ହୋଇଯାଇଥାନ୍ତା ।

 

–ସୁଜା ଆଜି ତୋ ନିକଟରେ ବନ୍ଦୀ ଗୁଲରଙ୍ଗ ! ମୋ କଥା ମନେ ପକେଇବାକୁ ଦେବୁନାହିଁ ।

 

–ଭୟନାହିଁ । ମନେପଡ଼ିଲେ ମଧ୍ୟ ତତେ ଦେଖିଲେ ସେ ଭୟ ପାଇବେ । ଗୁଲରଙ୍ଗ କଥା ଶେଷନହେଉଣୁ ଏକ ଦୀର୍ଘ ପୁରୁଷ କ୍ଷିପ୍ର ପଦକ୍ଷେପରେ ପ୍ରବେଶକଲେ । ଦାରା ? ଆମେ ଦୁହେଁ ବିସ୍ମୟ-ବିସ୍ଫାରିତ ଦୃଷ୍ଟିରେ ଚାହିଁରହିଲୁ । ମୁଣ୍ଡରେ ଆଘାତ ପାଇବା ଦିନ ପରଠାରୁ ମୁଁ ଦାରାଙ୍କୁ ଆଉ ଦେଖିନଥିଲି ।

 

–ରାଣାଦିଲ୍‌, ହାରେମ୍‌ର ଗାଡ଼ିରେ କିଏ ଆସିଛି ?

 

–ମୋର ସାଙ୍ଗ ।

 

–ନର୍ତ୍ତକୀ ?

 

–ହଁ, ବାଦଶାହଜାଦା !

 

–କେମିତି ଆସିଲା ?

 

–ବାଦଶାହଜାଦା ସୁଜା ତାକୁ ଅନୁଗ୍ରହ କରନ୍ତି ।

 

–ଭଲକଥା । ମୁଁ ଭାବିଲି, କେଉଁ ବାଦଶାହଜାଦା ବୋଧେ ଆସିଛନ୍ତି ।

 

ମନେ ମନେ ଭାବିଲି, ଆସିଲେ କଣ ହେଲା ? ମୁଁ ଯେ ନର୍ତ୍ତକୀ । ଏଥିପାଇଁ ଦାରା ଏତେ ବିଚଳିତ କାହିଁକି ? କହିଲି–ଆପଣ ଏ ବାଟ ଦେଇ ଯାଉଥିଲେ ?

 

–ହଁ, ରାଣାଦିଲ୍‌ !

 

–ଏହି ଅଭାବଗ୍ରସ୍ତ ଲୋକମାନଙ୍କର ଇଲାକାରେ ଆପଣଙ୍କ ପରି ବ୍ୟକ୍ତିଙ୍କର ପାଦଧୂଳି ପଡ଼େ ?

 

ଅପ୍ରତିଭ କଣ୍ଠରେ ଦାରା କହିଲେ–କୌଣସି ସ୍ଥାନକୁ ଯିବାରେ ମୋର ବାଧା ନାହିଁ । ନହେଲେ ସେଦିନ ମେଳାକୁ ମୁଁ ଯାଇନଥାନ୍ତି ।

 

–କ୍ଷମା କରିବେ ବାଦଶାହଜାଦା ! ଆପଣଙ୍କୁ ଏପ୍ରକାର ପ୍ରଶ୍ନ ପଚାରି ମୁଁ ଗୁରୁତର ଅପରାଧ କରିଛି ।

 

ମ୍ଳାନ ହସ ଫୁଟିଉଠିଲା ସେହି ଅନିନ୍ଦ୍ୟ ସୁନ୍ଦର ମୁଖମଣ୍ଡଳରେ । ସେ କହିଲେ–ଅପରାଧ ନୁହେଁ, ତୁମେ ଠିକ୍‌ କହିଛ; କିନ୍ତୁ ମୁଁ ବାଦଶାହଜାଦା ହେଲେ ମଧ୍ୟ ମଣିଷ, ଏକଥା ଭୁଲିବନାହିଁ ।

 

ବହୁବାର ସ୍ୱୀକାର କରୁଛି, ଦାରାଶୁକୋଙ୍କର କଥାର ଏକବର୍ଣ୍ଣ ମଧ୍ୟ ମିଥ୍ୟା ନୁହେଁ । ଏଇ ମଣିଷଟା ତାର ବାଦଶାହୀ ଆଇନକାନୁନ୍‌, ଆଡ଼ମ୍ୱର ଓ କଠୋରତାକୁ ବେଳେବେଳେ ଛିନ୍ନଭିନ୍ନ କରିଦିଏ । ନହେଲେ ଏପରିଭାବରେ ମୋ ଘରକୁ କେବେହେଲେ ଆସନ୍ତେନାହିଁ । ଏ ମଧ୍ୟ ଏକ ଦୁର୍ବଳତା । ସିଂହାସନର ଉତ୍ତରାଧିକାରୀ ପକ୍ଷରେ ଏହି ଦୁର୍ବଳତା କୌଣସି ଦିନ ସର୍ବନାଶର କାରଣ ହୋଇପାରେ ।

 

–ମୁଁ ଯାଉଛି ରାଣାଦିଲ୍‌ !

 

ବସିବାପାଇଁ କହିବାର ସ୍ପର୍ଦ୍ଧା ମୋର ନଥିଲା । କହିଲି–ଆଉ ଯଦି କେବେ ଦର୍ଶନ ଦିଅନ୍ତି, ମୁଁ ଖୁବ୍‌ ଖୁସିହେବି ।

 

ଦାରା ମୋ ଆଖିକୁ ଚାହିଁ କଣ ଯେମିତି ଦେଖୁଥିଲେ । ମୁଁ ବିବ୍ରତ ବୋଧକଲି ବୁଝିପାରିଲି, ସୂର୍ଯ୍ୟତାପରେ ଦଗ୍‌ଧ ମୋର ଗାଲ ଦୁଇଟି ଲାଲ ହୋଇଉଠିଲା ।

 

–ବେଶ୍‌, ଚେଷ୍ଟାକରିବି ।

 

ଏତିକି କହି ଦାରା ସେମିତି କ୍ଷିପ୍ରପଦରେ ବିଦାୟନେଲେ । ଗୁଲରଙ୍ଗ ନୀରବ ମୁହୂର୍ତ୍ତକର ଏହି ଘଟଣାପ୍ରବାହ ତାକୁ ସ୍ତବ୍‌ଧ କରିଦେଇଛି ।

 

–ଗୁଲରଙ୍ଗ !

 

ଦୀର୍ଘଶ୍ୱାସ ପକେଇ ଗୁଲରଙ୍ଗ କହିଲା–ଗୋପନରେ ତୋର ଏତେକଥା ଚାଲିଛି ?

 

–ତା’ର ମାନେ ?

 

–କିଛି ଜାଣିନାହୁଁ ?

 

–ନା । ନିଜ କାନରେ ତୁ ତ ସବୁକଥା ଶୁଣିଲୁ ।

 

ଗୁଲରଙ୍ଗ ମୋ ଛାତି ଉପରେ ହାତରଖି କହିଲା–ଆଉ ଏଠି ? ଏଠି କି କଥା ହେଉଛି ତା’ କଣ ଶୁଣିପାରୁନାହୁଁ ?

 

–କଣ ଗୁଡ଼େ ବାଜେକଥା ତୁ କହିଯାଉଛୁ ?

 

–ତୁ ତ ମରୁଛୁ । କିଛି ଜାଣିନୁ ?

 

–ହସି ହସି କହିଲି–ତୁ ନୂଆ କଥା ଶୁଣେଇଲୁ । ତା’ହେଲେ ତ ମୁଁ ହାରେମ୍‌କୁ ଯାଇ ପାରିଥାନ୍ତି ।

 

–ସେ ମରଣ ନୁହେଁ; ଏ ହେଉଛି ଅସଲ ମରଣ । ତୁ ଯେ କି ବୋକୀ ?

 

ମୁଁ କିଛି ଉତ୍ତର ଦେଇପାରିଲିନାହିଁ । ଗୁଲରଙ୍ଗ ମୋ ଗଳାକୁ ତା’ ବାହୁରେ ଛନ୍ଦି କହିଲା–ତୁ ନିଆଁରେ ଖେଳିବାକୁ ଚାହୁଁଛୁ ? ହତଭାଗୀ, ପୋଡ଼ିହୋଇ ମରିବୁ । ସେମାନଙ୍କଠାରୁ ପ୍ରତିଦାନ ଆଶାକରୁଛୁ ? ସେମାନେ ତା’ର ଅର୍ଥ ବୁଝନ୍ତି ?

 

–ମୁଁ କିଛି ପ୍ରତ୍ୟାଶା କରୁନାହିଁ ।

 

–ତେବେ ? ତେବେ ତୋର କାହିଁକି ଏମିତି ଇଚ୍ଛା ହେଲା ? ଜାଣେନା, ତୋ ଭାଗ୍ୟରେ କଣ ଅଛି । ନର୍ତ୍ତକୀ ହେବାକୁ ହେଲେ ପ୍ରଥମେ ନାରୀ ମନକୁ ହତ୍ୟା କରିବାକୁ ପଡ଼େ ।

 

–ମୁଁ ପାରିଲିନାହିଁ–ସେଥିପାଇଁ ହାରେମ୍‌କୁ ଯିବାକୁ ଚାହିଁନାହିଁ ।

 

–ତେବେ ହାରେମ୍‌ର ରତ୍ନ ଉପରେ ଏତେ ଦୃଷ୍ଟି କାହିଁକି ?

 

–ଏସବୁ ଇଚ୍ଛାକୃତ ନୁହେଁ ।

 

–କିନ୍ତୁ ବାଦଶାହଜାଦାଙ୍କ ଚକ୍ଷୁରେ ଯେ ଏକପ୍ରକାର ଚାହାଣି ଦେଖିଲି । ଆଶ୍ଚର୍ଯ୍ୟ ହେଉଛି, ଏ ମଧ୍ୟ କଣ ସମ୍ଭବ ? ମୁଁ ଯାଉଛି, ପୁଣି ଆସିବି । ମତେ ଆସିବାକୁ ପଡ଼ିବ । ଦାରା କଥାଦେଲେ, ସେହି କଥାର ଅମର୍ଯ୍ୟାଦା କରନ୍ତି ନାହିଁ । ସେ ନିଶ୍ଚୟ ଆସିବେ । ମୁଁ ମଝିରେ ମଝିରେ ନ ଆସିଲେ ତୋ ଉପରେ ବିପଦ ପଡ଼ିପାରେ ।

 

ଗୁଲରଙ୍ଗ ଚାଲିଗଲା ।

 

ଏହାପରେ ମୁଁ ଏକ ବିରାଟ ଆବର୍ତ୍ତ ମଧ୍ୟରେ ଯାଇ ପଡ଼ିଲି । ସେହି ଆବର୍ତ୍ତ ମଧ୍ୟରୁ କିପରି ରକ୍ଷାପାଇବି, ଭାବି ଦେଖିବାର ଅବକାଶ ମଧ୍ୟ ପାଇଲି ନାହିଁ । କେବଳ ଦେଖିଲି, ମୁଁ ଭାସିଚାଲିଛି । କେଉଁଆଡ଼କୁ ଯାଉଛି ? ମୃତ୍ୟୁ ଆଡ଼କୁ ? ହଁ ! ଅନ୍ତତଃ ସେତେବେଳେ ମୋର ସେୟା ମନେହେଉଥିଲା–କାରଣ ଯେଉଁ ବିରାଟ ଶକ୍ତି ମତେ ଭସେଇନେଇ ଚାଲିଥିଲା, ତା’ର ବିରୁଦ୍ଧରେ ଛିଡ଼ାହେବାର ସାହସ ଯଦିଓ ମୋର ଥିଲା, କିନ୍ତୁ ଇଚ୍ଛା ନଥିଲା ।

 

ମୋର ସେହି ସମୟର ମାନସିକ ଅବସ୍ଥା ଉପଲବ୍‌ଧି କରିବାପରି ବୋଧଶକ୍ତି କୌଣସି ପୁରୁଷର ନାହିଁ । ଆଉ ତୁମେ ଯଦି ସୁଜା ବା ଅନ୍ୟ କେହି ହୋଇଥାଆନ୍ତ, ତେବେ ନାରୀର ଏହି ଦୁର୍ବଳତା ଅନୁମାନ କରି ଅତି ସହଜରେ ତା’ର ସର୍ବନାଶ କରିଥାନ୍ତ । ସୁଜାଙ୍କୁ ଭଲପାଇବା ପାଇଁ ନାରୀର ଅଭାବ ନାହିଁ । ସେ ରୁଚିସମ୍ପନ୍ନ ଯୁବକ, ସୁଦର୍ଶନ । କେବଳ ତାଙ୍କର ଅଭାବ, ହୃଦୟର ଗଭୀରତା । ତାଙ୍କର ବାହ୍ୟ ଚାକଚକ୍ୟରେ ମୋହିତ ହୋଇ ଯେକୌଣସି କୁମାରୀ ତାଙ୍କୁ ହୃଦୟ ଅର୍ପଣ କରିପାରେ । କାରଣ ଅଳ୍ପ ବୟସରେ ସେମାନଙ୍କର ଚିନ୍ତାଶକ୍ତି ଖୁବ୍‌ ଦୁର୍ବଳ ଥାଏ ।

 

ମୋ ଅବସ୍ଥା କେବଳ ବୁଝିପାରିବ ନାରୀ । ତୁମମାନଙ୍କ ମଧ୍ୟରୁ କାହାରି ଜୀବନରେ କଣ ଏମିତି ଘଟଣା ଘଟିନାହିଁ ? ଯାହା ସହିତ ତୁମର ବିବାହ ହୋଇଛି–ସେ କଣ ତୁମ ଜୀବନର ପ୍ରଥମ ପୁରୁଷ ? ଯଦି ତୁମେ କହ ‘ହଁ’, ତା’ହେଲେ ତୁମପରି ଶହେଜଣ ନାରୀଙ୍କୁ ଗୋଟିଏ ଧାଡ଼ିରେ ଠିଆକରେଇ ପ୍ରତ୍ୟେକଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି । ତୁମେମାନେ ସମସ୍ତେ ଯଦି ଉତ୍ତର ଦେବ ହଁ–ହଁ–ହଁ, ମୁଁ କିଛିମାତ୍ର ଦ୍ୱିଧା ନକରି ଚିତ୍କାର କରି କହିବି–ନା–ନା–ନା–ମିଥ୍ୟା । ଶହେଜଣରୁ ପାଞ୍ଚଜଣ ଏକଥା କହିପାରନ୍ତି; ବାକି ସମସ୍ତେ ମିଥ୍ୟାବାଦୀ । ସମାଜ ଓ ସଂସ୍କାରକୁ ଧରିରଖିବା ପାଇଁ ତୁମେମାନେ ଏକଥା କହିବାକୁ ବାଧ୍ୟ ହେଉଛ । ତୁମମାନଙ୍କ ପାଇଁ ମନରେ କଷ୍ଟ ହୁଏ । ତୁମେମାନେ ବଡ଼ ଭୀରୁ । ତୁମମାନଙ୍କ ମଧ୍ୟରୁ ଅଧିକାଂଶ ସମାଜରେ ପ୍ରତିଷ୍ଠିତ । ସେହି ପ୍ରତିଷ୍ଠା ତୁମମାନଙ୍କ ହୃଦୟ ଅପେକ୍ଷା ବଡ଼ ହୋଇଉଠିଛି । ସ୍ତ୍ରୀଜାତିର ଏ ମଧ୍ୟ ଏକପ୍ରକାର ମୃତ୍ୟୁ । ନିଶ୍ଚିତ ଆଶ୍ରୟ ଓ ନିରାପତ୍ତା ନିକଟରେ ସେମାନେ ହୃଦୟକୁ ବଳିଦିଅନ୍ତି । କି ଦୈନ୍ୟ ଅବସ୍ଥା ! ନାରୀ ହୋଇ ଏଥିପାଇଁ ମୋର ଲଜ୍ଜାର ସୀମା ନାହିଁ ।

 

କିନ୍ତୁ ଏସବୁ ସତ୍ତ୍ୱେ, ଯଦି ସେହି ପ୍ରଥମ ପୁରୁଷଟି ଆସି ଉପସ୍ଥିତ ହୁଏ ତୁମ ସାମନାରେ, କୌଣସି ଏକ ନିଭୃତ ସ୍ଥାନରେ ? ତୁମର ମନର ଅବସ୍ଥା କଣ ହେବ–ଯେଉଁ ମନ କ୍ଷୁଧାରେ କାତର ହୋଇରହିଛି ? ଆଉ ସେହି ପୁରୁଷ ଯଦି ତୁମକୁ ଦାବି କରି ବସେ ? କଣ କରିବ ସାମୟିକ ଆତ୍ମସମର୍ପଣ ? କୌଣସି ପ୍ରକାର ବିପଦ ଘଟିବାର ସମ୍ଭାବନା ନଥିଲେ ହୁଏତ ସେୟା । ପୁରୁଷମାନେ ବହୁତ ସ୍ଥୂଳ–ସେୟା ନା ? ଅର୍ଥାତ୍‌ ସେମାନେ ସୂକ୍ଷ୍ନତାର ଧାର ଧାରନ୍ତି ନାହିଁ । ମନ ଏହି ସ୍ଥୂଳତା ଓ କର୍କଶତାକୁ ପସନ୍ଦ କରେ ବୋଲି ଶୁଣିଛି । ଏହା କଣ ସତ୍ୟ ? ମୁଣ୍ଡ ତଳକୁ କରୁଛ କାହିଁକି ?

 

ସେସବୁ କଥା ଥାଉ । ତୁମମାନଙ୍କୁ ଜ୍ଞାନଦେବାର ସ୍ପର୍ଦ୍ଧା ମୋର ନାହିଁ । ନିଜ କଥାରେ ବର୍ତ୍ତମାନ ଫେରିଆସୁଛି । ମୁଁ ନର୍ତ୍ତକୀ । ଅବିବାହିତା, ନିରାଶ୍ରୟା, ଶେଷ ଆଶ୍ରୟ ହୋଇଥିଲେ, ସେ ଆଜି ଗତ । ମୁଁ ଦାରାଙ୍କୁ ମନ ଅର୍ପଣ କରିଦେଇଛି । ସେହି ଦାରା ଯଦି ବାରମ୍ୱାର ମୋ ପାଖକୁ ଆସନ୍ତି, ତାଙ୍କ ଚକ୍ଷୁରେ ଯଦି ଏପରି ଏକ ଦୃଷ୍ଟି ଫୁଟିଉଠେ ଯାହାର ଅର୍ଥ ଭଲପାଇବା, ତା’ହେଲେ ମୁଁ କଣ ନିଜକୁ ସଂଯତ କରି ରଖିପାରିବି ତୁମେମାନେ ମୋର ହୋଇ ଏ କଥାର ଉତ୍ତର ଦିଅ ।

 

ନିଜକୁ ଅଞ୍ଜଳି ଦେବାର ଅଦମ୍ୟ ପ୍ରଲୋଭନରୁ ରକ୍ଷାପାଇବା ପାଇଁ ମୁଁ ଚେଷ୍ଟା କରୁଛି ଯାହା ତୁମମାନଙ୍କ ପରି ନାରୀମାନଙ୍କ ପକ୍ଷରେ ଦୁଃସାଧ୍ୟ । ଅଥଚ ମୁଁ ଜଣେ ସାଧାରଣ ନର୍ତ୍ତକୀ । ନୃତ୍ୟ ଓ ସଙ୍ଗୀତ ମୋର ପେଷା । ଅନ୍ୟାନ୍ୟ ନର୍ତ୍ତକୀମାନଙ୍କ ପରି ମୋର ମଧ୍ୟ ଉଚିତ ଦେହକୁ ଅନାଘ୍ରାତ ରଖିବା ପାଇଁ ଚେଷ୍ଟା ନକରିବା । ସେଥିରେ ଆର୍ଥିକ କ୍ଷତି ହେବ ନର୍ତ୍ତକୀମାନେ ସବୁବେଳେ କେବଳ ନର୍ତ୍ତକୀ ହୋଇ ରହିପାରିବେ ନାହିଁ । ଗୁଲରଙ୍ଗ ଏହାର ଏକ ବଡ଼ ପ୍ରମାଣ । ଏହା ବ୍ୟତୀତ ଯେଉଁମାନଙ୍କୁ ମୁଁ ଭଲରୂପେ ଚିହ୍ନେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜାଲିୟାବାଈ, ଆକାଶବାଈ, ଗୁଲାଲବାଈ, ମୁରାଦବାଈ ଏବଂ ଆହୁରି ଅନେକ ଏମାନେ ସମସ୍ତେ ରାଜ୍ୟର ଅମୀର, ରାଜା, ଉଜିର ଏବଂ ନବାବମାନଙ୍କର ବଡ଼ ଆକର୍ଷଣ ଏହି ନର୍ତ୍ତକୀମାନଙ୍କ ଗୃହରେ ରାତ୍ରିରେ ଜଲସା ବସେ । ସେହି ଜଲସା ଯେତେବେଳେ ଶେଷ ହେଉ ନା କାହିଁକି, ପରଦିନ ଦ୍ୱିପ୍ରହର ପୂର୍ବରୁ ସେମାନଙ୍କ ଅତିଥିମାନଙ୍କର ନିଦ୍ରା ଭଙ୍ଗ ହୁଏ ନାହିଁ ।

 

ମୁଁ ମଧ୍ୟ ନର୍ତ୍ତକୀ । ତଥାପି ସ୍ୱୟଂ ଭାବୀବାଦଶାହଙ୍କର ଆକର୍ଷଣଠାରୁ ନିଜକୁ ଦୂରେଇ ରଖିଛି । ତାଙ୍କର ପୂର୍ଣ୍ଣ ଚାହିଦା ମେଣ୍ଟାଇବାର ତୀବ୍ର ଆକାଙ୍‌କ୍ଷାକୁ ବାଧାଦେଇଛି ।

 

କିନ୍ତୁ ଆଉ କଣ ପାରିବି ? ଯମୁନାରେ ବଜରା ସଜ୍ଜିତ ହୋଇ ରହିଛି । ମୋର କୁଟୀର ସମ୍ମୁଖରେ ସନ୍ଧ୍ୟାର ପ୍ରାକ୍‌କାଳରେ ଶକଟ ଆସି ଅପେକ୍ଷା କରି ରହିଛି । ବଜରାରେ ଦାରା ଅଛନ୍ତି । ତାଙ୍କର ଅନୁରୋଧ ମୋ ପାଖରେ ପହଞ୍ଚିଛି ।

 

ଏତେ କଥା କଳ୍ପନା କରିନଥିଲି । ଏହି ସମୟରେ ଗୁଲରଙ୍ଗ ଆସିଥିଲେ ଭଲ ହୋଇଥାନ୍ତା । ଆଜି ସେ ଆସିନାହିଁ । ଆସିଥିଲେ ମତେ ବୁଦ୍ଧି ଦେଇଥାନ୍ତା–ନିଷ୍ଠୁର ହସ୍ତରେ ମତେ ସେ ଅଟକେଇ ପାରିଥାନ୍ତା । କାରଣ ମୋର ମନ ଅନେକ ପୂର୍ବରୁ ବଜରାରେ ଯାଇ ଉପସ୍ଥିତ ହୋଇସାରିଛି । ମୋର ଶରୀରର ପ୍ରତିଟି ଅଣୁ ପରମାଣୁ ଚଞ୍ଚଳ ହୋଇ ଧାଇଁ ଯିବାକୁ ଚାହୁଁଛି ।

 

ଆଉ ପାରୁନାହିଁ । ସାରାଦିନର ପଥଶ୍ରାନ୍ତ ଶରୀରକୁ ସଜେଇ ଶକଟରେ ଆରୋହଣ କଲି । ଯାତ୍ରା ଆରମ୍ଭ ହେଲା । ମୋର ଶେଷ ଅବରୋଧ ଧୂଳିସାତ୍‌ ହେଲା । ଓସ୍ତାଦ୍‌ଜୀ ! ଏ କ’ଣ ତୁମର ଅଭିଶାପ ନା ଆଶୀର୍ବାଦ ?

 

ଯମୁନା ନଦୀ କୂଳରେ ଦାରା ମୋ ହାତ ଧରି ବଜରାକୁ ନେଇଗଲେ । ବଜରା ନଦୀ ମଧ୍ୟକୁ ଚାଲିଲା । ଧୀରେ ଧୀରେ ବଜରାର ଉଭୟ ଦିଗରେ କୂଳ ବହୁତ ଦୂରରେ ରହିଗଲା । ଦାରା ମୋ ହାତ ଧରି ଛିଡ଼ାହୋଇଥାନ୍ତି । ମୁଖମଣ୍ଡଳ ତାଙ୍କର ଆନନ୍ଦରେ ଉଦ୍‌ଭାସିତ । ହଠାତ୍‌ ମୋର ମୁହଁକୁ ଦେଖିବାର ଚେଷ୍ଟା କରି ସେ କହିଲେ–ତୁମର ହାତ ଏତେ ଥଣ୍ଡା କାହିଁକି ରାଣାଦିଲ୍‌ ?

 

–ଭୟରେ ବାଦଶାହଜାଦା !

 

–ମତେ ଭୟ ?

 

–ହଁ

 

–ଆଉ ଦିନେ ମଧ୍ୟ ଏକଥା କହିଥିଲ ।

 

–ହଁ ।

 

–ଚାଲ, ତୁମକୁ କୂଳରେ ଓହ୍ଲେଇଦେବି ।

 

ଦାରାଙ୍କ ଡାହାଣ ହାତ ଚାପି ଧରି କହିଲି–ନା ।

 

–କାହିଁକି ? କଣ ଭୟ ?

 

–ନା ।

 

–ତେବେ ?

 

–ଜାଣେନା ।

 

–କିନ୍ତୁ ଏପରିଭାବରେ ତୁମେ କାହିଁକି କଷ୍ଟ ସହି ବନ୍ଦିନୀ ହୋଇ ରହିବ ? ଅନେକ କଷ୍ଟରେ କହିଲି–ଭଲଲାଗେ ।

 

–ଭଲଲାଗେ ? କଣ ତୁମେ କହୁଛ ରାଣାଦିଲ୍‌ ? ଭୟ–ଭଲଲାଗେ, କେଉଁ କଥାଟି ଠିକ୍‌ ?

 

–ଦୁଇଟିଯାକ ।

 

ଦାରା ହସିଲେ । ତାଙ୍କର ମୃଦୁ ହାସ୍ୟ ଯମୁନାର କ୍ଷୁଦ୍ର କ୍ଷୁଦ୍ର ତରଙ୍ଗ ଭାଙ୍ଗିଯିବାର ଶବ୍ଦ ପରି ମୋ କାନରେ ପ୍ରତିଧ୍ୱନିତ ହେଉଥିଲା ।

 

ଦାରା କହିଲେ–ଦୁଇଟିଯାକ ?

 

–ହଁ ।

 

–ବେଶ୍‌, ମାନିନେଲି । କିନ୍ତୁ ଏ ଦୁଇଟି ମଧ୍ୟରୁ କେଉଁଟି ବେଶି ସତ୍ୟ ?

 

–ଦୁଇଟିଯାକ ।

 

–ଆଶ୍ଚର୍ଯ୍ୟ ।

 

–ନା, ବାଦଶାହଜାଦା !

 

–ଆଶ୍ଚର୍ଯ୍ୟ ନୁହେଁ ?

 

–ନା ।

 

–ଆଚ୍ଛା, ଠିକ୍‌ ଅଛି । କିନ୍ତୁ ତୁମ ହାତ ଯଦି ଏମିତି ଥଣ୍ଡା ଲାଗିବ, ତା’ହେଲେ ମୁଁ ଚୁପ୍‌ଚୁପ୍‌ ବସିରହିବି । କିଛି କଥା କହିବି ନାହିଁ ।

 

–ଆଉ ଥଣ୍ଡା ନାହିଁ ।

 

–ନାହିଁ ?

 

–ନା ।

 

ତୁମେ କହିବାକୁ ଚାହଁ ଯେ ତୁମ ହାତ ବର୍ତ୍ତମାନ ଗରମ ଅଛି ?

 

–ହଁ ।

 

–ତୁମ ହାତ ଦେଖେଇଲ । ଆରେ, ସତେ ତ !

 

ମୁଁ ଲଜ୍ଜିତ ହେଲି । କଥା କହିପାରିଲି ନାହିଁ । କଣ କହିବି ?

 

–ତୁମର ଭୟ ଦୂର ହୋଇଯାଇଛି ରାଣାଦିଲ୍‌ ? ଭିତରେ ଯାଇ ବସିବ?

 

–ଚାଲନ୍ତୁ ବାଦଶାହଜାଦା !

 

–ଏତେଥର ବାଦଶାହଜାଦା କହନାହିଁ । ଛନ୍ଦପତନ ହେଉଛି । କାନକୁ ବଡ଼ ଖରାପ ଲାଗୁଛି ।

 

–ଆପଣଙ୍କର ଯାହା ଅଭିରୁଚି ।

 

ଦାରା ମୋର ହାତ ଧରି ଭିତରକୁ ନେଇଗଲେ । ଭିତରର ଶିଳ୍ପକାର୍ଯ୍ୟ କି ଅପୂର୍ବ । ଦେଖିଲେ ମନେହେଉଥିଲା, ମୁଁ କେଉଁ ଏକ ମାୟାପୁରୀରେ ପ୍ରବେଶ କରିଛି । କି ସୁନ୍ଦର ଚିରାଗଦାନି । ସୁନ୍ଦର ଜରିର ପର୍ଦ୍ଦା ପବନରେ ଧୀରେ ଧୀରେ ଝୁଲୁଛି । ସୁନା ଓ ରୁପାର ଜରି । ମଝିରେ ସୁନ୍ଦର ଆରାମଦାୟକ ଆସନ ।

 

–ଏଇଠି ବସ ରାଣାଦିଲ୍‌ !

 

ମୋର ପାଦ ଥରିଉଠିଲା । ଦୁଇ ପାଖରେ ଦୁଇଟା ତକିଆ । ଅତରର ସୁଗନ୍ଧ । ବିଚିତ୍ର ଫୁଲର ସମାହାର । ଏତେ ରଙ୍ଗର ଫୁଲ ଏ ଦୁନିଆରେ ଫୁଟେ । ମନ ମୋର ପରିପୂର୍ଣ୍ଣ ହୋଇଉଠିଲା । ଦାରାଙ୍କର ମୁଖ, ଚକ୍ଷୁ ସୁଜାଙ୍କପରି ନୁହେଁ । ଦାରାଙ୍କ ଚକ୍ଷୁରେ ସେହି ବିଷାକ୍ତ ଶିଖା ନାହିଁ, ଯାହା ଶରୀରକୁ ପୋଡ଼ିଦେବାକୁ ଚାହେଁ ।

 

–ବାଦଶାହଜାଦା !

 

–ପୁଣି ବାଦଶାହଜାଦା ?

 

–କଣ ଡାକିବି ?

 

–କିଛି ନଡାକି କଣ କଥା କୁହାଯାଇପାରିବ ନାହିଁ ?

 

–କିଛି ନଡାକି କେମିତି କଥା କହିବି ?

 

–ବେଶ୍‌, ତେବେ କେବଳ ଦାରା କହ ।

 

–ନା ନା, ମୁଁ ଯେ ସାମାନ୍ୟ...

 

ଦାରା ମୋ ମୁହଁକୁ ଚାପିଧରିଲେ । ତା’ପରେ ମୋ ମୁହଁରୁ ହାତ କାଢ଼ି କହିଲେ–ତୁମେ ମୋର ସର୍ବସ୍ୱ ରାଣାଦିଲ୍‌ !

 

ବଜରା ଝୁଲି ଝୁଲି ଚାଲିଛି । ମୋ ହୃଦୟ ମଧ୍ୟ ବଜରା‌ ସହିତ ଦୋଳାୟିତ ଗତିରେ ଚାଲିଛି । କି ଜବାବ ଦେବି ଏ କଥାର ? ନାରୀ ହୋଇ ମୁଁ କଣ କହିପାରିବି ଯେ ତୁମ ଛଡ଼ା ମୋର ମଧ୍ୟ ଅସ୍ତିତ୍ୱ ନାହିଁ ? ନା–ସେ କଥା କହିବା ଆଗରୁ ମୋର ମୁତ୍ୟୁ ହେବା ଉଚିତ । କଣ କହିବି ତେବେ ?

 

–କାହିଁକି ଦାରା, ନାଦିରା ବେଗମ୍‌ ଗୋଟିଏ ସନ୍ତାନର ଜନନୀ ହେବା ପରେ କଣ ପୁରୁଣା ହୋଇଗଲେ ?

 

–ନା ।

 

–ତେବେ ?

 

–ନାଦିରାକୁ ମୁଁ ଭଲପାଏ ।

 

ବୁଝିଛି । ନାଦିରା‌କୁ ସେ ଭଲପାଆନ୍ତି ଏବଂ ମୋର ଦେହକୁ ସାମୟିକଭାବେ ସେ ଭଲପାଆନ୍ତି । ଶୁଣିଛି, ଦାରାଙ୍କର ବିଭିନ୍ନ ଧର୍ମଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ । ସେ ଦାର୍ଶନିକ; କିନ୍ତୁ ପ୍ରକୃତ ରକ୍ତମାସଂର ମନୁଷ୍ୟଟି ହେଲା ପୁରୁଷ, ଯେଉଁ ପୁରୁଷ ଆବହମାନକାଳରୁ ବୈଚିତ୍ର୍ୟଲୋଭୀ-। ଏହାଦ୍ୱାରା ଈଶ୍ୱରଙ୍କ ସୃଷ୍ଟ ପ୍ରକୃତିର ଉଦ୍ଦେଶ୍ୟ ସାଧିତ ହୁଏ । ଏ କଥା ଯେ ଲେଖିଛି, ସେ ନିଶ୍ଚୟ ପୁରୁଷ । ସବୁ କଥା ଭିତରେ ପୁରୁଷ ନିଜର ସୁବିଧା କରିନେଇଛି । ଏବଂ ସଂସ୍କାରଗୁଡ଼ିକ ଚାପିଦେଇଛି ନାରୀମାନଙ୍କ ଉପରେ–ଯାହାଦ୍ୱାରା ସେମାନେ ପର୍ଦ୍ଦାର ଅନ୍ତରାଳରେ ବିଶ୍ୱସ୍ତ ଜୀବନ କଟେଇବାକୁ ବାଧ୍ୟହେବେ: ଯାହାଦ୍ୱାରା ସେମାନଙ୍କ ମନ ନିଜର ଇଚ୍ଛା ଅନୁଯାୟୀ ଚାଲିବାକୁ ଭୟପାଇବ । ମୁସଲମାନ ରମଣୀ ପରି ହିନ୍ଦୁ ରମଣୀର ପର୍ଦ୍ଦା ଏବଂ ବୋରଖା ହେଉଛି ଫାଙ୍କା ଆଦର୍ଶର ବଡ଼ ବଡ଼ ମୁଣା ।

 

ଯଦି ପାରନ୍ତି, ତେବେ କହନ୍ତି–ହେ ପୁରୁଷଜାତି, ତୁମେମାନେ ଆମକୁ ଯାହା ଭାବ, ଆମେ ତା’ ନୋହୁଁ । କେବଳ ଦୈହିକ ଗଠନରେ ଅପେକ୍ଷାକୃତ ଦୁର୍ବଳ ବୋଲି ଆମେମାନେ ତୁମମାନଙ୍କ ପରି ସିଧା ରାସ୍ତାରେ ଚାଲିପାରୁନାହିଁ, ଉଦ୍ଧତ ହୋଇପାରୁନାହିଁ । ଆମକୁ କୌଶଳ ଅବଲମ୍ୱନ କରିବାକୁ ପଡ଼େ । ଯଦି ଆମ ମନକୁ ଉନ୍ମିଳିତ କରିବାର ଶକ୍ତି ତୁମମାନଙ୍କର ଥାନ୍ତା, ତା’ହେଲେ ବୁଝିପାରନ୍ତ ଆମେମାନେ ସମସ୍ତେ କେବଳ ଅଭିନୟ କରୁଛୁ ତୁମମାନଙ୍କୁ ସନ୍ତୁଷ୍ଟ କରିବାପାଇଁ–ଏହାଛଡ଼ା ଅନ୍ୟ ଗତି ନାହିଁ । ଗୋଟିଏ ନିରାପଦ ଆଶ୍ରୟ ଯେ ଏକାନ୍ତ ପ୍ରୟୋଜନ ! କିନ୍ତୁ ଆମ ମନର ସ୍ୱାଧୀନତାରେ ହସ୍ତକ୍ଷେପ କରିବାର ସ୍ୱାଧୀନତା ଈଶ୍ୱର ତୁମମାନଙ୍କୁ ଦେଇନାହାନ୍ତି । ସେଥିପାଇଁ ତୁମ ବକ୍ଷ ଉପରେ ବକ୍ଷ ରଖି, ମୁଖ ଉପରେ ମୁଖ ରଖି ଅନ୍ୟର ଚିନ୍ତାରେ ବିଭୋର ହୋଇ ରହିବାପାଇଁ ଆମର ଅବାଧ୍ୟ ଇଚ୍ଛାକୁ ସଂଯତ କରିବାର ସାଧ୍ୟ କେବେହେଲେ ତୁମର ହେବ ନାହିଁ ।

 

ଦୂରରୁ କେଉଁ ମାଝିର କଣ୍ଠସ୍ୱର ଭାସିଆସିଲା । ଭଙ୍ଗା ଗଳାରେ ଉଦାସ ସ୍ୱର । ମୋର ମନ ମଧ୍ୟ ଦାରାଙ୍କ କଥାରେ ଉଦାସ ହୋଇଗଲା ।

 

–ତୁମେ ନୀରବ କାହିଁକି ରାଣାଦିଲ୍‌ ? ଅସୁବିଧା ହେଉଛି ?

 

–ନା ।

 

–ତେବେ ?

 

–ଭାବୁଛି, ନାଦିରା ବେଗମ୍‌ ଭାଗ୍ୟବତୀ ।

 

–କିମ୍ୱା ମୁଁ ଭାଗ୍ୟବାନ୍‌ ।

 

–ସେ କଥା ମଧ୍ୟ ଠିକ୍‌ ।

 

–କିନ୍ତୁ ବର୍ତ୍ତମାନ ନାଦିରା କଥା ବନ୍ଦକର ।

 

–କାହିଁକି ? ମଣିଷ ଯାହାକୁ ଭଲପାଏ, ତା’ର କଥା ଶୁଣିବାକୁ ବେଶି ଖୁସି ହୁଏ ଶୁଣିଛି-

 

–କିନ୍ତୁ ମୁଁ ତୁମକୁ ନାଦିରା କଥା କହିବାକୁ ଆଣିନାହିଁ ।

 

–ନାଚ ଦେଖିବାକୁ, ଗୀତ ଶୁଣିବାକୁ ଆଣିଛନ୍ତି ?

 

–ତୁମର ନାଚ ଓ ଗୀତ ପ୍ରକୃତରେ ମତେ ମୁଗ୍‌ଧ କରିଛି । ତୁମେ ଜାଣନା, କେତେ ଥର ଭିଡ଼ ଭିତରେ ଛିଡ଼ାହୋଇ ତୁମ ନାଚ ଦେଖିଛି, ଗୀତ ଶୁଣିଛି ।

 

–ସତ କହୁଛନ୍ତି ?

 

–ହଁ ରାଣାଦିଲ୍‌ ! ତୁମେ ଜାଣନା, କେତେଥର ତୁମ କୁଟୀର ପାଖ ଦେଇ ମୁଁ ଯାଇଛି...ଏକା ଏକା ଅପେକ୍ଷା କରିଛି ।

 

–ଆପଣ କଣ କହୁଛନ୍ତି !

 

–ମତେ ମିଥ୍ୟାବାଦୀ ଭାବ ନାହିଁ ।

 

–ନା ନା, କେବେ ନୁହେଁ । କିନ୍ତୁ କାହିଁକି ? କାହିଁକି ଆପଣଙ୍କର ଏ ଅନୁଗ୍ରହ ?

 

–ଅନୁଗ୍ରହ ନୁହେଁ, ଆଗ୍ରହ । ତୁମ ପ୍ରଶ୍ନର ଉତ୍ତର ତୁମେ ଜାଣ ।

 

–ମୁଁ ଜାଣେନା । ତେବେ ସଙ୍ଗୀତର ଆକର୍ଷଣ ହୋଇପାରେ ।

 

–ନା ।

 

–ତେବେ ?

 

–ତୁମର ଆକର୍ଷଣ ।

 

–ମୋର ପୂର୍ବର ସେହି ରଙ୍ଗ ନାହିଁ । ମୋର ଦୈହିକ ସୁଷମା ହାରେମ୍‌ର ସବୁଠାରୁ କୁରୂପା ରମଣୀ ପରି ମଧ୍ୟ ନୁହେଁ ।

 

–ମୁଁ ଏତେକଥା ବୁଝେନାହିଁ । ତୁମ ପ୍ରତି ଦୁର୍ନିବାର ଆକର୍ଷଣ ପଛରେ କି କାରଣ ରହିଛି, ଅନେକ ଭାବି ମଧ୍ୟ ମୁଁ ବୁଝିପାରୁନାହିଁ ।

 

ନିଜର ବକ୍ଷକୁ ଚାପିଧରିବା ପାଇଁ ବୃଥା ଚେଷ୍ଟା କଲି । କୌଣସି ପ୍ରକାରରେ ନିଜକୁ ସମ୍ଭାଳି ପାରିଲି ନାହିଁ । ଦାରାଙ୍କ କଥାରେ ମଧ୍ୟ ଏକ ବିନ୍ଦୁ କଳୁଷତା ନାହିଁ, କିମ୍ୱା ସେହି ଚକ୍ଷୁ ଦୁଇଟିରେ ନିର୍ଲିପ୍ତଭାବ ମଧ୍ୟ ନାହିଁ । ପଚାରିଲି–ଏହି ଆକର୍ଷଣକୁ ଗୋଟିଏ ଶବ୍ଦରେ ପ୍ରକାଶ କରିବା ପରି କିଛି ଅଛି ?

 

–ହଁ ।

 

–କଣ ସେ କଥା ?

 

–ଭଲପାଇବା ।

 

ଏହି ଛୋଟ କଥାଟିକୁ ଶୁଣିବାପାଇଁ ମୁଁ କଣ ନିର୍ଲଜ୍ଜଙ୍କ ପରି ଅପେକ୍ଷା କରିଥିଲି ? ବର୍ତ୍ତମାନ କଣ କରିବି ? ଆତ୍ମସମର୍ପଣ ? ବହୁତ ଆଗରୁ ନିଜର ମନପ୍ରାଣକୁ ସମର୍ପଣ କରିସାରିଛି-। କିନ୍ତୁ ପୁରୁଷମାନେ ଯେପରି ଚାହାଁନ୍ତି–ତା’ ଯେ ଅସମ୍ଭବ !

 

ମୁଁ ଚଞ୍ଚଳ ହୋଇଉଠିଲି । ଆସନ ଛାଡ଼ି ଉଠିଯାଇ ପର୍ଦ୍ଦା ଟେକିଦେଲି । ହୁ–ହୁ ହୋଇ ଯମୁନାର ଶୀତଳ ପବନ ଭିତରକୁ ପଶିଆସିଲା ।

 

–ତୁମକୁ ମୁଁ ଅପମାନିତ କରିବାକୁ ଚାହେଁ ନାହିଁ ରାଣାଦିଲ୍‌ !

 

–ଜାଣେ–ମୁଁ ଜାଣେ ଦାରା !

 

–ତୁମେ ଉଠିଲ କାହିଁକି ?

 

ନିଷ୍ଠୁରଙ୍କ ପରି କହିଲି–କେଉଁ ଭଲପାଇବା ସତ୍ୟ ଦାରା ? ନାଦିରା ପ୍ରତି, ନା ମୋ ପ୍ରତି-?

 

ମୁହୂର୍ତ୍ତକ ପାଇଁ ଅନ୍ୟମନସ୍କ ହେଲେ ଶାହନଶାହ ଶାହଜାହାନଙ୍କର ଜ୍ୟେଷ୍ଠ ପୁତ୍ର, ହିନ୍ଦୁସ୍ଥାନ ସିଂହାସନର ଭାବୀଉତ୍ତରାଧିକାରୀ । ତା’ପରେ ଦୃଢ଼ ସ୍ୱରରେ କହିଲେ–ଦୁଇଟିଯାକ ।

 

–କିନ୍ତୁ ଭଲପାଇବାକୁ କଣ ଭାଗ କରାଯାଏ ?

 

–କରାଯାଏ ।

 

ମୁଁ ହସିଲି । ପର ମୁହୂର୍ତ୍ତରେ ମନରେ ମୋର ଦୁଃଖ ହେଲା । ଦାରାଙ୍କୁ ମୁଁ ଅବିଶ୍ୱାସ କରେ ନାହିଁ । ସେ ପ୍ରତାରକ ନୁହନ୍ତି । କିନ୍ତୁ ତାଙ୍କର ଉପଲବ୍‌ଧି ଭିତରେ କେଉଁଠି ତ୍ରୁଟି ରହିଛି ଅଥବା ସେ ନାଦିରାଙ୍କୁ ଭଲପାଆନ୍ତି ନାହିଁ । ନାଦିରାଙ୍କ ପ୍ରତି କେବଳ ରହିଛି ଅପରିସୀମ ଦରଦ ଓ ଅନୁକମ୍ପା । କିମ୍ୱା ଏପରି ମଧ୍ୟ ହୋଇପାରେ, ମୋ ପ୍ରତି ଦେହଗତ ମୋହକୁ ଭଲପାଇବା ବୋଲି ମନେକରୁଛନ୍ତି । ନବାବ, ବାଦଶାହମାନଙ୍କର ଉପାଦେୟ ଖାଦ୍ୟବସ୍ତୁରେ ମଧ୍ୟ ବେଳେବେଳେ ଅରୁଚି ଦେଖାଯାଏ । ଯେତେବେଳେ ଗରିବମାନଙ୍କର ଖାଦ୍ୟରେ ଆଗ୍ରହ ଜନ୍ମେ । ଏ ମଧ୍ୟ ଗୋଟିଏ ପ୍ରକାର ସଉକ୍‌ ।

 

–ତୁମେ ହସୁଛ ରାଣାଦିଲ୍‌ ?

 

–ଦାରାଙ୍କର ବେଦନାଭରା ଉକ୍ତି ଶୁଣି ଦୁଃଖ ଲାଗିଲା । କହିଲି–ଇଚ୍ଛା କରି ହସିନାହିଁ ବାଦଶାହଜାଦା, ହସଲାଗିଲା ।

 

–କାହିଁକି ?

 

–ଭଲପାଇବାକୁ ଭାଗ କରାଯାଏ ଶୁଣି ।

 

–ମୁଁ ଗୋଟିଏ ଛୋଟ ଉଦାହରଣ ଦେବି ?

 

–ବେଶ୍‌, ଦିଅନ୍ତୁ ।

 

–ମନେକର ଗୋଟିଏ ମା’ର ଦୁଇଟି ସନ୍ତାନ । ତା’ର ମାତୃ-ସ୍ନେହ କଣ ଗୋଟିଏ ସନ୍ତାନ ଉପରେ ବର୍ଷିତ ହୁଏ ?

 

–ଦାରାଙ୍କର ଏହି ଯୁକ୍ତିର ଜବାବ୍‌ ଖୋଜି ପାଇଲି ନାହିଁ । ମତେ ନୀରବ ରହିବାର ଦେଖି ସେ କହିଲେ–ଜବାବ ଦିଅ ।

 

–ଦୁଇଟାକୁ ମୁଁ ଏକପ୍ରକାର ଜିନିଷ ବୋଲି ଭାବିପାରୁନାହିଁ । ନାଦିରା ବି କେବେ ହେଲେ ଭାବି ପାରିବେ ନାହିଁ ।

 

–କିନ୍ତୁ ପୁରୁଷମାନେ ପାରନ୍ତି ।

 

–ତା’ହେଲେ ମୁଁ ବୁଝିବି ଯେ ପୁରୁଷମାନଙ୍କର ଭଲପାଇବାରେ ବିନ୍ଦୁମାତ୍ର ଗଭୀରତା ନାହିଁ ।

 

–ହୋଇପାରେ । କିନ୍ତୁ ମୁଁ ତୁମ ଦୁଇଜଣଙ୍କୁ ଭଲପାଏ । ନାଦିରା ମତେ ପ୍ରବଳ ଭାବରେ ଆକୃଷ୍ଟ କରେ । ତୁମର ଆକର୍ଷଣ ମଧ୍ୟ ଠିକ୍‌ ସେହିପରି । ମୋର ବିବାହ ଉତ୍ସବ ଦିନ ତୁମକୁ ଯେତେବେଳେ ପ୍ରଥମେ ଦେଖିଲି, ସେତେବେଳେ ମୋର ହୃଦୟରେ ଝଡ଼ ସୃଷ୍ଟି ହେଲା; ସେତେବେଳେ ବୁଝିପାରିଲି, ନାଦିରା ଏକା ନୁହେଁ...

 

ବଜରା କେଉଁଆଡ଼କୁ ଚାଲିଛି ଜାଣେନାହିଁ । ରାତ୍ରି ଗଭୀର ହେବାକୁ ଲାଗିଲା । ଆଜି ଘରକୁ ଫେରିପାରିବି ତ ? ନ ଫେରିଲେ କ୍ଷତି କଣ ? ମୋର ସମ୍ମୁଖରେ ବସିଥିବା ମନୁଷ୍ୟଟି ପ୍ରକୃତ ପୁରୁଷ । ତା’ର ଆଶ୍ରୟ ନିର୍ଭରଯୋଗ୍ୟ । ତାର ଉଷ୍ମତା ମୋର ଅତି ପ୍ରିୟ । ସେ ମୋତେ କେତେ ଭଲପାଆନ୍ତି ବା ଆଦୌ ଭଲପାଆନ୍ତି ନାହିଁ, ତା’ ଜାଣେନା । ତଥାପି ଭାବୁଛି, ସେ ମୋତେ ଭଲପାଆନ୍ତି । ତା’ ଯଦି ନ ହୋଇଥାଆନ୍ତା, ତା’ହେଲେ ଏତେ ସମୟ ଧରି ଅତୁଳନୀୟ ସଂଯମ ସହକାରେ ମୋ ସହିତ କଥା କହିନଥାନ୍ତେ । ମୁଁ ନାରୀ ହୋଇ ମଧ୍ୟ ଉତ୍ତେଜିତ ହୋଇଉଠିଛି । ଏହି ପୁରୁଷକୁ ଆହୁରି ପାଖରେ ପାଇବାକୁ ଚାହିଁଛି । କେବଳ ନାରୀ ବୋଲି ଆଗେଇ ଯାଇପାରୁନାହିଁ ।

 

–ରାଣାଦିଲ୍‌ !

 

–କହ ।

 

ଏ କଣ ? ମୁହଁରୁ ଏପ୍ରକାର କଥା କେମିତି ବାହାରିଲା ? ମୁଁ କଣ ଉନ୍ମାଦିନୀ ହୋଇଗଲି ? ଏହି କଥାର ଅର୍ଥ ପୃଥିବୀର ସବୁଠାରୁ ମୂର୍ଖ ପୁରୁଷ ମଧ୍ୟ ବୁଝିପାରିବ ।

 

ଦାରା ଉଠିଆସି ମତେ ବକ୍ଷ ଉପରକୁ ତୋଳିନେଲେ । ମୁଁ ଦୁଇକୂଳ ପ୍ଲାବିତ ନଦୀରେ ପରିଣତ ହେଲି । ମୁଁ ସାଗରରେ ମିଶିବାକୁ ଚାହେଁ–ନ ମିଶିଲେ ଶାନ୍ତି ପାଇବି ନାହିଁ ।

 

ଯମୁନାରେ କଣ ଉଜାଣି ବହୁଛି ? ଜାଣେନା । ଆକାଶରେ ଚାନ୍ଦ ଅଛି ? ଜାଣେନା । ବାହାରର ପ୍ରକୃତି କଣ ଶାନ୍ତ ଶ୍ରୀ ନେଇ ବିରାଜମାନ କରିଛି ? କହିପାରିବି ନାହିଁ । ଝଡ଼ ଆସୁଛି ? କିଏ ଜାଣେ ? ମୁଁ କେଉଁଠି ? ସ୍ୱର୍ଗରେ ନା ମର୍ତ୍ତ୍ୟରେ ? ଏତେ କଥା ଭାବିବାର ଅବସ୍ଥା ମୋର ନଥିଲା । ମୋର ଦେହ ମନ ଏକ ଅପୂର୍ବ ଛନ୍ଦରେ ଦୋଳାୟିତ ହେଉଥିଲା । ଏହି ଛନ୍ଦର ମୂର୍ଚ୍ଛନାକୁ ଭାଷାରେ ପ୍ରକାଶ କରାଯାଇ ପାରିବ ନାହିଁ । ଏକ ଅନାସ୍ଵାଦିତ ରୋମାଞ୍ଚ ମତେ ଯେପରି କେଉଁଆଡ଼େ ନେଇଯାଉଥିଲା । କେଉଁଠାକୁ ? ଜାଣେନା–କାରଣ ଏମିତି ଘଟଣା ମୋ ଜୀବନରେ କେବେ ଘଟିନାହିଁ ।

 

ଗୋଟିଏ ସ୍ୱର ଅବିରତ ମୋ କର୍ଣ୍ଣରେ ଅନୁରଞ୍ଜିତ ହେଉଥିଲା । କଣ ସେହି ସ୍ୱର ? ଓସ୍ତାଦଜୀ ଏପରି ସ୍ୱରର ସନ୍ଧାନ କେବେହେଲେ ତ ଦେଇନାହାନ୍ତି । ନା ନା, ଏ ତ ଦାରାଙ୍କର ମଧୁର କଣ୍ଠସ୍ୱର ! ସେ ମୋତେ ଯେମିତି କଣ କହୁଛନ୍ତି–କଣ କହୁଛନ୍ତି ? ଶୁଣିବାର ପ୍ରୟୋଜନ ନାହିଁ । ନ ଶୁଣିଲେ ମଧ୍ୟ ବୁଝିପାରୁଥିଲି । ଭାଷାର ମାଧ୍ୟମରେ ବୁଝିବାକୁ ଯେଉଁ କଷ୍ଟ ହୁଏ, ତାହା ହେଉନଥିଲା ।

 

କେତେ ମୁହୂର୍ତ୍ତ ପାରହୋଇଗଲା । ଶେଷରେ ଦାରା ମୋତେ ବକ୍ଷ ଉପରକୁ ତୋଳିନେଲେ । ମୁଁ ବୁଝିପାରିଲି, ମୁଁ ଆଉ ପୂର୍ବର ରାଣାଦିଲ୍‌ ନୁହେଁ । ମୁଁ ହାରିଯାଇଛି । ମୋର ସବୁ ଅହମିକା ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି । ପ୍ରଭାତର ଅନାଘ୍ରାତ କୁସୁମ ବୋଲି ନିଜକୁ ଆଉ ଭାବିପାରିବି ନାହିଁ । ମୁଁ ଏକ ଅତି ସାଧାରଣ ନାରୀ–ପୁରୁଷର ବିନା ସାହାଯ୍ୟରେ ଯେଉଁ ନାରୀ ପରିପୂର୍ଣ୍ଣ ହୋଇପାରେନାହିଁ ।

 

ମୁଁ ଆକୁଳହୋଇ କାନ୍ଦିଉଠିଲି । ନୟନରେ ଏତେ ଅଶ୍ରୁ ଥାଇପାରେ ବୋଲି ଜାଣିନଥିଲି-। ଦାରାଙ୍କର ଆଦର ସୁହାଗ ସେହି ବାରିଧାରାକୁ ରୁଦ୍ଧ କରିପାରିଲା ନାହିଁ ।

 

ମୁଁ ପରାଜିତ । ଏକଥା ମୁଁ ଚାହିଁନଥିଲି । ମୋର ଅନ୍ତର ବ୍ୟାକୁଳ ଭାବରେ ଚାହିଁଲେ ମଧ୍ୟ ମୁଁ ଚାହିଁନଥିଲି । ଏ ମୋର କଣ ହେଲା ? ବର୍ତ୍ତମାନ ମୋର ଆକାଙ୍‌କ୍ଷାର ନିବୃତ୍ତି ନାହିଁ । ଘୃତାହୁତି ଫଳରେ ଅଗ୍ନି ଆହୁରି ପ୍ରଜ୍ୱଳିତ । ନିର୍ଜନରେ ପ୍ରସ୍ଫୁଟିତ ଗୋଟିଏ ଗୋଲାପ ପ୍ରଥମ ଭ୍ରମରର ସ୍ପର୍ଶର ସ୍ୱାଦ ପାଇ ଯେପରି ଉନ୍ମାଦିନୀ । ହେ ଭଗବାନ ! ମୁଁ କଣ କରିବି ?

 

–ରାଣାଦିଲ୍‌, ତୁମେ କାନ୍ଦନାହିଁ । ମୁଁ ଅନୁତାପରେ ଦଗ୍‌ଧ ହେଉଛି ।

 

–ନା ।

 

–ମୁଁ ଅପରାଧୀ ।

 

–ନା ।

 

–ତେବେ ?

 

–ତୁମର ଦୋଷ ନାହିଁ । ମୋର...

 

–ନା, ମୁଁ ଦୋଷୀ ।

 

–ନା ଦାରା, ନା । ମୁଁ...

 

–କାନ୍ଦନାହିଁ ।

 

–ପାରୁନାହିଁ...ନ କାନ୍ଦି ରହିପାରୁନାହିଁ ।

 

–ବେଶ୍‌, ତୁମେ ମତେ ଆଉ କେବେ ଦେଖିବ ନାହିଁ ।

 

–ନା । କିନ୍ତୁ ବର୍ତ୍ତମାନ ମୁଁ କଣ କରିବି ?

 

–ବିଶ୍ୱାସ କର...ମୁଁ ଛଳନା କରିନାହିଁ ।

 

–ଜାଣେ, କିନ୍ତୁ କଣ ହେବ ?

 

–ତୁମେ ଯଦି ମତେ ପ୍ରକୃତରେ ଭଲପାଉଥାଅ, ତେବେ ଏ ପ୍ରଶ୍ନ କାହିଁକି ଉଠୁଛି ରାଣାଦିଲ୍‌ !

 

–ମୁଁ ଉପପତ୍ନୀ ହେବାକୁ ଚାହେଁ ନାହିଁ, ଅଥଚ ତୁମ ବିନା ମୁଁ ବଞ୍ଚିପାରିବି ନାହିଁ । ମୁଁ ମୃତ୍ୟୁ ଚାହେଁ ।

 

–ନା ।

 

–ମୋର ବଞ୍ଚିରହିବାର କୌଣସି ଉପାୟ ନାହିଁ । ତୁମେ ମତେ ଯମୁନାଜଳକୁ ଫିଙ୍ଗିଦିଅ-। ମୁଁ ପହଁରା ଜାଣେନାହିଁ ।

 

–କିନ୍ତୁ ମୁଁ ? ମୁଁ ତା’ହେଲେ କେମିତି ବଞ୍ଚିବି ?

 

–ତୁମର ନାଦିରା ଅଛନ୍ତି ।

 

–ରାଣାଦିଲ୍‌କୁ ମଧ୍ୟ ମୁଁ ଚାହେଁ ।

 

–ମୋର ମୃତ୍ୟୁ ହେଲେ ରାଣାଦିଲ୍‌କୁ ତୁମେ ଭୁଲିଯାଇପାରିବ ଦାରା !

 

–ନା, କେବେହେଲେ ଭୁଲିପାରିବି ନାହିଁ ।

 

–ତା’ହେଲେ ?

 

–ତୁମକୁ ବଞ୍ଚିବାକୁ ହେବ ।

 

–ଉପପତ୍ନୀ ହୋଇ ?

 

–ଏହି ପ୍ରଥମ ମିଳନରେ ମୁଁ ବୁଝିପାରିଛି, ତୁମ ଛଡ଼ା ମୁଁ ବଞ୍ଚିପାରିବି ନାହିଁ । ତୁମକୁ ବଞ୍ଚିବାକୁ ହେବ ।

 

–ସମ୍ଭବ ନୁହେଁ ।

 

–ଯଦି ବେଗମ୍‌ ହୁଅ ?

 

ହସଲାଗିଲା, କିନ୍ତୁ ହସିଲିନାହିଁ । ବୁଝିପାରିଲି, ଦାରା ସ୍ଥିର ମସ୍ତିଷ୍କରେ ଏ ମନ୍ତବ୍ୟ କରିନାହାନ୍ତି । କାରଣ କୌଣସି ନର୍ତ୍ତକୀ କେବେହେଲେ ମୋଗଲବଂଶର ବେଗମ୍‌ ହୋଇନାହିଁ ।

 

–ହୋଇପାରିବ ନାହିଁ ମଧ୍ୟ । କହିଲି–ସମ୍ଭବ ହେଲେ ତାହାହିଁ ମୋ ପାଇଁ ଏକମାତ୍ର ପଥ-

 

ଦାରା କିଛି ସମୟ ସ୍ତବ୍‌ଧ ହୋଇ ବସିରହିଲେ । ତା’ପରେ କହିଲେ–ଦେଖିବି ।

 

ସେହି ରାତ୍ରି ବଜାରରେ କଟିଗଲା । ଏକ ସ୍ୱର୍ଗୀୟ ସୁଖସ୍ୱପ୍ନ ମଧ୍ୟରେ ଅତି ଶୀଘ୍ର ପ୍ରଭାତର ପକ୍ଷୀମାନେ ରାବିଉଠିଲେ । ସ୍ୱପ୍ନ ଭାଙ୍ଗିଗଲା । ଦାରାଙ୍କ ମୁହଁରେ ମୋ ଚକ୍ଷୁର କଜ୍ୱଳ, ତାଙ୍କ କମିଜ୍‌ରେ ମୋ ଘାଗରାର ଚୁମ୍‌କି । ଆଉ ମୋ ମୁହଁରେ ? ଜାଣେନା–ମୁଁ ଦେଖିପାରୁନଥିଲି–ଦାରା ଦେଖିପାରୁଥିବେ; ନହେଲେ ବଜରା ଛାଡ଼ି ଓହ୍ଲେଇଯିବା ପୂର୍ବରୁ ମୋ ମୁହଁ ପୋଛିଦେଲେ କାହିଁକି ?

ଗାଡ଼ି ମୋ କୁଟୀର ସମ୍ମୁଖରେ ରହିଲା । ସୂର୍ଯ୍ୟ ଉଦୟ ବର୍ତ୍ତମାନ କେତେ ଦଣ୍ଡ ବାକି । ପାଖ ଶିମୁଳିଗଛ ଆଢ଼ୁଆଳରେ କିଏ ଯେମିତି ମତେ ଦେଖି ଲୁଚିପଡ଼ିଲା । ଗାଡ଼ି ଚାଲିଯିବାପରେ ମୁଁ ଧୀରେ ଧୀରେ ସେ ଆଡ଼କୁ ଆଗେଇଗଲି । ମଣିଷଟି ଗଛ ଆଢ଼ୁଆଳରୁ ବାହାରି କ୍ଷିପ୍ରପଦରେ ଚାଲିବାକୁ ଆରମ୍ଭ କଲା ।

–ଆବଦୁଲ୍ଲା ?

ସେ ଉତ୍ତର ଦେଲା ନାହିଁ ।

–ଆବଦୁଲ୍ଲା !

ସେ ଅଟକିଗଲା । ପଛକୁ ଫେରି ଚାହିଁଲା; କିନ୍ତୁ ମୋ ପାଖକୁ ଆସିଲା ନାହିଁ ।

–ଶୁଣିଯାଅ ଆବଦୁଲ୍ଲା !

ସେ ଆସି ମୋ ସାମନାରେ ଛିଡ଼ାହେଲା ।

–ଏତେ ଭୋରରୁ ତୁମେ ଏଠି କଣ କରୁଥିଲ ?

–ପହରା ଦେଉଥିଲି ।

 

–କାହାକୁ ?

 

–ଭାବିଲି, ଏହି ଘରର ମଣିଷଟି ଭିତରେ ଅଛି । କବାଟ ବାହାରୁ ବନ୍ଦହୋଇନଥିଲା । ସେଥିପାଇଁ ମୋର ଭୁଲ୍‌ ହେଲା । ଅଭିସାର ସମୟରେ ଏତେ ଉନ୍ମତ୍ତ ହେବା ଉଚିତ୍‌ ନୁହେଁ ରାଣାଦିଲ୍‌ !

 

–ତୁମେ ମତେ ଜଗିଥିଲ ?

 

–ହଁ–କିନ୍ତୁ ଆଉ ନୁହେଁ ।

 

ଆବଦୁଲ୍ଲା ଚାଲିବାକୁ ଆରମ୍ଭକଲା । ମୋର କାତର ଅନୁରୋଧ ତାକୁ ଫେରାଇ ପାରିଲା ନାହିଁ । ଆବଦୁଲ୍ଲା ସମେତ ସବୁ ସାଧାରଣ ମଣିଷଙ୍କଠାରୁ ମୁଁ ଗୋଟିଏ ରାତି ମଧ୍ୟରେ ବିଚ୍ଛିନ୍ନ ହୋଇଗଲି ।

 

ଦାରା ମତେ ଯେମିତି ଭଲପାଆନ୍ତି, ଆବଦୁଲ୍ଲାର ଭଲପାଇବା ସେମିତି ନଥିଲା । ବଜରା ମଧ୍ୟରେ ଦାରା ଥରେ ହେଲେ ମଧ୍ୟ ମୋର ନୃତ୍ୟ ଦେଖିବାକୁ ଚାହିଁନାହାନ୍ତି–ଗୀତ ଶୁଣିବାକୁ ଚାହିଁନାହାନ୍ତି–ସେ ମତେ ଚାହିଁଥିଲେ । କିନ୍ତୁ ଆବଦୁଲ୍ଲା ? ରାତ୍ରି ପରେ ରାତ୍ରି ମୋର ଅଜ୍ଞାତରେ ମତେ ବିପଦରୁ ରକ୍ଷା କରିବାପାଇଁ ପହରା ଦେଉଥିଲା କାହିଁକି ? ରକ୍ତମାଂସର ରାଣାଦିଲ୍‌ ପାଇଁ କେବେହେଲେ ନୁହେଁ–ନର୍ତ୍ତକୀ ରାଣାଦିଲ୍‌, ସଙ୍ଗୀତଜ୍ଞ ରାଣାଦିଲ୍‌ ପାଇଁ ।

 

କେଉଁଟି ସ୍ୱର୍ଗୀୟ ? ବଜରାରେ ଗୋଟିଏ ରାତ୍ରିର ଅପରିତୃପ୍ତ ସୁଖ, ନା ମୋର ନୃତ୍ୟର ଛନ୍ଦ ଓ ସୁଲଳିତ କଣ୍ଠସ୍ୱର ? ଜବାବ ଦେବାପରି ଦୁଃସାହସ ମୋର ନାହିଁ । ତା’ହେଲେ ମାନବୀ ରାଣାଦିଲ୍‌ ଶିଳ୍ପୀ ରାଣାଦିଲ୍‌କୁ ହତ୍ୟା କରିବ ।

 

ବେଶ୍‌ କିଛିଦିନ କଟିଗଲା । ଦାରାଙ୍କର କୌଣସି ଖବର ନାହିଁ । ତାଙ୍କର ସାମୟିକ ମୋହ ମତେ ବେଗମ୍‌ କରିବାପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ସେଦିନର ସାରା ରାତ୍ରି ଅନିଦ୍ରା ଶେଷରେ, ହାରେମ୍‌ର ସୁକୋମଳ ପଲଙ୍କରେ ଦିବାନିଦ୍ରା ପରେ ସେହି ପ୍ରତିଶ୍ରୁତି ତାଙ୍କ ନିକଟରେ ଅଦ୍ଭୁତ ବୋଲି ନିଶ୍ଚୟ ମନେହୋଇଥିବ । ସେଥିପାଇଁ ବୋଧେ ଦାରା ମୋ ପାଖକୁ ଆସିବା ବନ୍ଦକରିଛନ୍ତି । କିନ୍ତୁ ମୁଁ ଜାଣେ ସେ ଆସିବେ; କାରଣ ମୋ ଦୁର୍ବଳତା କଥା ସେ ଜାଣିଛନ୍ତି । ସେଦିନ ସରଳ ଭାବରେ ନିଜର ଦେହ ସହିତ ମୋର ମନକୁ ମଧ୍ୟ ଉନ୍ନୋଚିତ କରିଦେଇଥିଲି–ତେଣୁ ସେ ନଆସି ରହିପାରିବେ ନାହିଁ । ସେ ଯଦି ଦାରା ନହୋଇ ଅନ୍ୟ କୌଣସି ନବାବ, ବାଦଶାହା ବା ରାଜା ହୋଇଥାନ୍ତେ, ତା’ ହେଲେ ବହୁବାର ମୋ ପାଖକୁ ଆସିଥାନ୍ତେ । ଦାରା ଆସିବାକୁ ସଙ୍କୋଚ ବୋଧକରୁଛନ୍ତି । ତାଙ୍କ ମନ ଅତ୍ୟନ୍ତ ସଂସ୍କୃତିସମ୍ପନ୍ନ । ତାଙ୍କ ହୃଦୟର ସୂକ୍ଷ୍ମତା ଐଶ୍ୱର୍ଯ୍ୟର ଘର୍ଷଣରେ ବିକୃତ ହୋଇଯାଇନାହିଁ ।

 

କିନ୍ତୁ ମତେ ସେ ଆଉ ଦେଖିବାକୁ ପାଇବେ ନାହିଁ । ଗୋଟିଏ ଦିନର ସ୍ଖଳନ ପାଇଁ ମୁଁ ନିଜକୁ କ୍ଷମାକରିପାରେ; କିନ୍ତୁ ଦୁଇ ବା ତିନି ଦିନ ସ୍ଖଳନର ଅର୍ଥ ଦାରାଙ୍କର ଉପପତ୍ନୀ ଭାବରେ ନିଜକୁ ସ୍ୱୀକାର କରିନେବା । ତା’ ଅସମ୍ଭବ ।

 

ମୃତ୍ୟୁ ପାଇଁ ମୁଁ ପ୍ରସ୍ତୁତ ହେଲି । କିପରି ଭାବରେ ମୃତ୍ୟୁକୁ ବରଣ କରିବି, ଏହି ଚିନ୍ତାରେ ଦିନ ପରେ ଦିନ କଟିଗଲା । ମୋର ନୃତ୍ୟ ଗୀତ ବନ୍ଦହୋଇଛି । ପଥିକମାନେ ଆଉ ତାଙ୍କର ରାଣାଦିଲ୍‌କୁ ରାଜପଥରେ ଦେଖିବାକୁ ପାଇନାହାନ୍ତି । ଆବଦୁଲ୍ଲା ପାଖରୁ ସେମାନେ ନିଶ୍ଚୟ ଇତି ମଧ୍ୟରେ ଜାଣିବାକୁ ପାଇଥିବେ ଯେ ରାଣାଦିଲ୍‌ର ପ୍ରକାରାନ୍ତରରେ ମୃତ୍ୟୁ ଘଟିଛି । ସେମାନେ ନିଶ୍ଚୟ ହତାଶ ବୋଧ କରୁଥିବେ । ବିଦ୍ରୂପର ହସ ମଧ୍ୟ କେହି କଣ ହସିନଥିବେ ? ସେମାନେ ଜାଣନ୍ତି ନାହିଁ, ପ୍ରକୃତରେ ରାଣାଦିଲ୍‌ ମୃତ୍ୟୁଆଡ଼କୁ ଆଗେଇ ଚାଲିଛି । ସେହି ମୃତ୍ୟୁର ଉପାୟ ଉଦ୍‌ଭାବନ ପାଇଁ ଦିନ ପରେ ଦିନ ତା’ର ମସ୍ତିଷ୍କ ଚିନ୍ତାଭାରାକ୍ରାନ୍ତ । ଗୃହରେ ଖାଦ୍ୟାଭାବ । ଆଉ ଗୋଟିଏ ଦିନ ପରେ ଅନାହାର ଛଡ଼ା ଅନ୍ୟ ଗତି ନାହିଁ । ତଥାପି ମୁଁ ବାହାରକୁ ଯାଏନାହିଁ । ମରିବା ପାଇଁ ମୁଁ ଯେତେବେଳେ ଦୃଢ଼ସଂକଳ୍ପ, ସେତେବେଳେ ଖାଦ୍ୟ ନଥିଲେ ମଧ୍ୟ କିଛି ଯାଏ–ଆସେ ନାହିଁ ।

 

କିନ୍ତୁ କେମିତି ମରିବି ? କେହି ମତେ କହିଦେଇପାରିବେ ? ପହଁରା ନଜାଣିଲେ ମଧ୍ୟ ଯମୁନାଜଳରେ ଆତ୍ମହତ୍ୟା କରିବାର ଇଚ୍ଛା ମଧ୍ୟ ମୋର ନାହିଁ । ଦେହଟା ଫୁଲି ଭାସିଉଠିବ । ବଡ଼ ଖରାପ ଦେଖାଯିବ । ନିଆଁରେ ପୋଡ଼ି ହୋଇ ଆତ୍ମହତ୍ୟା କରିବି ? ଶୁଣଛି, ଅଗ୍ନିଦଗ୍‌ଧ ହୋଇ ଆତ୍ମହତ୍ୟା କରିବା ବଡ଼ କଷ୍ଟ । ତେବେ ?

 

ହଠାତ୍‌ ଦିନେ ମନେପଡ଼ିଲା ବୃଦ୍ଧ ଏନାୟେତ୍‌ର କଥା । ନିରାଶାର ଅନ୍ଧକାରରେ ଏହି ଏନାୟେତ୍‌ ଯେପରି ଏକ ଆଲୋକବର୍ତ୍ତିକା । ହଁ, ସେ ପାରିବ । ବେଶି ସମୟ କଷ୍ଟ ଭୋଗିବାକୁ ହେବନାହିଁ । କେତୋଟି ମୁହୂର୍ତ୍ତ ମଧ୍ୟରେ ଶରୀରକୁ ମୃତ୍ୟୁର ଶୀତଳତା ଗ୍ରାସ କରିବ । ଦାରାଙ୍କର ଶତକୋଟି ଆଦର ମଧ୍ୟ ସେ ଶୀତଳତାକୁ ହ୍ରାସ କରିପାରିବ ନାହିଁ । ଏନାୟେତ୍‌ ବିଷଧର ସର୍ପଙ୍କଠାରୁ ବିଷ ସଂଗ୍ରହକରି ହାକିମ୍‌ମାନଙ୍କୁ ଦିଏ ଔଷଧ ତିଆରି କରିବାପାଇଁ । ମୁଁ ଶୁଣିଛି, ବହୁ ଲୋକ ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ପାଇବାପାଇଁ ଲୁଚି ଲୁଚି ଏନାୟେତ୍‌ ପାଖକୁ ଯାଆନ୍ତି ।

 

ଦିନେ କୃଷ୍ଣପକ୍ଷ ରାତ୍ରିରେ ଘରୁ ବାହାରିଲି । କେଉଁଠାରେ ଆଲୋକର ଚିହ୍ନ ସୁଦ୍ଧା ନାହିଁ-। ଏହି ଦରିଦ୍ର ପଲ୍ଲୀରେ ଆଲୋକର ଏକାନ୍ତ ଅଭାବ । ଏଠାରେ ଗୃହଗୁଡ଼ିକରେ ଆଲୋକ ନାହିଁ; ଜୀବନରେ ଓ ମନରେ ମଧ୍ୟ ଆଲୋକ ନାହିଁ । ଓଢ଼ଣାଟିକୁ ଭଲରୂପେ ମୁହଁ ଉପରକୁ ଟାଣିଦେଲି । ଆକାଶରେ ଅସଂଖ୍ୟ ତାରା । ସେମାନେ ମତେ କଣ ଡାକୁଛନ୍ତି ? ସେମାନଙ୍କ ମୁହଁରେ ଦୁଷ୍ଟାମିର ହସ । ସେମାନେ ଦୁଷ୍ଟ ହେଲେ ମଧ୍ୟ ଅସହାୟ–ସେ କଥା ସେମାନେ ବୁଝନ୍ତି ନାହିଁ; ଠିକ୍‌ ଯେମିତି ସେମାନେ ମାତୃହରା ଶିଶୁ–ଯେତେ ସମୟ ପର୍ଯ୍ୟନ୍ତ ଗର୍ଭରେ ରହିଛନ୍ତି, ସେତେବେଳ ପର୍ଯ୍ୟନ୍ତ ସେମାନଙ୍କର ଆନନ୍ଦ । ତା’ପରେ କ୍ଷୁଧାର ତାଡ଼ନାରେ ସମସ୍ତେ ଏକସଙ୍ଗରେ କାନ୍ଦିବାକୁ ଆରମ୍ଭ କରିବେ । ଏକଥା ଭାବିଲାବେଳକୁ ମୁଣ୍ଡଟା କେମିତି ଘୂରେଇ ଦିଏ-। ଏହି କୋଟି କୋଟି ଶିଶୁର କ୍ରନ୍ଦନରେ ମୁଖରିତ ଆକାଶକୁ ନେଇ ପୃଥିବୀ କଣ କରିବ-? ତା’ର ଅବସ୍ଥା କଣ ହେବ-? ନା, ଆଉ ଭାବିପାରୁନାହିଁ ।

 

ମତେ କାନ୍ଦମାଡ଼ିଲା । କାହିଁକି କାନ୍ଦ ମାଡ଼ିଲା ବୁଝିପାରିଲି ନାହିଁ । ମାଟି ଉପରେ ବସିପଡ଼ି ସେହି କାନ୍ଦକୁ ଚାପିବାକୁ ଚେଷ୍ଟା କଲି । କାରଣ ଡେରିକଲେ ଆଉ ଚଳିବ ନାହିଁ । ଏନାୟେତ୍‌ ପାଖକୁ ଯିବାକୁ ପଡ଼ିବ । ଦୁଇ ହାତରେ ଛାତିକୁ ଚାପିଧରି ଉଠି ଛିଡ଼ାହେଲି ।

 

–ରାଣାଦିଲ୍‌ !

 

–କିଏ ?

 

–ଆର୍ତ୍ତନାଦ କରି ଉଠିଲି । ମୋ ପାଖରେ ଯେଉଁ ଲୋକଟି ଛିଡ଼ା ହୋଇଥିଲା, ତାକୁ ଅନ୍ଧାରରେ ଦେଖିପାରୁନଥିଲି ।

 

–ମୁଁ ଆବଦୁଲ୍ଲା ।

 

–ଓ ହୋ, ଆବଦୁଲ୍ଲା ? କାହିଁକି ପୁଣି ଆସିଛ ? ତୁମେମାନେ ତ ମତେ ଚାହଁନାହିଁ । ଚାଲିଯାଅ । ମୁଁ ତୁମମାନଙ୍କୁ ଚାହେଁନାହିଁ ।

 

–ଏମିତି ଏକା କେବେ ଯିବ ନାହିଁ । ଦିନର ନଗରୀ ତୁମର ପରିଚିତ ହେଲେ ମଧ୍ୟ ରାତ୍ରିର ନଗରୀ ସମ୍ୱନ୍ଧରେ ତୁମର ଧାରଣା ନାହିଁ ।

 

–ନଥାଉ । ତୁମେ ଚାଲିଯାଅ । କାହିଁକି ମତେ କଷ୍ଟଦେବାକୁ ଆସିଛ ? କି ଅଧିକାର ତୁମର ଅଛି ?

 

ରାଗରେ, ଦୁଃଖରେ ମୋର ଉଷ୍ଣ ମସ୍ତିଷ୍କ ଆହୁରି ଉତ୍ତପ୍ତ ହୋଇ ଉଠିଲା । ଉନ୍ନାଦିନୀ ପରି ମୁଁ ଆବଦୁଲ୍ଲାର ଗୋଟିଏ ହାତ କାମୁଡ଼ିଦେଲି । ସେ କିନ୍ତୁ ଶାନ୍ତ, ଅବିଚଳ । ହାତ ଟାଣିନେବାର ଚେଷ୍ଟା ମଧ୍ୟ କଲା ନାହିଁ । ମୁଁ ଚିତ୍କାର କରି କହିଲି–ଚାଲିଯାଅ ।

 

ତଥାପି ସେ ଗଲାନାହିଁ ।

 

–ଯିବନାହିଁ ?

 

–ନା ।

 

–ଜାଣ ମୁଁ କାହାପାଖକୁ ଅଭିସାରରେ ଯାଉଛି ? ଇଚ୍ଛା କଲେ ତୁମପରି ଶତସହସ୍ର ଆବଦୁଲ୍ଲାଙ୍କୁ ଗୋଟିଏ ହୁକୁମରେ ଶେଷ କରି ଦେଇପାରେ ।

 

–କାହାପାଖକୁ ଯାଉଛ ରାଣାଦିଲ୍‌ ?

 

–ତୁମେ ଜାଣ ନାହିଁ ? ସେଦିନ ମତେ ଦେଖି ମଧ୍ୟ ବୁଝିପାରୁନାହଁ ?

 

–ସେଦିନ ତ ଦାରାଙ୍କର ଆହ୍ୱାନରେ ଯାଇଥିଲ ? କିନ୍ତୁ ଆଜି ?

 

–ତୁମେ ମତେ ଏତେ ଛୋଟ ଭାବୁଛ ? ମୁଁ ସବୁଦିନ ନୂତନ ଅଭିସାରରେ ଯିବି ?

 

–ମୁଁ କିଛି ଭାବୁନାହିଁ । ତଥାପି ତୁମେ ଯଦି କହ ଆଜି ଦାରାଙ୍କ ପାଖକୁ ଯାଉଛ, ମୁଁ ବିଶ୍ୱାସ କରିବି ନାହିଁ ।

 

–ତୁମେ ମୋ ସାଙ୍ଗରେ ଯିବ ?

 

–କେଉଁଠିକି ?

 

–ମୁଁ ଯେଉଁଠିକ ଯିବି । ତୁମେ ସାଙ୍ଗରେ ଥିଲେ ରାତ୍ରିର ନଗରୀକୁ ମୁଁ ଭୟ କରିବି ନାହିଁ-। ଯିବ ?

 

–କେତେଦୂର ?

 

–ବେଶି ଦୂର ନୁହେଁ । କିଛି ସମୟ ମଧ୍ୟରେ ଫେରିଆସିବା ।

 

–ଫେରିଆସିବ ?

 

–ହଁ

 

–ତୁମେ ଯେ କହିଲ....

 

–ମିଥ୍ୟା ।

 

–ବେଶ୍‌, ଚାଲ ।

 

ମନେ ମନେ କହିଲି, ହେ ଭଗବାନ ! ଆବଦୁଲ୍ଲା ଯେପରି ଏନାୟେତ୍‌ର ଅସଲ ପରିଚୟ ଜାଣିନପାରେ । ଆବଦୁଲ୍ଲାକୁ କିଛି ଦୂରରେ ଅପେକ୍ଷା କରିବାକୁ କହି ଏନାୟେତ୍‌ ପାଖରୁ ବିଷ ନେଇ ଚାଲିଆସିବି ।

 

ଏନାୟେତ୍‌ର ଘର ପାଖ ହୋଇ ଆସିଲା । ଆବଦୁଲ୍ଲା ପଚାରିଲା–ରାଣାଦିଲ୍‌, ତୁମର କଣ ଏନାୟେତ୍‌ ପାଖରେ କିଛି କାମ ଅଛି ?

 

ଛାତି ଥରିଉଠିଲା । ଆବଦୁଲ୍ଲା କଣ ଏନାୟେତକୁ ଚିହ୍ନେ ? କିଛି ସମୟ ପୂର୍ବରୁ ଆବଦୁଲ୍ଲାର ଯେଉଁ ହାତକୁ କାମୁଡ଼ି ଦେଇଥିଲି, ସେହି ହାତକୁ ଧରି କହିଲି–ଗୋଟିଏ କଥା ପଚାରିବି, ସତ କହିବ ?

 

–କି କଥା ରାଣାଦିଲ୍ ?

 

–ମତେ ତୁମେ ଭଲପାଅ ?

 

–ସତ କଥା ତୁମେ ଶୁଣିବାକୁ ଚାହଁ ?

 

–ହଁ । ତା’ହେଲେ ତୁମକୁ କେତେଟା କଥା କହିଦେଇପାରିଲେ ମୁଁ ଶାନ୍ତିପାଇବି ।

 

–ରାଣାଦିଲ୍‌, ତୁମପ୍ରତି ମୋର ଯଦି କିଛି ଆକର୍ଷଣ ଥାଏ, ତେବେ କଣ ମୁଁ ଦୋଷୀ ?

 

–ନା

 

–କିନ୍ତୁ ତୁମକୁ ସେପରି ଭାବରେ ଦେଖିବାକୁ ଚେଷ୍ଟାକରି ମୁଁ ବ୍ୟର୍ଥ ହୋଇଛି । ତୁମର ମୁହଁକୁ ମୋ ବକ୍ଷ ଉପରେ କଳ୍ପନାକରି ମୁଁ ବ୍ୟର୍ଥ ହୋଇଛି । ତୁମକୁ ମୋ ଆଲିଙ୍ଗନ ଭିତରେ କଳ୍ପନା କରିବାକୁ ଚେଷ୍ଟା କରିଛି–ଠିକ୍‌ ଭାବରେ ପାରିନାହିଁ । ପରେ ବୁଝିଛି, ତୁମେ ନାରୀ ହେଲେ ମଧ୍ୟ ତା’ଠାରୁ ତୁମର ବଡ଼ ପରିଚୟ ଦେଲା, ତୁମେ ଶିଳ୍ପୀ । ତୁମକୁ ବିବାହ କଲେ ମୋ ଜୀବନ ଧନ୍ୟହୋଇପାରେ; କିନ୍ତୁ ତୁମେ ବହୁତ ତଳକୁ ଖସିଯିବ । ଏଇ ତ ନିର୍ଜନ ରାତ୍ରି । ତୁମେ ରୂପସୀ । କି ଅସାମାନ୍ୟା ରୂପସୀ ତୁମେ ନିଜେ ମଧ୍ୟ ଜାଣ ନାହିଁ । ମୋର ଅଦମ୍ୟ ଲୋଭ ରହିବା ସ୍ୱାଭାବିକ-। ତଥାପି ତୁମେ ନିରାପଦ । ତୁମେ ଯେ ଶିଳ୍ପୀ–ମୁଁ ସଙ୍ଗୀତ ଓ ନୃତ୍ୟ ପାଗଳ ।

 

ମୋ ଚକ୍ଷୁରୁ ଅଶ୍ରୁ ଗଡ଼ିପଡ଼ିଲା । ଏମିତି ଗୋଟିଏ ଲୋକ ବାଦଶାହଜାଦା ହୋଇ ଜନ୍ମ ହେଲା ନାହିଁ କାହିଁକି ?

 

–ତୁମକୁ ମୁଁ ସବୁକଥା କହିବି ଆବଦୁଲ୍ଲା ! ଗୋପନ କଲେ ଅନ୍ୟାୟ ହେବ । ଏନାୟେତ୍ ପାଖରୁ ମୁଁ ବିଷ ନେବାକୁ ଆସିଛି । ଆତ୍ମହତ୍ୟା କରିବି ।

 

–କାହିଁକି ରାଣାଦିଲ୍‌ ?

 

–ଦାରାଙ୍କର ଉପପତ୍ନୀ ହେବାକୁ ମୁଁ ଚାହେଁ ନାହିଁ ।

 

–ହେବା ମଧ୍ୟ ଦରକାର ନାହିଁ ।

 

–କିନ୍ତୁ ମୁଁ ଯେ ତାଙ୍କୁ ଭଲପାଏ । କାହିଁକି ଭଲପାଇଲି ଜାଣେନା । ଐଶ୍ୱର୍ଯ୍ୟ ମୋର ଅସହ୍ୟ । ହାରେମ୍‌କୁ ମୁଁ ଘୃଣା କରେ । ତଥାପି....

 

–ଏଥିରେ କାହାର ହାତ ନାହିଁ ରାଣାଦିଲ୍‌ !

 

–ତୁମେ ମତେ ଆତ୍ମହତ୍ୟା ପାଇଁ ସାହାଯ୍ୟ କର ।

 

–ନା ।

 

–ଉପପତ୍ନୀ ହୋଇ ମୁଁ ବଞ୍ଚିପାରିବି ନାହିଁ । ମୁଁ କଳୁଷିତ ।

 

–ତଥାପି....

 

–ସମ୍ଭବ ନୁହେଁ ଆବଦୁଲ୍ଲା !

 

–ଅନ୍ତତଃ ଗୋଟିଏ ମାସ ଅପେକ୍ଷା କର ।

 

–କାହିଁକି ?

 

–ଆଉ ପ୍ରଶ୍ନ କର ନାହିଁ । ଚାଲ ଫେରିଯିବା ।

 

ଗୋଟିଏ ମାସ ଅପେକ୍ଷା କରିବାକୁ ପଡ଼ିଲା ନାହିଁ, ଗୋଟିଏ ଦିନ ମଧ୍ୟ ନୁହେଁ । ଠିକ୍‌ ପରଦିନ ଖୋଜା ମତଲବ୍‌ ଖାଁ ହାରେମ୍‌ରୁ ଏମିତି ଗୋଟିଏ ସମ୍ୱାଦ ନେଇ ଉପସ୍ଥିତ ହେଲା, ଯାହା ଥିଲା କଳ୍ପନାର ଅତୀତ । ଆବଦୁଲ୍ଲାର ଉପସ୍ଥିତି ଏବଂ ହସ୍ତକ୍ଷେପ ଯୋଗୁଁ ବିଷପାନରେ ବ୍ୟର୍ଥ ହୋଇ ମନ ମୋର ଚଞ୍ଚଳ ଥିଲା । ସାରାଦିନ ଛଟପଟ କରି ସନ୍ଧ୍ୟାବେଳେ ଯମୁନା କୂଳରେ ଜଣେ ଫକୀର ସାହେବଙ୍କ ପାଖକୁ ଯିବାପାଇଁ ଉଦ୍‌ଯୋଗ କରୁଥିଲି, ସେହି ସମୟରେ ମତଲବ୍‌ ଆସିଲା-। ସେ ଖୁବ୍‌ ବିମର୍ଷ ଦେଖାଯାଉଥିଲା ।

 

–ଆଜିକାଲି ତ ଭଉଣୀକୁ ଭୁଲିଯାଉଛ ମତଲବ୍‌ ?

 

–ଭୁଲିନାହିଁ ବୋଲି ଆସେନାହିଁ ।

 

–ଆଜି କାହିଁକି ଆସିଛ ?

 

–ହୁକୁମରେ ।

 

ଦାରା ହୁକୁମ କରିଛନ୍ତି ଏଠାକୁ ଆସିବାପାଇଁ ? କିନ୍ତୁ କାହିଁକି ? ଆଉ ଥରେ କଣ ଯମୁନାର ସ୍ରୋତରେ ରାତ୍ରିର ଅଭିସାର ? ଦାରା ମତେ ଚିହ୍ନିବାରେ ଭୁଲ କରିଛନ୍ତି ।

 

–ଦାରା କେମିତି ଜାଣିଲେ ଯେ ତୁମେ ମତେ ଜାଣ ?

 

–ସେ ଠିକ୍‌ ଜାଣନ୍ତି ନାହିଁ ।

 

–ତେବେ ?

 

–କେହି ଜାଣନ୍ତି ନାହିଁ ଏକଥା । ବାଦଶାହଜାଦା ନିଜେ ତୁମ ଠିକଣା କହିଛନ୍ତି ।

 

–ସେ ନିଜେ କହିଛନ୍ତି ? ମତେ ସେ କଣ ଭାବିଛନ୍ତି ? ଭାବିଛନ୍ତି ମୁଁ ଲୋକ ପଠେଇଲେ ଚାଲିଯିବି ?

 

–ତୁମେ ଏସବୁ କଣ କହୁଛ ଭଉଣୀ ?

 

–ଠିକ୍‌ କହିଛି । ତୁମେ ଚାଲିଯାଅ । ବର୍ତ୍ତମାନ ତୁମେ ମୋର ଭାଇ ନୁହଁ । ତୁମେ ମତଲବ୍‌ ଖାଁ, ଦାରାଙ୍କର ଦୂତ ।

 

–ଭଉଣୀ, ତୁମେ ଏତେ ରାଗୁଛ କାହିଁକି ବୁଝିପାରୁନାହିଁ ।

 

–ତୁମେ ବୁଝିପାରିବ ନାହିଁ । ତୁମେସବୁ ଚାକର । ମାଲିକର ସ୍ୱାର୍ଥ ଛଡ଼ା ତୁମ ମୁଣ୍ଡରେ କିଛି ପଶେ ନାହିଁ । ଭଉଣୀର ମନକୁ ମଧ୍ୟ ବୁଝିବାକୁ ଚାହଁନାହିଁ ।

 

–ତୁମକୁ ଜାହାନ୍ନାରା ବେଗମ ଡାକିଛନ୍ତି । ତାଙ୍କରି ଆଦେଶରେ ମୁଁ ଆସିଛି ।

 

–ଜାହାନ୍ନାରା ବେଗମ୍‌ ମତେ ଡାକିଛନ୍ତି ?

 

–ହଁ । ତୁମେ ବୋଧେ ଜାଣନାହିଁ, ମମତାଜ ବେଗମ୍‌ଙ୍କ ମୃତ୍ୟୁ ପରେ ଜାହାନ୍ନାରା ବେଗମ୍‌ଙ୍କର କ୍ଷମତା ସମଗ୍ର ହିନ୍ଦୁସ୍ଥାନରେ ସବୁଠାରୁ ବେଶି ।

 

–ଶୁଣିଛି, କିନ୍ତୁ ମତେ ତ ସେ ଚିହ୍ନନ୍ତି ନାହିଁ । କାହିଁକି ଡାକିଛନ୍ତି ?

 

–ତୁମେ ଗଲେ ବୁଝିପାରିବ ଏବଂ ସେଥିରେ ତୁମର ମଙ୍ଗଳ ହେବ ଭଉଣୀ !

 

ମତଲବ୍ ଖାଁ ହୁଏତ ଭାବୁଛି ହାରେମ୍‌ରେ ବନ୍ଦୀ ହୋଇ ରହିଲେ ମୋର ମଙ୍ଗଳ । ତାର କିଛି ଦୋଷ ନାହିଁ । ଓସ୍ତାଦ୍‌ଜୀ ତ ଦିନେ ଏଇ କଥା ଭାବୁଥିଲେ ।

 

–ଜାହାନ୍ନାରା ବେଗମ୍‌ଙ୍କୁ ଜଣେଇଦିଅ ଯେ ମୁଁ ଯାଇପାରିବି ନାହିଁ ।

 

–କିନ୍ତୁ ଏହାର ଫଳ କଣ ହେବ ବୁଝିପାରୁଛ ?

 

–ହଁ; ମୃତ୍ୟୁ । ତା’ଠାରୁ ଆଉ ଅଧିକ କଣ ହେବ ?

 

–ସେ କଥା ମୁଁ କହୁନାହିଁ । ତେବେ ମୁତ୍ୟୁଠାରୁ ଆହୁରି ଭୟଙ୍କର ଶାସ୍ତିର ମଧ୍ୟ ଅଭାବ ନାହିଁ । ସେହି ଶାସ୍ତିକଥା ଚିନ୍ତାକଲେ ତୁମେ ମଧ୍ୟ ଶିହରିଉଠିବ । କିନ୍ତୁ ମୁଁ ସେ କଥା ମଧ୍ୟ କହୁନାହିଁ ।

 

–ତେବେ ?

 

–ଏହାର ଫଳ, ଦାରାଙ୍କର ମୃତ୍ୟୁ ।

 

ଦାରାଙ୍କର ମୃତ୍ୟୁ ? ମୁଁ ନଗଲେ ଦାରାଙ୍କୁ ମୃତ୍ୟୁଦଣ୍ଡ ଦିଆହେବ ? ଅର୍ଥାତ୍‌, ସେଦିନ ରାତ୍ରିରେ ଯମୁନାରେ ଜଳବିହାରକୁ ଶାହନଶାହ ବିଷଦୃଷ୍ଟିରେ ଦେଖିଛନ୍ତି ? ଏଥିପାଇଁ ନିଜର ପ୍ରିୟତମ ପୁତ୍ରର ଜୀବନକୁ ମଧ୍ୟ ତୁଚ୍ଛ ମନେକରିଛନ୍ତି ? ସେ କଣ ତେବେ ଚାହାନ୍ତି ନର୍ତ୍ତକୀ ରାଣାଦିଲ୍‌ ହାରେମ୍‌ରେ ଯାଇ ରହିବ ଏବଂ ଦାରାଙ୍କର କାମନାବହ୍ନିରେ ଘୃତାହୁତି ଦେବ ଯେତେଦିନ ପର୍ଯ୍ୟନ୍ତ ଦାରାଙ୍କର ମୋହଭଙ୍ଗ ନହୋଇଛି ? ଗୋଟିଏ ଦିଗରେ ଦାରାଙ୍କର ଜୀବନ ଏବଂ ଅନ୍ୟ ଦିଗରେ ମୋର ଆଦର୍ଶ ଓ ଆତ୍ମସମ୍ମାନ । କେଉଁଟିକି ବାଛିନେବି ?

 

ମୁହୂର୍ତ୍ତକ ଚିନ୍ତାରେ ସବୁ ପରିଷ୍କାର ହୋଇଗଲା । ଏନାୟେତ୍ । ମୋର ମୃତ୍ୟୁରେ ସବୁ ଜଟିଳତାର ପରିସମାପ୍ତି ଘଟିବ । ମତଲବ୍‌କୁ ଚାହିଁ କହିଲି–ତୁମେ କଣ ମତେ ଭଉଣୀ ବୋଲି ସ୍ୱୀକାର କର ?

 

–ସେ କଥା କଣ ମୁହଁ ଖୋଲି କହିବାକୁ ପଡ଼ିବ ? ଏତେଦିନ ପର୍ଯ୍ୟନ୍ତ ବୁଝିପାରିନାହଁ ।

 

–ତା’ହେଲେ ସିଧା ଚାଲିଯାଅ । ଜାହାନ୍ନାରା ବେଗମଙ୍କ ପାଖକୁ ଯାଇ ନିର୍ଭୟରେ କହ ରାଣାଦିଲ୍‌ର ମୃତ୍ୟୁ ହୋଇଛି ।

 

–ମିଥ୍ୟା କହିବି ?

 

–ନା’ ବର୍ତ୍ତମାନ ମତେ ଯେପରି ଜୀବିତ ଅବସ୍ଥାରେ ଦେଖୁଛ, ଆଜି ରାତ୍ରିପରେ ମୋର ମୃତ୍ୟୁ ମଧ୍ୟ ସେହିପରି ସତ୍ୟ ହେବ । ଆଜି ପରେ ମତେ କେହି ଆଉ ଦେଖିବାକୁ ପାଇବେ ନାହିଁ ।

 

–ତୁମେ ଏତେ ନିର୍ଦ୍ଦୟ ।

 

–ମୋର କଷ୍ଟ ତୁମେ ବୁଝିପାରିବ ନାହିଁ ।

 

–ହୁଏତ ବୁଝିପାରିବି ନାହିଁ । କିନ୍ତୁ ମୁଁ ଯଦି ରାଣାଦିଲ୍‌ ହୋଇଥାନ୍ତି, ଏତେ ନିର୍ଦ୍ଦୟ ହୋଇପାରନ୍ତି ନାହିଁ । ମୋ ପାଇଁ ଦିଲ୍ଲୀର ଭାବୀବାଦଶାହଙ୍କର ମୃତ୍ୟୁ ହେବ–ଏକଥା ସହ୍ୟ କରିପାରନ୍ତି ନାହିଁ ।

 

–ମୁଁ ନରହିଲେ ତାଙ୍କ ଜୀବନପ୍ରତି କୌଣସି ଆଶଙ୍କା ମଧ୍ୟ ରହିବ ନାହିଁ ।

 

–ତୁମେ କଣ କହୁଛ ? ଥରେ ସେ ରୂପ ଦେଖିଛ ? ପଲଙ୍କ ସହିତ ତାଙ୍କ ଦେହ ମିଶିଯାଉଛି । ତୁମେ ଚିହ୍ନି ପାରିବ ନାହିଁ ।

 

–ସେ କଣ ଅସୁସ୍ଥ ?

 

–ହଁ । କାହିଁକି ଜାଣ ? ହାରେମ୍‌ରେ ଚୁପ୍‌ଚୁପ୍‌ କଥାବାର୍ତ୍ତ ହେଉଛନ୍ତି; ବିଶ୍ୱାସ କରୁନଥିଲି-। ଶୁଣିଲି, ତୁମକୁ ବେଗମ୍‌ କରିବାପାଇଁ ସେ ବାରମ୍ୱାର ଶାହନଶାହଙ୍କ ପାଖରେ ପ୍ରସ୍ତାବ ଦେଇ ବ୍ୟର୍ଥ ହୋଇଛନ୍ତି । ଶେଷରେ ମନଦୁଃଖ ଓ ଚିନ୍ତାରେ ସେ ଶଯ୍ୟାଶାୟୀ । ବର୍ତ୍ତମାନ ତାଙ୍କ ଅବସ୍ଥା ବହୁତ ଖରାପ । ଜାହାନ୍ନାରା ବେଗମ୍‌ ତାଙ୍କୁ ଖୁବ୍‌ ଭଲପାଆନ୍ତି । କନ୍ୟାର କଥା ଶାହନଶାହ ତଳେ ପକେଇପାରିଲେ ନାହିଁ । ଜାହାନ୍ନାରା ବେଗ୍‌ମ ଶାହନଶାହଙ୍କୁ ପ୍ରାୟ ରାଜିକରେଇଛନ୍ତି-। ତେବେ ଗୋଟିଏ ସର୍ତ୍ତରେ–ତୁମକୁ ନିଜେ ଦେଖି ଯାହା ସିଦ୍ଧାନ୍ତ ଗ୍ରହଣ କରିବେ ।

 

ମୋର ଚକ୍ଷୁରୁ ଲୋତକଧାରା ବହିଗଲା । ଦାରାଙ୍କ ପାଇଁ ପ୍ରାଣ ବ୍ୟାକୁଳ ହୋଇଉଠିଲା-। ସେଦିନ ବଜରା ମଧ୍ୟରେ ଦାରାଙ୍କର ମନ୍ତବ୍ୟକୁ ଗୁରୁତ୍ୱ ଦେଇନଥିଲି–କାରଣ ସେ ଅତି ସହଜଭାବରେ କଥାଟା କହିଦେଇଥିଲେ । ସବୁ ବାଦଶାହଜାଦା ଏହିପରି କଥା କହିବାରେ ଓସ୍ତାଦ-। ଦାରାଙ୍କୁ ଚିହ୍ନିପାରିନଥିଲି । ମୁଁ ହତଭାଗୀ । ଅଥଚ ଏହି ହତଭାଗୀ ପାଇଁ ଦାରାଙ୍କ ପରି ଅସାଧାରଣ କ୍ଷମତାବାନ୍‌ ମନୁଷ୍ୟଟି ଆଜି ମୃତ୍ୟୁପଥଯାତ୍ରୀ ।

 

–ମତେ ବର୍ତ୍ତମାନ ନେଇ ଚାଲ ମତଲବ !

 

–ପାଦରେ ଚାଲିକରି ତ ଯାଇପାରିବ ନାହିଁ ।

 

–ପାରିବି ।

 

–ତେବେ, ବାଦଶାହଜାଦାଙ୍କ ସମ୍ମାନର କଥା ଭାବି ଏପରି ଭାବରେ ଯିବା ଠିକ୍‌ ହେବ ନାହିଁ । ତୁମେ ପ୍ରସ୍ତୁତ ହୋଇଥାଅ, ମୁଁ ଆସୁଛି ।

 

ମତଲବ ଦ୍ରୁତଗତିରେ ବାହାରି ଚାଲିଗଲା ।

 

ଜୀବନରେ ପ୍ରଥମ ଥରପାଇଁ ହାରେମ୍‌ରେ ପଦାର୍ପଣ କରିବାକୁ ଯାଉଛି । କେତେ କଥା ଏହି ହାରେମ୍‌ ସମ୍ୱନ୍ଧରେ ଶୁଣିଛି । କେତେ ପ୍ରବାଦ; କେତେ ଗଳ୍ପ ଶୁଣିଛି । ଏହିଠାରେ କେତେ ଅତୃପ୍ତ ବାସନା ନେଇ କେତେ ନାରୀ ଜଳିପୋଡ଼ି ମରିଛନ୍ତି । କେତେ ରମଣୀ ଐଶ୍ୱର୍ଯ୍ୟଲୋଭରେ ଏହି ମୃତ୍ୟୁ-ଫାନ୍ଦରେ ପାଦଦେଇଛନ୍ତି । କେତେ ନବାବନନ୍ଦିନୀ ଓ ରାଜକୁମାରୀ ପିତାର ସ୍ୱାଧୀନତା ସ୍ପୃହା ବ୍ୟର୍ଥ ହୋଇଛି ବୋଲି ଏଠାରେ ସ୍ଥାନ ପାଇଛନ୍ତି । ସେମାନଙ୍କ ପିତାଙ୍କର ଅପରାଧ, ମୋଗଲ ବିରୁଦ୍ଧରେ ଅସ୍ତ୍ରଧାରଣ । ଶୁଣିଛି, ଏହି ନାରୀମାନେ ବଡ଼ ଅବହେଳିତ । ସେମାନଙ୍କ ଭାଗ୍ୟରେ ବେଗମ୍‌ର ସମ୍ମାନ ନାହିଁ । ଏକ ବିନ୍ଦୁ ପ୍ରେମର ଆସ୍ଵାଦଲାଭର କ୍ଷୀଣତମ ସମ୍ଭାବନା ମଧ୍ୟ ସେମାନଙ୍କ ଜୀବନରେ କେବେହେଲେ ଆସେନାହିଁ । ଆଶ୍ରୟଦାତାର ଉନ୍ମତ୍ତ ଶୋଣିତ-ସ୍ରୋତକୁ ଶାନ୍ତ କରିବାପାଇଁ ନିଜକୁ ସମର୍ପଣ କରିବାକୁପଡ଼େ । ତା’ପରେ ପଥର କାନ୍ଥରେ ମୁଣ୍ଡ ପିଟି ପିଟି ଶେଷରେ ଅନେକ ପାଗଳ ମଧ୍ୟ ହୋଇଯାଆନ୍ତି ।

 

ସେହି ହାରେମ୍‌ରେ ମୁଁ ଆଜି ପ୍ରବେଶ କରିବାକୁ ଯାଉଛି । ସାଙ୍ଗରେ ଅଛି ମତଲବ ଖାଁ-। ଜାହାନ୍ନାରା ବେଗମ୍‌ଙ୍କର ସମ୍ମୁଖୀନ ହେବା କଥା ଭାବି ଛାତି ମୋର ଥରିଉଠୁଛି । ଦାରାଙ୍କର ଅବସ୍ଥା କଥା ଭାବି ମୁଣ୍ଡଭିତର ମୋର କଣ ହୋଇଯାଉଛି । ପ୍ରତି ପଦକ୍ଷେପରେ ବିସ୍ମୟ ଉଦ୍ରେକର ନବ ନବ ପର୍ଯ୍ୟାୟ ଉନ୍ମୋଚିତ ହେଉଛି । ଏତେ ଐଶ୍ୱର୍ଯ୍ୟ ଏଠାରେ ପୁଞ୍ଜୀଭୂତ ? ଏହି ବିପୁଳ ଐଶ୍ୱର୍ଯ୍ୟର ଭାବୀଉତ୍ତରାଧିକାରୀ ଦାରା ଯେ ମତେ ଭଲପାଆନ୍ତି । ସେ ଆଜି ମୋ ପାଇଁ ଶଯ୍ୟାଶାୟୀ ।

 

–କିଛିଦୂର ଗଲା ପରେ ମତଲବ ଖାଁ ଅଟକିଗଲା ।

 

–ଅଟକିଗଲା କାହିଁକି ?

 

–ତୁମେ ତ ଜାଣ, ପୂର୍ବରୁ ମୋ ଉପରେ ହାରେମ୍‍ର ଭାର ଥିଲା । ବର୍ତ୍ତମାନ ମୋ ଉପରେ ଆଉ ଜଣେ ଲୋକ ଅଛି । ତା’ପାଇଁ ଅପେକ୍ଷା କରିଛି ।

 

ଅଳ୍ପ ସମୟ ଅପେକ୍ଷା କଲା ପରେ ବାକିବେଗ୍ ଆସି ପହଞ୍ଚିଲା । ତା’ର ଚେହେରା ଓ ଦୃଷ୍ଟିର ତୀକ୍ଷ୍‌ଣତା ଦେଖି ବୁଝିପାରିଲି, ସେ ମତଲବ ପରି ସାଧାରଣ ମଣିଷ ନୁହେଁ । ବାକିବେଗ୍‌ ମୋ ଆଡ଼କୁ ଟିକିଏ ଚାହିଁଦେଇ ମତଲବକୁ କହିଲା–ଜିରାକ୍ ଓ ଦିଲ୍–ଆଓୟାର ସେପଟେ ଅପେକ୍ଷା କରିଛନ୍ତି । ତାଙ୍କ ପାଖରେ ପହଞ୍ଚେଇଦେଇ ଚାଲିଆସ ।

 

ମତଲବ କହିଲା–ମୁଁ ନେଇଗଲେ କିଛି କ୍ଷତି ହେବ ?

 

–ନା ! ତେବେ ଟିକିଏ ଅସୁବିଧା ଅଛି । ଶାହ ବୁଲଦ ଇକବାଲ୍‌ଙ୍କର ସେବାକରି ନାଦିରା ଟିକିଏ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ବିମାରଖାନାକୁ ନିଆଯାଇଛି ।

 

–ଓହୋ, ମୁଁ ଜାଣିନଥିଲି । କାଲି ସେ ଖୁବ୍ ଅସୁସ୍ଥ ମନେହେଉଥିଲା ।

 

–ହଁ ! ତେଣୁ ମୁଁ ଭାବୁଥିଲି, ତୁମର ସେଠିକି ଯିବା ଉଚିତ ହେବ କି ନାହିଁ ?

 

–ନା, ସେମାନେ ନେଇଯାଆନ୍ତୁ ।

 

ବାକିବେଗ୍ ଆଉ କିଛି ନକହି ବାଁପଟର ଗୋଟିଏ ପର୍ଦ୍ଦା ଆଡ଼େଇ ଅଦୃଶ୍ୟ ହୋଇଗଲା-

 

ମତଲବ ମତେ ନେଇ ଚାଲିଲା ଜିରାକ୍ ଓ ଦିଲ୍–ଆଓୟାରଙ୍କ ହାତରେ ସମର୍ପଣ କରି ଦେବାକୁ ।

 

–ଶାହ ବୁଲନ୍ଦ ଇକବାଲ୍ କିଏ ମତଲବ୍ ?

 

–ବାଦଶାହଜାଦା ଦାରାଶୁକୋ ।

 

–ଏହି ଉପାଧି କଥା ଜାଣିନଥିଲି–ଆଜି ପ୍ରଥମ କରି ଶୁଣିଲି । ଏମାନେ କଣ ମତେ ଦାରାଙ୍କ ପାଖକୁ ନେଇଯିବେ ? କିନ୍ତୁ ମତଲବ୍ ତ କହୁଥିଲା ଜାହାନ୍ନାରା ବେଗମ୍ ମତେ ପରୀକ୍ଷା କରି ଦେଖିବେ । ସେ କେଉଠିଁ ?

 

–ଛିଡ଼ାହେଲ କାହିଁକି ଭଉଣୀ !

 

–ମୁଁ କେଉଁଠିକି ଯାଉଛି ?

 

–ଶୁଣିଲ ତ !

 

–ତୁମେ ପରା ଜାହାନ୍ନାରା ବେଗମ୍‌ଙ୍କର କଥା କହୁଥିଲ ?

 

–ତୁମର ଏତେ କଥା ଭାବିବା ଦରକାର ନାହିଁ ।

 

ମତଲବ୍ କଥାରେ ଭୀତ ହେଲି । ଏମାନେ ମତେ ବନ୍ଦୀ କରିଛନ୍ତି । ଚାରିଦିଗରେ ପର୍ଦ୍ଦାଗୁଡ଼ିକ ଯେପରି ଗୋଟିଏ ଗୋଟିଏ ଫାଶ ହୋଇ ମୋର ଗଳାକୁ ଚାପି ଧରି ଶ୍ୱାସରୁଦ୍ଧ କରିଦେଉଛି । ମତଲବକୁ ପ୍ରତାରକ ବୋଲି ଭାବିପାରୁନଥିଲି । ବର୍ତ୍ତମାନ ଦାରା ମତେ ବେଗମ୍‌ର ସ୍ୱୀକୃତି ଦେବାକୁ ଅସ୍ୱୀକାର କରି ହାରେମ୍‌ରେ ଆବଦ୍ଧ କରି ରଖିପାରନ୍ତି । ପଳାୟନର ସମସ୍ତ ପଥ ରୁଦ୍ଧ ।

 

–ତୁମେ କଣ ଅସୁସ୍ଥ ?

–ନା ମତଲବ୍, ମତେ ବଡ଼ ଭୟଲାଗୁଛି ।

–କାହିଁକି ?

–ତୁମେ ବୋଧେ ସେମାନଙ୍କର କୌଶଳ ବୁଝିପାରିନାହଁ ?

–ମୁଁ ବାକିବେଗ୍ ପରି ଏତେ ଚତୁର ନହେଲେ ମଧ୍ୟ ବୋକା ନୁହେଁ ।

ମତଲବ ଅତି ସରଳ । ମୁଁ ବୁଝିଛି, ଜାହାନ୍ନାରା ବେଗମ୍ ମୋଗଲବଂଶର ସମ୍ମାନ ଅକ୍ଷୁଣ୍ଣ ରଖିବାପାଇଁ ଏବଂ ଭାଇର ଅମୂଲ୍ୟ ଜୀବନ ରକ୍ଷାକରିବାପାଇଁ ମତେ ହାରେମ୍‌କୁ ଆଣିଛନ୍ତି-। ମୁଁ ପାଖରେ ରହିଲେ ଦାରାଙ୍କର ମୃତ୍ୟୁ ହେବନାହିଁ । ସିଂହାସନ-ମୋହରେ ସେ କେବେହେଲେ ମତେ ବେଗମ୍ କରିବାକୁ ଚାହିଁବେନାହିଁ । ମୁଁ ପୋଷା ହାତୀ ପରି ତାଙ୍କ ଦ୍ୱାରଦେଶରେ ସବୁବେଳେ ରହିଥିବି ।

ଦୁଇଜଣ ଅଚିହ୍ନା ବ୍ୟକ୍ତିଙ୍କର ହସ୍ତରେ ମତେ ଅର୍ପଣ କରି ମତଲବ୍ ବିଦାୟ ନେଲା । ହତାଶାରେ ମୁଁ ଭଗ୍ନହୃଦୟ । ତଥାପି ଜାଣିଥିଲି, ଆତ୍ମହତ୍ୟାର ଆକୁଳତା ଥିଲେ କେହି ବାଧା ଦେଇ ପାରିବେ ନାହିଁ । ଦାରାଙ୍କର ସାନ୍ନିଧ୍ୟ ମଧ୍ୟ ମତେ ପୃଥିବୀରେ ବଞ୍ଚିରହିବାପାଇଁ ପ୍ରଲୋଭିତ କରିପାରିବନାହିଁ । ମୁଁ ଚାହେଁ ଦାରାଙ୍କର ଭଲପାଇବାର ସ୍ୱୀକୃତି । ସେହି ସ୍ୱୀକୃତି ମିଳିବ ସେ ମତେ ବେଗମ୍‌ କଲେ । ନହେଲେ ଶତ ସହସ୍ର ଲକ୍ଷ କୋଟି ଆଦରର କଥା ମଧ୍ୟ ମିଥ୍ୟା ଛଳନା ଛଡ଼ା ଆଉ କିଛି ନୁହେଁ ।

 

ମତେ ବନ୍ଦୀ କରି ରଖିବାର ସାଧ୍ୟ ଶାହନଶାହଙ୍କର ଶତସହସ୍ର ପ୍ରହରୀଙ୍କର ମଧ୍ୟ ନାହିଁ । ନିଶ୍ଚିନ୍ତରେ ସେମାନଙ୍କ ସାଙ୍ଗରେ ଆଗେଇଗଲି । ପାଦ ମୋର ଆଦୌ ଥରୁନଥିଲା । ଶ୍ୱାସପ୍ରଶ୍ୱାସ ସ୍ୱାଭାବିକ । ମୋର ଚିନ୍ତାର ବୋଝ କମିଆସିଲା । ଚକ୍ଷୁର ଦୃଷ୍ଟିରେ ସହଜ ଅନୁସନ୍ଧିତ୍ସା ଫେରିପାଇଲି ।

 

ସେମାନେ ମତେ ପ୍ରକୋଷ୍ଠ ପରେ ପ୍ରକୋଷ୍ଠ ପାରିକରିନେଇ ଚାଲିଲେ । ଏହାର କଣ ଶେଷ ନାହିଁ ? କେତେ ବଡ଼ ଏହି ହାରେମ୍ ? ଶେଷରେ ଗୋଟିଏ ସ୍ଥାନରେ ଆସି ସେମାନେ ଅଟକିଲେ । ମନେହେଲା, ଖୋଜାର ରାଜତ୍ୱ ବୋଧହୁଏ ଶେଷହେଲା; କାରଣ ଏଠାରେ ଦେଖିଲି, ସ୍ତ୍ରୀଲୋକମାନଙ୍କର ବ୍ୟସ୍ତତାପୂର୍ଣ୍ଣ ଯାତାୟାତ । ସେମାନେ ସମସ୍ତେ ମତେ କୌତୂହଳପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ ମଧ୍ୟ ଛିଡ଼ାହେବାକୁ ସାହସ କରି ପାରୁ ନଥିଲେ । ମନେହେଲା, କୌଣସି ଅଦୃଶ୍ୟ ଶକ୍ତି ସେମାନଙ୍କୁ କର୍ମଚଞ୍ଚଳ କରି ରଖିଛି–ଇଚ୍ଛାଥିଲେ ମଧ୍ୟ ଛିଡ଼ାହେବାର ଶକ୍ତି ସେମାନଙ୍କର ନାହିଁ । ନାରୀସୁଲଭ ଅଦମ୍ୟ ଅନୁସନ୍ଧିତ୍ସାକୁ ଚାପିରଖି ସେମାନେ ଯିବା-ଆସିବା କରୁଥିଲେ–ନୂତନ କେଉଁ ଏକ ନାଟକର ଦୃଶ୍ୟ ଅବଲୋକନ କରିବା ପ୍ରତ୍ୟାଶାରେ । ସେମାନଙ୍କର ଭାବଭଙ୍ଗୀରୁ ମନେହେଉଥିଲା, ମୋର ପରିଚୟ ସେମାନଙ୍କ ନିକଟରେ ଆଦୌ ଅଜ୍ଞାତ ନୁହେଁ ।

 

ଜିରାକ୍ ଏବଂ ଦିଲ୍-ଆଓୟାର ହାରେମ୍‌ବାସିନୀଙ୍କର ଏହି ଚପଳତା ମୃଦୁ ହାସ୍ୟରେ କିଛି ସମୟ ପାଇଁ ଉପଭୋଗ କଲେ । ଶେଷରେ ଜିରାକ୍ କହିଲା–କେହି ତ ଆସୁନାହାନ୍ତି । ଭିତରକୁ ଯିବି ?

 

ଦିଲ୍-ଆଓୟାର୍ କହିଲା–ତୋର କଣ ମୁଣ୍ଡ ଖରାପ ? ଏ ମୁଣ୍ଡ ଆଉ ରହିବଟି ?

 

–କିଏ ଆସିବ ?

 

–ନିୟାଜ୍‌ ବିବି ବାନୁ ଓ ଫଲାକି ବାନୁ ।

 

–ସର୍ବନାଶ ।

 

–କାହିଁକି ?

 

–ନିୟାଜ୍‌ ବିବି ପାଖରେ ପ୍ରଶ୍ନ ପରେ ପ୍ରଶ୍ନର ଜବାବ ଦେଇ ଦମ୍‌ ଅଟକିଯିବ ।

 

–ମୋଟେ ନୁହେଁ ।

 

–କାହିଁକି ?

 

–ବାକି ବେଗ୍‌ ଆସିବାପରେ ଖୋଜାମାନଙ୍କ ଉପରେ କେହି ଏତେ ଆଧିପତ୍ୟ ଦେଖାଏ ? ଏତେ ବର୍ଷ ମଧ୍ୟରେ କେହି କରିଛି ?

 

–ତା’ ଠିକ୍‌ । ତେବେ ନିୟାଜ୍‌ ବିବି ନିଜକୁ ଟିକିଏ ବେଶି ଭାବେ ।

 

ସେହି ମୁହୂର୍ତ୍ତରେ ଜଣେ ରମଣୀଙ୍କର ଆର୍ବିଭାବରେ ସେମାନଙ୍କର କଥା ବନ୍ଦ ହୋଇଗଲା । ଲକ୍ଷ୍ୟ କଲି, ସେମାନେ ଦୁହେଁ ରମଣୀଟିକୁ ସମ୍ମାନ ପ୍ରଦର୍ଶନ କଲେ ।

 

–ତୁମେମାନେ କେତେ ସମୟ ହେଲା ଅପେକ୍ଷା କରିଛ ?

 

–ବେଶୀ ସମୟ ନୁହେଁ ।

 

–ମୋର ଟିକିଏ ଡେରି ହୋଇଗଲା । ନିୟାଜ ବିବି ଅନ୍ୟ କାମରେ ବ୍ୟସ୍ତ ।

 

ଖୋଜା ଦୁହେଁ ନିଶ୍ଚିନ୍ତ ହେଲେ । ସେମାନେ ପରସ୍ପର ମଧ୍ୟରେ ଦୃଷ୍ଟି-ବିନିମୟ କଲେ । ମୁଁ ବୁଝିପାରିଲି, ଏହି ସୁନ୍ଦରୀ ରମଣୀଟିର ନାମ ଫଲାକି ବାନୁ । ସେ ଯେ ଜଣେ ଭାଗ୍ୟବତୀ ମହିଳା ଏ ବିଷୟରେ ସନ୍ଦେହ ନାହିଁ । ସେ ହାତର ଇଶାରାରେ ଖୋଜାମାନଙ୍କୁ ଚାଲିଯିବାକୁ କହିଲା । ହାରେମ୍‌ରେ କର୍ମତତ୍ପରତା ଅକସ୍ମାତ୍‌ ଅତ୍ୟଧିକ ବୃଦ୍ଧି ପାଇଲା । କ୍ରୀତଦାସୀ ଏବଂ ପରିଚାରିକାମାନଙ୍କର ଦୃଷ୍ଟି ମୋ ଆଡ଼କୁ ।

 

ଫଲାକି ବାନୁ ମୋ ପାଖକୁ ଆସି ପ୍ରଶ୍ନ କଲା–ତୁମେ ତେବେ ରାଣାଦିଲ୍‌ ?

 

–ହଁ ।

 

–ତୁମକୁ ଉଚିତ ସମ୍ମାନ ଦେଖାଇପାରୁନାହିଁ ବୋଲି ମୁଁ ଦୁଃଖିତ ।

 

–ମତେ କେହି ସମ୍ମାନ ଦେଖାନ୍ତି ନାହିଁ ।

 

–କାହିଁକି ?

 

–ମୁଁ ନର୍ତ୍ତକୀ । ତା’ଛଡ଼ା ମୁଁ ଏସବୁ ପସନ୍ଦ କରେ ନାହିଁ ।

 

–ତୁମେ ତ ଭାରି ସୁନ୍ଦର କଥା କହିପାର । ଆଚ୍ଛା, ଏଥର ଚାଲ ।

 

–କେଉଁଠିକି ଯିବି ?

 

–ଆସ, ଦେଖିପାରିବ । ତୁମେ ତ ନିଜର ପରିଚୟ ଖୁବ୍‌ ସହଜ ସରଳ ଭାବରେ ଦେଲ-। କିନ୍ତୁ ଜଣେ ନର୍ତ୍ତକୀ ପାଇଁ ଯେ ଏତେ ସମୟ ହେଲା ବଡ଼ ବାଦଶାହଜାଦାଙ୍କ ହାରେମ୍‌ରେ ଧୈର୍ଯ୍ୟ ଧରି ଅପେକ୍ଷା କରିଛନ୍ତି, ତାଙ୍କୁ ଦେଖିଲେ ବୁଝିପାରିବ ତୁମର ଗୁରୁତ୍ୱ କେତେ ।

 

ନିଷ୍କରୁଣ ଅଥଚ ଶାନ୍ତଭାବରେ ଫଲାକି ବାନୁ ଏହି କଥା କେତେ ପଦ କହିଲା । ତା’ କଥା ଶୁଣି ମୋ ଛାତି କାହିଁକି ଥରିଉଠିଲା । କିନ୍ତୁ ମୁଁ ତ ମରିବାକୁ ଚାହେଁ; ଭୟ କାହିଁକି ?

 

ଫଲାକି ବାନୁକୁ ଅନୁସରଣ କରି ଶେଷରେ ଗୋଟିଏ ପ୍ରକୋଷ୍ଠରେ ପ୍ରବେଶ କରି ମୁଁ ବିସ୍ମିତ ଦୃଷ୍ଟିରେ ସାମନାକୁ ଚାହିଁରହିଲି । କଣ ଦେଖୁଛୁ ସମ୍ମୁଖରେ ? ମାନବୀ ନା ପରୀ ? ନାରୀର ଏହି ଅସାମାନ୍ୟ ରୂପ ବାସ୍ତବରେ କଣ ସମ୍ଭବ ? ତିନୋଟି ତକିଆକୁ ଆଶ୍ରୟ କରି ସେ ବସିଛନ୍ତି । ନାକ ପାଖରେ ଧରିଛନ୍ତି ଗୋଟିଏ ପରିପୂର୍ଣ୍ଣ ପ୍ରସ୍ଫୁଟିତ ବୃହତ୍‌ ଆକାରର ଗୋଲାପ ଫୁଲ ।

 

ଶାହନଶାହଙ୍କ ପରିବାର ସମ୍ୱନ୍ଧରେ ମୋର କୌଣସି ଧାରଣା ନଥିଲା । ନିଜେ ନାରୀ ହୋଇ ମଧ୍ୟ ଅନ୍ୟାନ୍ୟ ସବୁ ଚିନ୍ତା-ଭାବନାକୁ ଦୂରେଇଦେଇ ମନ ମଧ୍ୟରେ ମୋର ପ୍ରଥମେ ପ୍ରଶ୍ନ ଉଠିଲା, ଏହି ନାରୀରତ୍ନଟିର ହୃଦୟରେ କଣ ପ୍ରେମ ଅଛି ? ଯଦି ଥାଏ, ତେବେ କିଏ ସେହି ଭାଗ୍ୟବାନ୍‌ ପୁରୁଷ, ଯେ ଏହି ପ୍ରେମଦ୍ୱାରା ଅଭିଷିକ୍ତ ? ନିଶ୍ଚୟ କେଉଁ ଅମିର କିମ୍ୱା ଓୟାଜିର ଖାଁ, ମୀର ଖାଁ ଅଥବା ରୁସ୍ତମ୍‌ ଖାଁ ହୋଇଥିବେ । ମନେ ମନେ ଭାବିଲି, ଶାହନଶାହାଙ୍କ ଅପେକ୍ଷା ଆହୁରି ଉଚ୍ଚସ୍ଥାନର ବ୍ୟକ୍ତି ପୃଥିବୀରେ କାହିଁକି ନାହିଁ ।

 

ଏଇ ହେଉଛନ୍ତି ବିଖ୍ୟାତ ଜାହାନ୍ନାରା ବେଗମ୍‌, ଯାହାଙ୍କର ମତାମତ ସ୍ୱୟଂ ଶାହନଶାହଙ୍କ ପାଖରେ ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ୍‌ । ଆହୁରି ଅନେକ ରୂପସୀ ତାଙ୍କ ପାଖରେ ଛିଡ଼ାହୋଇଥିଲେ । କିନ୍ତୁ ଚନ୍ଦ୍ର ପାଖରେ କଣ ତାରାର ଔଜଲ୍ୟ ପ୍ରତିଭାତ ହୁଏ ? ତଥାପି ତାଙ୍କ ମଧ୍ୟରୁ ଜଣଙ୍କର ନୟନଦ୍ୱୟ ମତେ ଆକୃଷ୍ଟ କଲା । ବଡ଼ ବରୁଣ ସେ ଚକ୍ଷୁ ଦୁଇଟି । ଏହି ହାରେମ୍‌ରେ ଏମିତି ଚକ୍ଷୁ ମଧ୍ୟ ତା’ ହେଲେ ଦେଖିବାକୁ ମିଳେ ।

 

ଜାହାନ୍ନାରା ବେଗମ୍‌ ସେହି ଝିଅଟିକୁ କହିଲେ–ମିର୍‌ ନିଗାର ବାନୁ, ତାକୁ ପଚାର, ସେ ମୋ ଆଡ଼କୁ ଚାହିଁ କଣ ଏତେ ଦେଖୁଛି ?

 

ମିର୍‌ ନିଗାର ମୋ ପାଖକୁ ଆସି ପଚାରିଲା–ଆଶ୍ଚର୍ଯ୍ୟ ହେଉଛ ?

 

–ହଁ ।

 

–କାହିଁକି ?

 

–ଏତେ ରୂପ ମୁଁ କେବେ ଦେଖିନାହିଁ ।

 

–ତୁମେ କଣ ପୁରୁଷ ?

 

–ତା’ହେଲେ ତ ପାଗଳ ହୋଇଯାଇଥାଆନ୍ତି ।

 

କଥାଟା ଟିକିଏ ବଡ଼ପାଟିରେ କହିଦେଲି–କାରଣ ଜାହାନ୍ନାରାଙ୍କ ମୁଖରେ ସ୍ୱର୍ଗୀୟ ହସ ଫୁଟିଉଠିଲା । ସେ ଇଶାରାରେ ମତେ ପାଖକୁ ଡାକିଲେ । ମୁଁ ଆଗେଇଯାଇ ତାଙ୍କ ସାମନାରେ ଛିଡ଼ାହେଲି । ସେ ଶାନ୍ତ କଣ୍ଠରେ କହିଲେ–ବାଦଶାହ ବେଗମ୍‌ଙ୍କୁ କିପରି ସମ୍ମାନ ଦେଖାଇବାକୁ ହୁଏ ଜାଣନାହିଁ ?

 

–ନା, ବାଦଶାହ ବେଗମ୍‌ !

 

–ଶିଖିନାହିଁ ?

 

–ସୁଯୋଗ ପାଇନାହିଁ ।

 

–ତୁମେ କେବଳ ରାଜପଥରେ ଘୂରିବୁଲ ?

 

–ହଁ ବେଗମ୍‌ ସାହେବା !

 

–ଠିକ୍‌ ଅଛି, ତୁମକୁ କ୍ଷମା କଲି ।

 

–ମତେ କେତେବେଳେ ଯିବାକୁ ଅନୁମତି ଦେବେ ?

 

–ରାଜପଥ ତୁମକୁ ଆହ୍ୱାନ କରୁଛି ?

 

–ହଁ, ବେଗମ୍‌ ସାହେବା !

 

–ବ୍ୟସ୍ତ ହୁଅନାହିଁ । କାମ ଶେଷ ହେଲେ ଛାଡ଼ିଦେବି । ଭୟ ନାହିଁ । ତୁମକୁ ବନ୍ଦୀ କରି ରଖିବି ନାହିଁ ।

 

ନିଶ୍ଚିନ୍ତ ହୋଇ କୃତଜ୍ଞତାରେ ମୁଁ ମଥା ନତକଲି ।

 

–ମୁଁ ଖୁବ୍‌ ସୁନ୍ଦରୀ, ନୁହେଁ ?

 

–ହଁ, ଆପଣଙ୍କ ହାତର ଗୋଲାପ ଫୁଲ ଆପଣଙ୍କ ଅଙ୍ଗୁଳିଗୁଡ଼ିକ ନିକଟରେ ମଧ୍ୟ ସୌନ୍ଦର୍ଯ୍ୟରେ ପରାସ୍ତ ।

 

–କିନ୍ତୁ ତୁମେ ?

 

–ମୁଁ ?

 

–ହଁ, ତୁମେ ସୁନ୍ଦରୀ,–ନୁହେଁ ?

 

ସହଜଭାବରେ କଥାଟା କହିଲେ ମଧ୍ୟ ସେ ଯେ ଉପହାସ କରୁଛନ୍ତି, ଏଥିରେ ସନ୍ଦେହ ନଥିଲା । ଲଜ୍ଜାରେ ଜବାବ ଦେଇପାରିଲି ନାହିଁ ।

 

–କହ, ତୁମର ଜବାବ ମୁଁ ଶୁଣିବାକୁ ଚାହେଁ ।

 

–ଏ କଥାର କଣ ଜବାବ ଦେବାକୁ ହେବ ? ମୋର ତାପଦଗ୍‌ଧ ଶରୀର, ଧୂଳିବୋଳା ପାଦ, ମୋର ଦାରିଦ୍ର୍ୟ ନାରୀଦେହର ଲାବଣ୍ୟକୁ ପୋଛିଦେଇଛି ବେଗମ ସାହେବା ! ଯେକୌଣସି ସାଧାରଣ ସ୍ତ୍ରୀଲୋକ ସାଙ୍ଗରେ ମୋର ଶ୍ରୀର ହୁଏତ ତୁଳନା ହୋଇପାରେ; ଆକାଶର ଚାନ୍ଦ ସହିତ ଚିରାଗବତିର ତୁଳନା କରିବା ଧୃଷ୍ଟତା ।

 

ଜାହାନ୍ନାରା ବେଗମ୍‌ ନିଷ୍ପଲକ ଦୃଷ୍ଟିରେ ମୋ ଆଡ଼କୁ ଚାହିଁରହିଥିଲେ । କଣ କିଛି ଭୁଲ କଥା କହିଦେଲି ? ଭୟହେଲା । ମତେ ମୁକ୍ତି ଦେବାର ସଦିଚ୍ଛା ଅନ୍ତର୍ହିତ ହୋଇଯାଇନାହିଁ ତ ? ଚକ୍ଷୁ ମୋର ସକଳ ହୋଇଉଠିଲା । ରୁଦ୍ଧ କଣ୍ଠରେ କହିଲି–ଅପରାଧ ମାର୍ଜନା କରିବେ ବାଦଶାହ ବେଗମ୍‌ ! କଣ ସବୁ ବାଜେ କଥା କହିଦେଇଛି ।

 

ଜାହାନ୍ନାରା ଏକ ଅଦ୍ଭୁତ କାଣ୍ଡ କଲେ । ତକିଆ ଛାଡ଼ି ସିଧାହୋଇ ବସି ମୋର ହାତ ଧରିଲେ । ପ୍ରଫୁଲ୍ଲ କଣ୍ଠରେ କହିଲେ–ଅପରାଧ ତୁମେ କରିନାହଁ । ମୁଁ ତୁମ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଛି । ଏମିତି କଥା କହିବା ସହଜ ନୁହେଁ ।

 

ଜାହାନ୍ନାରା ମୋ ହାତ ଛାଡ଼ିଦେବା ମାତ୍ରେ ଜଣେ ଆସି ତାଙ୍କ ହାତ ଗୋଲାପଜଳରେ ଧୋଇ ପୋଛିଦେଲା ।

 

ଜାହାନ୍ନାରା କହିଲେ–ତୁମେ ସୁନ୍ଦରୀ ନ ହୋଇଥିଲେ ଦାରାଶୁକୋ ତୁମକୁ ଦେଖି ଆକୃଷ୍ଟ ହେଲେ କାହିଁକି ?

 

କି ସ୍ପଷ୍ଟ ଏ ପ୍ରଶ୍ନ ! ଏ ପ୍ରଶ୍ନର ଉତ୍ତର ଦେବା ଅସମ୍ଭବ । ନୀରବ ରହିଲି ।

 

ମିର୍‌ ନିଗାର୍‌ କହିଲା–ବାଦଶାହା ବେଗମ୍‌ଙ୍କ କଥାରେ ନୀରବ ରହିବା ଠିକ୍‌ ନୁହେଁ । ଏହାଦ୍ୱାରା ତାଙ୍କୁ ଅପମାନ ହେବ ।

 

–ମୁଁ ଜାଣିନଥିଲି ।

 

–ଏଥର ଜାଣିଲ, ଉତ୍ତର ଦିଅ ।

 

–ବେଗମ୍‌ ସାହେବା, ମୋର ମନେହୁଏ ବାଦଶାହଜାଦା ହାରେମ୍‌ର ଆଡ଼ମ୍ବର ମଧ୍ୟରେ ଅଭ୍ୟସ୍ତ ବୋଲି ମୋ ପରି ରାଜପଥର ନର୍ତ୍ତକୀ ମଧ୍ୟରେ କିଛି ନୂତନତ୍ୱର ସନ୍ଧାନ ପାଇଛନ୍ତି । ଏହା ଏକପ୍ରକାର ମୋହ । ସେ ନିଶ୍ଚୟ ବର୍ତ୍ତମାନ ବୁଝିପାରିଥିବେ ଯେ ଏହା ତାଙ୍କର ମସ୍ତବଡ଼ ଭୁଲ୍‌ ।

 

ମୋ କଥାରେ ସମସ୍ତଙ୍କ ଚକ୍ଷୁରେ ଭାବାନ୍ତର ଲକ୍ଷ୍ୟ କଲି । ଜାହାନ୍ନାରା ମଧ୍ୟ କିପରି ଏକ ଭିନ୍ନ ଦୃଷ୍ଟିରେ ମୋ ଆଡ଼କୁ ଚାହିଁରହିଲେ । ଶେଷରେ ସେ କହିଲେ–ମୋ ଭାଇ ଚାହିଁଲେ, ତୁମେ ହାରେମ୍‌ରେ ରହିବାକୁ ରାଜି ଅଛି ?

 

–ନା, ବେଗମ୍‌ ସାହେବା !

 

Unknown

ଯେପରି ବଜ୍ରପାତ୍‌ ହେଲା । ସମସ୍ତେ ସ୍ତବ୍‌ଧ । ଯେଉଁ ରମଣୀଟି ଅତି ମନୋରମ ସୁନାର ଝାଲରଲଗା ପର୍ଦ୍ଦା ଟାଣୁଥିଲା, ତା’ର ହାତ ମଧ୍ୟ ଅଟକିଗଲା । ଜାହାନ୍ନାରାଙ୍କ ହାତରୁ ଗୋଲାପଫୁଲ ଖସିପଡ଼ିଲା । ତଥାପି ସେ ସଂଯତ କଣ୍ଠରେ କହିଲେ–ତୁମେ ଠିକ୍‌ ବୁଝିଛ । ଏହା ସାମୟିକ ମୋହ ଛଡ଼ା ଆଉ କିଛି ନୁହେଁ । ତଥାପି ସେଇଥିରେ ମଧ୍ୟ ଦାରା ମୃତପ୍ରାୟ । ତାକୁ ବଞ୍ଚେଇବାପାଇଁ ମୁଁ ସବୁ କରିବାକୁ ପ୍ରସ୍ତୁତ । ତୁମେ କଣ ଚାହଁନାହିଁ ସେ ବଞ୍ଚୁ ବୋଲି ?

 

–ମୁଁ ଚାହେଁ । ସର୍ବାନ୍ତଃକରଣରେ ଚାହେଁ ବେଗମ୍‌ ସାହେବା !

 

–ତାକୁ ବଞ୍ଚେଇବା ପାଇଁ କିଛିଦିନ ହାରେମ୍‌ରେ ରହିବା କଣ ତୁମ ପକ୍ଷରେ ଅସମ୍ଭବ ?

 

–ନା ! ତାଙ୍କ ପାଇଁ ମୁଁ ସବୁ କରିବାକୁ ପ୍ରସ୍ତୁତ ।

 

–କିନ୍ତୁ ସେ ତ କହୁଛି ବେଗମ୍‌ ନହେଲେ ତୁମେ ହାରେମ୍‌କୁ ଆସିବାକୁ ମନା କରିଦେଇଛ ।

 

–ସେ ମିଥ୍ୟା କହିନାହାନ୍ତି ?

 

ଜାହାନ୍ନାରା ବେଗମ୍‌ଙ୍କ ମୁଖରେ ବିରକ୍ତିଭାବ ଫୁଟିଉଠିଲା । ଅସହିଷ୍ଣୁ ଭାବରେ ଉଠି ସେ ଛିଡ଼ାହେଲେ । ଦୃଢ଼ସ୍ୱରରେ ପ୍ରଶ୍ନ କଲେ–ତେବେ ବର୍ତ୍ତମାନ ତୁମେ ମିଥ୍ୟା କହିଲ କାହିଁକି ?

 

–ମିଥ୍ୟା ମୁଁ କହେନାହିଁ ବେଗମ୍‌ ସାହେବା ! ତାଙ୍କ ଜୀବନରକ୍ଷା କରିବା ପାଇଁ କିଛିଦିନ ହାରେମ୍‌ରେ ରହିବାକୁ ମୁଁ ପ୍ରସ୍ତୁତ । କାରଣ ତାଙ୍କର ପ୍ରାଣ ମୋ ପାଖରେ ସବୁଠାରୁ ବେଶି ମୂଲ୍ୟବାନ୍‌ । କିନ୍ତୁ ସେ ସୁସ୍ଥ ହେଲେ ମୁଁ ଚାଲିଯିବି ।

 

–ପୁଣି ରାଜପଥରେ ଘୂରିବୁଲିବ ?

 

–ନା, ଏଥର ମୁଁ ପୃଥିବୀ ତ୍ୟାଗ କରିବି ।

 

–ତାର ଅର୍ଥ ତୁମେ ଆତ୍ମହତ୍ୟା କରିବ ?

 

–ହଁ, ବାଦଶାହ ବେଗମ୍‌ ! ତାଙ୍କର ଉପପତ୍ନୀ ହୋଇ ରହିବାକୁ ମୁଁ ଚାହେଁ ନାହିଁ । ମୁଁ ତାଙ୍କୁ ଭଲପାଇଛି । କିନ୍ତୁ ମୋର ଭଲପାଇବାର ସୁଯୋଗ ନେଇ ସେ ମୋ ନାରୀତ୍ୱର ଅବମାନନା କରିବେ,ଏ କଥା ମୁଁ ସହିପାରିବି ନାହିଁ । ଯଦି ସେ ମତେ ବେଗମ୍‌ କରନ୍ତି, ତା’ ହେଲେ ମୁଁ ଜାଣିବି ଯେ ସେ ପ୍ରକୃତରେ ମତେ ଭଲପାଆନ୍ତି । ନହେଲେ ବେଗମ୍‌ ହେବାପାଇଁ ମୋର ବିନ୍ଦୁମାତ୍ର ଇଚ୍ଛା ନାହିଁ ।

 

ଜାହାନ୍ନାରା ବେଗମ୍‌ ମୋ ପରି ଏକ ମଳିନ, ଧୂଳିଧୂସରିତ ନର୍ତ୍ତକୀକୁ କୁଣ୍ଢେଇ ପକେଇ କହିଲେ–ତୁମେ ଜାଣନା ରାଣାଦିଲ୍‌, ତୁମେ କେତେ ସୁନ୍ଦର । ହାରେମ୍‌ରେ ଏକମାସ ରହିବା ପରେ ତୁମ ରୂପ ମୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । କିନ୍ତୁ କେବଳ କଣ ବାହାରର ରୂପ ? ତୁମ ଅନ୍ତରର ରୂପର ତୁଳନା ନାହିଁ । ହୃଦୟ ଚିହ୍ନିବାରେ ଦାରା କେବେହେଲେ ଭୁଲ କରେନାହିଁ–ବାସ୍ତବ କ୍ଷେତ୍ରରେ ସେ କେବଳ ଯାହା ଭୁଲ୍‌ କରେ–ସେଥିପାଇଁ ମୋର ଚିନ୍ତା । ଚାରିଦିଗକୁ କଡ଼ା ଦୃଷ୍ଟି ରଖି ମୁଁ ପୁରୁଷ ହୋଇଯାଇଛି ।

 

ମୋର ହାତ ପାଦ ଅବଶ ହୋଇ ଆସିଲା । କିଛି କହିପାରିଲି ନାହିଁ ।

 

–ରାଣାଦିଲ୍‌, ତୁମେ ବେଗମ୍‌ ହେଲ । ଶାହାନଶାହ ତୁମକୁ ସ୍ୱୀକୃତି ଦେବେ । ଏଥିପାଇଁ ଗୋଟିଏ ଅନୁଷ୍ଠାନ ହେବ ।

 

ଓଃ ଦାରା, ତୁମେ ମତେ କେତେ ଭଲପାଅ ! ମୁଁ ତୁମର ଯୋଗ୍ୟ ନୁହେଁ । ତୁମକୁ କେବଳ ମୁଁ ସନ୍ଦେହ କରିଛି । ଗୁଲରଙ୍ଗ, ଏ ଖବର ଶୁଣି ତୁ କେତେ ଖୁସି ନହେବୁ । ପୃଥିବୀରେ ତୋ ଅପେକ୍ଷା ମଙ୍ଗଳାକାଙ୍‌କ୍ଷୀ ମୋର ଆଉ କେହି ନାହିଁ । ଆବଦୁଲ୍ଲା, ତୁମେ ଯୁବକ ହେଲେ ମଧ୍ୟ ସତ୍ୟଦ୍ରଷ୍ଟା । ତୁମର ତୁଳନା ନାହିଁ । କେବେ ସୁଯୋଗ ମିଳିଲେ ନିଜକୁ ତୁମ କାମରେ ଲଗାଇ ଧନ୍ୟ ହେବି । ଓସ୍ତାଦ୍‌ଜୀ, ଏଥର ତୁମେ ଖୁସି ହେଲ ? ତୁମର କଳ୍ପନାରେ ଯାହା କେବେହେଲେ ସ୍ଥାନ ପାଇନଥିବ, ତୁମର ଶିଷ୍ୟ ଆଜି ତାହା କରିପାରିଛି । ମତେ ଆର୍ଶୀବାଦ କର । ଭଗବାନ, ତୁମର ଇଚ୍ଛା କଣ ମୁଁ ଜାଣେନାହିଁ । ମୁଁ ସଚେତନ ଯେ ସାଧାରଣ ପରିବାର ପରି ମୋଗଲ ପରିବାରରେ ପୁରୁଷମାନଙ୍କ ଜୀବନରେ କେତେ ଉତ୍‌ଥାନ ପତନ ରହିଛି; କେତେ ରୋମାଞ୍ଚକର ଘଟଣା ଘଟିଛି । ଦୟାକରି ମୋର ନିଜର ଆଦର୍ଶରେ ଆଜୀବନ ଦୃଢ଼ ରହିବାପାଇଁ ମନରେ ବଳ ଦିଅ । ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଦାରାଙ୍କ ପ୍ରତି ମୁଁ ଯେପରି ଅନୁଗତ ରହେ । ତାଙ୍କର ଜୀବନ, ମୋର ଜୀବନ । ତାଙ୍କର ସୁଖ ଦୁଃଖ, ମୋର ସୁଖ ଦୁଃଖ । ତାଙ୍କ ମନର ପ୍ରତିଟି ଢେଉର ସଙ୍କେତ ମୁଁ ଯେପରି ଜାଣିପାରିବି ଓ ବୁଝିପାରିବି । ଆଉ କିଛି ମୁଁ ଚାହେଁନାହିଁ ।

 

ନିଜକୁ ନର୍ତ୍ତକୀ ବ୍ୟତୀତ ଆଉ କିଛି ମୁଁ ଭାବିପାରୁନଥିଲି । ଖୋଜାମାନେ ଡାକନ୍ତି ବେଗମ୍‌ ସାହେବା । ପରିଚାରକମାନେ ଡାକନ୍ତି ବେଗମ୍‌ ସାହେବା । ସେମାନଙ୍କର ଅତ୍ୟଧିକ ପରିଚର୍ଯ୍ୟା ମୋ ପକ୍ଷରେ ଅସହ୍ୟ ହେଉଥିଲା ।

 

ଦାରା ସୁସ୍ଥ । ତାଙ୍କର କର୍ମଚଞ୍ଚଳତା ବୃଦ୍ଧି ପାଇଲା । ନାଦିରା ବେଗମ୍‌ଙ୍କର ଦାବି ପୂରଣ କରି ମଧ୍ୟ ସେ ମୋ ପାଖକୁ ଆସିବା ପାଇଁ ଅବକାଶ ପାଇଲେ । ସେଥିରେ ମୁଁ ପରିତୃପ୍ତ ।

 

ଦାରାଙ୍କ ହାରେମ୍‌ରେ ରମଣୀମାନଙ୍କର ସଂଖ୍ୟା କମ୍‌ ନଥିଲା । କିନ୍ତୁ କାହା ପାଖକୁ ସେ ଯାଆନ୍ତି ନାହିଁ । ମୋଗଲବଂଶରେ ଦାରା ଏକ ବ୍ୟତିକ୍ରମ ।

 

କିନ୍ତୁ ନାଦିରାଙ୍କର ବଡ଼ ଅଭିମାନ । ମୁଁ ଆସିବା ପରେ ସେ ପ୍ରତି କଥାରେ ଅଭିମାନ କରିବା ଆରମ୍ଭ କରିଛନ୍ତି । ସେ ପ୍ରାୟ ବିମାରଖାନାକୁ ଯାଆନ୍ତି । ମୋର ପରିଚାରିକା ଫତେମା ଓ ଗୁଲ୍‌ ସୁଲତାନବାନୁ ନାଦିରାଙ୍କ ମାନସିକ କ୍ଳେଶ ପାଇଁ ବିଚଳିତ ଏବଂ ପ୍ରକାରାନ୍ତରରେ ମତେ ଦାୟୀ କରୁଥିଲେ ।

 

କର୍ତ୍ତବ୍ୟ ସ୍ଥିର କଲି । ଦିନେ ଦ୍ୱିପ୍ରହର ସମୟରେ ନର୍ତ୍ତକୀର ବେଶ ପରିଧାନ କଲି । ଦାରାଙ୍କର ପ୍ରଦତ୍ତ ଉପହାର ନୂପୁର ହାତୀଦାନ୍ତ ବାକ୍‌ସରୁ ବାହାରକରି ଓଢ଼ଣିରେ ବାନ୍ଧିଲି । ତା’ପରେ ଫତେମାକୁ କହିଲି ନାଦିରାଙ୍କ ପରିଚାରିକା ଦିଲ୍‌ଜୁବାନୁକୁ ଖବର ଦେବାପାଇଁ ।

 

ଫତେମା ଆଶ୍ଚର୍ଯ୍ୟ ହୋଇ କହିଲା–ଦିଲ୍‌ଜୁବାନୁକୁ ଡାକିବି ବେଗମ୍‌ ସାହେବା !

 

–ହଁ ।

 

–କିନ୍ତୁ ସେ କଣ ଆସିବ ?

 

–କାହିଁକି ଆସିବ ନାହିଁ ?

 

–ଆଚ୍ଛା, ଯାଉଛି କହିବି ।

 

ଦିଲ୍‌ଜୁବାନୁ ଆସିଲା । ତା’ର ମୁଖମଣ୍ଡଳରେ କଠୋର ଭାବ । ବୁଝିଲି, ମୋ ଡାକରେ ସେ ଅସନ୍ତୁଷ୍ଟ । ତଥାପି ସେ ଆସିଛି । କାହିଁକି ଆସିଲା ? ଦାରାଙ୍କ ଉପରେ ମୋର କିଛି ପ୍ରଭାବ ଅଛି ବୋଲି ? ତା’ର ନିଜର କିଛି କ୍ଷତି ହେବା ଆଶଙ୍କାରେ ? ଜାଣେନା । ଜାଣିବାର ପ୍ରୟୋଜନ ମଧ୍ୟ ନାହିଁ । ସେ ଆସିଛି, ସେତିକି ଯଥେଷ୍ଟ ।

 

–ମତେ ଡାକିଲେ ବେଗମ୍‌ ସାହେବା ?

 

–ହଁ ଦିଲଜୁ ! ମୋର ଗୋଟିଏ ଉପକାର କରିବ ?

 

ଆଚରଣରେ ବିନ୍ଦୁମାତ୍ର ବିନୟ ପ୍ରକାଶ ନକରି ଭଦ୍ରତାର ସହିତ ସେ କହିଲା–ଆପଣଙ୍କର ଉପକାର କରିବାପାଇଁ ମୋର କଣ ସାଧ୍ୟ ଅଛି ? ମୁଁ ଯେ ଅତି ସାମାନ୍ୟ ଲୋକ ।

 

–କିଏ ସାମାନ୍ୟ ଏବଂ କିଏ ଅସାମାନ୍ୟ ନୁହେଁ ; ସେ ପ୍ରଶ୍ନ ବର୍ତ୍ତମାନ ଦରକାର ନାହିଁ । ତୁମେ ଉପକାର କରିପାରିବ ?

 

–ଆଦେଶ କରନ୍ତୁ ।

 

–ମତେ ଥରେ ବିମାରଖାନା ନେଇ ଚାଲ ।

 

–ସେଠାରେ ତ ନାଦିରା ବେଗମ୍‌ ଅଛନ୍ତି । ଆପଣ କଣ ଅସୁସ୍ଥ ?

 

–ନା, ମୁଁ ସମ୍ଫୂର୍ଣ୍ଣ ସୁସ୍ଥ । ମୁଁ ନାଦିରା ବେଗମ୍‌ଙ୍କ ପାଖକୁ ଯିବାକୁ ଚାହେଁ ।

 

ଦିଲ୍‌ଜୁ କିଂକର୍ତ୍ତବ୍ୟବିମୂଢ଼ । ଦାରାଙ୍କ ବେଗମ୍‌ର ଆଦେଶ ସେ କିପରି ଅମାନ୍ୟ କରିବ ।

 

–ଅଥଚ ମୋର ପ୍ରସ୍ତାବ ଉଦ୍ଭଟ ! କାରଣ ନାଦିରା ବେଗମ୍‌ କେବେହେଲେ ସମ୍ମତ ହେବେନାହିଁ । ତା’ଛଡ଼ା ଦିଲଜୁ ପରି ଜଣେ ବିଶ୍ୱସ୍ତ ପରିଚାରିକା ହୁଏତ ଭାବୁଛି ମୁଁ ନାଦିରା ବେଗମ୍‌ଙ୍କର କୌଣସି କ୍ଷତିସାଧନ କରିପାରେ ।

 

ଦିଲଜୁ କହିଲା–ନାଦିରା ବେଗମ୍‌ଙ୍କର ଆଦେଶ ନ ପାଇଲେ...

 

ବେଗମ୍‌ର ସମ୍ମାନକୁ ଜଳାଞ୍ଜଳି ଦେଇ ଦିଲ୍‌ଜୁର ଗୋଟିଏ ହାତ ଧରିପକେଇ କହିଲି–ମତେ ତୁମେ ବେଗମ୍‌ ବୋଲି ଭାବନାହିଁ । ମୁଁ ରାଜପଥର ଏକ ସାଧାରଣ ନର୍ତ୍ତକୀ । ଏହା ମୋର ଅନୁରୋଧ ଦିଲ୍‌ଜୁ, ବେଗମ୍‌ ସାହେବାଙ୍କର କିଛି କ୍ଷତି ହେବନାହିଁ । ତୁମେ ମତେ ନେଇଚାଲ ।

 

ମୋର ଚାହାଣିରେ ସେ କଣ ଲକ୍ଷ୍ୟ କଲା, ସେ ଜାଣେ । ଦୀର୍ଘନିଶ୍ୱାସ ପକେଇ କହିଲା–ଆସନ୍ତୁ ।

 

ବିମାରଖାନା ପ୍ରବେଶଦ୍ୱାରରେ ଅଟକିଯାଇ ଦିଲଜୁ ପଚାରିଲା–କଣ କହିବି ?

 

–କହ, ଜଣେ ନର୍ତ୍ତକୀ ତା’ର ନୃତ୍ୟ ଦେଖାଇବାକୁ ଆସିଛି ।

 

–ଯଦି ଦେଖିବାକୁ ନ ଚାହାନ୍ତି !

 

–ସେତେବେଳେ ଦେଖିବା କଣ କରିବାକୁ ହେବ ।

 

କିଛି ସମୟ ଅପେକ୍ଷା କଲି । ଶେଷରେ ଦିଲଜୁ ଆସି ଆସ୍ତେ ଆସ୍ତେ କହିଲା–ସେ ରାଜି ହୋଇଛନ୍ତି । ବିମାରଖାନାକୁ କେବେହେଲେ ନର୍ତ୍ତକୀ ଆସନ୍ତି ନାହିଁ; ତେଣୁ ଆପଣଙ୍କ କଥା ଶୁଣି ବେଗମ୍‌ ସାହେବା ଆଶ୍ଚର୍ଯ୍ୟ ହୋଇଛନ୍ତି ।

 

–ତୁମ ନିକଟରେ ମୁଁ କୃତଜ୍ଞ ଦିଲଜୁ !

 

–କିନ୍ତୁ ଆପଣଙ୍କୁ ଦେଖି ଯଦି ସେ ବିରକ୍ତ ହୁଅନ୍ତି ?

 

–ମତେ ତ ସେ ଚିହ୍ନନ୍ତି ନାହିଁ ।

 

–ତା’ ଠିକ୍‌ । କିନ୍ତୁ ମତେ ବଡ଼ ଭୟ ଲାଗୁଛି । କିଛି ହେବ ନାହିଁ ତ ?

 

–ସେ ଦାୟିତ୍ୱ ମୋର ।

 

ଓଢ଼ଣିରୁ ନୂପୁର ଖୋଲି ପାଦରେ ବାନ୍ଧିଲି । ତା’ପରେ ନୃତ୍ୟର ତାଳେ ତାଳେ ନାଦିରା ବେଗମ୍‌ଙ୍କ ପାଖକୁ ଯାଇ ଅଭିବାଦନ ଜଣେଇଲି । ନାଦିରା ବେଗମ୍‌ଙ୍କର ରୋଗ ମନର । ମନେପଡ଼ିଲା ଦାରାଙ୍କ ବିବାହଉତ୍ସବ ଦିନର କଥା । ସେଦିନ ପାଖକୁ ଯିବା ସାଧ୍ୟ ମୋର ନଥିଲା । ଆଜି ଭଲକରି ଦେଖିଲି ନାଦିରା ଖୁବ୍‌ ରୂପସୀ; କିନ୍ତୁ ବଡ଼ ମ୍ଳାନ । ଏହାର କାରଣ ମୁଁ । ଜଣକୁ ପ୍ରାଣଦାନ କରିବାକୁ ଯାଇ ଆଉ ଜଣଙ୍କର ପ୍ରାଣବିନାଶ କରିବାକୁ ଯାଉଛି । କିନ୍ତୁ ଯେ ବଞ୍ଚିଲା, ତା’ର ପ୍ରାଣର ମୂଲ୍ୟ ହିନ୍ଦୁସ୍ଥାନରେ ସବୁଠାରୁ ବେଶି । ତା’ର ବିନିମୟରେ ଶହ ଶହ ନାଦିରା ଝରିଗଲେ ମଧ୍ୟ ଏହି ପ୍ରାସାଦର ଲୋକମାନଙ୍କର କିଛି ଯାଏ–ଆସେ ନାହିଁ ।

 

–ତୁମେ କିଏ ?

 

–ମୁଁ ନର୍ତ୍ତକୀ ବେଗମ୍‌ ସାହେବା !

 

–ଗୋଟିଏ ନର୍ତ୍ତକୀର ଏତେ ରୂପ ?

 

–ଆପଣଙ୍କ ରୂପ ତୁଳନାରେ ତୁଚ୍ଛ ।

 

–ଦର୍ପଣରେ ନିଜ ମୁହଁ ଦେଖିଛ ?

 

–ଦେଖିଛି ବୋଲି କହୁଛି ବେଗମ୍‌ ସାହେବା !

 

–ମୁଁ ଏଠି ଅଛି ବୋଲି କିଏ ତୁମକୁ ଖବରଦେଲା ? ତୁମେ କାହିଁକି ଆସିଛ ?

 

–ମୋର ଜଣେ ବନ୍ଧୁଠାରୁ ଶୁଣିଲି ଯେ ଆପଣ ଅସୁସ୍ଥ । ମୁଁ ଆପଣଙ୍କୁ ଶ୍ରଦ୍ଧା କରେ । ସେଥିପାଇଁ ଭାବିଲି, ଯଦି ଆପଣଙ୍କୁ ଆନନ୍ଦ ଦେଇପାରେ ।

 

–ଶୁଣି ଖୁସି ହେଲି । ତୁମର ନୃତ୍ୟ ଦେଖାଅ ।

 

ମୁଁ ରାଜପଥର ରାଣାଦିଲ୍‌ । ବହୁଦିନପରେ ନୃତ୍ୟ ପ୍ରଦର୍ଶନର ସୁଯୋଗ ପାଇ ମୁଁ ଉନ୍ମତ୍ତ ହେଲି । କଳ୍ପନା କଲି, ଚତୁର୍ଦ୍ଦିଗରେ ଶ୍ୱେତପ୍ରସ୍ତରର କାନ୍ଥ ନାହିଁ, ମୁଣ୍ଡ ଉପରେ ଝାଡ଼ବତି ନାହିଁ । ଏ ହେଉଛି ପ୍ରଶସ୍ତ ରାଜପଥ ଏବଂ ମତେ ଘେର ଛିଡ଼ା ହୋଇଛନ୍ତି ଅସଂଖ୍ୟ ମନୁଷ୍ୟ । ମୋର ପଦଦ୍ୱୟ ଛନ୍ଦ ସୃଷ୍ଟି କଲା । ମୁଁ ଗାଇବାକୁ ଆରମ୍ଭ କଲି । କେତେ ସମୟ ଗାଇଛି, କେତେ ସମୟ ନୃତ୍ୟ କରିଛି ଜାଣେନାହିଁ । ଶେଷରେ ନୃତ୍ୟ ଶେଷ ହେଲା । ମୋର ସେତେବେଳେ ଖିଆଲ ହେଲା, ଏ ରାଜପଥ ନୁହେଁ ।

 

ନାଦିରା ବେଗମ୍‌ ବିସ୍ମିତ ଦୃଷ୍ଟିରେ ମତେ ଚାହିଁ ରହିଥିଲେ । ସେହି ଦୃଷ୍ଟିର ଭାଷା ମୁଁ ଠିକ୍‌ ରୂପେ ବୁଝିପାରୁନଥିଲି ।

 

–ଶୁଣ ନର୍ତ୍ତକୀ, ପାଖକୁ ଆସ ।

 

ମୁଁ ପାଖକୁ ଗଲି । ମୋର ଚିବୁକ ଧରି ସେ କହିଲେ–ତୁମେ ଏକ ଅସାଧାରଣ ଶିଳ୍ପୀ । ମୁଁ ତୁମ ନୃତ୍ୟରେ ମୁଗ୍‌ଧ ହୋଇଛି । ତୁମେ କଣ ଚାହଁ ?

 

–ଯାହା ଚାହିଁବି ଦେବେ ବେଗମ ସାହେବା ?

 

–ହଁ ।

 

–ଏତେ ସହଜରେ ହଁ କହିଦେଲେ । ମୁଁ ହୁଏତ ଏପରି କିଛି ଚାହିଁବି, ଯାହା ଦେବା ଆପଣଙ୍କ ପକ୍ଷରେ ଦୁଃସାଧ୍ୟ ।

 

–ତା’ ସତ । ମୋର ଯାହା ସାଧ୍ୟ ଅଛି, ତୁମେ ସେୟା ମାଗ । ମୋର ସବୁଠାରୁ ବେଶି ମୂଲ୍ୟବାନ ଅଳଙ୍କାର ମଧ୍ୟ ଦେଇପାରେ ।

 

–ନା ନା, ସେ ସବୁ ମୋର କଣ ହେବ ?

 

–ଏକଲକ୍ଷ ଟଙ୍କାର ଅଳଙ୍କାର ତୁମେ ଚାହଁନାହିଁ ?

 

–ନା, ବେଗମ୍‌ ସାହେବା !

 

–ଅଦ୍ଭୁତ ନାରୀ ତୁମେ ? କଣ ଚାହଁ ତେବେ ?

 

–ଆପଣଙ୍କ ବିଶ୍ୱାସ ଓ ସ୍ନେହଶ୍ରଦ୍ଧା ।

 

–ସେଥିରେ ତୁମର ଲାଭ କଣ ?

 

–ଅନେକ ।

 

–ତୁମକୁ ମୁଁ ସ୍ନେହ ଦେଇସାରିଛି । ଆଉ ବିଶ୍ୱାସ ? ବେଶ୍‌, ରାଜି । ତୁମପରି ଶିଳ୍ପୀକୁ ବିଶ୍ୱାସ କରାଯାଇପାରେ ।

 

–ମୁଁ ଧନ୍ୟ ।

 

–ଏଥର କହ, କି ଉପହାର ତୁମେ ଚାହଁ ?

 

–କିଛି ଚାହେଁ ନାହିଁ ବେଗମ୍‌ ସାହେବା ! ମୁଁ ସବୁ ପାଇଛି ।

 

–କାହିଁକି ତୁମେ ମତେ ଏତେ ଶ୍ରଦ୍ଧା କର ? ମୁଁ ତ ତୁମର କିଛି ଉପକାର କରିନାହିଁ । ତୁମ ନାଁ କଣ ?

 

ମୋର ସଜଳ ଚକ୍ଷୁର କୂଳ ଲଙ୍ଘି ଅଶ୍ରୁ ଝରିପଡ଼ିଲା । ନାଦିରା ବେଗମ୍‌ଙ୍କ ପାଦତଳେ ବସି ତାଙ୍କ ପାଦ ଦୁଇଟି ଉପରେ ହାତ ରଖି କହିଲି–ମୁଁ ରାଣାଦିଲ୍‌ ।

 

–ରାଣାଦିଲ୍‌ ?

 

–ହଁ ! ମୁଁ ଆପଣଙ୍କଠାରୁ ଟିକିଏ ସ୍ନେହ-ଶ୍ରଦ୍ଧା ଚାହେଁ ବେଗମ୍‌ ସାହେବା ! ମୁଁ କେବଳ ନର୍ତ୍ତକୀ, ଆଉ କିଛି ନୁହେଁ । ବାଦଶାହଜାଦାଙ୍କର ପ୍ରାଣର ସଂଶୟ ନଥିଲେ ଆପଣ ମତେ ହାରେମ୍‌ରେ ଦେଖିବାକୁ ପାଇନଥାନ୍ତେ । ଯଦି ଆପଣ କହିବେ, ମୁଁ ଆତ୍ମହତ୍ୟା କଲେ ତାଙ୍କର କିଛି କ୍ଷତି ହେବ ନାହିଁ, ତେବେ ମତେ ବିଷ ଦିଅନ୍ତୁ । ଆପଣଙ୍କ ସାମନାରେ ମୁଁ ପାନ କରିବି ।

 

ନାଦିରା ବେଗମ୍‌ ତାଙ୍କ ପାଦ ଉପରୁ ମୋର ହାତ ଦୁଇଟିକୁ ଉଠେଇ ନେଇ କହିଲେ–ମରିବି କାହିଁକି ? ଏମିତି ଗୋଟିଏ ସୁନ୍ଦର ମନ ପୃଥିବୀରୁ ନିଶ୍ଚିହ୍ନ ହୋଇଯିବ ? ନା ନା, ତା’ ହୋଇପାରିବ ନାହିଁ । ଚାଲ, ଆମେ ମହଲକୁ ଯିବା ।

 

–ଆପଣ ଯେ ଅସୁସ୍ଥ ।

 

–ନା, ମୁଁ ସୁସ୍ଥ । କିନ୍ତୁ ଗୋଟିଏ କଥା ରାଣାଦିଲ୍‌ !

 

–ଆଦେଶ କରନ୍ତୁ ।

 

–ଏହି ବିମାରଖାନାକୁ ଆମେ ମଝିରେ ଆସିବା । ମୁଁ ତୁମ ନୃତ୍ୟ ଦେଖିବି ଓ ଗୀତ ଶୁଣିବି ।

 

–ମୁଁ ଖୁବ୍‌ ଖୁସି ହେବି । ଏଠି ମୋର ଶ୍ୱାସରୁଦ୍ଧ ହୋଇଯାଉଛି । ମୁଁ ବଞ୍ଚିଯିବି ପରିଶ୍ରମ ନକଲେ ମୁଁ ଶାନ୍ତିପାଇବି ନାହିଁ ବେଗମ୍‌ ସାହେବା ! ମୁଁ ଯେ ନର୍ତ୍ତକୀ !

 

ଦିନେ ଏକ କ୍ଲାନ୍ତ ଦ୍ୱିପ୍ରହରରେ ଦାରା ମୋ କକ୍ଷରେ ପ୍ରବେଶକଲେ । ମୁଁ ଗୋଟିଏ ବହି ପଢ଼ୁଥିଲି । ଜାହାନ୍ନାରା ବେଗମ୍‌ ନିୟାଜ ବିବି ବାନୁ ହାତରେ ସେ ବହିଟିକୁ ପଠେଇ ଥିଲେ । ମୋ ହାତରେ ବହିଟିକୁ ଦେଇ ନିୟାଜ୍‌ ବିବି କହିଲେ–ବାଦଶାହ ବେଗମ୍‌ କହିଛନ୍ତି, ହାରେମ୍‌ରେ ସମୟ କାଟିବାପାଇଁ ଏ ବହିଟି ବହୁତ କାମରେ ଲାଗିବ ।

 

ନିୟାଜ ବିବି ହାତରୁ ବହିଟି ନେଲି । ବହିଟିର ନାଁ ‘‘ଗୁଲିସ୍ତାନ’’ । ସାଦି ସିରାଜୀ ଏ ବହିର ଲେଖକ । ସେ ନିଶ୍ଚୟ ଭଲ ଲେଖନ୍ତି; କାରଣ ତାଙ୍କ ଲେଖା ଖଣ୍ଡିଏ ବହି ସେଦିନ ନାଦିରା ବେଗମ୍‌ଙ୍କ ହାତରେ ଦେଖିଥିଲି । ସାଦି ସିରାଜୀ ପ୍ରେମକାହାଣୀ ରଚନା କରିବାରେ ପାରଦର୍ଶୀ । ଗୁଲିସ୍ତାନରେ ବର୍ଣ୍ଣିତ ମିଳନ ଓ ବିରହର କାହାଣୀ ପଢ଼ି ମନେହେଲା, ସବୁ ଯେପରି ଅବାସ୍ତବ–ସ୍ୱପ୍ନ ଦର୍ଶନ ପରି । କେତେଗୁଡ଼ିଏ ଧାଡ଼ି ମତେ ଖୁବ୍‌ ଅଶ୍ଳୀଳ ମନେ ହେଉଥିଲା । ବହିର ଗୋଟିଏ ଅଧ୍ୟାୟରେ ମୁଁ ଯେତେବେଳେ ମଜ୍ଜି ଯାଇଥିଲି, ସେତେବେଳେ ଦାରା ମୋ କକ୍ଷରେ ପ୍ରବେଶ କଲେ-। ସାଙ୍ଗେ ସାଙ୍ଗେ ତକିଆ ଉପରେ ବହିଟିକୁ ପକେଇଦେଇ ଯେତେବେଳେ ଛିଡ଼ାହୋଇପଡ଼ିଲି, ଦାରା ମତେ କୁଣ୍ଢେଇ ପକେଇଲେ ।

 

–ହଠାତ୍‌ ଏ ଅସମୟରେ ଏତେ ଉଚ୍ଛ୍ୱାସ ?

 

–ହେବନାହିଁ ? ଏଥର ତୁମେ ଯେ ମୋର ସଙ୍ଗିନୀ ।

 

–ତା’ର ମାନେ ?

 

–ଏଥର ଯୁଦ୍ଧକ୍ଷେତ୍ରକୁ ତୁମେ ମୋ ସାଙ୍ଗରେ ଯିବ ।

 

–ସର୍ବନାଶ ! କିଏ ହିନ୍ଦୁସ୍ଥାନ ଆକ୍ରମଣ କଲା ?

 

–ହିନ୍ଦୁସ୍ଥାନ ଆକ୍ରମଣ କରିବାକୁ ଦୁନିଆରେ କାହାରି ସାଧ୍ୟ ନାହିଁ । ଆମେ କାନ୍ଦାହାର ଆକ୍ରମଣ କରିବୁ ।

 

ବୁଝିଲି । ଇତିମଧ୍ୟରେ ନାଦିରା ବେଗମ୍‌ଙ୍କ ସହାୟତାରେ ମୋଗଲ ରାଜତ୍ୱର ସବୁ ଖବର ମୁଁ ଜାଣିପାରିଛି । ଏହାପୂର୍ବରୁ ଦାରା ଦୁଇଥର କାନ୍ଦାହାର ଅଭିଯାନରେ ଯାଇଛନ୍ତି । ପ୍ରଥମଥର, ଆଉରଙ୍ଗଜେବଙ୍କ ବ୍ୟର୍ଥତା ପରେ । ଶତଚେଷ୍ଟା ସତ୍ତ୍ୱେ ଆଉରଙ୍ଗଜେବଙ୍କ ପରି କୁଶଳୀ ସମରନାୟକ ପାରସ୍ୟ ଅଧିପତିଙ୍କ ପାଖରୁ କିଲ୍ଲା ଛଡ଼େଇ ଆଣିପାରିନାହାନ୍ତି । ସେଥିପାଇଁ ଶାହନଶାହଙ୍କ ଅଭିଳାଷ ଅନୁଯାୟୀ ଦାରାଙ୍କ ହାତରେ ଆକ୍ରମଣର ଭାର ଦେଇ ସେ ଦକ୍ଷିଣଭାରତ ଚାଲିଯାଇଥିଲେ ।

 

ଦ୍ୱିତୀୟ ଥରର ଅଭିଯାନ ଆହୁରି ବିରାଟ ଆକାରର ଥିଲା । ଦାରାଙ୍କୁ ସାହାଯ୍ୟ କରିବାକୁ ଥିଲେ ସୈୟଦ ଖାଁ ଜାହାଁ, ରୁସ୍ତମ ଖାଁ । ବାହାଦୁର, ରାଜା ଜୟ ସିଂ ଏବଂ ରାଜା ଯଶୋବନ୍ତ ସିଂ । କିନ୍ତୁ ଦାରାଙ୍କ ବଡ଼ ଅବଶୋଷ ଯେ ସେଥର ଯୁଦ୍ଧ ହେଲାନାହିଁ–କାରଣ ପାରସ୍ୟ ଅଧିପତିଙ୍କର ମୃତ୍ୟୁ ହୋଇଗଲା । ତଥାପି ଦାରା ଯେତେବେଳେ ରାଜଧାନୀକୁ ଫେରିଆସିଲେ, ଶାହନଶାହ ତାଙ୍କୁ ବିଜୟୀ ବୀରର ଅଭ୍ୟର୍ଥନା ଜଣେଇଲେ ।

 

ଏଥର ଆରମ୍ଭ ହେବ ତୃତୀୟ ଅଭିଯାନ । ଦାରା ଏତେଦିନ ପର୍ଯ୍ୟନ୍ତ ଯାହାଙ୍କୁ ସାଙ୍ଗରେ ନେଉଥିଲେ, ସେହି ନାଦିରା ବେଗମ୍‌ଙ୍କୁ ନନେଇ ମତେ ନେବେ କାହିଁକି? ମନେହେଲା, ନାଦିରା ବେଗମ୍‌ଙ୍କ ଅଧିକାରରେ ମୁଁ ହସ୍ତକ୍ଷେପ କରିବାକୁ ଯାଉଛି । ନା, ଏହା ଉଚିତ ନୁହେଁ । ମୁଁ ଆଘାତ ଦେବାକୁ ଚାହେଁ ନାହିଁ । ଦାରା ମତେ ବେଗମ୍‌ କରିଛନ୍ତି, ସେତିକି ଯଥେଷ୍ଟ । ଆଉ କିଛି ମୁଁ ଚାହେଁନାହିଁ ।

 

–ମୁଁ କାହିଁକି ଯିବି? ନାଦିରା ବେଗମ୍‌ ? ଏତେଦିନ ସେ ଏକା ରହିବେ ? ନା ନା, ତା’ ହେବ ନାହିଁ ।

 

–ଆଉ ତୁମେ ? ତୁମେ କଣ ଏକା ରହିବ ନାହିଁ ?

 

–ମୋର ଏକା ରହିବାର ଅଭ୍ୟାସ ଅଛି–ନାଦିରା ବେଗମ୍‌ଙ୍କର ଅଭ୍ୟାସ ନାହିଁ–ତେଣୁ ସେ ଯାଆନ୍ତୁ ।

 

ଦାରାଙ୍କ ଦୃଷ୍ଟିରେ ମୁଗ୍‌ଧଭାବ । ସେ ମତେ ନିବିଡ଼ ଭାବରେ ପାଖକୁ ଟାଣିନେଇ କହିଲେ–

 

–ଏ କଥା ତୁମ ମୁହଁରେ ଶୋଭାପାଏ । ପୃଥିବୀରେ ଯଦି କୌଣସି ଦ୍ୱିତୀୟ ନାରୀ ଏକଥା କହିପାରେ, ତେବେ ସେ ହେଉଛି ନାଦିରା ।

 

–ତୁମେ ସତ କହୁଛ ?

 

–କିନ୍ତୁ ରାଣାଦିଲ୍‌, ଏଥର ନାଦିରାର ଯେ ଯିବାର ଉପାୟ ନାହିଁ । ତୁମେ କଣ ଜାଣ ନାହିଁ ?

 

ଜାଣେ । ନାଦିରା ବେଗମ୍‌ ପୁଣି ମା’ ହେବାକୁ ଯାଉଛନ୍ତି । ନିୟତି ତାଙ୍କ ପ୍ରତି ବଡ଼ ନିର୍ଦ୍ଦୟ । ପାଞ୍ଚୋଟି ସନ୍ତାନଙ୍କୁ ସେ ଜନ୍ମଦେଇଛନ୍ତି: ମାତ୍ର ଦୁଇଜଣ ବଞ୍ଚିଛନ୍ତି ।

 

–ମୁଁ ସବୁ ଜାଣେ ।

 

–କେବଳ ସେତିକ ନୁହେଁ । ମୋର ଏହି ଖିଆଲି ଅଭିଯାନରେ କଷ୍ଟ ପାଇ ତା’ର ସନ୍ତାନ ମରିଛନ୍ତି । ଏଥର ମୁଁ ଆଉ ଭୁଲ କରିବି ନାହିଁ ।

 

–ନାଦିରା ବେଗମ୍‌ଙ୍କର ମତ ଅଛି ତ ?

 

–ହଁ, ସେ ଏହି ପ୍ରସ୍ତାବ କରିଛନ୍ତି ।

 

ଏ କଥା ଶୁଣି ଦୁଇବାହୁରେ ଦାରାଙ୍କର ଗ୍ରୀବାଦେଶ ବେଷ୍ଟନକଲି । ତାଙ୍କୁ ଟାଣିନେଇ ପଲଙ୍କ ଉପରେ ବସେଇଲି । ଦାରାଙ୍କ ଆଦର ଭିତରେ ସ୍ୱପ୍ନ ଦେଖିଲି–ଗୋଟିଏ ଶିବିରରେ ସେ ଆଉ ମୁଁ–ଅନ୍ୟ କେହି ନାହିଁ । ଶତ ଯୋଜନ ମଧ୍ୟରେ ନାଦିରା ବେଗମ୍‌ ମଧ୍ୟ ନାହାନ୍ତି । ଚତୁର୍ଦ୍ଦିଗ ପର୍ବତ–ପରିବେଷ୍ଟିତ । ଗୋଟିଏ ଦିଗରୁ ଝରଣା ବହିଆସୁଛି ।

 

ପର୍ବତର ଫାଙ୍କଦେଇ ଚାନ୍ଦ ଉଙ୍କିମାରୁଛି ।

 

–କଣ ଭାବୁଛ ରାଣାଦିଲ୍‌ ?

 

–କିଛି ନାହିଁ ।

 

–ତୁମେ ମିଛ କହୁଛ ।

 

–କେମିତି ଜାଣିଲ ?

 

–ମୁଁ ଜାଣେ ।

 

–ବେଶ୍‌, ତୁମ କଥା ଠିକ୍‌ ।

 

–ତୁମେ ଅନେକ କଥା ଭାବୁଛ ।

 

–କହ ତ ଦାର୍ଶନିକ, ମୁଁ କଣ ଭାବୁଛି ? କହିପାରିଲେ...

 

–କଣ ଦେବ ?

 

–କଣ ଦେବି ? ସବୁ ତ ଦେଇସାରିଛି–ଆଉ ଦେବାପାଇଁ କିଛି ନାହିଁ ।

 

–ତୁମେ ଭାବୁଛ, କାନ୍ଦାହାର ଯାତ୍ରାର ପଥ ସୁଖମୟ ହେବ କି ନାହିଁ ।

 

–ତୁମେ ଦାର୍ଶନିକ ।

 

–ଏକଥା କାହିଁକି କହିଲ ?

 

–ସମସ୍ତେ ଏକଥା କହନ୍ତି । କାଶୀଧାମରେ ଉପନିଷଦ ଅନୁବାଦ କରି ନାମ ଦେଇ ଶାୟାର୍‌-ଇ-ଆକବରୀ । ସେହିଦିନଠାରୁ ସମସ୍ତେ ଏକଥା କହନ୍ତି ।

 

–ତୁମେ ଏତେ ଖବର ରଖ ?

 

–ରଖିବାକୁ ହୁଏ ।

 

–କିନ୍ତୁ ମୁଁ ଦାର୍ଶନିକ, ତା’ର ପ୍ରମାଣ ବର୍ତ୍ତମାନ କେମିତି ପାଇଲ ?

 

–କାରଣ ଦାର୍ଶନିକର ଅନ୍ତର୍ଦୃଷ୍ଟି ସ୍ୱଚ୍ଛ ।

 

–କିନ୍ତୁ ମୁଁ ଠିକ୍‌ କଥା କହିପାରିନାହିଁ ।

 

–କେମିତି ଜାଣିଲ ?

 

–ତୁମକୁ ନିଶ୍ଚିନ୍ତ ଦେଖି ।

 

–ଠିକ୍‌ କଥା କହିଥିଲେ ମୁଁ କଣ କରିଥାନ୍ତି ?

 

–ତୁମର ହାତ ମୁଠା ଏପରି ଶିଥିଳ ହୋଇଯାଇନଥାନ୍ତା ।

 

–ବେଶ୍‌, ମୁଁ ତା’ହେଲେ କୌଣସି ବାଜେ କଥା ଭାବୁଥିଲି ।

 

–ତା’ ନୁହେଁ–ତୁମମାନଙ୍କର ମନକଥା ଆମେ ନଜାଣିଲେ ତୁମେମାନେ ଆନନ୍ଦ ପାଅ ।

 

–ତା’ର ଅର୍ଥ, ତୁମମାନଙ୍କୁ ପ୍ରତାରିତ କରିବାରେ ଆମେ ଆନନ୍ଦ ପାଉ ?

 

–କେବେ ନୁହେଁ । ମନକଥା ମନ ଭିତରେ ରହିଲେ ଭଲ । ପ୍ରକାଶ କରିଦେଲେ ମାଧୁର୍ଯ୍ୟ ରହେ ନାହିଁ ।

 

–ସବୁ କଥା ତୁମେ ଜାଣିଛ ?

 

–ସବୁ ନୁହେଁ, ସାମାନ୍ୟ ।

 

ଦାରା ମୋ କକ୍ଷରେ । ବର୍ତ୍ତମାନ ଏଠାରେ କାହାର ପ୍ରବେଶ କରିବାର ଅଧିକାର ନାହିଁ-। ଦାରାଙ୍କର ଓଷ୍ଠ ଶୁଷ୍କ । ତାଙ୍କର ସରବତ ଦରକାର । ମୁଁ ଶଯ୍ୟା ପରିତ୍ୟାଗ କଲି ।

 

–କେଉଁଆଡ଼େ ଯାଉଛ ?

 

–ତୁମପାଇଁ ସରବତ ଆଣିବି ।

 

–ମୁଁ କଣ ଚାହୁଁଛି ?

 

–ମନେ ମନେ ଚାହୁଁଛ ।

 

–ହଁ ଚାହୁଁଥିଲି । ତୁମେ ମନକଥା ବୁଝିପାର ।

 

–ମୋର ତ ଆଉ କିଛି କାମ ନାହିଁ ।

 

–ସବୁ ବେଗମ୍‌ ବୁଝିପାରନ୍ତି ?

 

–ତୁମେ କଣ ଜାଣନାହିଁ ?

 

–ମୋର ବେଗମ୍‌ ସଂଖ୍ୟା କମ୍‌ ।

 

–ନାଦିରା ବେଗମ୍‌ ?

 

–ସେ ବୁଝନ୍ତି; କିନ୍ତୁ ତାଙ୍କ ଜନ୍ମ ନବାବ ବଂଶରେ । ମୋର ପ୍ରତ୍ୟେକଟି ବିଷୟ ପ୍ରତି ଦୃଷ୍ଟି ଦେଉ ଦେଉ ସେ କେତେଗୁଡ଼ିଏ କଥା ଭୁଲିଯାଆନ୍ତି ।

 

–ତୁମ ହାରେମ୍‌ରେ ଏତେ ରମଣୀ ଅଛନ୍ତି; ତାଙ୍କ ପାଖକୁ କେବେ ଯାଅନାହିଁ ?

 

–ମନେ ପଡ଼ୁନାହିଁ । ପୂର୍ବରୁ ଯାଉଥିଲି ।

 

–ସେମାନେ ବଡ଼ ଦୁଃଖୀ, ଦାରା !

 

–ସେମାନଙ୍କ ଦୁଃଖର କଥା ଚିନ୍ତା କରିବାର ଶିକ୍ଷା ଆାମେ ପାଇନାହୁଁ ।

 

–ସେମାନେ ମଧ୍ୟ ରକ୍ତମାଂସରେ ଗଢ଼ା ।

 

–ଜାଣେ ।

 

–ସେମାନଙ୍କର ହୃଦୟ ଅଛି ।

 

–ଅସ୍ୱୀକାର କରୁନାହିଁ ।

 

–ଭଗବାନ ସମସ୍ତଙ୍କପରି ସେମାନଙ୍କୁ ଭଲପାଇବାର କ୍ଷମତା ଦେଇଛନ୍ତି ।

 

–ନିଶ୍ଚୟ ।

 

–ସ୍ନେହଶ୍ରଦ୍ଧା ପାଇବାର ଯୋଗ୍ୟତା ମଧ୍ୟ ସେମାନଙ୍କର ଅଛି ।

 

–ହଁ ।

 

–ତେବେ ?

 

–ସମସ୍ତେ ଦାରା ନୁହନ୍ତି ରାଣାଦିଲ୍‌ ! ମୋଗଲବଂଶରେ ଦାରା ଏକ ବ୍ୟତିକ୍ରମ । ଏ ବଂଶର ହାରେମ୍‌ରେ ବହୁ ନାରୀର ପ୍ରୟୋଜନ ରହିଛି । କେବଳ ଚାହିଦା ପାଇଁ ନୁହେଁ, ସମ୍ମାନର ପ୍ରଶ୍ନ ଏଥିରେ ଅଛି । ଏହି ପ୍ରଥା ଉଠେଇଦେବା ଅସମ୍ଭବ ।

 

ତର୍କ କରିବା ବୃଥା । ଦାରା ନିଷ୍ଠୁର ସତ୍ୟ ପ୍ରକାଶ କରିଛନ୍ତି । ବାହାରେ ଅପେକ୍ଷାରତ ଫତେମାକୁ ସରବତ ଆଣିବାକୁ ଆଦେଶ ଦେଲି ।

 

କାନ୍ଦାହାର ଯାତ୍ରାର ଦିନ ପାଖେଇ ଆସିଲା । ନାଦିରା ବେଗମ୍‌ ମତେ ଦିନେ ଡକେଇ ପଠେଇଲେ । ଦୁଇଟି କାରଣରୁ ଏହି ପ୍ରତ୍ୟାଶିତ ଆହ୍ୱାନର ଅପେକ୍ଷାରେ ଥିଲି । ପ୍ରଥମତଃ, ପ୍ରତିମାସରେ ସେ ମତେ ଥରେ କିମ୍ୱା ଦୁଇଥର ଡକେଇପଠାନ୍ତି । ବିମାରଖାନାରେ ଆମର ନୃତ୍ୟର ଆସର ବେଶିଦିନ ଚାଲିପାରିଲା ନାହିଁ–କାରଣ ବିମାରଖାନା ସବୁବେଳେ ଖାଲି ନଥାଏ । ତା’ଛଡ଼ା ଦିନେ ଅକସ୍ମାତ୍‌ ହାକିମ୍‌-ଇ-ବୁଜ୍‌ରୁଗ୍‌ ଏବଂ ହାକିମ୍‌-ଇ-ମୁଲକ, ଉଭୟ ପରିଦର୍ଶନରେ ଆସି ଆମ ଦୁହିଁଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ । ନାଦିରା ବେଗମ୍‌ଙ୍କ ପାଖକୁ ଆସି ତାଙ୍କ ନାଡ଼ି ପରୀକ୍ଷା କରିବାକୁ ଚାହିଁଲେ । ଓଢ଼ଣାର ଅନ୍ତରାଳରେ ନାଦିରା ବେଗମ୍‌ ହସିବେ କି କାନ୍ଦିବେ ବୁଝିପାରିଲେ ନାହିଁ ।

 

ଶେଷରେ ଫତେମା ଆସି ଆମକୁ ବିପଦରୁ ରକ୍ଷା କଲା । ସେମାନଙ୍କୁ କହିଲା ଯେ ଆମେ ବିମାରଖାନାକୁ ପରିଦର୍ଶନରେ ଆସିଥିଲୁ । ସେମାନେ ବିଶ୍ୱାସ କଲେ କି ନାହିଁ ଜାଣେ ନାହିଁ-। ପାଦରେ ନୂପରର ଶବ୍ଦକୁ ମୁଁ କୌଣସିମତେ ବନ୍ଦ କରିପାରିଲି ନାହିଁ ।

 

ମତେ ଉପଲକ୍ଷ୍ୟ କରି କଠୋର ସ୍ୱରରେ ଫତେମାକୁ କହିଲେ–ଏମାନଙ୍କୁ ଏଠିକି ଆଣିବା ପୂର୍ବରୁ ଆମର ଅନୁମତି କରିବା ଦରକାର ।

 

ଫତେମା ସବୁ ଦୋଷ ନିଜ ଉପରକୁ ନେଇଯାଇ କହିଲା–ମୋର ଅନ୍ୟାୟ ହୋଇଛି ।

 

ହାକିମ୍‌-ଇ-ବୁଜ୍‌ରୁଗ୍‌ କହିଲେ–ଖୁବ୍ ଅନ୍ୟାୟ ହୋଇଛି । ତୁମେ ଜାଣ, ଏହା ପୂର୍ବରୁ ଯେ ଏଠି ଥିଲେ ତାଙ୍କର ରୋଗ କଣ ?

 

–ନା, ହାକିମ୍‌ ସାହେବ ! ଏହା ପୂର୍ବରୁ ତ ଥିଲେ ସିମ୍‌-ତାନ୍‌-ବାନୁ । ସେ ରାଜଭ୍ରମଣରେ ଯାଇଛନ୍ତି ।

 

–ହଁ, କିନ୍ତୁ ଚିରଦିନ ପାଇଁ । ସେ ଆଉ ଫେରିବେନାହିଁ ।

 

ଫତେମା ସହିତ ଆମେ ସମସ୍ତେ ଚମକିପଡ଼ିଲୁ । ସିମ୍‌-ତାନ୍‌-ବାନୁ ଦାରାଙ୍କର ପ୍ରଥମ ଯୌବନର ପ୍ରଥମ ନାରୀ । ସତ୍ୟ କି ନୁହେଁ କହିପାରିବି ନାହିଁ । ଦାରାଙ୍କ ବିବାହ ପରଠାରୁ ସେ ଅବହେଳିତ ଜୀବନ କଟାଉଥିଲେ । ସେ ପ୍ରକୃତରେ ସୁନ୍ଦରୀ ଥିଲେ । ଏକ ଅସାମାନ୍ୟ ଲାବଣ୍ୟ ଥିଲା ତାଙ୍କ ଶରୀରରେ । ସେ ସବୁବେଳେ ନିଜ କକ୍ଷ ମଧ୍ୟରେ ରହିଥାନ୍ତି । କେତେବେଳେ କାହା ସାମ୍‌ନାରେ ପଡ଼ିଗଲେ ବିନୟରେ ମଥା ନତକରନ୍ତି । ଆମମାନଙ୍କ ପ୍ରତି ତାଙ୍କର ହିଂସା ନଥିଲା । ଅଥଚ ମୁଁ ଓ ନାଦିରା ବେଗମ୍‌ ତାଙ୍କ ବିଷୟରେ କେତେ ଆଲୋଚନା କରିଛୁ । ସେହି ଆଲୋଚନାରେ ଈର୍ଷାଭାବ ପ୍ରକାଶ ପାଇଛି ।

 

ଫତେମା ଉତ୍କଣ୍ଠିତ କୌତୂହଳ ସହ ପଚାରିଲା–ତାଙ୍କର କଣ ହୋଇଛି ?

 

–ଯକ୍ଷ୍ମା ।

 

ବଜ୍ରାଘାତ ହେଲା । ସେହିଦିନଠାରୁ ଆମର ନୃତ୍ୟର ଆସର ନାଦିରା ବେଗମ୍‌ଙ୍କର ଖାସ୍‌ ମହଲରେ ବସେ ।

 

ନାଦିରା ଆଜି କେବଳ ନୃତ୍ୟ ଦେଖିବାକୁ ଡକେଇନାହାନ୍ତି–କାନ୍ଦାହାର ଯାତ୍ରା ପୂର୍ବରୁ ସେ ବୋଧହୁଏ କିଛି ଉପଦେଶ ଦେବାକୁ ଚାହାନ୍ତି । ଦାରା ଶିକାରକୁ ଯାଇଛନ୍ତି; କେତେବେଳେ ଫେରିବେ ଠିକ୍‌ ନାହିଁ । ସେ ଆସି ପହଞ୍ଚିଗଲେ ଅସୁବିଧା ହେବ–କାରଣ ସେ କାହାପାଖକୁ ପ୍ରଥମେ ଯିବେ ଠିକ୍ ନାହିଁ ।

 

ମତେ ଦେଖି ନାଦିରା କହିଲେ–ପାଦରେ ଶବ୍ଦ ନାହିଁ କାହିଁକି ?

 

ହାତମୁଠାରୁ ନୂପୁର ବାହାର କରି କହିଲି–ଦରକାର ହେଲେ ପିନ୍ଧିବି ।

 

–ତା’ ହେଲେ ତୁମେ ବୁଝିପାରିଛ ?

 

–ହଁ ବେଗମ୍‌ ସାହେବା ! ମୁଁ ଜାଣେ, ଏ ଅସମୟରେ କିଛି ଉପଦେଶ ଦେବାପାଇଁ ଆପଣ ଡକେଇଛନ୍ତି ।

 

ନାଦିରାଙ୍କ କଥାବାର୍ତ୍ତାରେ କ୍ଳାନ୍ତିର ଛାୟା ସ୍ୱାଭାବିକ । ବିରହ ଦୀର୍ଘ ହେଲେ ସବୁ ନାରୀମାନଙ୍କର ଏପରି ହୁଏ ।

 

–ଦାରାଙ୍କ ବିଷୟରେ କିଛି କହିବି ରାଣାଦିଲ୍‌ !

 

–କହନ୍ତୁ ।

 

–ମୋର ପ୍ରଥମ ସନ୍ତାନ ବଞ୍ଚିନାହିଁ, ଏ କଥା ତ ଜାଣ । ତା’ପରଠାରୁ ଦାରାଙ୍କ ପାଖରେ କିଛି ବ୍ୟତିକ୍ରମ ଦେଖାଦେଇଛି ।

 

–କେଉଁ ବ୍ୟତିକ୍ରମ କଥା କହୁଛନ୍ତି ?

 

ପୂର୍ବେ ସେ ବହୁତ ବାସ୍ତବବାଦୀ ଥିଲେ । କିନ୍ତୁ ସନ୍ତାନର ମୃତ୍ୟୁ ଯୋଗୁ ସେ ଅତିମାତ୍ରାରେ ଫକୀର ଓ ଜ୍ୟୋତିଷୀଙ୍କୁ ବିଶ୍ୱାସ କରୁଛନ୍ତି ।

 

–ଏ କଣ ଖରାପ ?

 

–ସବୁ କଥା ପ୍ରଥମେ ଶୁଣ । ମୁଁ ଧର୍ମର କଥା କହୁନାହିଁ ରାଣାଦିଲ୍‌ ! ଦାରା ଅବାନ୍ତର ଓ ଅସମ୍ଭବ ଜିନିଷରେ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି । ଫକୀରମାନଙ୍କ କଥା ତାଙ୍କ ନିକଟରେ ଧ୍ରୁବ ସତ୍ୟ । ସେମାନେ ଯେଉଁ ଭବିଷ୍ୟତ–ବାଣୀ କହନ୍ତି, ଦାରା ବିଶ୍ୱାସ କରନ୍ତି । ଏ ସବୁ କଣ ଭଲ ?

 

–ନା, ଏହାର ଫଳ ମାରାତ୍ମକ ହୋଇପାରେ ।

 

–ମୋର ତୁମକୁ ଅନୁରୋଧ, ଏସବୁ ଦିଗକୁ ଟିକିଏ ଲକ୍ଷ୍ୟ ରଖିବ । ମୁଁ ତ ଯାଇ–ପାରୁନାହିଁ ।

 

–ମୁଁ ଦୃଷ୍ଟି ରଖିବାପାଇଁ ଯଥାସାଧ୍ୟ ଚେଷ୍ଟା କରିବି ।

 

–ଦାରାଙ୍କ ସାଙ୍ଗରେ ସବୁବେଳେ ଦଳେ ଚାଟୁକାର ଥାଆନ୍ତି । ସେମାନେ ତାଙ୍କୁ ସବୁବେଳେ ମତେଇଦେଇ ମଜାଦେଖନ୍ତି ।

 

–ମୁଁ ଆପ୍ରାଣ ଚେଷ୍ଟା କରିବି ବେଗମ୍‌ ସାହେବା !

 

–ଜାଣେ । ତଥାପି ତୁମେ ପାରିବ ତ ? ତୁମେ ସୁଯୋଗ ଦେଖି ନିୟମିତ ଭାବରେ ଆଭାସ ଓ ଇଙ୍ଗିତଦ୍ୱାରା ତାଙ୍କୁ ଏସବୁଥିରୁ ନିରୁତ୍ସାହିତ କରିବାପାଇଁ ଚେଷ୍ଟା କରିବ ।

 

–ଆପଣଙ୍କ ଉପଦେଶ ମୁଁ ପାଳନ କରିବି ।

 

–ଜାଣ ରାଣାଦିଲ, ମୋର ଭାରି ଭୟ ହୁଏ, ତାଙ୍କର ଏହି ଦୁର୍ବଳତା ତାଙ୍କୁ ଦିନେ ଚରମ ବିପଦରେ ପକେଇବ ।

 

ସେଦିନ ନୃତ୍ୟ କି ଗୀତ ହେଲାନାହିଁ । ନାଦିରା ବେଗମ୍‌ଙ୍କର ଅଶ୍ରୁସଜଳ ମୁଖ ମୋ ମନରୁ ଦାରାଙ୍କୁ ଏକା ପାଇବାର ଆନନ୍ଦକୁ ହ୍ରାସକରିଦେଲା । ମନେହେଲା, କାନ୍ଦାହାର ଅଭିଯାନର ପ୍ରକୃତ ନେତୃତ୍ୱ ଦ୍ୱାରାଙ୍କ ଉପରେ ନୁହେଁ–ମୋ ଉପରେ ଅର୍ପିତ ହେଲା ।

 

ଦ୍ୱାରଦେଶରେ କ୍ରୀତଦାସୀ ଗୁଲ-ଇ-ଫାରାତ୍‌ ଆସି ଛିଡ଼ାହେଲା । ସେ ହାରେମ୍‌ ସହିତ ବାହାରର ଯୋଗାଯୋଗ ରକ୍ଷାକରେ ।

 

ନାଦିରା ବେଗମ ଇଶାରାରେ ଗୁଲ୍-ଇ-ଫାରାତ୍‌କୁ ପ୍ରବେଶର ଅନୁମତି ଦେଲେ ।

 

–କଣ ଖବର ଗୁଲ୍‌-ଇ-ଫାରାତ୍‌ ?

 

–ବଡ଼ ବାଦଶାହଜାଦା ଦୁଇଜଣ ଫକୀରଙ୍କୁ ଆଣିଛନ୍ତି ?

 

–ସେମାନେ କେଉଁଠି ଅଛନ୍ତି ?

 

–ତାଙ୍କର ବିଶ୍ରାମାଗାରରେ ।

 

–କାହିଁକି ଆସିଛନ୍ତି ?

 

–ଶୁଣିଲି ସେମାନେ ଜଣେ ଖୁବ୍‌ ବଡ଼ ଫକୀର ସାହେବଙ୍କର ଶିଷ୍ୟ ।

 

–ସେମାନେ କଣ କରୁଛନ୍ତି ?

 

–ଆପଣମାନେ ଅନୁମତି ଦେଲେ ଆପଣଙ୍କୁ ନେଇ ଦେଖାଇଦିଅନ୍ତି । ସ୍ୱଚକ୍ଷୁରେ ଦେଖିବେ ।

–କେମିତି ଆମେ ଯିବୁ ?

–ମୁଁ ବ୍ୟବସ୍ଥା କରିଛି ବେଗମ୍‌ ସାହେବା ! ବିଶ୍ରାମାଗାରକୁ ଯିବା ପଥରେ ପୁରୁଷମାନଙ୍କର ଯାତାୟାତ ବନ୍ଦକରାହୋଇଛି । ଝରକା ଆଢ଼ୁଆଳରେ ସ୍ପଷ୍ଟ ଦେଖିପାରିବେ ।

ଆମେ ସାଙ୍ଗେ ସାଙ୍ଗେ ଉଠିପଡ଼ିଲୁ । ନାଦିରା ହତାଶଦୃଷ୍ଟିରେ ମତେ ଚାହିଁଲେ । ମୋ ମନରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି ହେଲା । କାରଣ ପ୍ରଥମ କାନ୍ଦାହାର ଅଭିଯାନ ପରି ଏଥର ମଧ୍ୟ ଦାରା ଯାଉଛନ୍ତି ଆଉରଙ୍ଗଜେବଙ୍କ ବ୍ୟର୍ଥତା ପରେ । ଆଉରଙ୍ଗଜେବ କେବେ କାର୍ଯ୍ୟରେ ବ୍ୟର୍ଥ ହୁଅନ୍ତି ନାହିଁ । ସେ ଶକ୍ତ ମାଟି ଉପରେ ଛିଡ଼ାହୋଇ ଶାଣିତ ବୁଦ୍ଧିଦ୍ୱାରା ବିଚାର କରି କାର୍ଯ୍ୟ କରନ୍ତି; ତଥାପି ସେ ବ୍ୟର୍ଥ ହୋଇଛନ୍ତି । ଏହାର କାରଣ ପାରସ୍ୟର ଶାହା ଦୃଢ଼ ମନୋଭାବ ପ୍ରଦର୍ଶନ କରିଛନ୍ତି । ସେ ଚାହାନ୍ତି ନାହିଁ, ତାଙ୍କ ରାଜ୍ୟ ହିନ୍ଦୁସ୍ଥାନର ଅଧୀନସ୍ଥ ହେଉ ।

ଆଉରଙ୍ଗଜେବଙ୍କର ପ୍ରିୟ ଭଗ୍ନୀ ରୋଶନାରା ପ୍ରଚାର କରିଦେଇଛି ଯେ, ଆଉରଙ୍ଗଜେବଙ୍କ ବ୍ୟର୍ଥତାର ମୂଳରେ ରହିଛି ସ୍ୱୟଂ ଶାହନଶାହଙ୍କର ଷଡ଼ଯନ୍ତ୍ର । ଶାହନଶାହ ତାଙ୍କର ତୃତୀୟ ପୁତ୍ରକୁ ଉପଯୁକ୍ତ ସୈନ୍ୟବାହିନୀ ଓ ରସଦ ଦେଇନଥିଲେ । ସେ ଚାହାନ୍ତି ଆଉରଙ୍ଗଜେବ ପରାଜିତ ହୁଅନ୍ତୁ ଏବଂ ଦାରା ବିଜୟୀ ହୋଇ ଦେଶବାସୀଙ୍କ ମନରେ ସ୍ଥାୟୀ ଆସନ ଲାଭକରନ୍ତୁ ।

ରୋଶନାରା ଏମିତି ବହୁତ କଥା କହନ୍ତି ଏବଂ ତାଙ୍କୁ ସମର୍ଥନ କରିବାପାଇଁ ହାରେମ୍‌ରେ ଗୋଟିଏ ଛୋଟ ଗୋଷ୍ଠୀ ଅଛି । ରୋଶନାରାଙ୍କର ମନ୍ତବ୍ୟକୁ ଏହି ଗୋଷ୍ଠୀ ହାରେମ୍‌ରେ ପ୍ରଚାର କରନ୍ତି । ସେମାନେ ପ୍ରଚାର କରିଛନ୍ତି ଯେ ଯେଉଁ ଅଭିଯାନରେ ଆଉରଙ୍ଗଜେବ ବ୍ୟର୍ଥ ହୋଇଛନ୍ତି, ସେହି ଅଭିଯାନରେ ଦାରା ହତହେବେ । ନଚେତ୍‌ ନିଜର ପ୍ରିୟ ରାଣାଦିଲ୍‌ଙ୍କୁ ପାରସ୍ୟର ଶାହାଙ୍କ ହାତକୁ ଟେକିଦେଇ ଜୀବନଭିକ୍ଷା ଚାହିଁବେ ।

ଫତେମା ମତେ ଏ ଖବର ଦେଇଥିଲା । ମୁଁ ନାଦିରା ବେଗମ୍‌ଙ୍କୁ କହିନାହିଁ–କହିବାକୁ ଭଲଲାଗିଲାନାହିଁ । ମନ ମଧ୍ୟରେ ପ୍ରତିଶୋଧ ସ୍ପୃହା ମଧ୍ୟ ଜାଗିଲାନାହିଁ । ମୁଁ ଅପେକ୍ଷା କଲି କାନ୍ଦାହାର ଅଭିଯାନର ଫଳାଫଳକୁ–କାରଣ ସେଥିରୁ ଦାରାଙ୍କର ପ୍ରକୃତ ପରିଚୟ ମିଳିବ ।

କିନ୍ତୁ ଦାରାଙ୍କର ଚରିତ୍ର ଓ ନାଦିରା ବେଗମ୍‌ଙ୍କ ସହିତ ମୋର କଥାବାର୍ତ୍ତା ମୋ ହୃଦୟରେ ଆଶଙ୍କା ସୃଷ୍ଟି କଲା । ବିଶ୍ରାମାଗାରରେ ଦୁଇଜଣ ଫକୀରଙ୍କର ଆର୍ବିଭାବ ନାଦିରାଙ୍କ ପରି ମତେ ମଧ୍ୟ ଆଘାତ ଦେଲା । ମୁଁ ଓ ନାଦିରା ବେଗମ୍‌ ଧୀରେ ଧୀରେ ଯାଇ ଝରକା ଆଢ଼ୁଆଳରେ ଛିଡ଼ାହେଲୁ । ଦେଖିଲୁ, ଫକିର ଦୁହେଁ ଗାଲିଚା ଉପରେ ବସିଛନ୍ତି । ତାଙ୍କ ଦେହରେ ଶତତାଳିଯୁକ୍ତ ମଳିନ ଆଲଖାଲ୍ଲା । ହାତ ଦୁଇଟି ଆଲଖାଲ୍ଲା ଭିତରେ ରହିଛି ।

ନାଦିରା ବେଗମ୍‌ ନାସିକା କୁଞ୍ଚନ କଲେ–କାରଣ ଫକୀରମାନଙ୍କର ମଳିନ ପୋଷାକ ସେ ସହ୍ୟକରି ପାରୁନଥିଲେ । ନାଦିରା ତ ରାଜପଥର ନର୍ତ୍ତକୀ ରାଣାଦିଲ୍‍ ନୁହନ୍ତି । ରାଣାଦିଲ୍‌କୁ କିଛି ଅସ୍ୱାଭାବିକ ମନେହେଲାନାହିଁ । ତେବେ ବହୁମୂଲ୍ୟ ପ୍ରସ୍ତର ନିର୍ମିତ ସୁସଜ୍ଜିତ କକ୍ଷରେ ଫକୀରସାହେବଙ୍କର ଏ ପୋଷାକ ଖାପଛଡ଼ା ମନେହେଉଥିଲା ।

ନାଦିର ବେଗମ୍‌ଙ୍କର ବିରକ୍ତିର ଅନ୍ୟ ଏକ କାରଣ ହେଲା–ସିଂହାସନର ଭାବୀ ଉତ୍ତରାଧିକାରୀ ଅତ୍ୟନ୍ତ ଘନିଷ୍ଠ ଭାବରେ ଫକୀରମାନଙ୍କ ସାମନାରେ ବସିଛନ୍ତି । ତିନିଜଣଙ୍କର ଚକ୍ଷୁ ମୁଦ୍ରିତ ।

 

କିଛି ସମୟ କଟିଗଲା । ନାଦିରା ଖୁବ୍‌ ଧୀରେ କହିଲେ–କେତେ ସମୟ ଏମିତି ଛିଡ଼ାହେବା ?

 

–ଯେତେ ସମୟ ପର୍ଯନ୍ତ କିଛି ଦେଖିନପାରିବା ।

 

–କଣ ଆଉ ଦେଖିବ ?

 

–ଅନେକ କିଛି । ଆପଣଙ୍କ ଗଳାର ସେହି ହୀରା ହାର ଯଦି କେବେ ହଜିଯାଏ, ଏମାନଙ୍କୁ କହିବେ । ଦେଖିବେ, ଏହିପରି ଭାବରେ ସ୍ଥିରହୋଇ ବସିରହି ସେମାନେ କହିଦେବେ କିଏ ନେଇଛି ବା କେଉଁଠି ଅଛି ।

 

–ସତ ?

 

–ହଁ ।

 

–କେମିତି ଜାଣିଲ ?

 

–ମୁଁ ଦେଖିଛି ।

 

–ମିଳେ ?

 

–ଲୋକମାନେ ତ କହନ୍ତି; ନହେଲେ ଏତେ ବିଶ୍ୱାସ କେଉଁଠୁ ଆସିବ ?

–ତୁମେ ଦେଖିଛ ?

–ନା ।

ନାଦିରା ଆଉ କିଛି ନକହି ଝରକାପାଖରେ ବସିପଡ଼ିଲେ । ରୋଶନାରାଙ୍କର ଗୋଟିଏ ମନ୍ତବ୍ୟ ମୋ କାନରେ ପଡ଼ିଥିଲା । ଦାରାଙ୍କୁ ଏକଦୃଷ୍ଟିରେ ଚାହିଁ ତାଙ୍କର ଶାନ୍ତ ସୌମ୍ୟ ରୂପ ଦେଖି ସେହି କଥା ମୋର ମନେପଡ଼ିଲା । ରୋଶନାରା ଦିନେ ହାରେମ୍‌ର ଉଦ୍ୟାନରେ ବୁଲୁଥିଲେ । ସେଠାରେ ବହୁ ଯତ୍ନ ମଧ୍ୟରେ ବଢ଼ିଥିଲା ଚୀନ ଦେଶରୁ ଅଣାଯାଇଥବା ଦୁର୍ଲଭ କେତୋଟି ଚାରାଗଛ । ରୋଶନାରା ଉଦ୍ଧତ ଭଙ୍ଗୀରେ ଚାରାଗଛଆଡ଼କୁ ଆଙ୍ଗୁଳି ଦେଖାଇ କହିଲେ–ଏସବୁ ଦାରାର ଜାତି; ଗୋଟିଏ ଧାତୁରେ ଗଢ଼ା ।

ରୋଶନାରାଙ୍କ ସାଙ୍ଗରେ ଥିଲା ନେକି । ସେ ବିନୟର ସହିତ ପ୍ରଶ୍ନ କଲା–ଏକଥା କାହିଁକି କହୁଛନ୍ତି ବେଗମ ସାହେବା ?

–ତୁ ଅପଦାର୍ଥ, ସେଥିପାଇଁ ବୁଝିପାରୁନାହୁଁ । ଟିକିଏ ଭାବି ଦେଖ୍‍ ।

ନେକି ବହୁତ ଭାବିଲା; କିନ୍ତୁ କିଛି ବୁଝିପାରିଲା ନାହିଁ । ରୋଶନାରା ତାକୁ ଗୋଟିଏ ଚାପୁଡ଼ା ମାରି କହିଲେ–ଆଜି ତୁ ଏଠାରୁ ଚାଲିଯା’ । ତୋର ମୁହଁ ମୁଁ ଦେଖିବାକୁ ଚାହେଁନାହିଁ ।

କ୍ରୀତଦାସୀ ରୋଶନାରାଙ୍କ ପାଦତଳେ ପଡ଼ିଗଲା । ଏ ସଂସାରରେ ତା’ର କେହି ନାହିଁ । ତାକୁ ପଦାଘାତ କରି ରୋଶନାରା କହିଲେ–ଶୀଘ୍ର ଉଠି ଛିଡ଼ାହୁଅ ।

 

ସେ ଉଠି ଛିଡ଼ାହେଲା । ନୟନରେ ଅଶ୍ରୁ । ରୋଶନାରା ହିଂସ୍ର ଦୃଷ୍ଟିରେ ତା’ ଆଡ଼କୁ ଚାହିଁ କହିଲେ–ଗୋଟିଏ ସର୍ତ୍ତରେ ତତେ କ୍ଷମା କରିପାରେ । ପାରିବୁ ?

–ପାରିବି ବେଗମ୍‌ ସାହେବା !

–ଯଦି ନପାରୁ ?

–ମୋର ମୁଣ୍ଡ କାଟିଦେବେ ।

–ବେଶ୍ । ଏହି ଚାରାଗଛ ସହିତ ଦାରାଙ୍କୁ କାହିଁକି ତୁଳନା କଲି ଜାଣୁ ?

–ମୁଁ ଶୁଣିଛି ବେଗମ୍‌ ସାହେବା !

–ମୁଁ ଯାହା କହିବି, ତୁ ସମସ୍ତଙ୍କୁ ଜଣେଇଦେବୁ ।

–କହିବି ବେଗମ୍‌ ସାହେବା !

–ଦାରାଙ୍କୁ ମଧ୍ୟ ଏମିତି ଯତ୍ନରେ ଶାହନଶାହ ମଣିଷ କରିଛନ୍ତି । ବାହାରର ଝଡ଼ଝଞ୍ଜା ଓ ଆଲୋକ ତା’ ଦେହରେ ଲାଗିବନାହିଁ; କାରଣ ଝଡ଼ରେ ସେ ଭାଙ୍ଗିଯିବ–ଆଲୋକରେ ପୋଡ଼ିଯିବ । ପ୍ରଥମରୁ ଠିକ୍‌ରୂପେ ପାଣି ଦିଆହେଉଛି । ଯାହାଫଳରେ ସେ ବଡ଼ହେବ–ବୁଝିଲୁ ?

–ହଁ ବେଗମ୍‌ ସାହେବା, ଏଥର ଭଲଭାବରେ ବୁଝିପାରିଛି ।

–ଫଳ କଣ ହେବ ଜାଣୁ ?

–ଖୁବ୍‌ ଶୀଘ୍ର ବଡ଼ହେବେ ।

–ନା ଦାରା ମରିବେ । ବାହାରକୁ ବାହାରିବା ମାତ୍ରେ ସେ ମରିବେ ।

–ହଁ ବେଗମ୍‌ ସାହେବା, ଆଉ ଭୁଲ ହେବନାହିଁ ।

–ତୁ ସମସ୍ତଙ୍କୁ ଏକଥା ବୁଝେଇଦେବୁ । ଖବରଦାର, ମୋ ନାଁ କହିବୁନାହିଁ । ଆଚ୍ଛା, ଖାଁ ଆଜାମ୍‌ ଖାଁଙ୍କୁ ଚିହ୍ନିଛୁ ?

–ଚିହ୍ନିଛି ବେଗମ୍‌ ସାହେବା ! ସେ ଦେଖିବାକୁ ଖୁବ୍‌ ସୁନ୍ଦର ।

–ଖୁବ୍‌ ସୁନ୍ଦର, ନୁହେଁ ? ତାକୁ ରାତିରେ ଲୁଚେଇ ହାରେମକୁ ଆଣିବାକୁ ପଡ଼ିବ । ନେକି ଭୟପାଇଲା । ବର୍ତ୍ତମାନ ସେ ରୋଶନାରାଙ୍କର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରିଛି । ହାରେମ୍‌କୁ ଗୋପନରେ ପୁରୁଷଙ୍କୁ ଆଣିବା ଘଟଣା ତା’ର ଅଜଣା ନୁହେଁ; କିନ୍ତୁ ଆଜାମ୍‌ ଖାଁ ? ଅସମ୍ଭବ !

–ପାରିବୁ ?

ନେକିର କଣ୍ଠରୁଦ୍ଧ ହୋଇଆସିଲା । ଶତଚେଷ୍ଟା ସତ୍ତ୍ୱେ ସେ କଥା କହିପାରିଲା: ନାହିଁ । ରୋଶନାରା ଉନ୍ମାଦିନୀ ପରି ତାକୁ ପଦାଘାତ କରିବାକୁ ଲାଗିଲେ । ଚିତ୍କାର କରି କହିଲେ–ପାରିବୁ ନାହିଁ, କହ ପାରିବୁ ନାହିଁ ?

 

ଅସହ୍ୟ ଯନ୍ତ୍ରଣାରେ ନେକି କହିଲା–ପାରିବି ବେଗମ୍‌ ସାହିବା ! ମତେ ଆଉ ମାରନ୍ତୁ ନାହିଁ । ମୁଁ ନିଜେ ନେଇଆସିବି ।

 

କୌଣସି ପ୍ରକାରେ ନିଜକୁ ରକ୍ଷା କରି ସେ ଫତେମା ପାଖକୁ ଛୁଟିଆସିଲା । ଫତେମା ତା’ ଦେଶର ଲୋକ । ଦୁହିଁଙ୍କର ଘର ମୁଲତାନରେ । ଫତେମାଙ୍କୁ ସବୁ କଥା କହିଲା । ତା’ପରେ ସେହିଦିନ ରାତିରେ ଆକିନା ବେଗମ୍‌ର ପେଡ଼ିରୁ ଅଫିମ ଚୋରିକରି ଖାଇ ଜୀବନର ଜ୍ୱାଳାକୁ ନିର୍ବାପିତ କରିଥିଲା ।

 

ଦୀର୍ଘଶ୍ୱାସ ଶବ୍ଦରେ ସଚକିତ ହୋଇ ଦେଖିଲି, ଜଣେ ଫକୀର ଆଖି ଖୋଲିଲେ । ତା’ପରେ ଆଉ ଥରେ ଆଖି ବନ୍ଦ କରି ହାତ ଦୁଇଟିକୁ ସମ୍ମୁଖକୁ ପ୍ରସାରିତ କରି କହିଲେ–ମୁଁ ଦେଖିପାରୁଛି, ଏହି ମୁହୂର୍ତ୍ତରେ ପାରସ୍ୟ ଦେଶରେ କଣ ଘଟୁଛି । ଏଇତ ପ୍ରାସାଦର ମିନାର । ଏଇ ତ ଶାହାଙ୍କର କକ୍ଷ । ବେଗମ୍‌ମାନେ ନୀରବରେ ଅଶ୍ରୁ ବିସର୍ଜନ କରୁଛନ୍ତି । ବାହାରେ ପ୍ରଜାମାନଙ୍କର ଭିଡ଼ । ଶାହା ଏଇମାତ୍ର ମୃତ୍ୟୁର କୋଳରେ ଢଳିପଡ଼ିଲେ । ହାକିମ୍‌ଙ୍କର ଔଷଧ ଓଷ୍ଠପାର୍ଶ୍ୱଦେଇ ଗଡ଼ିପଡ଼ିଲା ।

 

ଫକୀର ନୀରବ ହେଲେ । ପୁଣି ଆଖି ଖୋଲିଲେ । ତା’ପରେ ଦୁଇହାତରେ ମୁହଁ ପୋଛିବାକୁ ଲାଗିଲେ । ତା’ ପରେ ଦ୍ୱିତୀୟ ଫକୀର ଦୁଇ ଆଣ୍ଠୁ ଉପରେ ହାତ ରଖି କହିଲେ–ହଁ ସତ କଥା, ମୁଁ ତ ସେୟା ଦେଖିପାରୁଛି ।

 

ନାଦିରା ମୋ ହାତ ଚାପିଧରିଲେ । ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲି । ଏଥର ଦାରା ବୋଧହୁଏ ସନ୍ତୁଷ୍ଟ । ନିଶ୍ଚିନ୍ତ ମନରେ କାନ୍ଦାହାର ଅଭିଯାନରେ ଯିବେ । ତା’ପରେ ଦାରା ମଧ୍ୟ ଫକୀରମାନଙ୍କ ପରି କିଛି ସମୟ ଆଖି ବନ୍ଦ କରିବା ପରେ ଆଖି ଖୋଲି କହିଲେ–ମୁଁ ବର୍ତ୍ତମାନ ସ୍ପଷ୍ଟ ଦେଖିପାରୁଛି, କାନ୍ଦାହାରରେ ମତେ ସାତଦିନରୁ ବେଶି ରହିବାକୁ ପଡ଼ିବ ନାହିଁ । ସେହି ସାତଦିନ ମଧ୍ୟରେ କାନ୍ଦାହାର କିଲ୍ଲାର ପତନ ଅନିବାର୍ଯ୍ୟ । ଶାହା ଆବ୍ବାସଙ୍କର ମୃତ୍ୟୁ ସତ୍ୟ ଘଟଣା-

 

ନାଦିରା ମୋ ହାତ ଧରି ଟାଣି ଟାଣି ନେଇ ଚାଲିଗଲେ । ତାଙ୍କର ମୁହଁରେ ହସ; କିନ୍ତୁ ଚକ୍ଷୁରେ ଲୋତକ । ତା’ପରେ ସ୍ୱାଭାବିକ କଣ୍ଠରେ କହିଲେ–ଏଇ ହେଉଛନ୍ତି ଦାରା । ଲୋକେ କହନ୍ତି ବିରାଟ ପଣ୍ଡିତ–ଅଥଚ ଶିଶୁପରି ସ୍ୱପ୍ନ ଦେଖନ୍ତି । ଦାରାଙ୍କୁ ପ୍ରତି ପଦକ୍ଷେପରେ ଯୁଦ୍ଧକ୍ଷେତ୍ରରେ ତୁମକୁ ସମ୍ଭାଳିବାକୁ ପଡ଼ିବ–ପାରିବ ?

 

ମୁଁ ଘଟଣାର ଗୁରୁତ୍ୱ ଅନୁଭବ କରିପାରିଲି–ତେଣୁ ସହଜରେ ଉତ୍ତର ଦେଇପାରିଲି ନାହିଁ । ମୁଁ ଲକ୍ଷ୍ୟ କରିଛି, ଦାରା ଯେତେ ସରଳ ହେଲେ ମଧ୍ୟ ତାଙ୍କ ମଧ୍ୟରେ ଆତ୍ମାଭିମାନ ଅଛି । ସେ ନିଜେ ଯାହା ବିଶ୍ୱାସ କରନ୍ତି, ସେଥିରେ ସେ ଅବିଚଳିତ–ଯୁକ୍ତି ମାନିବାକୁ ଚାହାନ୍ତି ନାହିଁ ।

 

ନାଦିରାଙ୍କୁ କହିଲି–ସାଧ୍ୟମତେ ଚେଷ୍ଟା କରିବି ।

 

–ତା’ ସତ । ତୁମର ଅବା କେତେ କ୍ଷମତା ?

 

ହଠାତ୍‌ ନାଦିରା ମତେ କୁଣ୍ଢେଇପକେଇ କହିଲେ–ମୋର ବଡ଼ ଭୟହୁଏ ରାଣାଦିଲ୍‌ !

 

–କଣ ଭୟ ବେଗମ୍‌ ସାହେବା ?

 

–ଦାରା ସିଂହାସନରେ ବସି ଚଳେଇପାରିବେ ତ ?

 

–କାହିକିଁ ପାରିବେ ନାହିଁ ?

 

–ହୁଏତ ପାରିବେ । କିନ୍ତୁ କାହାର ପରାମର୍ଶ ଯେ ସେ ଗ୍ରହଣ କରନ୍ତି ନାହିଁ ।

 

–ସେତେବେଳେ ନିଶ୍ଚୟ ଗ୍ରହଣ କରିବେ । ତାଙ୍କ ଉପରକୁ କେତେବଡ଼ ଦାୟିତ୍ୱ ଆସିବ-

 

–କେଜାଣି, ଭାରି ଭୟ ଲାଗୁଛି । ବେଳେବେଳେ ଦୁଃସ୍ୱପ୍ନ ଦେଖି ନିଦ ଭାଙ୍ଗିଯାଏ । କି ବିଭତ୍ସ ସେ ଦୁଃସ୍ୱପ୍ନ, କହିପାରିବି ନାହିଁ ।

 

–ସ୍ୱପ୍ନ କଣ କେବେହେଲେ ସତ୍ୟ ହୁଏ ବେଗମ୍‌ ସାହେବା ?

 

–ତା’ ସତ । କିନ୍ତୁ ଦାରାଙ୍କୁ ଦେୱାନ-ଇ-ଖାସ୍‌ ଅପେକ୍ଷା ଇବାଜତ୍‌ଖାନାରେ ବେଶି ମାନେ ।

 

ନୀରବ ରହିଲି । ଭାବିଲି, ମୁଁ ଦାରାଙ୍କ ପାଇଁ କେତେ ଚିନ୍ତା କରେ ? ନାଦିରା ବେଗମ୍‌ଙ୍କ ଚିନ୍ତା କେତେ ଗଭୀର, କେତେ ଯନ୍ତ୍ରଣାଦାୟକ । ଏଇ ହେଉଛି ପ୍ରକୃତ ପ୍ରେମ । ଦାରା ଅନୁଗ୍ରହ କରି ମତେ ବେଗମ୍‌ କଲେ ମଧ୍ୟ, ପ୍ରକୃତରେ ମୁଁ ନର୍ତ୍ତକୀ ଛଡ଼ା ଆଉ କିଛି ନୁହେଁ । ଚିନ୍ତାର ଏହି ଗଭୀରତା କେଉଁଠାରୁ ପାଇବି ?

 

ଏକ ପ୍ରଭାତରେ ଯାତ୍ରା ଆରମ୍ଭହେଲା । କିଛିଦୂର ଯିବାପରେ ଦାରା ମୋ ଶକଟକୁ ଉଠିଆସିଲେ । ଦ୍ୱିଧାଜଡ଼ିତ ସ୍ୱରରେ କହିଲି–ଯୁଦ୍ଧ ଅଭିଯାନ ସମୟରେ ନାୟକର ମୁହଁରେ ଏମିତି ଖୁସିଭାବ ଥାଏ ବାଦଶାହଜାଦା ?

 

ଦାରା ଜୋର୍‌ରେ ହସିଉଠି କହିଲେ–କାହିଁକି ରାଣାଦିଲ୍‌, ତୁମ ମନ ଖୁସି ହେଉନାହିଁ ? ଏଠି କେବଳ ତୁମେ ଆଉ ମୁଁ ।

 

–ଆଉ ଯୁଦ୍ଧ ? ଏତେ ବଡ଼ ଦାୟିତ୍ୱ ?

 

–ମାତ୍ର ସାତଦିନ । ଯୁଦ୍ଧରେ ଆମେ ଜୟଲାଭ କରିବୁ ।

 

–ଆଗରୁ ଜାଣିପାରିଛ ?

 

–ହଁ ।

 

–ଓହୋ !

 

–ଏଥର ନିଶ୍ଚିନ୍ତ ତ ?

 

–ତୁମେ ପାଖରେ ଥିଲେ ମୁଁ ନିଶ୍ଚିନ୍ତ ।

 

–ବାଃ, ସୁନ୍ଦର କଥା କହିପାର ତ !

 

ଏହି ଧରଣର ପୁରୁଷ ପୃଥିବୀରେ କେତେଜଣ ଜନ୍ମଗ୍ରହଣ କରନ୍ତି ? କିନ୍ତୁ ଦାରା ଯଦି ମୋଗଲବଂଶରେ ଜନ୍ମଗ୍ରହଣ କରିନଥାନ୍ତେ, ଭଲ ହୋଇଥାନ୍ତା ।

 

ଦାରାଙ୍କ ମୁଣ୍ଡ ଉପରେ ହାତ ରଖି ଡାକିଲି–ବାଦଶାହଜାଦା !

 

–କହ ରାଣାଦିଲ୍ !

 

–ତୁମର କେତେ ଜ୍ଞାନ । ତୁମେ କେତେ ବହି ପଢ଼ିଛ । ସେହି ସବୁ ବହି ପଢ଼ିଲେ ବୋଧେ ଜଣାଯାଏ ଯୁଦ୍ଧର ଫଳ କଣ ହେବ ?

 

–ନା ରାଣଦିଲ୍, ଠିକ୍‌ ତା’ ନୁହେଁ । ଏହି ପୃଥିବୀରେ ବହୁତ ଅଲୌକିକ ଜିନିଷ ଅଛି, ଯାହାକୁ ଜ୍ଞାନ ଦେଇ ସ୍ପର୍ଶ କରିହେବ ନାହିଁ ।

 

–ତୁମେ ସେହି ଅଲୌକିକର ସନ୍ଧାନ ପାଇଛ ?

 

–କିଛି ପାଇଛି ।

 

–ଆଚ୍ଛା, ଆଜି ଆମେ ସନ୍ଧ୍ୟା ପରେ ଶିବିର ପକେଇବା । ସେଠି ଯାଇ କଣ ଦେଖିବା କହିପାରିବ ?

 

–ଚେଷ୍ଟାକଲେ ସେ କଥା ମଧ୍ୟ କହିହେବ; କିନ୍ତୁ ଏ ସାମାନ୍ୟ କଥାରେ ଚେଷ୍ଟାକରି ଲାଭ କଣ ?

 

–କୌତୂହଳ ବାଦଶାହଜାଦା ! ଟିକିଏ ପରୀକ୍ଷା କରିବାକୁ ଇଚ୍ଛା ହେଉଛି ।

 

–ବେଶ୍‌, ମୁଁ ବ୍ୟବସ୍ଥା କରୁଛି ।

 

–ତୁମେ କହିପାରିବ ନାହିଁ ?

 

–ମୁଁ ପାରିବି । ତଥାପି ଏସବୁ ପାଇଁ ଆରବଲ୍-ଇ-ଦୁୟାତ୍‌ ଅଛନ୍ତି । ଏଥର ସାଙ୍ଗରେ ମୁଁ ବହୁତ ମୁଲ୍ଲା ମଧ୍ୟ ଆଣିଛି ।

 

–ପୃଥିବୀର ସବୁ ଯୁଦ୍ଧ ଅଭିଯାନରେ କଣ ଫକୀରସାହେବମାନେ ସାଙ୍ଗରେ ଥାଆନ୍ତି ?

 

–ଜାଣେନା । ଯେ ରଖନ୍ତିନାହିଁ, ସେମାନେ ମୂର୍ଖ । ଆଉରଙ୍ଗଜେବ ମୂର୍ଖ ବୋଲି ବାରମ୍ବାର ପରାସ୍ତ ହେଉଥିଲେ ।

 

ଦାରା ଏତେ ସମୟଯାଏ ମତେ ଧରିଥିଲେ–ହଠାତ୍‌ ଛାଡ଼ିଦେଲେ । ଖୁବ୍‌ ଗମ୍ଭୀର ହୋଇ ବସିଲେ । ମୁଁ ଗୁରୁତର ଅପରାଧ କରିଛି । ତାଙ୍କୁ ଆନନ୍ଦ ଦେବା ମୋର ବ୍ରତ ଏବଂ ସେହିଥିରେ ହିଁ ମୋର ସାର୍ଥକତା ।

 

–ତୁମେ କହୁଛ, ମାତ୍ର ସାତଦିନ ମଧ୍ୟରେ ସବୁ ଶେଷ ହୋଇଯିବ ? ତା’ର ମାନେ ତୁମକୁ ବେଶିଦିନ ଏକାନ୍ତଭାବରେ ପାଇବି ନାହିଁ ? ଏକଥା ଶୁଣି ଭଲଲାଗୁନାହିଁ । ମୋର ଯୁଦ୍ଧ ସହିତ କିଛି ସମ୍ପର୍କ ନାହିଁ; ମୁଁ କେବଳ ତୁମକୁ ଚାହେଁ ।

 

–ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣଭାବରେ ତୁମର । ନାଦିରା ତ ବହୁତ ଦୂରରେ ଅଛି ।

 

–ତା’ ହେଲେ ମତେ ଏମିତି ହଠାତ୍‌ ଛାଡ଼ିଦେଲ କାହିଁକି ?

 

ଦାରା ମତେ ପାଖକୁ ଟାଣିନେଇ କହିଲେ–ଏଥର ହେଲା ?

 

ବାହାରେ ଧୂଳି ଉଡ଼ୁଛି । ପଶୁ ଏବଂ ମନୁଷ୍ୟର ଅଗଣିତ ପାଦର ଆଘାତରେ ପୃଥିବୀର ବକ୍ଷ ବିଦୀର୍ଣ୍ଣ ହେଉଛି । ସେହି ଧୂଳିକଣା ଶକଟ ଭିତରେ ମଧ୍ୟ ପ୍ରବେଶ କରୁଛି ।

 

ମୁଁ କହିଲି–କି ବିରାଟ ଆୟୋଜନ !

 

–ପ୍ରଥମ କରି ଦେଖୁଛ ବୋଲି ଆଶ୍ଚର୍ଯ୍ୟ ଲାଗୁଛି ।

 

–ସେ ପଟେ ପାରସ୍ୟର ସୈନ୍ୟବାହିନୀ ମଧ୍ୟ ପ୍ରସ୍ତୁତ ହେଉଛନ୍ତି, ନୁହେଁ ?

 

–ସମ୍ଭବତଃ ନୁହେଁ; କାରଣ ଶାହା ଆବ୍ବାସ ଆଉ ନାହାନ୍ତି ।

 

–ସତରେ ? ଖବର ପାଇସାରିଛ ?

 

–ହଁ, ଏକରକମ ଖବର ପାଇସାରିଛି ।

 

ଆମ ଶକଟ ଏକ ବିଶାଳ ତୃଣାଚ୍ଛନ୍ନ ପ୍ରାନ୍ତର ଉପର ଦେଇ ଆଗେଇ ଚାଲିଛି । ଦାରା ଗୋଟିଏ ଆଡ଼କୁ ଆଙ୍ଗୁଳି ଦେଖାଇ କହିଲେ–ଏଗୁଡ଼ିକ କଣ କହିପାରିବ ?

 

–କମାଣ ।

 

–ତୁମେ ସବୁ ଜାଣ ଦେଖୁଛି । କିଲ୍ଲା ସାମନାରେ ଦେଖିଛ; କିନ୍ତୁ ଏଗୁଡ଼ିକ କେତେ ଭୟଙ୍କର ଜାଣ ?

 

–କମାଣ ତ ଭୟଙ୍କର ହୁଏ ।

 

–ସେ କଥା କହୁନାହିଁ । ସେହିସବୁ କମାଣର କଥା ପାରସ୍ୟର ଲୋକମାନେ କଳ୍ପନା ମଧ୍ୟ କରିନାହାନ୍ତି । ମଝିରେ ଯେଉଁ ବିରାଟ କମାଣଟିକୁ ଦେଖୁଛ, ସେଥିରୁ ଛୟାଳିଶ ସେର ଓଜନର ଗୁଳି ବାହାରିପାରେ ।

 

–ବାଦଶାହଜାଦା, ଆପଣଙ୍କର ମନେଅଛି ?

 

–କଣ ?

 

–ଆଜି କେମିତି ଜାଗାରେ ଆମେ ଶିବିର ପକେଇବା ।

 

–ସେ କଥା ମୁଁ କହିଦେଇପାରେ । ତୁମେ ନାରୀ, ସେଥିପାଇଁ ତୁମ ନିକଟରେ ଏ ପଥ ଅଜଣା ଏବଂ ରୋମାଞ୍ଚକର–କିନ୍ତୁ ଆମ ନିକଟରେ ନୁହେଁ । ସମଗ୍ର ହିନ୍ଦୁସ୍ଥାନ ଆମ ନଖ-ଦର୍ପଣରେ-। କେଉଁଠାରେ ରାତ୍ରିବାସର ଆୟୋଜନ କରିବାକୁ ହେବ, ପୂର୍ବରୁ ଠିକ୍‌ କରାଯାଇଥାଏ-

 

–ତଥାପି ମୋର ଜାଣିବାକୁ ଇଚ୍ଛାହେଉଛି, ସେଠାରେ ପହଞ୍ଚି ଆଜି ରାତ୍ରି ମଧ୍ୟରେ କିଛି ଅସ୍ୱାଭାବିକ ଘଟଣା ଘଟିବ କି ନାହିଁ ।

 

–ଠିକ୍ ଅଛି, ତୁମକୁ ଟିକିଏ ପରେ ଜଣେଇଦେବି ।

 

ଦାରା ଚାଲିଗଲେ । ମୁଁ ଅପେକ୍ଷା କଲି । ସେ ନିଶ୍ଚୟ ଭବିଷ୍ୟତ ବକ୍ତାମାନଙ୍କ ପାଖକୁ ଯାଇଛନ୍ତି ବୁଝିବାକୁ । ଭଗବାନଙ୍କ ନିକଟରେ ପ୍ରାର୍ଥନା କଲି, ସେମାନଙ୍କ ଭବିଷ୍ୟତବାଣୀ ଯେପରି ଅସତ୍ୟ ପ୍ରମାଣିତ ହୁଏ । ତା’ ହେଲେ ଆଲୌକିକ ବସ୍ତୁ ପ୍ରତି ଦାରାଙ୍କର ମୋହ ଭାଙ୍ଗି ଯାଇପାରେ-। ନାଦିରାଙ୍କୁ କଥା ଦେଇ ଆସିଛି ।

 

ଆମର ଶକଟ କିଛି ସମୟ ପାଇଁ ଏକ ପ୍ରକାଣ୍ଡ ଅଶ୍ୱତ୍‌ଥ ଗଛତଳେ ରହିଲା । ସେହି ଅବସରରେ ଫତେମା ପର୍ଦ୍ଦା ଟେକି ଉଙ୍କିମାରିଲା ।

 

–କଣ ହେଲା ଫତେମା ?

 

–ଆପଣଙ୍କର କିଛି ଦରକାର ଅଛି ବେଗମ୍‌ ସାହେବା ?

 

–ନା ।

 

–କିଛି ଅସୁବିଧା ହେଉଛି ?

 

–ନା ।

 

–ଫକୀର ସାହେବମାନଙ୍କ ସାଙ୍ଗରେ ଇନ୍ଦ୍ରଗିର୍ ଆସିଛନ୍ତି ।

 

–ସେ କିଏ ?

 

–ଜାଣନ୍ତି ନାହିଁ ? ସେ ଜଣେ ମସ୍ତବଡ଼ ତାନ୍ତ୍ରିକ ସାଧୁ ।

 

–ତୁ କେମିତି ଜାଣିଲୁ ?

 

–ଦେଖିଲି, ସମସ୍ତେ ବସି କଣ ଗଣନା କରୁଛନ୍ତି ।

 

–ଗୋଟିଏ କାମ କରିପାରିବୁ ଫତେମା ?

 

–କହନ୍ତୁ ବେଗମ୍‌ସାହେବା !

 

–ମୋର ଶକଟ ସେମାନଙ୍କ ପାଖକୁ ନେଇଯିବାର ବ୍ୟବସ୍ଥା କରିଦେଇ ପାରିବୁ ?

 

–ଘୋଡ଼ା ଦୁଇଟି ତ ଖୋଲିନେଇଛନ୍ତି ।

 

–ଟାଣି ନେଇ ହେବ ନାହିଁ ? ଏ ଗାଡ଼ିକୁ ଯେ ଚଲଉଛି, ତାକୁ ଡାକ ।

 

–ଆପଣ ନିଜେ ତା’ ସହିତ କଥାବାର୍ତ୍ତା କରିବେ ?

 

–ଦୋଷ କଣ ? ପର୍ଦ୍ଦା ତ ମଝିରେ ଅଛି ।

 

ଫତେମା ବିସ୍ମିତ ହେଲା । ବେଗମ୍‌ସାହେବାମାନେ କେବେହେଲେ ନଗଣ୍ୟ ଚାଳକମାନଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତି ନାହିଁ ।

 

କିଛି ସମୟ ପରେ ଫତେମା ଆସି କହିଲା–ଚାଳକ ଆସିଛି ବେଗମ୍‌ ସାହେବା !

 

–ଶୁଣ, ଶକଟକୁ ଟାଣି ଫକୀରସାହେବମାନଙ୍କ ପାଖକୁ ନେଇଯାଅ ।

 

–ବହୁତ ଆଚ୍ଛା ବେଗମ୍‌ ସାହେବା !

 

ଅଳ୍ପ ସମୟ ଭିତରେ ଲୋକ ଲଗେଇ ସେ ମୋର ଶକଟକୁ ଟାଣିନେଇଗଲା ଫକିର ସାହେବମାନଙ୍କ ପାଖକୁ । ମତେ ଦେଖି ଏକ ଅସ୍ପଷ୍ଟ ଗୁଞ୍ଜନ ହେଲା; ସମ୍ଭବତଃ ଦାରା ମୋ ମନୋଭାବ ବୁଝିପାରିଲେ । ତାଙ୍କୁ ଶାନ୍ତ ଦେଖି କେହି କିଛି କହିବାକୁ ସାହସ କଲେ ନାହିଁ ।

 

ଗାଲିଚାର ମଝିରେ ମଧ୍ୟ ମଣି ସ୍ୱରୂପ ଦାରା ବସିଛନ୍ତି । ତାଙ୍କ ଚାରିପଟେ ଫକୀରସାହେବମାନେ ବସିଛନ୍ତି । ଶୁଣିଛି, ବାଦଶାହ ଆକବରଙ୍କ ଦରବାରରେ ବହୁତ ଗୁଣୀ ଲୋକ ଥିଲେ । କିନ୍ତୁ ସେ ଭାବିନଥିଲେ ଯେ ତାଙ୍କର ଜଣେ ବଂଶଧର ଆଲୌକିକ ବସ୍ତୁ ପଛରେ ଧାଇଁ ଫକୀରମାନଙ୍କର ଏକ ସମାବେଶ କରିବେ ଦିବାଲୋକରେ ମୋଗଲବାହିନୀ ସମ୍ମୁଖରେ । ଜାଣେନା, ଏହାର ପ୍ରଭାବ ବାହିନୀଉପରେ କିପରି ଭାବରେ ପଡ଼ିବ ।

 

ସଭା ଭାଙ୍ଗିଲା । ଦାରା ଶକଟର ପର୍ଦ୍ଦା ଟେକି କହିଲେ–ସମ୍ପୂର୍ଣ୍ଣ ସ୍ୱାଭାବିକ ରାତ୍ରି ରାଣାଦିଲ୍‌ ! କିଛି ଅସ୍ୱାଭାବିକ ଘଟିବାର ସମ୍ଭାବନା ନାହିଁ ।

 

ସନ୍ଧ୍ୟା ପରେ ଗୋଟିଏ ଛୋଟ ପାହାଡ଼ ନିକଟରେ ଆମେ ପହଞ୍ଚିଲୁ । ମୁଁ ବୁଝିପାରିଲି ଏହିଠାରେ ଆମେ ରାତ୍ରି ଯାପନ କରିବୁ । ଅଦୂରରେ ଛୋଟ ଝରଣାର କୁଳୁକୁଳୁ ଶବ୍ଦ । ଦାରା ଠିକ୍‌ କଥା କହିଥିଲେ । ପଥ ସେମାନଙ୍କ ନଖ-ଦର୍ପଣରେ ।

 

ମୁଁ ଶକଟରେ ବସିରହିଥିଲି । ସୈନ୍ୟମାନେ ଶିବିର ପ୍ରସ୍ତୁତ କରିବାରେ ବ୍ୟସ୍ତ । ବାହାରେ ପବନ ବନ୍ଦ । ଗାଡ଼ିର ଚାଳକ ଅଳ୍ପ ଦୂରରେ ଛିଡ଼ାହୋଇଥିଲା ।

 

ସମସ୍ତେ କର୍ଯ୍ୟବ୍ୟସ୍ତ; କିନ୍ତୁ ଗାଡ଼ିଚାଳକ ଗୋଟିଏ ଜାଗାରେ ଚୁପ୍‌ କରି ଛିଡ଼ାହୋଇଛି । ସେ କଣ ଅସୁସ୍ଥ ? ତା’ପରେ ଚାଳକ ଧୀରେ ଧୀରେ ଆସି ଗାଡ଼ିର ବତି ଲିଭେଇଦେଲା । ମୋର ଖୁବ୍‌ ରାଗ ହେଲା; କିନ୍ତୁ କିଛି କହିପାରିଲି ନାହିଁ । ମୁଁ ଖୁବ୍‌ ସନ୍ତର୍ପଣରେ ପର୍ଦ୍ଦା ଟେକିଲି । ସେହି ସମୟରେ ସେ ବାଟ ଦେଇ କେହି ଜଣେ ଉଜ୍ଜଳବତି ନେଇ ଚାଲିଗଲା । ସେହି ବତିର ରଶ୍ମି ଆସି ପଡ଼ିଲା ଚାଳକର ମୁଖ ଉପରେ ।

 

ନା, ଲୋକଟି ମୋଟେ କୁତ୍ସିତ ନୁହେଁ । ଖୁବ୍‌ ସ୍ୱାଭାବିକ ମୁଖ ।

 

–ଆବଦୁଲ୍ଲା !

 

ଚାଳକ ଚମକିପଡ଼ିଲା । ଧୀରେ ଧୀରେ ସେ ସ୍ଥାନ ତ୍ୟାଗ କରିବା ପାଇଁ ପାଦ ବଢ଼େଇଲା ।

 

–ଯାଅ ନାହିଁ ଆବଦୁଲ୍ଲା ! ଶୁଣ ।

 

–କହନ୍ତୁ ବେଗମ୍‌ ସାହେବା ?

 

–ମୁଁ କେବେ ବେଗମ୍‌ସାହେବା ହେଲି ?

 

–ଆପଣ ତେବେ କଣ ?

 

–ମତେ ରାଣାଦିଲ୍‌ ଡାକିଲେ ମୁଁ ଖୁସି ହେବି ।

 

–ଆପଣଙ୍କ ଆନନ୍ଦ ପାଇଁ ଅନ୍ୟର ମୁଣ୍ଡ କଟିଯାଇପାରେ ।

 

–କିନ୍ତୁ ବର୍ତ୍ତମାନ ତ ଏଠି କେହି ନାହାନ୍ତି । ନାଁ ଧରି ଡାକିଲେ କ୍ଷତି କଣ ? ଥରେ ମତେ ନାଁ ଧରି ଡାକ–ଶୁଣିବାକୁ ବହୁତ ଇଚ୍ଛା ହେଉଛି ।

 

–ନାଁ ଧରି ଡାକିବା ଅଭ୍ୟାସ କଲେ ବିପଦ ଅଛି । ତା’ ଅପେକ୍ଷା ବେଗମ୍‌ ସାହେବା ଡାକଟି କେତେ ନିରାପଦ !

 

–ତା’ହେଲେ ତୁମ ସହିତ କଥାବାର୍ତ୍ତା କରି ଆନନ୍ଦ ପାଇବି ନାହିଁ !

 

–ମୋ ସହିତ ଅଯଥାରେ କାହିଁକି କଥା କହିବେ ?

 

–ଆବଦୁଲ୍ଲା, ତୁମେ ମତେ ବହୁତ ଘୃଣାକର ନା ?

 

–ଘୃଣା କରୁଥିଲେ ଚାଳକ ହୋଇ ଏହି ଶକଟ ଚଳଉଥା’ନ୍ତି ?

 

–ଜାଣେ ଆବଦୁଲ୍ଲା–ମୁଁ ଜାଣେ ।

 

–ମୁଁ ଯାଉଛି ବେଗମ୍‌ ସାହେବା !

 

–ଥରେ ମତେ ରାଣାଦିଲ୍‌ ବୋଲି ଡାକ । ମତେ ଭୁଲିବାକୁ ଦିଅ ଯେ ମୁଁ ବେଗମ୍‌ ସାହେବା ।

 

–ରାଣାଦିଲ୍‌, ତୁମ ମନର ଦ୍ୱନ୍ଦ୍ୱ ମୁଁ ବୁଝିପାରୁଛି । ନର୍ତ୍ତକୀ ରାଣାଦିଲ୍‌ ପୃଥିବୀରୁ ହଜିଯାଇଛି ଭାବି ମନରେ କଷ୍ଟ ହେଉଛି ।

 

ଆବଦୁଲ୍ଲା କଥା ମତେ ଆଘାତ କଲା । ମୁଁ କାନ୍ଦିପକେଇଲି ।

 

–କାନ୍ଦନାହିଁ ରାଣାଦିଲ୍‌ ! ତୁମେ ସେଥିପାଇଁ ଦୋଷୀ ନୁହଁ ।

 

କାନ୍ଦିଲେ ଚଳିବ ନାହିଁ । ଆବଦୁଲ୍ଲାର ସାହାଯ୍ୟ ମୋର ଏକାନ୍ତ ପ୍ରୟୋଜନ । ଏକମାତ୍ର ସେ ମତେ ସାହାଯ୍ୟ କରିପାରେ । ଡେରି କଲେ ଆଉ ସୁଯୋଗ ପାଇବି ନାହିଁ । ଆବଦୁଲ୍ଲାକୁ ଡାକି ଫକୀର ଓ ଇନ୍ଦ୍ରଗିର୍‌ କଥା ବୁଝେଇ କହିଲି । ଦାରା ସେମାନଙ୍କ ଉପରେ କେତେ ନିର୍ଭରଶୀଳ ହୋଇପଡ଼ିଛନ୍ତି ଏବଂ ଅଶ୍ୱତ୍‌ଥଗଛ ତଳେ ବସି ଆଜି ରାତ୍ରି ସମ୍ବନ୍ଧରେ ଫକୀରମାନେ କି ଭବିଷ୍ୟତବାଣୀ କହିଛନ୍ତି, ସେ କଥା କହିଲି ।

 

–ମତେ କଣ କରିବାକୁ ହେବ ?

 

–ସେମାନଙ୍କର ସେହି ସିଦ୍ଧାନ୍ତକୁ ମିଥ୍ୟା ପ୍ରମାଣିତ କରିବାକୁ ହେବ ।

 

–ବୁଝିଛି, କିନ୍ତୁ ସେଥିରେ କଣ ବାଦଶାହଜାଦାଙ୍କର କୌଣସି ପରିବର୍ତ୍ତନ ହୋଇପାରିବ-?

 

–ଚେଷ୍ଟା କରିବାରେ କିଛି ଦୋଷ ନାହିଁ ।

 

ଆବଦୁଲ୍ଲା କିଛି ସମୟ ଚିନ୍ତା କଲା । ତା’ପରେ ଧୀରେ ଧୀରେ କହିଲା–ତୁମେ ନିଶ୍ଚିନ୍ତରେ ରୁହ ରାଣାଦିଲ୍‌ !

 

–କିନ୍ତୁ ତୁମେ ନିଜେ ଯେପରି ବିପଦରେ ପଡ଼ିବ ନାହିଁ । ତୁମର ଜୀବନ ବିନିମୟରେ ମୁଁ କିଛି ଚାହେଁ ନାହିଁ ।

 

ଆବଦୁଲ୍ଲା ହସିଲା । ସେତିକିବେଳେ କିଏ ଜଣେ ସେବାଟେ ବତି ନେଇ ଚାଲିଗଲା । ଆବଦୁଲ୍ଲା ଗାଡ଼ିରେ ଦଉଡ଼ି ଖୋଲିବାକୁ ବ୍ୟସ୍ତ ହୋଇ ପଡ଼ିଲା । ସ୍ୱସ୍ତିର ନିଃଶ୍ୱାସ ମାରି ମୁଁ ଗାଡ଼ି ଭିତରେ ଆଖି ବନ୍ଦକଲି । ଫତେମା ହାତରେ ବତି ଧରି ପର୍ଦ୍ଦା ଟେକିଲା ।

 

–ଶୋଇପଡ଼ିଛନ୍ତି ବେଗମ୍‌ ସାହେବା ?

 

–ନା । ବଡ଼ କ୍ଳାନ୍ତ ଲାଗୁଛି ।

 

–ଆପଣଙ୍କ ଶିବିର ପ୍ରସ୍ତୁତ । ମୁଁ ଆପଣଙ୍କୁ ନେବା ପାଇଁ ଆସିଛି । ଚାଲନ୍ତୁ, ସେହିଠାରେ ବିଶ୍ରାମ କରିବେ ।

 

ହଁ, ରାତ୍ରିର ପ୍ରଥମ ପ୍ରହରରେ ମତେ ବିଶ୍ରାମ ନେବାକୁ ପଡ଼ିବ ।

 

ଗଭୀର ରାତ୍ରି । ଦାରା ମୋ ପାଖରେ ଶୋଇଛନ୍ତି । ତାଙ୍କର ପ୍ରଶାନ୍ତ ମୁଖମଣ୍ଡଳ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ଅନ୍ୟାନ୍ୟ ବାଦଶାହଜାଦା ଯୁଦ୍ଧ ଅଭିଯାନରେ ଆସି ଏପରି ନିଶ୍ଚିନ୍ତରେ ଶୋଇପାରନ୍ତି କି ନାହିଁ ଜାଣେନାହିଁ । ଚିନ୍ତାର ଗଭୀରତା ହୁଏତ ନିଦ୍ରାର ଗଭୀରତାକୁ ବଢ଼େଇଦିଏ-। ମୋ ପାଖରେ ଏହି ଅନିନ୍ଦ୍ୟ ସୁନ୍ଦର ଯୁବକଟି ଭବିଷ୍ୟତ ଭାରତର ଭାଗ୍ୟବିଧାତା– ଏକଥା ଭାବିଲାବେଳକୁ ଶରୀରରେ ଶିହରଣ ସୃଷ୍ଟି ହୁଏ ।

 

ଅଥଚ କି ଦାରୁଣ ବୈପରୀତ୍ୟ ଯୁକ୍ତିତର୍କର ସୀମା ପାର ହୋଇ ଏହି ମସ୍ତିଷ୍କ ଅଲୌକିକତ୍ୱ ପ୍ରତି ମୋହଗ୍ରସ୍ତ ହୋଇପଡ଼େ । କାହିଁକି ଏମିତି ହୁଏ ? ଈଶ୍ୱରଙ୍କ ଉପରେ ଅତିଶୟ ନିର୍ଭର କରିବା ଫଳରେ କଣ ଏମିତି ହୁଏ ? ବୋଧହୁଏ ନା । କାରଣ ନିଜର ସିଦ୍ଧାନ୍ତ ପ୍ରତି ଦାରାଙ୍କର ଗଭୀର ବିଶ୍ୱାସ । ସେହି ସିଦ୍ଧାନ୍ତରେ କେହି ସାମାନ୍ୟ ବିରୁଦ୍ଧାଚରଣ କଲେ ଦାରା କ୍ଷିପ୍ତ ହୋଇ ଉଠନ୍ତି । ଦାରାଙ୍କର ଦୃଢ଼ ଧାରଣା, ତାଙ୍କ ପରି ସଠିକ୍‌ ସିଦ୍ଧାନ୍ତ କେହି କରିପାରିବେ ନାହିଁ । ତାଙ୍କର ଦୃଢ଼ବିଶ୍ୱାସ, ସେ ଯେତେ ବୁଝିପାରନ୍ତି, ଅନ୍ୟମାନେ ସେତେଦୂର ଯାଇପାରିବେ ନାହିଁ । ଦାରାଙ୍କ ପରି ପରମଜ୍ଞାନୀ ମଣିଷଟିର ମନମଧ୍ୟରେ ଏହି ଆତ୍ମଗରିମା କେମିତି ବସାବାନ୍ଧିଲା, ବୁଝିପାରେନାହିଁ । ମୋର ଓ ନାଦିରାଙ୍କର ମିଳିତ ପ୍ରଚେଷ୍ଟାରେ ସେହି ଆତ୍ମଗରିମା ତାଙ୍କ ମନ ମଧ୍ୟରୁ ଦୂର ହୋଇପାରିବ କି ନାହିଁ, ସେ କଥା ଭଗବାନ ଜାଣନ୍ତି ।

 

ତଥାପି ଚେଷ୍ଟା କରିବାକୁ ହେବ । ଆଜିଠାରୁ ସେହି ଚେଷ୍ଟାର ସକ୍ରିୟ ସୂତ୍ରପାତ ଆରମ୍ଭ ହେବ । ସେହି କାରଣରୁ କ୍ଳାନ୍ତ ଦେହ ଓ ମନ ନେଇ ସ୍ୱଳ୍ପାଲୋକିତ ଶିବିର ମଧ୍ୟରେ ନିଷ୍ପଲକ ଦୃଷ୍ଟିରେ ଚାହିଁ ରହିଥିଲି । ଆଖିକୁ ନିଦ ଆସୁନଥିଲା । ଫକୀର ସାହେବ ଓ ଇନ୍ଦ୍ରଗିର୍‌ଙ୍କର ଗଣନା କେତେବେଳେ ମିଥ୍ୟା ବୋଲି ପ୍ରମାଣିତ ହେବ, ସେହି ପ୍ରତୀକ୍ଷାରେ ମୁଁ ଥିଲି ।

 

ଆବଦୁଲ୍ଲା କଣ ପାରିବ ? ସେ ଏକା କଣ କରିବ ? ବିପଦରେ ପଡ଼ିବ ନାହିଁ ତ ? ନା, ଆବଦୁଲ୍ଲା ମୂର୍ଖ ନୁହେଁ । ଆବଦୁଲ୍ଲା ମୋ ଶକଟର ଚାଳକ ହୋଇଛି କାହିଁକି ? ନର୍ତ୍ତକୀ ରାଣାଦିଲ୍‌କୁ ନିରାପଦରେ ରଖିବା ପାଇଁ ? ରୂପସୀ ରାଣାଦିଲ୍‌ ପାଇଁ ତା’ର ହୃଦୟରେ କଣ କୌଣସି ମୋହ ନାହିଁ ?

 

ବାହାରେ ହଠାତ୍‌ ପାଟି ଶୁଭିଲା । ଶିବିର ଭିତରୁ ବାହାରର ନିଆଁ ଦେଖାଗଲା । ଦାରା ଚମକିପଡ଼ି ଉଠିପଡ଼ିଲେ । ପଲଙ୍କ ଛାଡ଼ି ସେ ଛିଡ଼ାହୋଇପଡ଼ିଲେ ।

 

–ରାଣାଦିଲ୍ !

 

ଶୋଇବାର ଛଳନା କରି ମୁଁ ପଡ଼ିରହିଲି । ଧୀରେ ଧୀରେ କହିଲି–କଣ ହେଲା ? ନିଦ ଭାଙ୍ଗିଗଲା ?

 

–ନା ନା,ଉଠ ।

 

–କାହିଁକି ?

 

–ନିଆଁ ଲାଗିଛି, ଜାଣିପାରୁନାହଁ ?

 

–ସେ ସବୁ ତୁମ ମନର ଭୁଲ ।

 

ବିରକ୍ତି ପ୍ରକାଶକରି ଦାରା କହିଲେ–ନିଦରେ କଣ ଗୁଡ଼େ କହୁଛ ? କଣ ପାଗଳ ହେଲ-?

 

–ମୁଁ ପାଗଳ ନା ତୁମେ ପାଗଳ ହୋଇଛ ? ଫକୀରସାହେବମାନେ କଣ କହିଛନ୍ତି ମନେନାହିଁ ? ଆଜି ରାତିରେ କିଛି ଘଟିବ ନାହିଁ–ଅସ୍ଥିର ହୁଅ ନାହିଁ–ଶୋଇପଡ଼ ।

 

–ତୁମେ ଚିତ୍କାର ଶୁଣିପାରୁନାହଁ ? ତୁମର କଣ ଏପର୍ଯ୍ୟନ୍ତ ନିଦ ଭାଙ୍ଗି ନାହିଁ ।

 

–ଚିତ୍କାର ଶୁଣିଛି । ନିଦ ମଧ୍ୟ ଭାଙ୍ଗିଛି ।

 

–ତେବେ ?

 

–ମୁଁ ବୁଝିପାରିଛି ।

 

–କଣ ବୁଝିଛ ?

 

–ତୁମେ ଫକୀର ସାହେବଙ୍କୁ ବିଶ୍ୱାସ କର ନାହିଁ । ମଜା କରିବାପାଇଁ ସେମାନଙ୍କୁ ସାଙ୍ଗରେ ଆଣିଛ ।

 

–ନା ।

 

–ବିଶ୍ୱାସ କର ?

 

–ହଁ ।

 

–ତେବେ ଶୋଇପଡ଼ ।

 

–ଦାରା ବିବ୍ରତ ଓ ଦ୍ୱିଧାଗ୍ରସ୍ତ । ସେ ପର୍ଦ୍ଦା ଟେକି ବାହାରକୁ ଚାହିଁଲେ । ଧାବମାନ ଅଶ୍ୱର ପଦଧ୍ୱନି ବାହାରେ ଶୁଣାଗଲା । ଦାରା ତରବାରି ଧରି ବାହାରକୁ ଚାଲିଗଲେ । ମୁଁ ବାଧାଦେବାକୁ ସୁଯୋଗ ପାଇଲି ନାହିଁ । ବାହାରକୁ ଚାହିଁ ଦେଖିଲି, ଦାରାଙ୍କ ପଛରେ ତାଙ୍କର ଦେହରକ୍ଷୀ ଦୁଇଜଣ ମଧ୍ୟ ଯାଉଛନ୍ତି ।

 

ମୁଁ ପଲଙ୍କ ଉପରେ ବସିପଡ଼ିଲି । ଅଗ୍ନିର ପରିଧି ଦେଖି ସାଂଘାତିକ ଘଟଣା ଘଟିଛି ବୋଲି ମନେହେଲାନାହିଁ । ତଥାପି ଧାବମାନ ଅଶ୍ୱର ପଦଧ୍ୱନିରେ ବିଚଳିତ ବୋଧକଲି । ଆବଦୁଲ୍ଲାକୁ କେହି କଣ ଚିହ୍ନି ପାରିଲା ? ଧରାପଡ଼ିବା ଭୟରେ ସେ କଣ ଘୋଡ଼ାରେ ବସି ପଳେଇଛି ? ପଳେଇଲେ ମଧ୍ୟ ସେ ନିସ୍ତାର ପାଇବ ନାହିଁ; କାରଣ ରାତ୍ରିଶେଷରେ ଯାତ୍ରା ଆରମ୍ଭବେଳେ ବେଗମ୍‌ ରାଣାଦିଲ୍‌ର ଶକଟ ଚାଳକର ଅନୁପସ୍ଥିତି ଜଣାପଡ଼ିବ । ସେତେବେଳେ ତାକୁ ସମସ୍ତେ ସନ୍ଦେହ କରିବେ । ଏହାର ପରିଣାମ ଭୟାବହ ହେବ । ଭାବିଲାବେଳକୁ ଛାତି ଥରିଉଠିଲା ।

 

ଦାରା ପ୍ରବେଶ କଲେ । ଉତ୍କଣ୍ଠାଜଡ଼ିତ କଣ୍ଠରେ ପ୍ରଶ୍ନ କଲି–ବାହାରେ କଣ ହୋଇଛି ?

 

–ବିଶେଷ କିଛି ନୁହେଁ । ତଥାପି ଦୁଶ୍ଚିନ୍ତାର କାରଣ ଅଛି ।

 

–କାହିଁକି ?

 

–ଫକୀର ସାହେବ ଏବଂ ଇନ୍ଦ୍ରଗିରଙ୍କ ଶକଟରେ କେହି ନିଆଁ ଲଗାଇଦେଇଛି । ଘୋଡ଼ାଗୁଡ଼ିଙ୍କୁ ମଧ୍ୟ ଖୋଲିଦେଇଛି । ଘୋଡ଼ା ପଳେଇଯାଇଛନ୍ତି ।

 

ହସ ଚାପିବାକୁ ଚେଷ୍ଟାକରି ଶୋଇପଡ଼ିଲି । ଦାରା ବ୍ୟସ୍ତଭାବରେ କହିଲେ–ତୁମେ କଣ ଅସୁସ୍ଥ ରାଣାଦିଲ୍‌ ?

 

–ନା । ଶେଷରେ ଫକୀରସାହେବମାନଙ୍କର...

 

–ସେୟା ତ ଦେଖୁଛି ।

 

ସାବାସ୍‌ ଆବଦୁଲ୍ଲା । କି ଦୁର୍ଦ୍ଦାନ୍ତ ସାହସ । ତୁମେ ଅସାଧାରଣ !

 

–ଫକୀର ସାହେବମାନେ ତ ଯାଇପାରିବେ ନାହିଁ ।

 

–ନିଶ୍ଚୟ ଯିବେ । ସେମାନଙ୍କୁ ସାଙ୍ଗରେ ନେବାକୁ ପଡ଼ିବ ।

 

–କିନ୍ତୁ ସେମାନଙ୍କ କଥା ତ ସତ ହେଲା ନାହିଁ–ସେମାନଙ୍କୁ ସାଙ୍ଗରେ ନେଇ କି ଲାଭ ? ସେମାନଙ୍କ ଉପରେ ବିଶ୍ୱାସ କରି ଶେଷରେ ତୁମେ ବିପଦରେ ପଡ଼ିବ ନାହିଁ ତ ?

 

ସେହି ସ୍ୱଳ୍ପ ଆଲୋକରେ ଦେଖିବାକୁ ପାଇଲି, ମୋ ଉପରେ ଦାରାଙ୍କ ଦୃଷ୍ଟିରେ ବିଧ୍ୱଂସୀ ଅଗ୍ନି ଛଡ଼ା ଆଉ କିଛି ନଥିଲା । ଏତେ ଅଗ୍ନି ତାଙ୍କ ଚକ୍ଷୁରେ ଅଛି, ଏକଥା ଆଗରୁ ଶୁଣିନଥିଲି । ବୁଝିପାରିଲି, ଦାର୍ଶନିକ ହେଲେ ମଧ୍ୟ ଦାରାଙ୍କ ଧମନୀରେ ମୋଗଲରକ୍ତ ପ୍ରବାହିତ । ହତାଶାରେ ଭାଙ୍ଗି ପଡ଼ିଲେ ମଧ୍ୟ ଅଦୁରରେ ଏକ ଆଶାର ଆଲୋକ ଦେଖିଲି । ଅଭିଯାନ ସମୟରେ ତାଙ୍କୁ ଫକୀରମାନଙ୍କ କବଳରୁ ରକ୍ଷା କରିନପାରିଲେ ମଧ୍ୟ ତାଙ୍କ ଚକ୍ଷୁର ଅଗ୍ନିର ଗତିକୁ ଦିନେ ଫକୀରସାହେବମାନଙ୍କ ଆଡ଼କୁ ପରିବର୍ତ୍ତିତ ନିଶ୍ଚୟ କରିପାରିବି ।

 

–ରାଣାଦିଲ୍‌ !

 

–ଦାରାଙ୍କର କଣ୍ଠସ୍ୱର ଅତ୍ୟନ୍ତ କଠୋର ।

 

–ବାଦଶାହଜାଦା !

 

–ତୁମେ ବୋଲି କ୍ଷମାକଲି ।

 

–ଅନ୍ୟ କେହି ହୋଇଥିଲେ ?

 

–ଏଇ ମୂହର୍ତ୍ତରେ ତା’ର ମୃତ୍ୟୁ ହୋଇଥାନ୍ତା ।

 

–ମୁଁ ତ ଜାଣିନଥିଲି ?

 

–ସେମାନେ ଆଲ୍ଲାଙ୍କର ସେବକ । ଆଲ୍ଲା ସେମାନଙ୍କୁ ଶକ୍ତି ଦେଇଛନ୍ତି । ସେହି ଶକ୍ତିବଳରେ ସେମାନେ ବହୁତ କଥା ଦେଖିପାରନ୍ତି ।

 

–ମୋର ଭୁଲ ହୋଇଛି । ମୁଁ ସେମାନଙ୍କୁ ଅବିଶ୍ୱାସ କରିନାହିଁ ବାଦଶାହଜାଦା ! ଅବିଶ୍ୱାସ କରିଥିଲେ ତୁମକୁ ବାରମ୍ଭାର ଶୋଇପଡ଼ିବାକୁ କହିନଥାନ୍ତି ।

 

ଦାରା ଚୁପ୍‌କରି ଛିଡ଼ାହୋଇଥିଲେ । ବୁଝିପାରିଲି, ବାକି ରାତିତକ ଦାରାଙ୍କ ଆଦରରୁ ମୁଁ ବଞ୍ଚିତ ହେବି । ଦାରାଙ୍କର ମୋହ ଭାଙ୍ଗିବାପାଇଁ ସାରାଜୀବନ ଯଦି ତାଙ୍କ ଆଦରରୁ ମୁଁ ବଞ୍ଚିତ ହୁଏ, ସେଥିରେ ମୋର ଦୁଃଖ ନାହିଁ ।

 

କାନ୍ଦାହାରର ଏହି ତୃତୀୟ ଅଭିଯାନର ବିସ୍ତୃତ ବିବରଣୀ ମୁଁ ତୁମମାନଙ୍କୁ ଦେବିନାହିଁ । ଇତିବୃତ୍ତ ଶୁଣେଇବାର ଉତ୍ସାହ ମୋର ନାହିଁ କିମ୍ବା ସେହି ଅଭିଯାନରେ ସିଂହାସନର ଉତ୍ତରାଧିକାରୀ ଦାରାଶୁକୋଙ୍କର ଏକାନ୍ତ ସଙ୍ଗ କିପରି ଉପଭୋଗ୍ୟ ହୋଇଥିଲା, ସେକଥା ମଧ୍ୟ କହିବିନାହିଁ । ତୁମେମାନେ ଅନୁମାନ କର । ଏହି ଅବସ୍ଥାରେ ଶକଟ ମଧ୍ୟରେ ବସି ଏତେ କଥା କହିବାକୁ ଇଚ୍ଛା ନାହିଁ । ହୁମାୟୁନଙ୍କ ସମାଧି ମତେ ପ୍ରବଳଭାବରେ ଟାଣୁଛି । ସେଠାରେ ପହଞ୍ଚିପାରିଲେ ବଞ୍ଚିଯିବି । ତୁମେମାନେ ମଧ୍ୟ ବଞ୍ଚିଯିବ; କାରଣ ତୁମମାନଙ୍କର ପଥକଷ୍ଟ କେବଳ ତ ମୋରି ପାଇଁ ।

 

ସେହି ଅଭିଯାନ ସମ୍ୱନ୍ଧରେ ମୁଁ କେବଳ ଏତିକି କହିପାରେ, ଯେଉଁ ଯୁଦ୍ଧନାୟକ ଯୁକ୍ତି, ବାସ୍ତବବୁଦ୍ଧି, ତୀକ୍ଷ୍‌ଣ ପର୍ଯ୍ୟବେକ୍ଷଣ କ୍ଷମତା, ସିପାହ ସାଲାର୍‌ ନିର୍ବାଚନ ଇତ୍ୟାଦି ସବୁଥିରେ ବ୍ୟର୍ଥ ହେଲେ, ସେ ବ୍ୟକ୍ତି ହିସାବରେ ଯେତେ ମହତ୍‌ ହୁଅନ୍ତୁ ନା କାହିଁକି, ତାଙ୍କ ସାଙ୍ଗରେ ବିପଦସଙ୍କୁଳ ପରିବେଶରେ ଶିବିରରେ ବାସକରିବାର ଇଚ୍ଛା ମୋର ଆଉ ନାହିଁ । ମୋର ନିଜ ଜୀବନପାଇଁ ମୁଁ ଭାବୁନାହିଁ । ଏ ଜୀବନ ଅତି ତୁଚ୍ଛ; କିନ୍ତୁ ଦାରାଙ୍କ ଜୀବନ ମୋ ନିକଟରେ ମହାମୂଲ୍ୟବାନ୍‌ । ସେହି ଜୀବନକୁ ଦୁର୍ବଳା ନାରୀ ହୋଇ ମୁଁ କିପରି ରକ୍ଷାକରିବି, ଏହି ଚିନ୍ତା ସବୁବେଳେ ମତେ ଦଗ୍‌ଧ କରିଛି । ସେଥିପାଇଁ ଦାରା‌ଙ୍କ ଓଷ୍ଠର ଉଷ୍ଣ ସ୍ପର୍ଶ, ତାଙ୍କର ବିଶାଳ ବକ୍ଷର ସୁନିବିଡ଼ ଆଲିଙ୍ଗନ କାନ୍ଦାହାର ପହଞ୍ଚିବାପରେ ମୁଁ ଉପଭୋଗ କରିପାରିନାହିଁ ।

 

ନାଦିରା ପାରିଥାନ୍ତେ କି ନାହିଁ, ଜାଣେନାହିଁ । ମନେହୁଏ, ସେ ମଧ୍ୟ ପାରିନଥାନ୍ତେ । କେତେଗୁଡ଼ିଏ ଫକୀରସାହେବ ଓ ଜ୍ୟୋତିଷୀଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କଲେ କେଉଁ ନାରୀ ମଧ୍ୟ ଦାରାଙ୍କ ଉପରେ ଭରସା କରି ପାରିବ ନାହିଁ ।

 

ମୁଁ ଶିବିରରେ ବସି ଦିନ ପରେ ଦିନ ଲକ୍ଷ୍ୟ କରୁଛି ମହବତ୍‌ ଖାଁ, ଝିଲିକ୍‌ ଖାଁ, କାୟମ ଖାଁ, ଚମ୍ପତ୍‌ ବୁନ୍ଦେଲା ଓ ପାହଡ଼ ସିଂ ବୁଦେଲାଙ୍କ ପରି ସାହସୀ ଏବଂ ବୀର ଯୋଦ୍ଧା ଥିବା ସତ୍ତ୍ୱେ ଦାରା କିପରି ଭାବରେ କ୍ରମାଗତ ଭୁଲ ସିଦ୍ଧାନ୍ତଦ୍ୱାରା ଏବଂ ଭୁଲ ମଣିଷ ଉପରେ ନିର୍ଭରକରି ନିଶ୍ଚିତ ଜୟକୁ ଆୟତ୍ତର ବାହାରକୁ ଚାଲିଯିବାକୁ ଦେଲେ ।

 

ନାରୀ ହୋଇ ମଧ୍ୟ ଆବଦୁଲ୍ଲା ସହାୟତାରେ ମୁଁ ସବୁ ବୁଝିପାରିଛି । ସେ ପ୍ରତିଦିନ ଯୁଦ୍ଧର ପର୍ଯ୍ୟାଲୋଚନା କରୁଥିଲା । ସେ କହିଦେଉଥିଲା କେଉଁଟା ଉଚିତ ଓ କେଉଁଟା ଅନୁଚିତ । ଆବଦୁଲ୍ଲାର ପ୍ରତିଭା ଅଛି । ଜୟ ପରାଜୟ ମୋ ନିକଟରେ ମୁଖ୍ୟ ନଥିଲା । ଦାରାଙ୍କୁ ଅକ୍ଷତ ଅବସ୍ଥାରେ ଫେରାଇନେବା ମୋର ଏକମାତ୍ର ଆକାଙ୍‌କ୍ଷା ଥିଲା । ସେଥିପାଇଁ ନାଦିରାଙ୍କ ଜିନିଷ ନାଦିରାଙ୍କୁ ଫେରାଇଦେଇ ମୁଁ ନିଶ୍ଚିନ୍ତ ହେଲି ।

 

ତୁମେମାନେ କଣ ଭାବୁଛ ଜିନିଷଟି ଏକମାତ୍ର ନାଦିରାଙ୍କର ? ଏ ପ୍ରଶ୍ନର ସ୍ପଷ୍ଟ ଜବାବ ନାହିଁ । ତେବେ ଏତିକି ଜାଣେ, ନାଦିରାଙ୍କର ଯଦି ତିନିଭାଗ ହୁଏ, ତେବେ ମୋର ଏକଭାଗ । କାହିଁକି ? ଏ ‘କାହିଁକି’ର ଉତ୍ତର ନାହିଁ । ଏହାର ଉତ୍ତର ପାଇବାକୁ ହେଲେ ମୋ ଛାତିର ମଝିରେ କାନଦିଅ । କିଛି ଶୁଣିପାରୁଛ ? ଶୁନ୍ୟ କଳସପରି ଫମ୍ପା ଶବ୍ଦ ? ଆଉ କିଛି ତୁମେ ଶୁଣିପାରିବ ନାହିଁ; କିନ୍ତୁ ନାଦିରାଙ୍କ ଛାତିରେ କାନଦେଲେ ଏମିତି ଶବ୍ଦ ତୁମେମାନେ ଶୁଣିପାରିବ ନାହିଁ । ସେ ଯେ ପରିପୂର୍ଣ୍ଣ । ତାଙ୍କ କୋଳରେ ସନ୍ତାନ–ଆଉ ମୋର ?

 

କାହିଁକି ମୋର କିଛି ନାହିଁ ? ରାତ୍ରି ପରେ ରାତ୍ରି ପ୍ରାକୃତିକ ପରିବେଶ ମଧ୍ୟରେ ଗୋଟିଏ ଶିବିରରେ ଗୋଟିଏ ଶଯ୍ୟାରେ ରହି ମଧ୍ୟ ମୋର କୋଳ କହିଁକି ପରିପୂର୍ଣ୍ଣ ହେଲା ନାହିଁ ? କେତେ କଳ୍ପନା କରିଥିଲି । ଏଥର ମୋର ନାରୀତ୍ୱ ପୂର୍ଣ୍ଣ ହେବ–କିନ୍ତୁ ହେଲା ନାହିଁ । ଦାରା ହୁଏତ ନିଜକୁ ସମ୍ପୂର୍ଣ୍ଣ ରୂପେ ମୋ ନିକଟରେ ଉତ୍ସର୍ଗ କରିପାରିନଥିଲେ । ତାଙ୍କ ମନର ଅଜ୍ଞାତ କୋଣରେ ତୈମୁରବଂଶର କେଉଁ ଏକ ସୁପ୍ତ ବିବେକ ହୁଏତ ଅହରହ କହୁଛି–ଏ ନର୍ତ୍ତକୀ । ତାର ସନ୍ତାନ ସିଂହାସନ ଅଳଙ୍କୃତ କରିବାର ସୁଯୋଗ ପାଇଲେ ମୋଗଲବଂଶର ମର୍ଯ୍ୟାଦା ହାନି ହେବ । ସେ କେବଳ ବେଗମ୍‌ ହୋଇ ଥାଉ । ସାବଧାନ ଦାରା ! ନାଦିରାର ସନ୍ତାନ ସହିତ ନର୍ତ୍ତକୀର ସନ୍ତାନର ଦ୍ୱନ୍ଦ୍ୱ ତୁମ ବଂଶର ଇତିହାସରେ କାଳିମା ଲେପନ କରିବ ।

 

କିନ୍ତିୁ ମୁଁ ଚାହେଁ ନାହିଁ ମୋର ସନ୍ତାନ ବାଦଶାହ ହେଉ । କନ୍ୟା ମଧ୍ୟ ହୋଇପାରିଥାନ୍ତା । ତା’ ମଧ୍ୟ ହେଲାନାହିଁ । ଏକା ଏକା ଏହି ପ୍ରାଚୁର୍ଯ୍ୟ ମଧ୍ୟରେ ଶ୍ୱାସରୁଦ୍ଧ ହୋଇଉଠୁଥିଲି–କାରଣ ବର୍ତ୍ତମାନ ଦାରା ଆଉ ମୋ ପାଖକୁ ବେଶି ଆସିପାରନ୍ତି ନାହିଁ । ମୁଁ ଜାଣିଥିଲି ସେ ଆସିବେ ନାହିଁ । ପ୍ରଥମତଃ, ମୁଁ କିଛିଦିନ ତାଙ୍କୁ ଏକାନ୍ତରେ ପାଇଛି । ଅନ୍ୟଦିଗରେ ନାଦିରା ବହୁଦିନର ଅଦର୍ଶନ ପରେ ନୂତନ ରହସ୍ୟ ନେଇ ଝଲମଲ କରୁଛି । ସେହି ରହସ୍ୟର ଉଦ୍‌ଘାଟନରେ ସେ ନୂତନତ୍ୱର ସ୍ୱାଦୁ ପାଇବେ–ଏହାଛଡ଼ା ତାଙ୍କ ନବଜାତ ସନ୍ତାନ ପ୍ରତି ଆକର୍ଷଣ ରହିଛି । ଏହି ପ୍ରବଳ ଆକର୍ଷଣ ଛାଡ଼ି ସେ ମୋ ପାଖକୁ ଆସିବେ କାହିଁକି ?

 

କାନ୍ଦାହାରର ବ୍ୟଥତାରେ ଯାହା କିଛି ବାକି ଥିଲା, ତାହା ରାଜଧାନୀକୁ ଫେରିଆସି ପୂର୍ଣ୍ଣହେଲା । ଯେଉଁ ଜାଫର୍‌ର ବୁଦ୍ଧିହୀନତା ଦାରାଙ୍କ ବ୍ୟର୍ଥତାର ମୂଳକାରଣ, ସେହି ଜାଫର୍‌ ପାଇଲା ‘ବରକନ୍ଦାଜ ଖାଁ’ ଉପାଧି ! ଆଶ୍ଚର୍ଯ୍ୟ । ଏପରି ଏକ ସ୍ଥୂଳବୁଦ୍ଧି ସମ୍ପନ୍ନ, ଭୀରୁ, ହୀନମନା ବ୍ୟକ୍ତି ମୁଁ ଦେଖିନାହିଁ । ଅଥଚ ଝିଲିକ୍‌ ଖାଁ–ଯେ ଜାଫର୍‌ର ଭୁଲ ବାରମ୍ୱାର ଦାରାଙ୍କୁ ଦେଖାଇଦେଉଥିଲେ, ସେ ବାଦଶାହଜାଦାଙ୍କର ଅନୁଗ୍ରହରୁ ବଞ୍ଚିତହେଲେ । ଆଉ ସେହି ବୀର, ସାହସୀ ସିପାହ-ସାଲାର୍‌ ମହବତ୍ ଖାଁ ? ସେ ନଥିଲେ ଦାରା ହୁଏତ ରାଜଧାନୀକୁ ଫେରିଆସିନଥାନ୍ତେ । ତାଙ୍କୁ ସାମାନ୍ୟ କୌଣସି ଏକ ଉପାଧି ମଧ୍ୟ ଦିଆଗଲାନାହିଁ । ଆଉରଙ୍ଗଜେବ ଏଠାରେ ଅନୁପସ୍ଥିତ ଥିଲେ ମଧ୍ୟ ତାଙ୍କର ବିଶ୍ୱସ୍ତ ଅନୁଚରଦ୍ୱାରା ପ୍ରତ୍ୟେକ ଖବର ରଖୁଥିଲେ । ସେ ଏହାର ସୁଯୋଗ ନେବେ । ସୁଜା ମଧ୍ୟ ଚୁପ୍‌କରି ବସିରହିନଥିଲେ ।

 

ସବୁଥିରେ ପରିବର୍ତ୍ତନ ଦେଖାଦେଇଛି । ଶାହନଶାହ ଶାହଜାହାନଙ୍କର ଶାସନର ଶୃଙ୍ଖଳାରେ ପରିବର୍ତ୍ତନ ଦେଖାହେଇଛି । ସିପାହି ଏବଂ ସେନାନାୟକମାନଙ୍କର ବିଶ୍ୱାସର ମୂଳରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି ।

 

ସବୁଠାରୁ ବେଶି ପରିବର୍ତ୍ତନ ଦେଖାଦେଇଛି, ମୋ ପ୍ରତି ଦାରାଙ୍କର ପ୍ରେମରେ । ଏଥିପାଇଁ ମୁଁ ଦାୟୀ । ଦିନେ ଯେଉଁ ରମଣୀ ରାଜପଥରେ ନୃତ୍ୟ କରି ଘୂରିବୁଲୁଥିଲା, ତା’ର ରୂପ ଯୌବନ ଯେତେ ମନୋମୁଗ୍‌ଧକର ହେଲେ ମଧ୍ୟ ଦେଶର ପରିସ୍ଥିତି ସମ୍ୱନ୍ଧରେ ସେ ଅନଧିକାର ପ୍ରଶ୍ନ କରିବ, ପରାମର୍ଶ ଦେବାର ସ୍ପର୍ଦ୍ଧା ଦେଖାଇବ–ଏ ଅସହ୍ୟ । ଜଣେ ମୋଗାଲ ବାଦଶାହଜାଦାଙ୍କ ନିକଟରେ ଏହା ଧୃଷ୍ଟତା ବୋଲି ମନେହେବା ସ୍ୱାଭାବିକ ।

 

ମୁ୍ଁ କିନ୍ତୁ ନାଦିରାଙ୍କ ପରି ଚୁପ୍‌ ହୋଇ ବସିପାରିବିନାହିଁ । ହାରେମ୍‌ରେ ନିର୍ଜନ ଦ୍ୱିପ୍ରହର ସମୟରେ ମୋର ମନେହୁଏ ଅସଂଖ୍ୟ ଅତୃପ୍ତ ପ୍ରେତାତ୍ମା ରକ୍ତର ଦୁର୍ଦମନୀୟ ତୃଷ୍ଣାରେ ଛଟପଟ କରି ଘୂରି ବୁଲୁଛନ୍ତି ମୋର ଚାରିପଟେ । ଶୁଣିଥିଲି, ଥରେ ଚିତୋରର ଭାଗ୍ୟଦେବୀ ଜନସମକ୍ଷରେ ଆତ୍ମପ୍ରକାଶ କରି କହିଥିଲେ–ମୁଁ କ୍ଷୁଧାର୍ତ୍ତ । ଆଉ ମଧ୍ୟ ଶୁଣିଥିଲି, ଏହାପରେ ସେଠାରେ ଆରମ୍ଭ ହୋଇଥିଲା ରକ୍ତକ୍ଷୟୀ ସଂଗ୍ରାମ । ଯାହାଫଳରେ ଅସଂଖ୍ୟ ବୀରଙ୍କ ରକ୍ତରେ ସ୍ନାତ ହୋଇଥିଲା ରାଜପୁତଭୂମି । ଚିତୋର ଭାଗ୍ୟଦେବୀଙ୍କର କ୍ଷୁଧା ଦୂରହୋଇଥିଲା ।

 

କିନ୍ତୁ ଏ କ୍ଷୁଧା ମଧ୍ୟରେ ରହିଛି ନୀଚତା, ହୀନତା ଓ ଗୋପନୀୟତା । ଚାରିଦିଗରେ ଷଡ଼ଯନ୍ତ୍ର । ଦାରା କାହିଁକି ବୁଝିପାରୁନାହାନ୍ତି ? ମୁଁ କାହିଁକି ତାଙ୍କ ନିକଟରେ ଅନଭିପ୍ରେତ ତଥାପି ମତେ ଚେଷ୍ଟାକରିବାକୁ ହେବ । ନବାବନନ୍ଦିନୀ ନାଦିରାଙ୍କ ପରି ନାରୀତ୍ୱର ଅକ୍ଷମତା ନେଇ ବସିରହିବି ନାହିଁ । ମୁଁ ଚାହେଁନା ଦାରାଙ୍କ ପ୍ରେମଡୋରିରେ ବାନ୍ଧିହୋଇ ରହିବାକୁ । ପ୍ରଥମେ ତାଙ୍କର ପ୍ରାଣରକ୍ଷା ହେଉ । ନିଷ୍କଣ୍ଟକ ହେବାପରେ ସେ ଯଦି ମତେ ପଦାଘାତରେ ବିତାଡ଼ିତ କରନ୍ତି, ମୁଁ ଏକ ବିନ୍ଦୁ ଲୁହ ମଧ୍ୟ ଗଡ଼େଇବିନାହିଁ । ହାରେମ୍‌ ଛାଡ଼ି ମୋ ପଥରେ ମୁଁ ଚାଲିଯିବି । ସେଠାରେ ଆବଦୁଲ୍ଲା ମତେ ବଞ୍ଚିରହିବା ପାଇଁ ନିଶ୍ଚୟ ସାହାଯ୍ୟ କରିବ । ହୁଏତ ପୂର୍ବପରି ମୋ ପଦଦ୍ୱୟରୁ ସ୍ଫୁଲିଙ୍ଗ ବାହାରିବ ନାହିଁ–କିନ୍ତୁ ଗୀତ ତ ଗାଇପାରିବି ! ଯୁବକମାନେ ବିହ୍ଵଳ ଦୃଷ୍ଟିରେ ମତେ ଘେରି ଛିଡ଼ାନହେଲେ ମଧ୍ୟ ବୁଝିବାଲୋକ ନିଶ୍ଚୟ ଛିଡ଼ାହୋଇ ମୋ ଗୀତ ଶୁଣିବେ–କାରଣ ହାରେମ୍‌କୁ ଆସି ନାଦିରାଙ୍କ ପୃଷ୍ଠପୋଷକତାରେ ମୋର ସଙ୍ଗୀତ ଓ ନୃତ୍ୟର ମୃତ୍ୟୁ ହୋଇପାରିନାହିଁ ।

 

ମୁଁ କେବଳ ଚାହେଁ ଦାରା ବଞ୍ଚନ୍ତୁ । ଦୀର୍ଘ ପରମାୟୁ ନେଇ ସିଂହାସନରେ ବସନ୍ତୁ ।

 

ନିସ୍ତବ୍‌ଧ ଦ୍ୱିପ୍ରହରରେ କେହି ଯେପରି ମୋ ତଣ୍ଟି ଚିପିଧରିଲା । ଘରୁ ବାହାରିପଡ଼ିଲି କେହି ନାହିଁ । ସବୁଆଡ଼ ନିସ୍ତବ୍‌ଧ । ଅଥଚ କାହାକୁ ସ୍ପଷ୍ଟ ଅନୁଭବ କଲି । ସେହି ଅଶରୀର ଆତ୍ମାକୁ-? ବଡ଼ ନିଃସଙ୍ଗ ବୋଧକଲି । କେଉଁଠାକୁ ଯିବି ? ନାଦିରାଙ୍କ ପାଖକୁ । ସେଠାରେ ଯଦି ଦାରା ଥାଆନ୍ତି ? ଫତେମା ନାହିଁ । ତାକୁ ବାହାରକୁ ପଠେଇଛି । ସେ ଥିଲେ ନାଦିରାଙ୍କ କକ୍ଷ ଦେଖିଆସିଥାନ୍ତା ।

 

ପବନରେ ପର୍ଦ୍ଦାଗୁଡ଼ିକ ଖୁବ୍‌ ଜୋର୍‌ରେ ଉଡ଼ୁଛି । ବାହାରେ କଣ ଝଡ଼ ହେଉଛି ଜାଣିବାର ଉପାୟ ନାହିଁ । ହାରେମ୍‌ର ପ୍ରାନ୍ତସୀମାକୁ ଗଲେ ଜଣାଯାଇପାରେ ଆଗେଇଗଲି । ଫତେମା ଫେରି ନ ଆସିବା ପର୍ଯ୍ୟନ୍ତ ମୋ କକ୍ଷ ଭିତରକୁ ଯାଇପାରିବାର ସାହସ ନାହିଁ । ହାରେମ୍‌ରେ ରହି ମୋର ଭିତରର ନିର୍ଭୀକ ରାଣାଦିଲ୍‌ର ମୃତ୍ୟୁ ହୋଇଛି ମତେ ଭୟ ଲାଗୁଛି । ସେ ଭୟ ମୋ ପାଇଁ ନୁହେଁ । ଯାହା ପାଇଁ ମୁ୍ଁ ଭୟ କରୁଛି ସେ ଏବେ ମତେ ଅବହେଳା କରୁଛନ୍ତି; ଅଥଚ ମୁଁ ସ୍ପଷ୍ଟ ଅନୁଭବ କରୁଥିଲି ତାଙ୍କ ଚାରିପଟେ ଗୋଟିଏ ପ୍ରକାଣ୍ତ ଜାଲ ବିଛାହେଉଛି । ଏହି ଜାଲକୁ ଇତିମଧ୍ୟରେ ମୁଁ ଥରେ ଦୁଇଥର ଛିନ୍ନବିଚ୍ଛିନ୍ନ କରିଦେଇଥିଲି ।

 

କିଏ କଥା କହିଲା ? ଚମକିପଡ଼ି ଛିଡ଼ାହୋଇଗଲି । କଥା ବନ୍ଦ ହୋଇଗଲା । କାନ ଡେରିଲି । ସ୍ପଷ୍ଟ ଶୁଣିପାରିଛି, କି ଭୁଲ ନାହିଁ । ହାରେମ୍‌ର ଏହି ପ୍ରାନ୍ତସୀମାରେ ନାରୀର କଣ୍ଠସ୍ୱର । କିଛି ଦୂରରେ ଦ୍ୱାରଦେଶରେ ଖୋଜା ପ୍ରହରୀ ଛିଡ଼ାହୋଇଛି ପ୍ରସ୍ତରମୂର୍ତ୍ତି ପରି । ମତେ ସେ ଦେଖିପାରିଛି ।

 

ପାଦଶବ୍ଦ ଶୁଭିଲା । ମୁଁ ସେ ଆଡ଼କୁ ଆଗେଇଗଲି । ପର୍ଦ୍ଦା ହଲୁଛି । ହାତରେ ପର୍ଦ୍ଦାକୁ ଟେକିଧରିଲି ।

 

ରୋଶନାରା–ସେ ଏକା ନୁହେଁ, ସାଙ୍ଗରେ ଜଣେ ଅପରିଚିତ ପୁରୁଷ । ପୁରୁଷଟି ଥରୁଛି-। ତା’ର ମସ୍ତକ ଅବନତ । ରୋଶନାରାଙ୍କ ଆଖିରୁ ନିଆଁ ବାହାରୁଥିଲା । ପରିହାସମିଶା ଗଳାରେ ସେ କହିଲେ–ବେଗମ୍‌ସାହେବାଙ୍କ ପାଖକୁ ଦାରା ବୋଧହୁଏ ବହୁତ ଦିନ ହେଲା ଯାଇନାହାନ୍ତି-। ରକ୍ତ ଗରମ ହୋଇଯାଇଛି ବୋଲି ଦିବାନିଦ୍ରାରେ ବ୍ୟାଘାତ ଘଟିଛି ?

 

ମୁ୍ଁ ସିଧା ପ୍ରଶ୍ନ କଲି–ସେ କିଏ?

 

–ତୁମର ଜାଣିବାର ପ୍ରୟୋଜନ ନାହିଁ ।

 

–ନିଶ୍ଚୟ ଅଛି । ହାରେମ୍‌ ତ୍ତିତରକୁ ପୁରୁଷକୁ କାହିଁକି ଆଣିଛ ? ନିଜର ମାତାଲ ରକ୍ତକୁ ଶାନ୍ତକରିବା ପାଇଁ ହାରେମ୍‌ରେ ବିପଦ ସୃଷ୍ଟି କରିବାର ଅଧିକାର ତୁମର ନାହିଁ ।

 

–କଣ ? ନର୍ତ୍ତକୀର ଏତେ ସ୍ପର୍ଦ୍ଧା ?

 

ରୋଶନାରା ମୋ ଆଡ଼କୁ ଧାଇଁଆସିଲେ । ପୁରୁଷଟି ତାଙ୍କର ହାତ ଧରିପକେଇ କହିଲା–କଣ କରୁଛନ୍ତି ବେଗମ୍‍ ସାହେବା ? କଣ ପାଗଳ ହୋଇଗଲେ ?

 

ରୋଶନାରା ପୁରୁଷଟିର ଛାତିରେ ଆଘାତକରି ଚିତ୍କାରକରି କହିଲେ–ଛାଡ଼ ।

 

ପ୍ରହରୀ ଖୋଜା ନୀରବ ଦର୍ଶକ ପରି ଚାହିଁଥିଲା । ତାର ହାତର ଅସ୍ତ୍ରଟି କେବେ ଟିକିଏ ହଲିଯାଇଥିଲା । ପୁରୁଷଟି ରୋଶନାରାଙ୍କୁ ଛାଡ଼ିଦେବାପାଇଁ ସାହସ କଲାନାହିଁ । ତାଙ୍କୁ ସୁପୁରୁଷ କୁହାଯିବ ନାହିଁ–କିନ୍ତୁ ସେ ଖୁବ୍‌ ବଳିଷ୍ଠ । ଭୟରେ ତା’ ମୁହଁର ଗଙ୍ଗ ବଦଳିଯାଇଥିଲା ! କିଛି ଅସ୍ୱାଭାବିକ ନୁହେଁ । ହାରେମ୍ ଭିତରେ ଧରାପଡ଼ିବାର ଶାସ୍ତି ହିନ୍ଦୁସ୍ଥାନରେ କାହାକୁ ଅଜଣା ନଥିଲା-

 

ରୋଶନାରା ମୋ କଥା ଭୁଲିଯାଇ ପୁରୁଷଟିକୁ ଆଘାତ କରିବାକୁ ଲାଗିଲେ । କ୍ରୋଧରେ ସେ ଉନ୍ମାଦିନୀ । ତାଙ୍କର ପ୍ରଣୟୀ ବାହ୍ୟଜ୍ଞାନଶୂନ୍ୟ । ରୋଶନାରାଙ୍କର ଗୋଟିଏ ହାତ ସେ ବଳିଷ୍ଠ ହାତମୁଠା ମଧ୍ୟରେ ଧରିଛି; କିନ୍ତୁ ପାଦ ଦୁଇଟି ତାର ଖୁବ୍ ଜୋରରେ ଥରୁଛି ।

 

–ଛାଡ଼ିଦିଅ!

 

ରୋଶନାରା ତାକୁ ପଦାଘାତକଲେ । ପ୍ରହରୀ ଧୀରେ ଧୀରେ ଆଗେଇ ଆସିଲା । ତା’ର ଚକ୍ଷୁ ଦୁଇଟି ଭାବଲେଶହୀନ । ହାରେମ ଭିତରେ ଏତେଦୂର ଆଗେଇ ଆସିବା ତା’ର ଉଚିତ ହେବ କି ନାହିଁ ସେହି ଦ୍ୱିଧାରେ ତାର ଗତି ମନ୍ଥର ।

 

ପ୍ରହରୀ ପୁରୁଷଟିର ହାତକୁ ଚାପିଧରିଲା । ରୋଶନାରା ମୁକ୍ତି ପାଇ ବଞ୍ଚିଗଲେ । ମୋ ପ୍ରତି କ୍ରୋଧ ସେ ଭୁଲିଗଲେ । ଖୋଜାକୁ ଚାହିଁ ଚିତ୍କାର କରି କହିଲେ–କିଏ ୟାକୁ ଭିତରକୁ ପଶିବାକୁ ଦେଲା ?

–କେହି ନୁହେଁ ବେଗମ୍‌ ସାହେବା !

–କଣ କହିଲ ? କେହି ପଶିବାକୁ ଦେଇନାହାନ୍ତି ?

–ନା ବେଗମ୍ ସାହେବା !

–ତା’ହେଲେ ସେ ହାରେମ୍‌କୁ କେମିତି ଆସିଲା ?

–ସାମନା ଦ୍ୱାର ଦେଇ ସେ ଆସିନାହିଁ ।

–ତେବେ ?

–ଜାଣେନାହିଁ ।

–ତୁମର ଶିରଶ୍ଚେଦନ କରାଯିବ ।

ଖୋଜାର ମୁଖମଣ୍ଡଳ ରକ୍ତିମ ହୋଇ ଉଠିଲା । କଣ କହିବାକୁ ଯାଇ ସେ ଅଟକିଗଲା । ରୋଶନାରା ପୁଣି ଚିତ୍କାରକରି କହିଲେ–ଜୀବନ ପ୍ରତି ତୁମର ମାୟା ନାହିଁ ?

ଖୋଜା ନିରୁତ୍ତର ।

–ଜବାବ ଦିଅ !

–ଜୀବନ ପ୍ରତି କାହାର ମାୟା ନାହିଁ ବେଗମ୍‌ ସାହେବା ?

–ତା’ହେଲେ ଏହି ମୁହୂର୍ତ୍ତରେ ୟାକୁ ହତ୍ୟାକର ।

ରୋଶନାରାଙ୍କ ନୃଶଂସତାରେ ମୁଁ ଆତଙ୍କିତ ହୋଇଉଠିଲି । ପ୍ରଣୟ କଲାବେଳେ ଧରାପଡ଼ିଯାଇ ନିଜର ସମ୍ମାନ ରଖିବାପାଇଁ ପ୍ରଣୟୀକୁ ହତ୍ୟା କରିବାକୁ ଯାଉଛନ୍ତି ।

–ନୀରବ ରହିଲ କାହିଁକି ?

ପୁରୁଷଟି ଅସ୍ୱାଭାବିକ ଦୃଷ୍ଟିରେ ରୋଶନାରାଙ୍କୁ ଚାହିଁଲା । ବିସ୍ମୟର ଅତିଶଯ୍ୟରେ ମୃତ୍ୟୁଭୟ ମଧ୍ୟ ତା’ର ବିଲୁପ୍ତ ହୋଇଛି । ସେ ହୁଏତ ଭାବୁଛି, ଏହି ସୁନ୍ଦରୀ ରମଣୀ ଅଳ୍ପ ସମୟ ପୂର୍ବରୁ ତା’ କାନପାଖକୁ ମୁହଁ ନେଇ କେତେ ମଧୁର କଥା କହୁନଥିଲା !

ଖୋଜା ମୋ ଆଡ଼କୁ ଚାହିଁଲା । ମୁଁ ତାକୁ ନିବୃତ୍ତ ରହିବାକୁ ଇଶାରା ଦେଲି ।

–ହତ୍ୟା କର ।

ଖୋଜା ଉପଯୁକ୍ତ ମର୍ଯ୍ୟାଦାର ସହିତ ସଂଯତଭାବରେ କହିଲା–ପ୍ରଥମେ ୟାକୁ ସାଙ୍ଗରେ ନେଇ ମୁଁ ବୁଝିବି କେଉଁ ବାଟ ଦେଇ କିପରି ଭାବରେ ସେ ହାରେମ୍‌କୁ ଆସିଛି ।

 

ରୋଶନାରା ଖୋଜା ଆଡ଼କୁ ଧାଇଁଗଲେ । ଖୋଜା ସାଙ୍ଗେ ସାଙ୍ଗେ ପୁରୁଷଟିକୁ ତାଙ୍କ ସାମନାରେ ଛିଡ଼ାକରେଇଦେଲା । ଫଳରେ ରୋଶନାରା ଖୋଜାକୁ ସ୍ପର୍ଶ କରିପାରିଲେ ନାହିଁ । ଖୋଜା ପୁରୁଷଟିକୁ ନେଇ ବାହାରକୁ ଚାଲିଗଲା । ରୋଶନାରାଙ୍କ କ୍ରୋଧରେ ସେ ଭୀତ ହେଲେ ମଧ୍ୟ ମୋ ପାଖରୁ ସେ ଭରସା ପାଇଛି ।

 

ଜାଣେ, ବିଚାରରେ ହତଭାଗ୍ୟ ପୁରୁଷଟିର ମୃତ୍ୟୁଦଣ୍ଡ ହେବ । ସେ ସବୁ କଥା ସ୍ୱୀକାର କରିବ । ତା’ର ସ୍ୱୀକାରୋକ୍ତି ଅନୁଯାୟୀ ହାରେମ୍‌ରେ ପହରା ବ୍ୟବସ୍ଥା ଆହୁରି କଡ଼ା ହେବ । ଆଉ କେତେଜଣଙ୍କର ମୃତ୍ୟୁଦଣ୍ଡ ହେବ; କିନ୍ତୁ ଶେଷପର୍ଯ୍ୟନ୍ତ ପୁରୁଷଟିର କଥା ଉଡ଼େଇ ଦିଆଯିବ । କାରଣ ସତ୍ୟ ବୋଲି ଗ୍ରହଣକଲେ ବାଦଶାହ ନନ୍ଦିନୀଙ୍କର ସମ୍ମାନ ଧୂଳିରେ ମିଶିଯିବ ।

 

ରୋଶନାରା ସ୍ଥାନ ତ୍ୟାଗକଲେ । ଅନେକ ପରିଶ୍ରମ ଫଳରେ ଯେଉଁ ପୁରୁଷଟିକୁ ସେ ପାଇଥିଲେ, ସେ ହାତରୁ ଖସିଗଲା । ପୁଣି ତାଙ୍କୁ ନୂତନ ଉଦ୍ୟମ କରିବାକୁ ହେବ; କିନ୍ତୁ ସୁବିଧା ହେଉଛି । ଶାହନଶାହଙ୍କ ହୁକୁମରେ ମଝିରେ ମଝିରେ ତାଙ୍କ କକ୍ଷରେ ପୁରୁଷଙ୍କ ବେଶର ଅନୁସନ୍ଧାନ କରାଯାଏ । ଶାହନଶାହ ନିଜେ ମଧ୍ୟ ଥରେ ଆସିଥିଲେ । ସେଥିପାଇଁ ସେ କକ୍ଷରେ ରୋଶନାରା ପ୍ରଣୟଲୀଳା କରିପାରନ୍ତିନାହିଁ ।

 

ଦିନେ ମତଲବ୍ ଖାଁ ମୋ ସହିତ ଦେଖାକରିବାକୁ ଆସିଲା । ମର୍ଯ୍ୟାଦାର ସହିତ କହିଲା–ବେଗମ୍‌ ସାହେବାଙ୍କର ଅସୁବିଧା ସୃଷ୍ଟି କରିଥିବାଯୋଗୁ ମୁଁ କ୍ଷମା ଚାହୁଁଛି । ମୁଁ ହସି ହସି କହିଲି–ଭଉଣୀ ସାଙ୍ଗରେ ଚମତ୍କାର କଥା କହିବାକୁ ତ ଶିଖିଛ ମତଲବ୍‌ ଖାଁ !

 

ସେ ଚମକିପଡ଼ି ମୋ ଆଡ଼କୁ ଚାହିଁଲା ।

 

–କଣ ଦେଖୁଛ ମତଲବ୍‌ ?

 

–ମୁଁ–ଆପଣ କଣ... ।

 

–ବହୁତ ହେଲା । ଏଥର କଣ କହିବାକୁ ଅଛି କହ । ତୁମର ଏସବୁ ଆଦବ କାଏଦା ମତେ ଭଲ ଲାଗେନାହିଁ ।

 

–ଆପଣ...

 

–ଆଃ ମତଲବ୍‌, ମତେ ଯଦି ଭଉଣୀ ବୋଲି ଭାବିଥାନ୍ତ ତା’ହେଲେ ଏମିତି ବ୍ୟବହାର କରନ୍ତ ନାହିଁ ।

 

–ଭଉଣୀ...

 

ମତଲବ୍‌ର ଚକ୍ଷୁ ଦୁଇଟି ବାଷ୍ପାକୁଳ । ତା’ ହାତଧରି କହିଲି–ବେଗମ୍‌ ସାହେବା ହେଲେ ମଧ୍ୟ ଭଉଣୀ ସବୁବେଳେ ଭଉଣୀ ହୋଇ ରହେ ।

 

ସ୍ୱାଭାବିକ ଅବସ୍ଥାକୁ ଫେରିଆସିବାପାଇଁ ମତଲବକୁ କିଛି ସମୟ ଲାଗିଲା । ଅନେକ ସୁଖଦୁଃଖ କଥା ପରେ କହିଲି–ଏଥର ତୁମର ଆସିବାର କାରଣ କଣ କହ ?

 

–ଆବଦୁଲ୍ଲାକୁ ତୁମେ ଜାଣ ?

 

–ଭୟ ହେଲା । ଆବଦୁଲ୍ଲା କଣ ଧରାପଡ଼ିଲା ? କହିଲି–କାହିଁକି ପଚାରୁଛ ?

 

–ଭୟ କରୁଛ କାହିଁକି ? ଭାଇକୁ ଭୟ ?

 

–ତୁମକୁ ଭୟ କରୁନାହିଁ–ଆବଦୁଲ୍ଲାର ବିପଦ କଥା ଭାବି ଭୟ କରୁଛି ।

 

–ନା’ ସେ ନିରାପଦ । ସେ ତୁମ ସହିତ ଦେଖାକରିବାକୁ ଚାହେଁ ।

 

–ଜରୁରୀ ?

 

–ହଁ

 

Unknown

–କେମିତି ଦେଖାକରିବ ?

 

–ସେ ଦାୟିତ୍ୱ ମୋର ।

 

–ହାରେମ୍‌ରେ ?

 

–ନା, ଯମୁନାକୂଳରେ ଥିବା ମସଜିଦ୍‌ ପାଖରେ ।

 

–କେବେ ?

 

–ପରେ ଜଣେଇବି ।

 

ମତଲବ୍‌ ଖାଁ ବିଦାୟ ନେବାପରେ ମନ ଅସ୍ଥିର ହୋଇଉଠିଲା । ଆବଦୁଲ୍ଲା କାହିଁକି ମୋ ସହିତ ଦେଖାକରିବାକୁ ଚାହେଁ ? ମତଲବ୍‌ ଖାଁ ସହିତ ସେ କିପରି ଯୋଗାଯୋଗ ସ୍ଥାପନ କଲା ?

 

ଆବଦୁଲ୍ଲା ପକ୍ଷରେ ଅସାଧ୍ୟ କିଛି ନାହିଁ । ବୁଦ୍ଧି ବଳରେ ସେ ବେଗମ୍‌ସାହେବାଙ୍କର ଶକଟରେ ଚାଳକ ହୋଇପାରେ । ଶତ ପ୍ରହରୀ ଆଖିରେ ଧୂଳିଦେଇ ସେ ଫକୀରସାହେବମାନଙ୍କର ଗାଡ଼ିରେ ଅଗ୍ନି ସଂଯୋଗ କରିପାରେ । ମତଲବ୍‌ ସହିତ ଯୋଗାଯୋଗ ତା ପକ୍ଷରେ ଦୁଃସାଧ୍ୟ ନୁହେଁ ।

 

ଠିକ୍‌ ଚାରିଦିନପରେ ଆବଦୁଲ୍ଲା ସହିତ ସାକ୍ଷାତ୍‌ ହେଲା । ଆବଦୁଲ୍ଲା ନିକଟରୁ ହିନ୍ଦୁସ୍ଥାନର ଯେଉଁ ସମ୍ୱାଦ ପାଇଲି ସେଥିରେ ମୋ ଅନ୍ତରାତ୍ମା କମ୍ପି ଉଠିଲା । ମୁଁ ଜାଣିପାରିଲି ଓମରାହ, ରାଜା ଏବଂ ନବାବମାନଙ୍କ ମଧ୍ୟରୁ ଅଧିକାଂଶ ଦାରାଙ୍କ ପ୍ରତି ବିରୂପ । ଏକମାତ୍ର ଯଶୋବନ୍ତ ସିଂ ତାଙ୍କୁ ସ୍ନେହକରନ୍ତି । ଆବଦୁଲ୍ଲା କହିଲା–ଦାରାଶୁକୋଙ୍କର ସ୍ଵଭାବ ଏଥିପାଇଁ ଦାୟୀ ରାଣାଦିଲ୍‌ ! ସେ ଭାବନ୍ତି, ତାଙ୍କ ଅପେକ୍ଷା ବେଶି ବୁଦ୍ଧିମାନ୍‌ ହିନ୍ଦୁସ୍ଥାନରେ ଆଉ କେହି ନାହାନ୍ତି ।

 

–ଜାଣେ ଆବଦୁଲ୍ଲା ! ମୁଁ ଭଲଭାବେ ଜାଣେ; କିନ୍ତୁ ମୁଁ କଣ କରିପାରିବି ?

 

–ତୁମେ ଏତିକି ଜାଣିରଖ, ଏକମାତ୍ର ଶାହନଶାହଙ୍କ ଭୟରେ କେହି ମୁହଁ ଖୋଲି କିଛି କହୁନାହାନ୍ତି । ସମସ୍ତେ ଦାରାଶୁକୋଙ୍କୁ ତୋଷାମଦ କରନ୍ତି ଏବଂ ସେ ଭାବନ୍ତି ଏହି ତୋଷାମଦ ତାଙ୍କର ବ୍ୟକ୍ତିତ୍ୱ ଓ ତୀକ୍ଷ୍‌ଣ ବୁଦ୍ଧି ପାଇଁ ପ୍ରାପ୍ୟ ।

 

–ଦାରାଙ୍କୁ ଏତେ ସଠିକ୍‌ ଭାବରେ ତୁମେ କିପରି ବିଚାର କଲ ଆବଦୁଲ୍ଲା ?

 

–ସେ କଥା ଶୁଣି ଲାଭନାହିଁ ରାଣାଦିଲ୍‌ !

 

–ଆଚ୍ଛା, ଜଣେହେଲେ ମଧ୍ୟ ତାଙ୍କୁ କଣ ଭଲ ପାଆନ୍ତିନାହିଁ ? କେହି ଜଣେ କଣ ତାଙ୍କର ମନ ଚିହ୍ନିଲେ ନାହିଁ ?

 

–ଲକ୍ଷ ଲକ୍ଷ ମଣିଷ ତାଙ୍କୁ ଭଲପାଆନ୍ତି; କିନ୍ତୁ ସେମାନେ ଆମ ପରି ଅତି ସାଧାରଣ ମଣିଷ । ସିଂହାସନକୁ ରକ୍ଷାକରିବାକୁ ହେଲେ ସେମାନଙ୍କର ଭଲପାଇବାର କିଛି ମୂଲ୍ୟ ନାହିଁ ।

 

–ତଥାପି ସେମାନେ ଦାରାଙ୍କୁ ଭଲପାଆନ୍ତି । ଦାରାଙ୍କୁ ରକ୍ଷା କରିବାର ଉପାୟ ଯଦି ନାହିଁ । ତେବେ ମୋ ସହିତ ଦେଖା କରିବାକୁ ତୁମେ କାହିଁକି ଆସିଛ ?

 

–ଏଇ ସବୁ କଥା କହିବାକୁ ମୁଁ ଆସିଛି । ମୁଁ ଜାଣେ, ତୁମେ କିମ୍ୱା ନାଦିରା ବେଗମ୍‌ ବାଦଶାହଜାଦାଙ୍କୁ ପରିବର୍ତ୍ତନ କରିପାରିବ ।

 

–ତୁମର ଧାରଣା ଭୁଲ । ତୁମେ ତୈମୁରଲଙ୍ଗଙ୍କର ନାମ ଶୁଣିଛ ?

 

–ଶୁଣିଛି ।

 

–ଦାରାଙ୍କ ଭିତରେ ରହିଛି ସୁପ୍ତ ଏକ ତୈମୁରଲଙ୍ଗ । ସେମିତି ଜିଦି, ସେମିତି ଉନ୍ମତ୍ତ । ସେ ମଝିରେ ମଝିରେ ଜାଗିଉଠନ୍ତି । କିନ୍ତୁ ଯୋଦ୍ଧା ତୈମୁରଙ୍କୁ ମୁଁ ଜଗେଇ ପାରିବି ନାହିଁ

 

–ନିଷ୍ଠୁର ତୈମୁରଙ୍କୁ ମଧ୍ୟ ଜଗେଇ ପାରିବି ନାହିଁ ।

 

–କିନ୍ତୁ ମନେରଖ । ଅନ୍ୟାନ୍ୟ ବାଦଶାହଜାଦାଙ୍କ ମନରେ ତୀବ୍ର ଅସନ୍ତୋଷ ରହିଛି ।

 

–କାହିଁକି ?

 

–ସୁଲେମାନଶୁକୋ ବର୍ତ୍ତମାନ କାବୁଲର ଶାସନକର୍ତ୍ତା । ଏହାଛଡ଼ା ସେ ବାରହଜାରୀର ପଦମର୍ଯ୍ୟାଦା ପାଇଛନ୍ତି । ସିପାର୍‌ ପାଇଛନ୍ତି ଆଠହଜାରୀର ପଦମର୍ଯ୍ୟାଦା । ଅଥଚ ସୁଜା, ମୁରାଦ ଓ ଆଉରଙ୍ଗଜେବଙ୍କର ପୁତ୍ରମାନଙ୍କର ଅବସ୍ଥା ଦେଖ । ଏଥିରେ ସେମାନେ ଅସନ୍ତୁଷ୍ଟ ହେବେ ନାହିଁ-?

 

–ଶାହନଶାହ କାହିଁକି ଏପରି ପକ୍ଷାପାତ ବିଚାର କରିଛନ୍ତି ବୁଝିପାରୁନାହିଁ ।

 

–ଶାହନଶାହ ସେମାନଙ୍କ ମନରେ ହିଂସାର ବୀଜ ବପନ କରିଛନ୍ତି । ଏହାର ଫଳ ବଡ଼ ଭୟାବହ ହେବ । ଶାହନଶାହ ଆଉ କେତେଦିନ ବଞ୍ଚିବେ ?

 

ମତଲବ ଖାଁ ଦୌଡ଼ି ଆସି କହିଲା–ରୋଶନାରା ବେଗମ୍‌ ଆସୁଛନ୍ତି ।

 

–କାହିଁକି ?

 

–କହିପାରିବି ନାହିଁ ।

 

ଚକ୍ଷୁର ପଲକରେ ଆବଦୁଲ୍ଲା ଅନ୍ତର୍ହିତହେଲା । ମୁଁ ନିଶ୍ଚିନ୍ତ ହେଲି ।

 

–ଆବଦୁଲ୍ଲା କେଉଁଆଡ଼େ ଗଲା ମତଲବ ?

 

ମୃଦୁ ହସି ମତଲବ ପାଖ ମସଜିଦର ଦ୍ୱାର ଦେଖାଇଦେଲା । ତଥାପି ମୁଁ ଦେଖିପାରିଲି ନାହିଁ; କିନ୍ତୁ ବୁଝିପାରିଲି ଆବଦୁଲ୍ଲା ସେହିଠାରେ ଅଛି ।

 

ରୋଶନାରା ମତେ ଦେଖି ଛିଡ଼ାହୋଇପଡ଼ିଲେ । ତାଙ୍କ ମୁହଁ ଦେଖି ବୁଝିପାରିଲି କଣ ଗୋଟାଏ ଘଟଣା ଘଟିଯାଇଛି ।

 

–ଏଇ ଯେ ନର୍ତ୍ତକୀ । ତୁମେ ଏଠାରେ ? ଯମୁନାର ପବନ ବହୁ ଥଣ୍ଡା ବୋଧେ ?

 

ମୁଁ ଜବାବ ଦେଲିନାହିଁ ।

 

–ତୁମେ ଏଠି କାହିଁକି ମତଲବ ଖାଁ ?

 

–ବେଗମ୍‌ ସାହେବା...

 

–ବେଗମ୍‌ ସାହେବା ? ବେଗମ୍‌ ସାହେବାଙ୍କ ସାଙ୍ଗରେ ଦାରାଙ୍କ ହାରେମ୍‌ ମଧ୍ୟ କଣ ଏଠିକି ଚାଲିଆସିଛି ? ମୁଁ ଆଜି ତୁମକୁ ତଡ଼ିବି ।

 

ମୁଁ ଜବାବ ଦେଲି–ସେ ଚେଷ୍ଟାକରି କିଛି ଲାଭନାହିଁ । ମୋ ନିର୍ଦ୍ଦେଶରେ ସେ ଆସିଛି ।

 

–ଓହୋ, ନର୍ତ୍ତକୀର ନିର୍ଦ୍ଦେଶ ?

 

–ହଁ । ତେବେ ଏକଥା ମନେ ରଖିଲେ ଭବିଷ୍ୟତରେ ଆପଣଙ୍କର ମଙ୍ଗଳ ହେବ ଯେ ମୁଁ ମଧ୍ୟ ବେଗମ୍‌ ସାହେବା । ମୋ ନିକଟରେ ଅଧିକା ଗୁଣ ଅଛି–ନୃତ୍ୟ ଓ ସଙ୍ଗୀତ । ଆପଣଙ୍କର କିଛି ଗୁଣ ନାହିଁ । ଆପଣଙ୍କର କେବଳ ଅଛି କିଛି ତରଳ ଅଗ୍ନି, ଯାହା ଆପଣଙ୍କ ଜଘନ୍ୟ ଧମନୀରେ ପ୍ରବାହିତ ହୋଇ ବିଷରେ ପରିଣତ ହୋଇଛି ।

 

–କଣ ?

 

–ଆଘାତ କରିବାକୁ ଚେଷ୍ଟା କରିବେନାହିଁ–ମତଲବ ମତେ ରକ୍ଷାକରିବ । ଆପଣ ଆହତ ହେଲେ ମଧ୍ୟ ମତଲବ ଦେହରେ ଯେପରି ଆଘାତ ନଲାଗେ ସେ ବ୍ୟବସ୍ଥା କରିବାକୁ ମୁଁ ସକ୍ଷମ ।

 

–ବର୍ତ୍ତମାନ ବୁଝିଲି, ସବୁର ମୂଳରେ ରହିଛ ତୁମେ ଓ ମତଲବ । ଶାହନଶାହଙ୍କୁ ଖବର ପଠେଇ ଏଠିକି ଆସି ଭଦ୍ରଲୋକ ପରି ଅଭିନୟ କରୁଛ ।

 

–କଣ କହିଲେ ?

 

–ଜାଣ ନାହିଁ ? ବର୍ତ୍ତମାନ ହାରେମ୍‌ରେ ଯାହା ଘଟିଗଲା, ତୁମେ ଜାଣନାହିଁ ?

 

–ମୁଁ ବହୁ ସମୟ ହେଲା ହାରେମ୍‌ରେ ଅନୁପସ୍ଥିତ ।

 

–ଶାହନଶାହଙ୍କୁ ତା’ହେଲେ କିଏ ଖବର ଦେଲା ?

 

–କି ଖବର ?

 

–ପୁଣି ଛଳନା ? ମୋର ଗୋସଲଖାନାରେ ଜଣେ ପୁରୁଷ ଥିଲା । ଏକଥା ମତଲବ ଛଡ଼ା ଆଉ କେହି ଜାଣନ୍ତିନାହିଁ । ସେ ତୁମକୁ କହିଛି, ତୁମେ ଦାରାଙ୍କୁ କହିଛ । ଆଉ ସେହି କାଫେର୍‌ ଶାହନଶାହଙ୍କୁ କହିଛି ।

 

–ଦାରା କାଫେର୍‌ ? ଭଲ କଥା କହିଛନ୍ତି । ଆପଣଙ୍କ ଛଡ଼ା ଆଉ କାହାରି ମୁହଁରୁ ଏକଥା ବାହାରିବ ନାହିଁ । ତେବେ ଏକଥା ଜାଣିରଖନ୍ତୁ, ଏମିତି ଗୋଟିଏ ଖବର ଜାଣିଥିଲେ, ଦାରାଙ୍କୁ ତ କେବେହେଲେ କହିନଥାନ୍ତି; କିନ୍ତୁ ଜାହାନ୍ନାରା ବେଗମ୍‌ଙ୍କୁ ନିଶ୍ଚୟ କହିଥାନ୍ତି ।

 

ରୋଶନାରା ନୀରବହେଲେ । ତା’ପରେ ମତେ ଏକରକମ ଧକ୍‌କା ଦେଇ ମସଜିଦ୍‌ ଆଡ଼କୁ ଚାଲିଗଲେ । ନିତ୍ୟନୂତନ ପୁରୁଷ ସଂଗ୍ରହ ପାଇଁ ତାଙ୍କ ଉଦ୍ୟମର ଶେଷ ନାହିଁ । ସେଥିପାଇଁ କଣ ଏଠାକୁ ଆସିଛନ୍ତି ? ଅନ୍ୟ କୌଣସି ପୁରୁଷ କଣ ଏଠାରେ ଲୁଚିରହିଛି ? ମୁଁ ଓ ଆବଦୁଲ୍ଲା କଥାବାର୍ତ୍ତା ହେଉଥିଲୁ ବୋଲି ରୋଶନାରାଙ୍କୁ କହିଦେବ ନାହିଁ ତ ?

 

ଆବଦୁଲ୍ଲାକୁ ଖୁବ୍‌ ଧୀରେ ଡାକିଲି । ସେ ବାହାରିଆସିଲା ।

 

–ଆବଦୁଲ୍ଲା, ଏଠି ଆଉ କାହାକୁ ଦେଖୁଛ ?

 

–ହଁ ।

 

–ଦେଖିଛ ? ସେ କେଉଁଠି ?

 

–ଏହି ମସଜିଦ୍‌ ଭିତରେ ସମାଧି ପାଖରେ ।

 

–ତୁମେ ମତେ ଆଗରୁ କହିଲ ନାହିଁ ? ଟିକିଏ ସାବଧାନ ହେଲନାହିଁ ?

 

–ଭୟ ନାହିଁ । ସେ ଲୁଚିକରି ବସିଥିଲା । ତା’ର ମୁହଁ, ଗୋଡ଼, ହାତ ବାନ୍ଧିଦେଇ ଆସିଛି-

 

–ଆବଦୁଲ୍ଲା, ମୋର ନୃତ୍ୟ ସଙ୍ଗୀତ ନ ଦେଖି ତୁମ ମନରେ ବଡ଼ କଷ୍ଟ, ନା ?

 

–ହଁ ରାଣାଦିଲ୍‌ !

 

–ସୁଯୋଗ ପାଇଲେ ତୁମକୁ ନିଶ୍ଚୟ ଦେଖେଇବି । ମନର ଅବସ୍ଥା ଯେମିତି ଥାଉ; କିନ୍ତୁ ବୟସ ଯେ ବଢ଼ିଯାଉଛି । ପାରିବି ତ ?

 

–ନିଶ୍ଚୟ ପାରିବ । ପୂର୍ବପରି ହୁଏତ ବେଶି ସମୟ ନୃତ୍ୟ କରିପାରିବ ନାହିଁ–କିନ୍ତୁ ଅଭ୍ୟାସ କଲେ ସବୁ ଠିକ୍‌ ହୋଇଯିବ । ତୁମର ଚରଣଯୁଗଳର ଯାଦୁସ୍ପର୍ଶରେ ପାଦ ତଳର ଧୂଳି ପାଗଳହୋଇଉଠିବ ।

 

–ମୁଁ କଥା ଦେଲି ।

 

ଆବଦୁଲ୍ଲା ଦ୍ରୁତଗତିରେ ଅନ୍ୟଦିଗକୁ ଚାଲିଗଲା । ପରମୁହୂର୍ତ୍ତରେ ଦେଖିଲି ରୋଶନାରା ଫେରିଆସୁଛନ୍ତି । ମନର ମଣିଷକୁ ବୋଧହୁଏ ଖୋଜି ପାଉନାହାନ୍ତି ।

 

–ମତଲବକୁ–କହିଲି–ଶୀଘ୍ର ଚାଲ । ଆଉ ଡେରି କରିବାନାହିଁ ।

 

ରୋଶନାରା ପାଖକୁ ଆସିବା ପୂର୍ବରୁ ମୁଁ ସେହି ସ୍ଥାନ ପରିତ୍ୟାଗ କଲି । ସେ ପହଞ୍ଚିଗଲେ ଆଉ ଏକ ଦୃଶ୍ୟର ଅବତାରଣା କରିବେ । ତାଙ୍କର ମନର ମଣିଷ ହଜିଯାଇଛି । ଜୀବନର ଗୋଟିଏ ରାତି ତାଙ୍କର ବିଫଳ ହେବ ।

 

ହାରେମ୍‌କୁ ଫେରି ଫତେମା ପାଖରୁ ସବୁ ଶୁଣି ଆଶ୍ଚର୍ଯ୍ୟ ହେଲି ଏବଂ ମନରେ ଏକ ତୀବ୍ର ବେଦନା ଅନୁଭବ କଲି । ସେ ମଣିଷଟି ହତଭାଗ୍ୟ । ଦିଲ୍ଲୀର ଶାହନଶାହଙ୍କ ଦୁହିତାକୁ ସ୍ପର୍ଶ କରିବାର କଳ୍ପନା ସେ ଜୀବନରେ କରିନାହିଁ–ଅଥଚ ରୋଶନାରାଙ୍କ ଲାଳସାର ଶିକାର ହୋଇ ତାକୁ ଆସିବାକୁ ପଡ଼ିଥିଲା ଗୋସଲଖାନାକୁ । ସ୍ନାନର ବିରାଟ ଜଳାଧାର ହୋଇଥିଲା ତା’ର ଲୁଚି ରହିବାର ଗୋପନ ସ୍ଥାନ ।

 

ଶାହନଶାହଙ୍କ ଏ ଖବର ପାଇ ରୋଶନାରାଙ୍କ କକ୍ଷର ଦ୍ୱାରପ୍ରାନ୍ତକୁ ଆସି ସ୍ନେହରେ ଡାକିଲେ । ତ୍ରସ୍ତପଦରେ କମ୍ପିତ ବକ୍ଷରେ ଶାହଜାହାନଦୁହିତା ବାହାରି ଆସିଲେ ।

 

–ରୋଶନାରା, ତୁମର କଣ କିଛି ଅସୁବିଧା ହେଉଛି ?

 

–ନା ଶାହନଶାହ ! ଆପଣଙ୍କୁ କେହି କଣ କିଛି କହିଛି ?

 

–ନା । କାଲି ଉଦ୍ୟାନରେ ଯେତେବେଳେ ବୁଲୁଥିଲି, ସେତେବେଳେ ଦୂରରୁ ତୁମ ମୁହଁ ବଡ଼ ବିଷାଦମୟ ମନେହେଉଥିଲା ।

 

–ସନ୍ଧ୍ୟାର ଅସ୍ପଷ୍ଟ ଆଲୋକରେ ବୋଧହୁଏ ଭଲଭାବେ ଦେଖିପାରିନାହାନ୍ତି ।

 

–ତା’ ଠିକ୍‌ ।

 

–ବର୍ତ୍ତମାନ ମତେ ଦେଖି କଣ ମନେହେଉଛି ?

 

–ବେଶ୍‌ ଭଲ । ତେବେ...

 

–ତେବେ କଣ ?

 

–ଏକ ଅତୃପ୍ତିଭାବ ତୁମ ମୁଖମଣ୍ଡଳରେ ଭାସିଉଠିଛି ।

 

–ଏ ଆପଣଙ୍କର ସ୍ନେହସିକ୍ତ ମନର କଳ୍ପନା ।

 

–ହୋଇଥିବ ।

 

–କେବଳ ଏହି ସାମାନ୍ୟ କାରଣ ପାଇଁ ଆପଣ ଅସମୟରେ ହାରେମ୍‌କୁ ଆସିଲେ ?

 

–ଏ କଣ ସାମାନ୍ୟ କାରଣ ?

 

–ମୋ ନିକଟରେ ସାମାନ୍ୟ ।

 

–ଚାଲ, ମତେ ବସିବାକୁ କହିବ ନାହିଁ ?

 

–ବସିବେ ? ଆପଣଙ୍କର...

 

–ନା ନା, ଚାଲ । ମୁଁ ଟିକିଏ ବସିବି ।

 

ଶାହନଶାହ କକ୍ଷ ମଧ୍ୟରେ ପ୍ରବେଶକରି ଚାରିଆଡ଼କୁ ଚାହିଁ କିଛି ମନ୍ତବ୍ୟ କଲେ । ରୋଶନାରାଙ୍କୁ ଏ ମନ୍ତବ୍ୟ ଖୁବ୍‌ ଭଲଲାଗିଲା । ଶେଷରେ ଶାହଜାହାନ କହିଲେ–ଚାଲ, ତୁମର ଗୋସାଲଖାନା ଦେଖିଆସିବା । ସେ ଦିନ ଜାହାନ୍ନାରାର ଗୋସଲଖାନା ଦେଖିଆସିଲି । ବଡ଼ ଅପରିଷ୍କାର ହୋଇଥିଲା । ଶୁଣିଲି, ସେ କାହାକୁ ପରିଷ୍କାର କରିବାକୁ ଅନୁମତି ଦେଉନାହିଁ ।

 

–ମୁଁ ଜାହାନ୍ନାରା ନୁହେଁ ଶାହନଶାହ ! ମୋର ଗୋସଲଖାନା ପରିଷ୍କାର ।

 

–ମୁଁ ତ ସେୟା ଚାହେଁ । ଚାଲ ଦେଖିଆସିବା ।

 

ରୋଶନାରା ଦ୍ୱିଧାଜଡ଼ିତ ଭାବରେ ଶାହଜାହାନଙ୍କୁ ଅନୁସରଣ କଲେ । ତାଙ୍କ ପଛରେ ଥିଲେ ଦୁଇଜଣ ଖୋଜା । ଶାହଜାହାନ ସ୍ନାନାଗାରର ଖୁବ୍‌ ପ୍ରଶଂସା କଲେ । ଶେଷରେ ଜଳାଧାରରେ ହାତ ଦେଇ କହିଲେ–ଏଇ ଥଣ୍ଡା ଦିନରେ ଗରମ ଜଳ ରଖିନାହଁ ?

 

–ନା । ଥଣ୍ଡା ଜଳରେ ମୋ ଦେହ ଭଲ ରହେ ।

 

–ନା ନା, ଏଟା ଠିକ୍‌ ନୁହେଁ । ସେଥିପାଇଁ ତୁମେ ବିମର୍ଷ ଦେଖାଯାଉଛ । ସ୍ୱାସ୍ଥ୍ୟ ଖରାପ ହୋଇଯାଉଛି ।

 

ଶାହଜାହାନ ଖୋଜାମାନଙ୍କୁ ଆଦେଶ ଦେଲେ ଜଳାଧାର ତଳେ ଅଗ୍ନି ପ୍ରଜ୍ଵଳିତ କରିବାପାଇଁ । ଅଗ୍ନିର ତେଜ ବଢ଼ିବାକୁ ଲାଗିଲା । ଜଳାଧାର ମଧ୍ୟ ଉଷ୍ଣ ହେବାକୁ ଲାଗିଲା । ଗୋଟିଏ ଅସ୍ପଷ୍ଟ ଶବ୍ଦ ସମସ୍ତଙ୍କ କାନକୁ ଗଲେ ମଧ୍ୟ ଶାହଜାହାନ ଶୁଣିପାରିଛନ୍ତି ବୋଲି ମନେହେଲାନାହିଁ ।

 

ଶାହଜାହାନ କହିଲେ–ଗରମ ତୁମର ସହ୍ୟ ହେଉନାହିଁ ରୋଶନାରା ?

 

–ନା, ଆଉ ଗରମ କରିବା ଦରକାର ନାହିଁ ।

 

–ସେ କଥା ହେବନାହିଁ । ଏହି ଗରମ ଜଳରେ ସ୍ନାନ କରି ଦେଖିବ ଶରୀର କେତେ ସତେଜ ମନେହେବ ।

 

–ନା–ନା–

 

–ତୁମେ ବର୍ତ୍ତମାନ ବଡ଼ହୋଇଛ । ଏମିତି ଅବୁଝା ହେଲେ ଚଳିବ ?

 

ଜଳାଧାର ଆହୁରି ତପ୍ତ ହେଲା । ଭିତରର ଜଳ ଟକ୍‌ଟକ୍‌ ହୋଇ ଫୁଟିଲା । ଶାହନଶାହ ହସି ହସି କହିଲେ–ଏଥର ସ୍ନାନ କର, ଆରାମ ଲାଗିବ ।

 

ଶାହନଶାହ ଚାଲିଗଲେ । ରୋଶନାରା ଯେତେବେଳେ ଯମୁନା କୂଳରେ ମସ୍‌ଜିଦ୍‌କୁ ନୂତନ ଶିକାର ସଂଗ୍ରହ କରିବାପାଇଁ ଯାଇଥିଲେ, ସେତେବେଳେ ତାଙ୍କର ପୁରାତନ ପ୍ରେମିକର ଅର୍ଦ୍ଧସିଦ୍ଧ ଶରୀର ଫୁଟନ୍ତା ଜଳ ମଧ୍ୟରେ ଥରେ ଉପରକୁ ଭାସି ଉଠି ପୁଣି ତଳକୁ ଚାଲିଯାଇଥିଲା । ରୋଶନାରା କଡ଼ା ହୁକୁମ ଦେଇଯାଇଥିଲେ, ଫେରିଆସି ସେ ଯେପରି ବିକୃତ ମୃତଦେହ ଦେଖିବାକୁ ନପାଆନ୍ତି ।

 

ମୁଁ ବୁଝିପାରିଲି, ମୋ ପ୍ରତି ଏବେ ମଧ୍ୟ ଦାରାଙ୍କର ପ୍ରେମ ଅଛି । ତଥାପି ପୂର୍ବର ସେହି ଆଗ୍ରହ, ଉତ୍ତେଜନା ନଦେଖି ମନ ମୋର ଦବିଯାଇଥିଲା । କି ଅଦ୍ଭୁତ ଏହି ନାରୀ ଜୀବନ ! ପ୍ରଦୀପ୍ତ ଯୌବନ ନେଇ ପ୍ରେମିକ ଯେତେବେଳେ ସବୁ ସ୍ନେହ ଆଦର ଢାଳିଦେବାକୁ ଚାହେଁ, ସେତେବେଳେ ଆନନ୍ଦ ମଧ୍ୟରେ ଲଜ୍ଜା ଆସି ସୃଷ୍ଟିକରେ ଏକ ଅହେତୁକ ଭୀତି । ସେହି ଭୀତି ଫଳରେ ମୁଖରୁ ଅନେକ କଥା ଉଚ୍ଚାରିତ ହୁଏ, ଯାହା ପ୍ରେମିକକୁ ନିରୁତ୍ସାହିତ କରେ । ପୁଣି ସେହି ପ୍ରେମିକ ଯେତେବେଳେ ସାମାନ୍ୟ ଟିକିଏ ଅବହେଳାର ଭାବ ଦେଖାଏ, ସେତେବେଳେ ଅନ୍ତରାତ୍ମା ବାହୁନିଉଠେ । ତଥାପି ମୁହଁ ଖୋଲି କିଛି କହିହୁଏନାହିଁ । ସେଥିପାଇଁ ମୁଁ ଭାବେ, ପୁରୁଷ ଜୀବନ କେତେ ସହଜ, କେତେ ବଳିଷ୍ଠ ।

 

ଦାରା ଆଉ ମୋ ପାଖକୁ ବେଶି ଆସନ୍ତି ନାହିଁ । ତାଙ୍କୁ ମୁଁ ଦୋଷ ଦିଏ ନାହିଁ । ସାମ୍ରାଜ୍ୟ ନେଇ ସେ ବ୍ୟସ୍ତ । ଶାହନଶାହଙ୍କ ଦେହ ଦିନକୁ ଦିନ ବେଶି ଖରାପ ହେଉଛି । ତେଣୁ ସେ କେତେଦିନ ହେଲା ଦାରାଙ୍କ ହାତରେ ହିନ୍ଦୁସ୍ଥାନର ଭାର ଅର୍ପଣ କରିଦେଇଛନ୍ତି । ଏହି ସମ୍ୱାଦ ସୁଜା, ମୁରାଦ, ଆଉରଙ୍ଗଜେବ ପାଇନାହାନ୍ତି । ଜାଣେନା, ସେମାନେ ଏ ସମ୍ୱାଦ ପାଇଲେ କଣ କରିବେ ?

 

ଆବଦୁଲ୍ଲା ମଝିରେ ମଝିରେ ମତଲବଦ୍ୱାରା ମୋ ପାଖକୁ ଯେଉଁ ଖବର ପଠାଏ, ସେ ଖବର ଶୁଣି ମୋ ଛାତି ଥରିଉଠେ । ବେଳେବେଳେ ଭାବେ ଦାରାଙ୍କୁ ସବୁ କଥା କହିବି–କିନ୍ତୁ ସାହସ ହୁଏ ନାହିଁ । ସେହି ସୁପ୍ତ ତୈମୁର ଦପ୍‌ଦପ୍‌ କରି ଜଳିଉଠିବ । ମୁଁ କିଏ ? ନର୍ତ୍ତକୀ ! ଦାରା ତ ବହୁତ ଦିନ ହେଲା ମୋ ପାଖକୁ ଆସିନାହାନ୍ତି । ମୋତେ କଣ ସେ ଆଉ ଚାହାଁନ୍ତି ନାହିଁ ?

 

କିନ୍ତୁ ଦିନେ ରାତିରେ ଦାରା ଆସିଲେ । ଶରୀର ଭିତରେ ମୁଁ ଯେପରି କଣ ଅନୁଭବ କଲି । ମୋ ପାଟିରୁ ବାହାରି ପଡ଼ିଲା–ନାଦିରାଙ୍କ ଦେହ ଭଲ ଅଛି ତ ବାଦଶାହଜାଦା ?

 

ଦାରା କିଛି ସମୟ ମୋ ମୁହଁକୁ ଚାହିଁ ଗୋଟିଏ ଛୋଟ ପ୍ରଶ୍ନ କଲେ–ଅଭିମାନ ?

 

–ନା, ଅଭିମାନର ମୂଲ୍ୟ ନଥିଲେ କିଛି ଲାଭ ନାହିଁ ।

 

–ଦାରା ଆସି ମୋତେ କୁଣ୍ଢେଇପକେଇଲେ । ପଲଙ୍କ ଉପରେ ବସେଇ ଦେଇ ମୋ ପାଖରେ ବସିପଡ଼ି କହିଲେ–ତୁମେମାନେ ଛୋଟ ଛୋଟ କଥାରୁ କେତେ କଥା ବାହାରକର । ନାଦିରା ମଧ୍ୟ ସେମିତି । ତୁମେ କଣ ଜାଣିନାହଁ ବର୍ତ୍ତମାନ ହିନ୍ଦୁସ୍ଥାନ କିଏ ଚଳଉଛି ?

 

–ଜାଣେ । କିନ୍ତୁ ଶାହନଶାହମାନେ କଣ କାର୍ଯ୍ୟର ଚାପରେ ତାଙ୍କ ବେଗମ୍‌ମାନଙ୍କୁ କୃପା କରିବାକୁ ଭୁଲିଯାଆନ୍ତି ?

 

–ତୁମକୁ ଭୁଲିଯିବି ? ବେଶ୍‌, ତୁମ ମନରେ ଯଦି ଏମିତି ଧାରଣା ସ୍ଥାନ ପାଇଥାଏ, ତେବେ ମୋର ଆଉ କିଛି କହିବାର ନାହିଁ ।

 

ସେ ମୋତେ ଛାଡ଼ିଦେଇ ଗମ୍ଭୀର ହୋଇ ବସିଲେ । ମୁଁ ହସି ହସି କହିଲି–ଇସ୍‌, ସାଙ୍ଗେ ସାଙ୍ଗେ ଏଡ଼େ ବଡ଼ ମୁହଁ ହୋଇଗଲା ? ବାଦଶାହଜାଦା ଠିକ୍‌ ଛୋଟ ଶିଶୁ ପରି ଦେଖାଯାଉଛନ୍ତି । ଇଚ୍ଛା ହେଉଛି, ଆଦର କରି ମୁହଁରେ ହସ ଫୁଟେଇବା ପାଇଁ ।

 

ଗମ୍ଭୀର ସ୍ୱରରେ ଦାରା କହିଲେ–କିଏ ବାଧା ଦେଉଛି ?

 

ମୁଁ ହସିଲି । ଦାରା ମଧ୍ୟ ହସିଲେ । ମନେ ହେଲା କାନ୍ଦାହାର ଅଭିଯାନ ପରେ ମୁଁ ଦାରାଙ୍କର ସଙ୍ଗିନୀ । ଏ ଯେପରି ହାରେମ୍‌ ନୁହେଁ । କେଉଁ ଏକ ପାର୍ବତ୍ୟ ଉପତ୍ୟକା ନିକଟରେ, ଏକ ସରୋବର କୂଳରେ ଆମ ଶିବିର ପଡ଼ିଛି । ସେଠାରେ ଅଛୁ ଦାରା ଓ ମୁଁ–ମୁଁ ଓ ଦାରା । ଶତ ଚେଷ୍ଟାରେ ମଧ୍ୟ ନାଦିରା ଏଠାରେ ପ୍ରବେଶ କରିପାରିବେ ନାହିଁ ।

 

–କଣ ଭାବୁଛ ରାଣାଦିଲ୍‌ ?

 

–କଛି ଭାବୁନାହିଁ ।

 

–ମିଥ୍ୟା କହୁଛ ।

 

–ଏ ମିଥ୍ୟାରେ ବଡ଼ ଆନନ୍ଦ ଅଛି ବାଦଶାହଜାଦା ! ତୁମେ ବୁଝିପାରିବ ନାହିଁ ।

 

–ମୁଁ ବୁଝିବାକୁ ଚାହେଁ ନାହିଁ–ସେତିକି ମୋ ପାଖରେ ରହସ୍ୟ ହୋଇ ଥାଉ ।

 

–ତୁମର ଅପାର ଦୟା ।

 

–ସତରେ ?

 

–ହଁ ।

 

–ଆଉ ତୁମର ?

 

–ମୋର କଣ ?

 

–ଦୟା ।

 

–ତୁମ ପ୍ରତି ?

 

–ହଁ ।

 

–ଛିଃ ଛିଃ, ଏ କଣ ଆପଣ କହୁଛନ୍ତି ?

 

–ଠିକ୍‌ କହିଛି ।

 

–ନା ।

 

–ହଁ ।

 

–ତୁମର କେବଳ ଶରୀରର ବଳ ।

 

–ତୁମର ବୋଧେ ରୂପର ?

 

–ଜାଣେ ନା ।

 

–ଶରୀରର ବଳ ତୁମେ ପସନ୍ଦ କରନାହିଁ ?

 

–ନକରି ଉପାୟ ଅଛି ? ତୁମେ ହେଲ ସମଗ୍ର ହିନ୍ଦୁସ୍ଥାନର...

 

ଦାରା ଦୁଇହାତରେ ମୋ ମୁହଁକୁ ଚାପିଧରିଲେ । ତପ୍ତ ନିଃଶ୍ୱାସରୁ ବୁଝି ହେଉଥିଲା, ତାଙ୍କର ଶିରା ଉପଶିରା କେତେ ଚଞ୍ଚଳ । ଆଉ ମୋର ? ବହୁଦିନ ପୂର୍ବେ ଯମୁନାର ସ୍ରୋତରେ ଭାସମାନ ଏକ ବିଳାସପୂର୍ଣ୍ଣ ବଜରା ମଧ୍ୟରେ ପ୍ରଥମଥର ପାଇଁ ତାଙ୍କ ସାନ୍ନିଧ୍ୟ ପାଇ ମୋର ଦେହ ଯେପରି ଧୀରେ ଧୀରେ ନିସ୍ତେଜ ହୋଇପଡ଼ିଥିଲା । ସେହିପରି ଏକ ଭାବ ମତେ ଆଚ୍ଛନ୍ନ କଲା ଓ ମୁଁ ମୋ ଦେହକୁ ପୁଷ୍ପାଞ୍ଜଳି ପରି ତାଙ୍କ ହାତରେ ଅର୍ପଣ କରିଦେଲି । ମୋର ପ୍ରତ୍ୟେକ ଇନ୍ଦ୍ରିୟ ଦାରାଙ୍କପାଇଁ ପ୍ରସ୍ତୁତ ହୋଇଉଠିଲା ।

 

ବହୁତ ସମୟ ଚାଲିଗଲା । ବାହାରେ ଫତେମା ଅଛି ମୁଁ ଜାଣେ । ଦାରା ସାରା ରାତି ମୋ ପାଖରେ ରହିବେ । ଫତେମା ସାରା ରାତି ଶୋଇପାରିବ ନାହିଁ । ନ ଶୋଉ । ଅନେକ ରାତି ତ ସେ ନିଶ୍ଚିନ୍ତରେ ଶୋଇଛି ।

 

–ରାଣାଦିଲ୍‌ !

 

–କହ ଦାରା !

 

–ଶାହନଶାହ ଆଜି ଆଉ ଶଯ୍ୟା ଛାଡ଼ି ଉଠିପାରିନାହାନ୍ତି । ଦର୍ଶନପ୍ରାର୍ଥୀମାନେ ଗବାକ୍ଷ ଆଡ଼କୁ ଚାହିଁ ଚାହିଁ ନିରାଶ ହୋଇ ଫେରିଯାଇଛନ୍ତି ।

 

–ମୁଁ ତ ଏକଥା ଜାଣିନଥିଲି ।

 

–ସତରେ ତୁମେ ଜାଣିନାହଁ ?

 

–ନା ।

 

–ଅଥଚ ସମଗ୍ର ସହରରେ ପ୍ରଚାର ହୋଇଛି ଶାହନଶାହ ମୃତ ।

 

–ସତରେ ?

 

–ମୁଁ ଭାବୁଛି, ଏ ଖବର ସୁଜା ପ୍ରଭୁତିଙ୍କ କାନରେ ପହଞ୍ଚିଲେ ସେମାନେ କଣ ସ୍ଥିର ହୋଇ ବସିରହିବେ ?

 

–କେବେ ନୁହେଁ । କିନ୍ତୁ ତୁମକୁ ଆଜି କିମ୍ୱା କାଲି ହେଉ ଏହି ପରିସ୍ଥିତିର ମୁକାବିଲା କରିବାକୁ ହେବ । ଏଥିପାଇଁ ତୁମେ ପ୍ରସ୍ତୁତ ଅଛ ?

 

–ନିଶ୍ଚୟ ।

 

–ତେବେ ଭାବୁଛ କାହିଁକି ?

 

–ଭାବୁଛି, ମିଥ୍ୟା ଘଟଣା ପାଇଁ ଅଶାନ୍ତି ସୃଷ୍ଟି ହେବ ।

 

–ସିଂହାସନରେ ଯେ ବସିବ ସେ ପୁଣି ଅଶାନ୍ତି ପାଇଁ ଚିନ୍ତା କରିବ ?

 

–ତୁମେ ଖୁବ୍‌ ବାସ୍ତବବାଦୀ ।

 

–ନା ଦାରା, ମୋର କେତେ ବୁଦ୍ଧି ।

 

–ତୁମେ ଭୁଲ କହିନାହଁ ରାଣାଦିଲ୍‌ !

 

–ଆଚ୍ଛା, ସବୁ ଓମ୍‌ରାହ ଏବଂ ରାଜାମାନେ କଣ ତୁମ ପ୍ରତି ବିଶ୍ୱସ୍ତ ?

 

–ନିଶ୍ଚୟ । ସେମାନେ ମତେ ଶ୍ରଦ୍ଧା କରନ୍ତି । ସେମାନେ ଜାଣନ୍ତି ବିଦ୍ୟା ଓ ବୁଦ୍ଧିରେ ମୁଁ ସେମାନଙ୍କ ଅପେକ୍ଷା ବହୁତ ଉଚ୍ଚରେ ।

 

–ଏମିତି କଣ ହୋଇପାରେନା ଯେ ଶାହନଶାହଙ୍କୁ ସନ୍ତୁଷ୍ଟ କରିବାପାଇଁ ତୁମ ପ୍ରତି ସେମାନେ ଆନୁଗତ୍ୟର ଅଭିନୟ କରନ୍ତି ? ସୁଯୋଗ ପାଇଲେ ଅନ୍ୟ ଦଳରେ ମିଶିଯିବେ ।

 

–କେବେ ନୁହେଁ । ତୁମେ ସେ ସବୁ କଥା କଣ ବୁଝିବ ?

 

–ସେ କଥା ଠିକ୍‌ । କିନ୍ତୁ କାସେମ୍‌ ଖାଁ, ଜୟ ସିଂ–ଏମାନଙ୍କୁ ତୁମେ ବିଶ୍ୱସ୍ତ ବୋଲି ଭାବ-?

 

–ଏତେ ଲୋକ ଥାଉ ଥାଉ ତୁମେ ଏମାନଙ୍କ ନାଁ କାହିଁକି କହିଲ ରାଣାଦିଲ୍‌ ? କିଏ ତୁମକୁ ସେମାନଙ୍କ କଥା କହିଛି ?

 

–କେହି କହିନାହାନ୍ତି ।

 

–ନିଶ୍ଚୟ କେହି କହିଛି । ରୋଶନାରା କହିଛି ?

 

–ତାଙ୍କ ସହିତ ମୋର କଥାବାର୍ତ୍ତା ନାହିଁ ।

 

–କୌଣସି ଶତ୍ରୁର ଏ ଏକ କୌଶଳ । ସମସ୍ତଙ୍କଠାରୁ ଯେଉଁମାନେ ମୋର ବେଶି ବିଶ୍ୱସ୍ତ, ସେମାନଙ୍କ ବିରୁଦ୍ଧରେ ମୋ ମନକୁ ବିଷାକ୍ତ କରିଦେବା ପାଇଁ ହାରେମ୍‌କୁ ଅସ୍ତ୍ରରୂପେ ସେ ବ୍ୟବହାର କରିଛି । ତୁମେ ସେଥିରେ ମୁଣ୍ଡ ପୂରାଅ ନାହିଁ ରାଣାଦିଲ୍‌ !

 

–ନା, ତୁମର ମଙ୍ଗଳ ଛଡ଼ା ମୁଁ ଆଉ କିଛି ବୁଝେନାହିଁ ।

 

–ନିଶ୍ଚୟ । ତେବେ ନାରୀର ବୁଦ୍ଧି ଅନେକ ସମୟରେ ମଙ୍ଗଳ କରିବାକୁ ଯାଇ ଅମଙ୍ଗଳକୁ ଡାକିଆଣେ ।

 

–ଜାଣେ ଦାରା !

 

–ମୁଁ ସୁଜା ପ୍ରଭୃତିଙ୍କ କଥା ବର୍ତ୍ତମାନ ଭାବୁନାହିଁ । ଆୟୋଜନ କରିବା ପାଇଁ ସେମାନଙ୍କୁ ସମୟ ଲାଗିବ । ମୋର ପ୍ରଧାନ ଚିନ୍ତା ହେଉଛି ଶାହନଶାହ ଯେ ଜୀବିତ ଏହା କିପରି ପ୍ରମାଣ କରିବାକୁ ହେବ ।

 

–ମୁଁ ଯାହା କହିବି ତୁମେ ଶୁଣିବ ?

 

–କଣ କହିବ ?

 

–ଗୋଟିଏ ଉପାୟ ଅଛି, ତଥାପି କହିବାକୁ ସାହସ ହେଉନାହିଁ । ପ୍ରଥମତଃ ମୁଁ ନାରୀ । ତା’ଛଡ଼ା ମୁଁ ନବାବନନ୍ଦିନୀ ନୁହେଁ–ଜଣେ ନର୍ତ୍ତକୀ ।

 

–ତୁମେ କହ ରାଣାଦିଲ୍‌ ।

 

–ଆମର କେତେଜଣ ବୁଦ୍ଧ ଖୋଜା ଅଛନ୍ତି–ଫିରୋଜ୍‌ ହିଲାଲ, ଉଲଫତ୍‌, ସାଦିକ୍‌ । କିନ୍ତୁ ଏମାନେ ବେଶି ଡେଙ୍ଗା ନୁହନ୍ତି ।

 

–ଖୋଜାମାନଙ୍କ କଥା ତୁମେ କାହିଁକି କହୁଛ ?

 

–କହୁଛ । ଆଚ୍ଛା, ନାଦିରା ବେଗମ୍‌ଙ୍କର ଖୋଜା ମକବୁଲ୍‌ ତ ବହୁତ ଡେଙ୍ଗା ।

 

–ହଁ, କିନ୍ତୁ ସେଥିରେ କଣ ଅଛି ?

 

–ଶୁଣିଛି, ମକବୁଲ୍‌ ବାଲ୍ୟକାଳରୁ ନାଦିରାଙ୍କୁ ମଣିଷ କରିଛି । ଖୁବ୍‌ ବିଶ୍ୱସ୍ତ । ଲକ୍ଷ୍ୟ କରିଛି ବାଦଶାହଜାଦା, ତା’ର ଚେହେରା ସାଙ୍ଗରେ ଶାହନଶାହଙ୍କ ଚେହେରାର ବହୁତ ସାଦୃଶ୍ୟ ଅଛି ? ତା’ର ଉଚ୍ଚତା ମଧ୍ୟ ଶାହନଶାହଙ୍କ ପରି ହେବ ।

 

–କଣ ତୁମେ କହିବାକୁ ଚାହଁ ?

 

–ମକବୁଲକୁ ଶାହନଶାହଙ୍କ ପୋଷାକ ପିନ୍ଧେଇ କିଛିଦିନ ପାଇଁ ଗବାକ୍ଷର ସାମନାରେ ଛିଡ଼ାକରେଇ ଦର୍ଶନାର୍ଥୀମାନଙ୍କର ଅଭିନନ୍ଦନ ଗ୍ରହଣ କରିବାପାଇଁ ଶିକ୍ଷା ଦିଅନ୍ତୁ । ଶାହନଶାହ ସୁସ୍ଥ ହେବା ପର୍ଯ୍ୟନ୍ତ ଏହିପରି ଭାବରେ କାମ ଚଳିପାରିବନାହିଁ ?

 

–ରାଣାଦିଲ୍‌, ତୁମେ ଅଦ୍ଭୁତ ! ଅନେକ ଦୁର୍ଭାବନାରୁ ତୁମେ ମତେ ବଞ୍ଚେଇଲ । କାଲି ମୁଁ ସବୁ ବ୍ୟବସ୍ଥା କରୁଛି ।

 

–କ୍ଷୁଦ୍ର ବୁଦ୍ଧି ନେଇ ମୁଁ ଯେପରି ତୁମକୁ ବଞ୍ଚେଇପାରେ ବାଦଶାହଜାଦା ! ସେହିଥିରେହିଁ ମୋ ଜୀବନ ସାର୍ଥକ ହେବ ।

 

ମକବୁଲ୍‌ର ଅଭିନୟ ସାର୍ଥକ ହୋଇଥିଲା । ଦର୍ଶନାର୍ଥୀମାନେ ପରଦିନ ସ୍ୱୟଂ ଶାହନଶାହଙ୍କୁ ଗବାକ୍ଷ ସାମନାରେ ଦେଖି ଉଲ୍ଲାସରେ ଫାଟିପଡ଼ିଥିଲେ । ରାଜଧାନୀରେ ପ୍ରଚାର ହୋଇଥିଲା ଶାହନଶାହ ଆଦୌ ମୃତ ନୁହଁନ୍ତି–ସେ ଜୀବିତ ।

 

କିଛିଦିନ ପରେ ଶାହନଶାହ ଶଯ୍ୟାରୁ ଉଠି ଗବାକ୍ଷ ସାମନାରେ ଛିଡ଼ାହେବାର ଶକ୍ତି ଦେଖାଇଥିଲେ ମଧ୍ୟ ତାଙ୍କର ଆଉ ପୂର୍ବ ସ୍ୱାସ୍ଥ୍ୟ ଫେରିଆସିଲାନାହିଁ ।

 

ଶାହନଶାହଙ୍କ ମୃତ୍ୟୁସମ୍ୱାଦ ଦେଶର ଚାରିଆଡ଼େ ପ୍ରଚାରିତ ହୋଇଯାଇଥିଲା । ଦାରାଙ୍କ ଭ୍ରାତାମାନଙ୍କ କାନରେ ସେହି ସମ୍ବାଦ ପହଞ୍ଚିଲା; କିନ୍ତୁ ତାହା ଯେ ଭିତ୍ତିହୀନ, ଏ ସମ୍ୱାଦ ପ୍ରଚାର କରିବାପାଇଁ କେହି ଆଗ୍ରହ ପ୍ରକାଶ କଲେନାହିଁ କିମ୍ୱା କୌଣସି ଏକ ଗୋଷ୍ଠୀର କୌଶଳଯୋଗୁ ଦାରାଙ୍କ ଭ୍ରାତାମାନଙ୍କ ନିକଟରେ ସତ୍ୟ ସମ୍ୱାଦ ପହଞ୍ଚିଲା ନାହିଁ । ଫଳରେ ପୂର୍ବ ଦିଗରୁ ସୁଜା ଏବଂ ଦକ୍ଷିଣ ଦିଗରୁ ଆଉରଙ୍ଗଜେବ ସୈନ୍ୟବାହିନୀ ନେଇ ଯାତ୍ରା ଆରମ୍ଭ କଲେ ।

 

ଦାରାଙ୍କର ନିଶ୍ଚିନ୍ତ ଭାବ ଦେଖି ଦିନେ ଅତି କୌଶଳରେ ତାଙ୍କୁ ପ୍ରସ୍ତୁତ ହୋଇ ରହିବା ପାଇଁ କହିଲି । ସେ ଏକ ଅଦ୍ଭୁତ ଅବେହେଳାପୂର୍ଣ୍ଣ ଦୃଷ୍ଟିନିକ୍ଷେପ କରି ମୋ କକ୍ଷରୁ ବାହାରି ଚାଲିଗଲେ ।

 

ସମସ୍ତ ସୌଜନ୍ୟକୁ ଜଳାଞ୍ଜଳି ଦେଇ ନାଦିରାଙ୍କ ପାଖକୁ ଧାଇଁଗଲି । ଦେଖଲି ନାଦିରା ମଧ୍ୟ ମୋ ପରି ଚିନ୍ତିତ । ସେ କହିଲେ–ମୁଁ ବହୁତ ଚେଷ୍ଟାକରିଛି । ତୁମ ପରି ଏ ମୋ ପ୍ରତି ଅବହେଳା ଦେଖାଇନାହାନ୍ତି । ତଥାପି ଦେଖାଇଥିଲେ ଭଲ ହୋଇଥାନ୍ତା ।

 

–କାହିଁକି ?

 

–ତେବେ ବୁଝିପାରିଥାନ୍ତେ ସେ ସଚେଷ୍ଟ ଅଛନ୍ତି ।

 

–ଏତେଟା ନିଶ୍ଚିନ୍ତ ସେ କାହିଁକି ବେଗମ୍‌ ସାହେବା ?

 

–ତୁମେ ଜାଣିନାହଁ ?

 

–ନା ।

 

–ଦାରା ତ ତାଙ୍କର ଭବିଷ୍ୟତ କଥା ଜାଣିଛନ୍ତି !

 

–କଣ ସେହି ଭବିଷ୍ୟତ ବାଣୀ ?

 

–ଶାହନଶାହ ଶାହଜାହାନ ଯେତେଦିନ ପର୍ଯ୍ୟନ୍ତ ଜୀବିତ ଥିବେ, ସେତେଦିନ ପର୍ଯ୍ୟନ୍ତ ଯଦି କେହି ସିଂହାସନ ଅଧିକାର କରିବାପାଇଁ ଚେଷ୍ଟାକରେ, ତେବେ ତା’ର ସୈନ୍ୟବାହିନୀ ଛିନ୍ନବିଚ୍ଛିନ୍ନ ହୋଇଯିବେ–ଆଉ ସେ ରାଜ୍ୟରୁ ବିତାଡ଼ିତ ହୋଇ ରାଜସ୍ଥାନର ପାହାଡ଼ ଜଙ୍ଗଲ କିମ୍ବା ମରୁପ୍ରାନ୍ତରରେ ଉନ୍ମାଦ ପରି ଘୂରିବୁଲିବ ସାମାନ୍ୟ ଟିକିଏ ଆଶ୍ରୟ ପାଇଁ ।

 

–ଚମତ୍କାର ! ସେମାନେ ବାଦଶାହଙ୍କର ମନର କଥା କହିଛନ୍ତି ।

 

–ଠିକ୍‌ କଥା କହିଛ ।

 

–କିନ୍ତୁ ଶାହଜାହାନଙ୍କର ପରମାୟୁ କେତେ, ସେମାନେ କଣ ଜାଣନ୍ତି ? ସେକଥା କଣ ବାଦଶାହଜାଦାଙ୍କୁ କୁହାହୋଇଛି ?

 

–ହଁ, ସେ କଥା ମଧ୍ୟ କହିଛନ୍ତି । ଅନେକ ...

 

ମୁଁ କିଛି ସମୟ ନୀରବ ରହିଲି । ତା’ପରେ ନାଦିରା ବେଗମ୍‌ଙ୍କ ପାଖରୁ ବିଦାୟ ନେଇ ଆସିଲାବେଳେ ଦେଖିଲି ଦ୍ୱାର ପ୍ରାନ୍ତରେ ବାଦଶାହ-ବେଗମ୍‌ ଜାହାନ୍ନାରା ଛିଡ଼ାହୋଇଛନ୍ତି ।

 

–ତୁମେ ଏଠି ?

 

–ଟିକିଏ ଦରକାର ଥିଲା ବୋଲି ଆସିଥିଲି ବେଗମ୍‌ ସାହେବା !

 

–ଦୁହିଁଙ୍କ ମଧ୍ୟରେ ବେଶ୍‌ ସଦ୍ଭାବ ଅଛି ଦେଖୁଛି !

 

ନାଦିରା କହିଲେ–ରାଣାଦିଲ୍‌ ସହିତ ଅସଦ୍ଭାବ ରହିବା ସମ୍ଭବ ନୁହେଁ । ତାକୁ ଯଦି ଜାଣିଥାନ୍ତେ...

 

–ତା’ ବିଷୟରେ କିଛି କିଛି ଜାଣେ ।

 

–କିନ୍ତୁ ଆପଣ ଏ ଅସମୟରେ ?

 

–ଦାରାଙ୍କୁ ପାଉନାହିଁ । ଶୁଣିଲି ସେ ହାରେମ୍‌ଆଡ଼େ ଆସିଛନ୍ତି ।

 

ଆମେ ଦୁହେଁ ଏକାସାଙ୍ଗରେ କହିପକେଇଲୁ–ହାରେମ୍‌କୁ ?

 

–କାହିଁକି, ତୁମେମାନେ ଜାଣିନାହଁ ?

 

–ନାଦିରା କହିଲେ–ନା ।

 

–ରାଣାଦିଲ୍‌, ତୁମେ ?–

 

–ମୁଁ ମଧ୍ୟ ଜାଣେନାହିଁ ।

 

–ତା’ହେଲେ ସେ କେଉଁଆଡ଼େ ଗଲା ?

 

ନାଦିରା ପଚାରିଲେ–କାହିଁକି ତାଙ୍କୁ ଖୋଜୁଛନ୍ତି ?

 

–ତୁମେମାନେ ବୁଝିପାରିବ ନାହିଁ । ତୁମେମାନେ କେବଳ ହାରେମ୍‌କୁ ଚିହ୍ନିଛ । କେଉଁ ବେଗ୍‌ମ ଅଫିମର ମାତ୍ରା କେତେ ବଢ଼େଇଛି, କେଉଁ ବେଗ୍‌ମର ପଲଙ୍କତଳେ ସ୍ୱାସ୍ଥ୍ୟବାନ୍‌ ପୁରୁଷ ଲୁଚିରହିଛି–ଏ ଖବର ମଧ୍ୟ ତୁମେମାନେ ଦେଇପାରିବ; କିନ୍ତୁ ଦେଶର କେଉଁଠାରେ କଣ ଘଟୁଛି, ତୁମେମାନେ ଜାଣନାହିଁ–ଅବଶ୍ୟ ଜାଣିବାର ପ୍ରୟୋଜନ ନାହିଁ–ତୁମମାନଙ୍କୁ କହି କିଛି ଲାଭ ନାହିଁ ।

 

ଜାହାନ୍ନାରା ବେଗ୍‌ମ ବିଦାୟ ନେବାବେଳେ ମୁଁ ବିନୀତଭାବରେ କହିଲି–ମୋର ଗୋଟିଏ ପ୍ରାର୍ଥନା ଅଛି ବେଗମ୍‍ ସାହେବା–ଦୟାକରି ଆପଣ ସେ ବିଷୟ ନିଜେ ବୁଝିଲେ ମୁଁ ନିଶ୍ଚିନ୍ତ ହେବି ।

 

ନାଦିରାଙ୍କ ଚକ୍ଷୁରେ ବିସ୍ମୟ । ଜାହାନ୍ନାରାଙ୍କ ମୁଖରେ ଅସ୍ପଷ୍ଟ କ୍ରୋଧ ।

 

–କହ ରାଣାଦିଲ୍‌ !

 

–ବାଦଶାହଜାଦା ସୁଜା ଅତିଶୀଘ୍ର ଆହ୍ଲାବାଦ ଆଡ଼କୁ ଆଗେଇ ଆସିବେ । ଦୟାକରି ଅତିଶୀଘ୍ର କିଛି ବ୍ୟବସ୍ଥା କରନ୍ତୁ । ମୁଁ ଆପଣଙ୍କ ଭାଇଙ୍କୁ ଏକଥା କହିଲେ ସେ ମତେ ହତ୍ୟା କରିବେ-। ଅଥଚ ଯେଉଁ ଦୁର୍ବ୍ଦିନ ମାଡ଼ିଆସୁଛି, ମୁଁ ଚୁପ୍‌କରି ବସିରହିପାରୁନାହିଁ । ବିଶ୍ୱାସଘାତକମାନେ ବର୍ତ୍ତମାନ ମୁଣ୍ଡ ଟେକିଛନ୍ତି, ଆପଣ ଜାଣନ୍ତି ? ଅନୁଗ୍ରହକରି ରାଜା ଜୟ ସିଂଙ୍କୁ ସୁଜାଙ୍କ ବିରୁଦ୍ଧରେ ଆହ୍ଲାବାଦ ପଠେଇବେନାହିଁ ।

 

ଜାହାନ୍ନାରାଙ୍କର ଅନିନ୍ଦ୍ୟ ସୁନ୍ଦର ମୁଖମଣ୍ଡଳରେ ଭାବାନ୍ତର ପରିଲକ୍ଷିତ ହେଲା । ସେ କେତେ ସମୟ ପର୍ଯ୍ୟନ୍ତ କିଛି କହିପାରିଲେ ନାହିଁ, ଶେଷରେ ଅତି କଷ୍ଟରେ ଅସ୍ପଷ୍ଟ କଣ୍ଠରେ କହିଲେ–ତୁମେ... ରାଣାଦିଲ୍‌... ।

 

–ମତେ କ୍ଷମା କରିବେ । ଜୟ ସିଂ ଆଦୌ ଆସ୍ଥାଭାଜକ ନୁହେଁ ।

 

–ସୁଜା ଆହ୍ଲାବାଦ ଆଡ଼କୁ ଆଗେଇଆସିବେ ବୋଲି ତୁମକୁ କିଏ ଖବର ଦେଲା ?

 

–ମୁଁ ପାଇଛି ।

 

–ହାରେମ୍‌ରେ ଏପରି ଭାବରେ ଖବର ଆଦାନପ୍ରଦାନ ହୁଏ ?

 

–ନିଜର ସ୍ୱାର୍ଥ ଏବଂ ଦାରାଶୁକୋଙ୍କର ମଙ୍ଗଳ ପାଇଁ ସବୁ କରିବାକୁ ହୁଏ ।

 

–ଏତେ ଦୂରରେ ଖବର ତୁମ ପାଖକୁ କେମିତି ଆସିଲା ? ମୁଁ ତ ଏ ଖବର ପାଇନାହିଁ । ମୁଁ ଏପର୍ଯ୍ୟନ୍ତ ମଧ୍ୟ ଖବର ପାଇନାହିଁ ଯେ ସୁଜା ଆହ୍ଲାବାଦ ଆକ୍ରମଣ କରିବାକୁ ମନସ୍ଥ କରିଛି ।

 

–ଆପଣ ଅନୁଗ୍ରହ କରି ଶୀଘ୍ର ବ୍ୟବସ୍ଥା କରନ୍ତୁ : ନହେଲେ ଅସୁବିଧା ହେବ ।

 

–ତୁମେ ପ୍ରକୃତରେ ଆଶ୍ଚର୍ଯ୍ୟ ରାଣାଦିଲ୍‌ !

 

ଜାହାନ୍ନାରା ଚାଲିଗଲେ । ନାଦିରା ଆଗେଇଆସି ମୋର ଗ୍ରୀବାଦେଶ ବେଷ୍ଟନ କରି କହିଲେ–ମୁଁ ମଧ୍ୟ ଜାହାନ୍ନାରାଙ୍କ ପରି କହୁଛି, ତୁମେ ପ୍ରକୃତରେ ଆଶ୍ଚର୍ଯ୍ୟ ରାଣାଦିଲ୍‌ !

 

–ମତେ ଲଜ୍ଜା ଦିଅନ୍ତୁନାହିଁ ବେଗମ୍‌ ସାହେବା ! ମୁଁ ନିଜକୁ ବଡ଼ ଅସହାୟ ମନେ କରୁଛି-। ଏସବୁ ଚିନ୍ତାରେ ମୋର ଭାଗ ନାହିଁ । ବାଦଶାହଜାଦା ମୋ କଥା ଶୁଣିବାକୁ ଚାହାନ୍ତିନାହିଁ-

 

–ପୃଥିବୀରେ ଅନ୍ତତଃ ଜଣେ ତୁମ ସୁଖ–ଦୁଃଖରେ ଭାଗୀଦାର ।

 

–ଜାଣେ, ତେବେ ସବୁ ଖବର ଜାଣି ଅକ୍ଷମ ପରି ଚୁପ୍‌ଚାପ୍‌ ବସିରହିବା ବଡ଼ କଷ୍ଟ ।

 

–ଜାହାନ୍ନାରା ବେଗମ୍‌ ତୁମକୁ ବିଶ୍ୱାସ କରିଛନ୍ତି–ତାଙ୍କୁ କାମରେ ଲଗାଅ ।

 

ନାଦିରା ଭୁଲ କହିନାହାନ୍ତି । ଜାହାନ୍ନାରା ସବୁ କାର୍ଯ୍ୟ କରିବାପାଇଁ ସକ୍ଷମ । ଦାରା ତାଙ୍କର ମତାମତକୁ ସହଜରେ ଅଗ୍ରାହ୍ୟ କରିପାରିବେ ନାହିଁ ।

 

ଶେଷପର୍ଯ୍ୟନ୍ତ ସବୁ ଚେଷ୍ଟା ବ୍ୟର୍ଥ ହେଲା । ଜାହାନ୍ନାରାଙ୍କର ଶତ ଅନୁରୋଧ ସତ୍ତ୍ୱେ ଦାରାଶୁକୋ ଅବିଚଳିତ ରହିଲେ । ଫକୀରସାହେବମାନଙ୍କର ଭବିଷ୍ୟତବାଣୀ ତାଙ୍କ ନିକଟରେ ଈଶ୍ୱରଙ୍କ ବାଣୀ ପରି ଅନିବାର୍ଯ୍ୟ । ଶାହନଶାହ ଧୀରେ ଧୀରେ ଦୁର୍ବଳ ହୋଇ ପଡ଼ିଲେ । ମାନସିକ ଅଶାନ୍ତି ତାଙ୍କୁ କ୍ଷୟ କରିଦେଲା । ଜାହାନ୍ନାରା ବେଗମ୍‌ଙ୍କର ଅକ୍ଳାନ୍ତ ସେବାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ହେଲାନାହିଁ ।

 

ଦିନେ ନାଦିରା ଏବଂ ମୁଁ ଛିଡ଼ାହୋଇଛୁ । ଜାହାନ୍ନାରା ଆମ ସାମନାରେ ଦାରାଙ୍କୁ କହିଲେ–ଶାହନଶାହଙ୍କର ଏକାନ୍ତ ଇଚ୍ଛା ରକ୍ତପାତ ଯେପରି ନହୁଏ ।

 

ଦାରା ରାଗିଉଠି କହିଲେ–ତୁମେ କଣ କହୁଛ ମୁଁ ରକ୍ତପାତ ଚାହେଁ ? ସେମାନେ ଯଦି ରକ୍ତପାତ ଚାହାନ୍ତି, ମୁଁ କେମିତି ବନ୍ଦ କରିବି ?

 

–ମୋ କଥା ଶୁଣିଥିଲେ ଏମିତି ହୋଇନଥାନ୍ତା ।

 

–ତୁମ କଥା ଣୁଣିଥିଲେ ମୋଗଲବଂଶରୁ ଦାରାଶୁକୋଙ୍କର ନାମ ଲୋପ ପାଇଯାଇଥାନ୍ତା ।

 

ଜାହାନ୍ନାରା ଚିତ୍କାର କରିଉଠିଲେ–ଦାରା, ତୁମେ ଏମିତି କଥା କହିପାରିଲ ?

 

ଦାରାଙ୍କୁ ଏତେ କ୍ରୋଧାନ୍ୱିତ ହେବା ମୁଁ କେବେ ଦେଖିନଥିଲି । ଅଳ୍ପ ସମୟ ପରେ ସେ ହସି ହସି କହିଲେ–ମୁଁ ଜାଣେ, ତୁମର ମନ ଭଲନାହିଁ । ବୁନ୍ଦଲରାଜଙ୍କୁ ଆଉରଙ୍ଗଜେବଙ୍କ ବିରୁଦ୍ଧରେ ଯିବାକୁ ମୁଁ କହିନାହିଁ ।

 

ଜାହାନ୍ନାରାଙ୍କ ମୁଖମଣ୍ଡଳ ଲାଲ ହୋଇଗଲା । ତାଙ୍କର ସବୁଠାରୁ ପ୍ରିୟ ଦାରାଙ୍କଠାରୁ ଏପରି ଅପମାନ ପାଇ ତାଙ୍କ ମନରେ ଦାରାଙ୍କ ପ୍ରତି ଘୃଣା ଆସିଲା । ଅଦ୍ଭୁତ ସଂଯମର ସହିତ ଜାହାନ୍ନାରା ନିଜକୁ ସ୍ୱାଭାବିକ ଅବସ୍ଥାକୁ ଫେରେଇ ଆଣି କହିଲେ–ତୁମର ଏହି ଘୃଣିତ କଥାର ଜବାବ ଦେବାକୁ ମୁଁ ଚାହେନାହିଁ: କିନ୍ତୁ ଗୋଟିଏ କଥା ଭଲରୂପେ ଜାଣିରଖ । ତୁମ ସାମନାରେ ବର୍ତ୍ତମାନ ଯେଉଁ ତିନିଜଣ ଛିଡ଼ାହୋଇଛନ୍ତି ସେମାନଙ୍କ ଛଡ଼ା ଏହି ହାରେମ୍‌ରେ ତୁମର ମଙ୍ଗଳାକାଙ୍‌କ୍ଷୀ ଆଉ ଜଣେ ହେଲେ ମଧ୍ୟ ନାହିଁ । ଆଉ ଜଣେ ଯଦି କେହି ଥାଏ, ସେ ବର୍ତ୍ତମାନ ଶଯ୍ୟାଶାୟୀ !

 

ଦାରା ଖୁବ୍‌ ଜୋର୍‌ରେ ହସିଉଠିଲେ । ଜାହାନ୍ନାରା କହିଲେ–ତୁମର ଏହି ଅର୍ଥହୀନ ହସ ପ୍ରମାଣ କରିଦେଉଛି ଯେ ତୁମେ ସିଂହାସନରେ ବସିବା ପାଇଁ ଅନୁପଯୁକ୍ତ । ତଥାପି ମୁଁ ସବୁବେଳେ ତୁମକୁ ସମର୍ଥନ କରିବି : କାରଣ ଶାହନଶାହଙ୍କର ସ୍ନେହ ସମସ୍ତଙ୍କ ଅପେକ୍ଷା ତୁମଠାରେ ବେଶି ।

 

–ଆଉ କିଛି କାରଣ ନାହିଁ ? ବୁନ୍ଦଲରାଜଙ୍କର ପ୍ରିୟପାତ୍ର ବୋଲି ?

 

–ତୁମ ମୁହଁରେ ଏପରି ହୀନକଥା ଶୋଭାପାଏ ନାହିଁ । ତୁମର ମନ ସଂସ୍କୃତିସମ୍ପନ୍ନ । ହୁଏତ ଏ ତୁମର ବୁଦ୍ଧିଭ୍ରଂଶ । ଶୁଣ ଦାରା, ଶାହନଶାହଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇନାହିଁ । ସେ ଇଚ୍ଛା କଲେ ସିଂହାସନରେ ଅନ୍ୟ କେଉଁ ପୁତ୍ରକୁ ବସେଇପାରନ୍ତି । ମୁଁ ଅନାୟାସରେ ତାଙ୍କ ମନକୁ ପରିବର୍ତ୍ତନ କରିପାରେ; କାରଣ ତୁମେ ତାଙ୍କର ପ୍ରିୟତମ ପୁତ୍ର ହେଲେ ମଧ୍ୟ ମୋ କଥାର ଗୁରୁତ୍ୱ ତାଙ୍କ ପାଖରେ ସବୁଠାରୁ ବେଶି । ତାଙ୍କ ଅଭିଳାଷର କଥା ହିନ୍ଦୁସ୍ଥାନର ଅଧିବାସୀମାନେ ଜାଣିପାରିଲେ ତୁମେ କେଉଁଆଡ଼େ ଉଡ଼ିଯିବ ।

 

–ଚେଷ୍ଟା କର ।

 

–ସେଇ ହେଉଛି ମୋର ଦୁର୍ବଳତା । ଏହି ଦୁର୍ବଳତା କଥା ତୁମେ ଭଲଭାବରେ ଜାଣ–ଆଉ ଜାଣ ବୋଲି ମୋର ସମ୍ମାନରେ ଆଘାତ କରିବାକୁ ତୁମେ ଟିକିଏ ହେଲେ ଦ୍ୱିଧାବୋଧ କରୁନାହଁ । ନା, ମୋର କିଛି କରିବା ଦରକାର ନାହିଁ । ନିଜର ଅହମିକା ପାଇଁ ତୁମର ଦିନେ ପତନ ହେବ ।

 

–କଣ କହିଲ ?

 

–ତୁମର ପତନ ହେବ । କେବଳ ମୁଁ କାହିଁକି–ନାଦିରାବୁ–ପଚାର–ରାଣାଦିଲ୍‌କୁ ପଚାର-। ସେମାନେ ମଧ୍ୟ ସେୟା କହିବେ ।

 

–ଶେଷରେ ହାରେମ୍‌ରେ ମୋର ଭାଗ୍ୟ ନିର୍ଦ୍ଧାରିତ ହେବ ?

 

–ନା.ତୁମର ଭା‌ଗ୍ୟ ନିର୍ଦ୍ଧାରିତ ହେବ ହାରେମ୍‌ର ବାହାରେ । ସୁଜା, ମୁରାଦ, ଆଉରଙ୍ଗଜେବ ତୁମକୁ ଏତେ ସୁଖରେ ରହିବାକୁ ଦେବେ ନାହିଁ । ତୁମ ବିରୁଦ୍ଧରେ କେଉଁଠି କି ଷଡ଼ଯନ୍ତ୍ର ହେଉଛି ସେ ଖବର ରାଣାଦିଲ୍ ଭଲଭାବରେ ଦେଇପାରିବ ।

 

–ରାଣାଦିଲ୍ ?

 

–ହଁ । ସୁଜା ଆହ୍ଲାବାଦ ଆକ୍ରମଣ କରିବେ ବୋଲି କହିଥିଲି ।

 

–ମିଥ୍ୟା କଥା । ସେ ଆହ୍ଲାବାଦ ଆକ୍ରମଣ କରିପାରିବ ନାହିଁ । ମୁଁ ତା’ ପାଖକୁ ପତ୍ର ପଠେଇଛି । ତାକୁ ମୁଁ ମୁଙ୍ଗେର ଦୁର୍ଗ ଛାଡ଼ିଦେବି–କିନ୍ତୁ ଗୋଟିଏ ସର୍ତ୍ତରେ–ମୁଙ୍ଗେରରେ ସେ ତା’ର କୌଣସି ପୁତ୍ରକୁ ରଖିପାରିବ ନାହିଁ । ମୋ ପ୍ରସ୍ତାବ ସୁଜା ଗ୍ରହଣ କରିବ ।

 

ଏଥର ମୁଁ ଉତ୍ତର ଦେଲି–ନା,ସେ ନିଶ୍ଚୟ ଆହ୍ଲାବାଦ ଆସିବେ ।

 

–ତୁମେ ? ତୁମେ ରାଣାଦିଲ୍ ଏତେ ବଡ଼ ବଡ଼ କଥା କହୁଛ ? ମୋ କଥା ଉପରେ କଥା କହିବାକୁ ତୁମେ ସାହସ କରିପାରୁଛ ?

 

ଜାହାନ୍ନାରା କହିଲେ–ସତ୍ୟ ସମ୍ୱାଦ ହେଲେ ସାହସର ପ୍ରଶ୍ନ ଉଠେ ନାହିଁ ।

 

–ଦେଖୁଛି, ତୁମେମାନେ ସମସ୍ତେ ଜଣେ ଜଣେ ଯୁଦ୍ଧବିଶାରଦ ପାଲଟିଯାଇଛ । ପଥର ନର୍ତ୍ତକୀ ଶେଷରେ ଯୁଦ୍ଧର ଭବିଷ୍ୟତ କଥା କହିଦେଉଛି !

 

ମୋ ମୁଣ୍ଡ ଭିତର କଣ ହୋଇଗଲା । ଜୀବନରେ ଏହି ପ୍ରଥମ ଥର ଦାରା ମତେ ଏପରି ଭାବରେ ଅପମାନିତ କଲେ । ଏତେ ମାନ-ଅଭିମାନ, ଏତେ ରାଗ-ବିରାଗ ମଧ୍ୟରେ ମଧ୍ୟ ଏପରି ନଗ୍ନଭାବରେ ସେ ମୋତେ କେବେହେଲେ ଆକ୍ରମଣ କରିନାହାନ୍ତି । ମୁହୂର୍ତ୍ତକ ମଧ୍ୟରେ ମନେ ମନେ ସିଦ୍ଧାନ୍ତ କଲି. ଆଉ କେବେହେଲେ ଉପଯାଚକ ହୋଇ ଦାରାଙ୍କୁ କିଛି କହିବି ନାହିଁ–ନାଦିରା ଓ ଜାହାନ୍ନାରାଙ୍କୁ ମଧ୍ୟ ନୁହେଁ । ଆବଦୁଲ୍ଲା ମତେ ଯେଉଁ ସବୁ ଖବର ଦେବ, ଗୋପନ ରଖିବି । ଚେଷ୍ଟା କରିବି ଆବଦୁଲ୍ଲାକୁ ଖବର ସଂଗ୍ରହରୁ ନିବୃତ୍ତ କରିବାପାଇଁ । ସେ ମାନିବ ନାହିଁ ମୁଁ ଜାଣେ–କାରଣ ତା’ର ବିଶ୍ୱାସ, ଗୋପନ ସମ୍ୱାଦ ଦାରାଙ୍କ ପାଖରେ ପହଞ୍ଚେଇ ଦେଇ ପାରିଲେ ଦାରା ନିଶ୍ଚୟ ତା’ର ଗୁରୁତ୍ୱ ଉପଲବ୍‌ଧି କରିବେ । କିନ୍ତୁ ସବୁ ବୃଥା ।

 

ମୁଁ ନର୍ତ୍ତକୀ । ପ୍ରକୃତରେ ତ ମୁଁ ନର୍ତ୍ତକୀ । ଦାରା କିଛି ଭୁଲ କଥା କହିନାହାନ୍ତି । ଆଜିଠାରୁ ମୋ କକ୍ଷରେ ଆରମ୍ଭ ହେବ ନୃତ୍ୟ । ଆବଦୁଲ୍ଲା ପାଖରେ ପ୍ରମାଣ କରିବାକୁ ହେବ ଯେ ବୟସ ବୃଦ୍ଧି ହେଲେ ମଧ୍ୟ ନର୍ତ୍ତକୀ ରାଣାଦିଲ୍‌ର ମୃତ୍ୟୁ ହୋଇନାହିଁ । ଗାୟିକା ରାଣାଦିଲ୍‌ର ସୁଲଳିତ କଣ୍ଠ ଟିକିଏ ଗମ୍ଭୀର ହେଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୋହଜାଲ ବିସ୍ତାର କରିବାକୁ ସକ୍ଷମ ।

 

ମୁଁ ନର୍ତ୍ତକୀ । ମୁଁ...

 

–ରାଣାଦିଲ୍‌ !

 

କିଏ ମୋତେ ଡାକିଲା । ଓହୋ, ଜାହାନ୍ନାରା ବେଗମ୍‌ ! ମୁଁ ତ ହାରେମ୍‌ରେ ଅଛି । ସାମନାରେ ଦାରା ଛିଡ଼ାହୋଇଛନ୍ତି, ଆଉ ସେପଟେ ନାଦିରା ।

 

ଜବାବ ଦେବାକୁ ଡେରି ହେଲେ ମଧ୍ୟ ସ୍ନେହବୋଳା କଣ୍ଠରେ ଜବାବ ଦେଲି–ବାଦଶାହ-ବେଗମ୍‌ !

 

–ତୁମର ମୂଲ୍ୟ ମୂର୍ଖମାନେ ବୁଝିନପାରିଲେ ମଧ୍ୟ ମୁଁ ବୁଝେ ରାଣାଦିଲ୍‌ ! ତୁମେ ଆଘାତ ପାଇଛ । ସେଥିପାଇଁ ଦୁଃଖ କରନାହିଁ । ମୁଁ କଣ କମ୍‌ ଆଘାତ ପାଇଛି ?

 

ଉତ୍ତର ଦେଇପାରିଲି ନାହିଁ ।

 

–ରାଣାଦିଲ୍‌ !

 

–ବେଗମ୍‌ ସାହେବା, ମତେ ଯିବାକୁ ଅନୁମତି ଦିଅନ୍ତୁ ।

 

–ବୁଝିପାରିଛି । ଆଚ୍ଛା, ତୁମେ ଯାଅ ।

 

ନିଜର କକ୍ଷଆଡ଼କୁ ଚାଲିଲି । ଦାରାଙ୍କ କଥାଗୁଡ଼ିକ ବାରମ୍ୱାର ମୋ କାନରେ ପ୍ରତିଧ୍ୱନିତ ହେଲା । ସେ ମତେ ଘୃଣାକରନ୍ତି । ସେ ମତେ ଘୃଣିତ କଣ୍ଠରେ ନର୍ତ୍ତକୀ ବୋଲି କହିଛନ୍ତି-। ସେ ମତେ ଭଲପାଉଥିଲେ ଏପରି କଥା ଉଚ୍ଚାରଣ କରିପାରିନଥାନ୍ତେ ।

 

ନାଦିରା ବେଗମ୍‌ ଧାଇଁଆସି କହିଲେ–ତୁମେ ଦାରାଙ୍କୁ ଭୁଲ ବୁଝନାହିଁ ରାଣାଦିଲ୍‌ ! ଅହମିକା ତାଙ୍କୁ ଅନ୍ଧ କରିଛି । ଅଳ୍ପ ସମୟ ପରେ ସେ ପୁଣି ଶାନ୍ତ ହୋଇଯିବେ । ତୁମେ ତ ମୋ’ଠାରୁ ତାଙ୍କୁ ବେଶି ଭଲଭାବରେ ଜାଣ ।

 

ନାଦିରାଙ୍କ କଥା ମୋ ମନରେ ଟିକିଏ ମଧ୍ୟ ସାନ୍ତ୍ୱନା ଦେଲାନାହିଁ । ସେହି ଦିନ ରାତ୍ରିରେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲି । ଦିଗନ୍ତବିସ୍ତୃତ ତପ୍ତ ମରୁପ୍ରାନ୍ତରର ପ୍ରାନ୍ତସୀମାରେ କ୍ଷୁଦ୍ର ପାହାଡ଼ ନିକଟରେ ଗୋଟିଏ ଛୋଟ ଗ୍ରାମ । ଗ୍ରାମରେ ଗୋଟିଏ କୁଟୀରରେ ମୁଁ ରହିଛି, ଆଉ ରହିଛନ୍ତି ମୋର ପିତା, ମାତା ଏବଂ ଏକ କିଶୋର ଭାଇ । ଭାଇର ହାତ ଧରି ମୁଁ ବୁଲୁଛି । ଦୂରରୁ ମା’ ମୋର ନାଁ ଧରି ଡାକିଲେ । ଆମେ ଭାଇ ଭଉଣୀ ଦୁହେଁ ଧାଇଁଗଲୁ । ମା’ ତାଙ୍କର ସ୍ନେହପୂର୍ଣ୍ଣ କଣ୍ଠରେ ମତେ ପାଖକୁ ଡାକି ମୋ ମୁଣ୍ଡରେ ହାତ ବୁଲେଇଦେଲେ । ମୋର ଚକ୍ଷୁ ଦୁଇଟି ସଜଳ ହୋଇଉଠିଲା ।

 

ମା’ କହିଲେ–ତୁ ଆଉ ବାହାରକୁ ଯିବୁ ନାହିଁ ।

 

–କାହିଁକି ମା’ ?

 

–ଆଜି ଆମକୁ ଗୋଟିଏ ବ୍ରତ ପାଳନ କରିବାକୁ ହେବ ।

 

ମୋର କିଶୋର ଭାଇଟି କହିଲା–କି ବ୍ରତ ମା’ ?

 

–ତୋର ସେ କଥା ଶୁଣିବା ଦରକାର ନାହିଁ । ତୁ ଯା’ ଖୋଳିବୁ ।

 

–ବାଃ, ମୁଁ କଣ ଆଉ ପିଲା ଅଛି ?

 

–ନା, ପିଲା କାହିଁକି ହେବୁ ? କିନ୍ତୁ ତୁ ପୁରୁଷ । ତୁମମାନଙ୍କର କେବଳ ଗୋଟିଏ ବ୍ରତ ଅଛି ।

 

–କି ବ୍ରତ ମା’ ?

 

–ଯୁଦ୍ଧ । ଦେଶ ଏବଂ ନାରୀର ସମ୍ମାନ ରକ୍ଷା କରିବାପାଇଁ ଯୁଦ୍ଧ କରିବା ତୁମମାନଙ୍କର ବ୍ରତ ।

 

–ଠିକ୍‌ ଅଛି । ମୁଁ ଖେଳିବାକୁ ଯାଉଛି ।

 

ମୁଁ ପଚାରିଲି–କି ବ୍ରତ ମା’ ?

 

–ଆଜି ପରି ଗୋଟିଏ ଦିନ, ଏହି ବଂଶର ଗୋଟିଏ ବଧୂ ଅଗ୍ନିରେ ଆତ୍ମ-ବିସର୍ଜନ ଦେଇଥିଲା । ତା’ର ନାମ କଳାବତୀ ।

 

–କାହିଁକି ?

 

–ନାରୀତ୍ୱ ପ୍ରତି ଅପମାନ ପାଇଁ । ତା’ର ସ୍ୱାମୀ ତା’ର ସତୀତ୍ୱ ପ୍ରତି ସନ୍ଦେହ କରିଥିଲେ-

 

–ସତରେ ?

 

–ହଁ, ତାର ସ୍ୱାମୀ ତାକୁ ଖୁବ୍‌ ଭଲପାଉଥିଲେ; କିନ୍ତୁ କ୍ରୋଧର ବଶବର୍ତ୍ତୀ ହୋଇ ଏହି ଧରଣର ମନ୍ତବ୍ୟ ପ୍ରକାଶ କରିଥିଲେ । ପରେ ସେ ବାରମ୍ୱାର ନିଜର ଭୁଲ ସ୍ୱୀକାର କରି ମଧ୍ୟ କଳାବତୀ ମନକୁ ପରିବର୍ତ୍ତନ କରିପାରିନଥିଲେ । କଳାବତୀ ସଜଳ ଚକ୍ଷୁରେ ସ୍ୱାମୀଙ୍କର ହାତ ଧରି କହିଥିଲା ଯେ ସତୀତ୍ୱର ମର୍ଯ୍ୟାଦା ରଖିବାପାଇଁ ତାକୁ ଆତ୍ସ-ବିସର୍ଜନ କରିବାକୁ ପଡ଼ିବ ।

 

ମୁଁ ଓ ମା’ ସେହି ବ୍ରତ ପାଳନ କଲୁ । ଆମେ ଶପଥ କଲୁ, ନାରୀତ୍ୱର ମର୍ଯ୍ୟାଦା ରକ୍ଷା କରିବାପାଇଁ ପ୍ରାଣ ଦେବୁ । ପ୍ରାଣ ତୁଚ୍ଛ–ସତୀତ୍ୱ ବଡ଼ ।

 

ମା’କୁ ପ୍ରଶ୍ନ କଲି–ଏହି ବ୍ରତର ଫଳ କଣ ମା’ ?

 

–ଏହି ବ୍ରତ ପାଳନ କଲେ ଏ ବଂଶର କୌଣସି ନାରୀ ମନମଧ୍ୟରେ ମଧ୍ୟ ଦ୍ୱିଚାରିଣୀ ହୋଇପାରିବ ନାହିଁ । ଏହି ବଂଶର କୌଣସି ନାରୀ ସତୀତ୍ୱର ଅବମାନନା ସହି ବଞ୍ଚିରହେନାହିଁ ।

 

ନିଦ ଭାଙ୍ଗିଗଲା ପରେ ଛୋଟ ଶିଶୁ ପରି କାନ୍ଦିଉଠିଲି । ମୁଁ ମୋ ମା’ଙ୍କୁ ହରେଇଲି; ଭାଇକୁ ହରେଇଲି । ସ୍ୱପ୍ନ କାହିଁକି ସତ୍ୟ ହୁଏ ନାହିଁ ଭଗବାନ ! ମା’ର ମମତାମୟ ଆସ୍ୱାଦନ ଜୀବନରେ ଯେ ମୁଁ କେବେହେଲେ ପାଇନାହିଁ ।

 

ସୁଜା ଦାରାଙ୍କ ପ୍ରସ୍ତାବ ଅଗ୍ରାହ୍ୟକରି ଆହ୍ଲାବାଦ ଆଡ଼କୁ ଆଗେଇଆସିଲେ । ଶୁଣିଲି, ଦାରା ଫକୀରସାହେବମାନଙ୍କ ସହିତ ଆଲୋଚନା କରିବାପାଇଁ ଉଦ୍‌ଯୋଗ କରୁଛନ୍ତି । କରନ୍ତୁ–ମୋର କହିବାର କିଛି ନାହିଁ । ମୁଁ ନର୍ତ୍ତକୀ । ନବାବ, ବାଦଶାହମାନଙ୍କ ପାଖରେ ନର୍ତ୍ତକୀ ଅତି ନଗଣ୍ୟ । ସେଦିନ ଦାରାଙ୍କ ଦୃଷ୍ଟିରେ ନର୍ତ୍ତକୀ କେବଳ ସାମାନ୍ୟ ନୁହେଁ–ଘୃଣିତ ହୋଇଉଠିଲା । ଉପଯାଚକ ହୋଇ ଦାରାଙ୍କ କାର୍ଯ୍ୟରେ ବାଧାଦେବାକୁ ଯିବା ଧୃଷ୍ଟତା ହେବ ।

 

ଜାହାନ୍ନାରା ବେଗମ୍‌ଙ୍କର ଉଦ୍ୟମ ଫଳରେ ଫକୀରସାହେବମାନଙ୍କର ଆସିବାର ଉଦ୍‌ଯୋଗ ସଫଳ ହେଲାନାହିଁ । ଜାହାନ୍ନାରା ନିଜ କ୍ଷମତାବଳରେ ଫକୀରସାହେବମାନଙ୍କର ବୈଠକ ବନ୍ଦକରିଦେଲେ । ଏତେଦିନଯାଏ ସେ ଥିଲେ ସ୍ନେହମୟୀ ଭଗିନୀ–ବର୍ତ୍ତମାନ ସେ କର୍ତ୍ତବ୍ୟକଠୋର ବାଦଶାହ–ବେଗମ୍‌ ।

 

ଶୁଣିଲି, ଦାରାଙ୍କର କ୍ରୋଧ ହତାଶାରେ ପରିଣତ ହୋଇଛି । ସେ ଜାହାନ୍ନାରାଙ୍କୁ ଅନୁରୋଧ କରି ବ୍ୟର୍ଥ ହୋଇଛନ୍ତି । ଜାହାନ୍ନାରା ସୁଜାଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରାର ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି ।

 

ମୋ ମନ ଭିତରେ ପୁଣି ଆଶାର ଆଲୋକ ଜଳିଉଠିଲା । ପରଦିନ ଦାରାଙ୍କ ପୁତ୍ର ସୁଲେମାନ ଶୁକୋ ଯୁଦ୍ଧଯାତ୍ରାକଲେ । ଯୁଦ୍ଧ ଆରମ୍ଭ ହେବାର କିଛିଦିନ ପରେ ଆବଦୁଲ୍ଲା ଶୁଭ ସମ୍ୱାଦ ଦେଲା ଯେ ସୁଲେମାନ୍‌ଙ୍କର ବୁଦ୍ଧି, ସାହସ ଏବଂ କୌଶଳ ଅତ୍ୟନ୍ତ ଉଚ୍ଚକୋଟୀର । ଦାରାଙ୍କ ପରିବର୍ତ୍ତେ ଯଦି ଶାହନଶାହ ଏହି ମୁହୂର୍ତ୍ତରେ ସୁଲେମାନଙ୍କୁ ସିଂହାସନରେ ବସେଇବା ପାଇଁ ମନୋନୀତ କରନ୍ତି, ତେବେ ସୁଜା ଏବଂ ଆଉରଙ୍ଗଜେବଙ୍କର ଶତ ସହସ୍ର ପ୍ରଚେଷ୍ଟା ବ୍ୟର୍ଥ ହେବ ।

 

ଏହି ମନ୍ତବ୍ୟଟି ମତେ ବହୁତ ଆଘାତ ଦେଲା; କାରଣ ଆବଦୁଲ୍ଲା ଦାରାଙ୍କୁ ହେୟଜ୍ଞାନ କରିଛି । ତଥାପି ସୁଲେମାନଙ୍କ ପାଇଁ ଆନନ୍ଦ ଅନୁଭବ କଲି । ସେ ଦାରାଙ୍କ ପୁତ୍ର । ମୋର ଗର୍ତ୍ତଜାତ ନହେଲେ ମଧ୍ୟ ଦାରାଙ୍କ ଶୋଣିତ ତାଙ୍କର ଧମନୀରେ ପ୍ରବାହିତ ।

 

ଦୁଇଦିନ ପରେ ସମ୍ୱାଦ ଆସିଲା, ସୁଜା ପରାଜିତ । ସେ ପାଟନା ଆଡ଼କୁ ପଳେଇ ଯାଇଛନ୍ତି । ଆନନ୍ଦରେ ଆତ୍ମହରା ହୋଇ କକ୍ଷରୁ ବାହାରିଆସିଲି–ଦାରା କାହାନ୍ତି ? ବର୍ତ୍ତମାନ ତାଙ୍କୁ ଏ ଶୁଭ ସମ୍ୱାଦ ଦେବାକୁ ହେବ ।

 

ଫତେମା କହିଲା–କେଉଁଆଡ଼େ ଯାଉଛନ୍ତି ବେଗମସାହେବା ?

 

–ରାସ୍ତା ଛାଡ଼ । ମୁଁ ଦାରାଙ୍କ ପାଖକୁ ଯିବି ।

 

ଫତେମା ଚିନ୍ତିତ ହେଲା । ସେ ଜାଣେ ଦାରାଙ୍କ ବ୍ୟବହାରରେ ମୁଁ ଖୁବ୍ ଆଘାତ ପାଇ ନିଭୃତରେ ଅଶ୍ରୁ ବିସର୍ଜନ କରିଛି ।

 

–ଆପଣ ଯିବେ ?

 

–ତା’ର ଅର୍ଥ ? ତୁ କଣ କହିବାକୁ ଚାହୁଁ ?

 

ମୋର କଥା ଶେଷ ହେବା ପରେ ସବୁ କଥା ମନେପଡ଼ିଗଲା । ମୁଁ ତ ନର୍ତ୍ତକୀ । ଦାରା ସିଂହାସନର ଭାବୀଉତ୍ତରାଧିକାରୀ । ସେ ମୋ ପାଖକୁ ଆଉ ଆସନ୍ତି ନାହିଁ–ମୋ ଖବର ରଖନ୍ତି ନାହିଁ । ଆଉ କିଛି ଦିନ ପରେ ତାଙ୍କଠାରୁ ବିଦାୟ ନେଇ ହାରେମ୍‌ ଛାଡ଼ି ମୁଁ ଚାଲିଯିବି । ତାଙ୍କର ପ୍ରୟୋଜନ ପାଇଁ ମୁଁ ହାରେମ୍‌ରେ ଥିଲି । ମତେ ଅନୁଗ୍ରହ କରି ସେ ବେଗମ୍‌ସାହେବା କରିଛନ୍ତି; କିନ୍ତୁ ସେ ତ ଭୁଲିନାହାନ୍ତି ମୁଁ କିଏ ? ମୁଁ ମଧ୍ୟ ଭୁଲିନାହିଁ ।

 

–ମୋର ମସ୍ତବଡ଼ ଭୁଲ ହୋଇଥିଲା ଫତେମା !

 

ପଛରୁ କିଏ କହିଲା–କଣ ଭୁଲ ହୋଇଥିଲା ରାଣାଦିଲ୍‌ ?

 

ଜାହାନ୍ନାରା ବେଗମ୍‌ । ସେ ଏ ଆଡ଼କୁ ଆସୁଛନ୍ତି । ତାଙ୍କ ମୁଖମଣ୍ଡଳ ଚିନ୍ତାରେ ଭାରାକ୍ରାନ୍ତ ।

 

ଲଜ୍ଜିତ ହୋଇ କହିଲି–କିଛି ନୁହେଁ ବେଗମ୍‌ ସାହେବା !

 

–ଆପତ୍ତି ଥିଲେ ନକହିପାର । ମୁଁ ଆହ୍ଲାବାଦର ଖବର ନପାଇ ବଡ଼ ଚିନ୍ତିତ ଅଛି ।

 

–ଚିନ୍ତା କରନ୍ତୁ ନାହିଁ । ବାଦଶାହଜାଦା ସୁଜା ପରାଜିତ । ସେ ପାଟନା ଆଡ଼କୁ ଚାଲିଯାଇଛନ୍ତି ।

 

ଜାହାନ୍ନାରା ଶକ୍ତ ହସ୍ତରେ ମତେ ଚାପିଧରି କହିଲେ–ସତରେ ?

 

–ହଁ ।

 

–ଆଉ କଣ ଖବର ଜାଣିଛ କହ ରାଣାଦିଲ୍‌ !

 

–ଦିଲ୍ଲୀର୍‌ ଖାଁ ଏବଂ ଜୟସିଂ ଠିକ୍‌ ସମୟରେ ସୁଲେମାନଙ୍କ ସହିତ ମିଳିତ ହୋଇଛନ୍ତି ।

 

–ଆଉ ?

 

–ଆଉ କିଛି ଖବର ପାଇନାହଁ । ତେବେ ଏଥର କୌଣସି ଅଶୁଭ ସମ୍ୱାଦ ଅପେକ୍ଷାରେ ଅଛି ।

 

–ଅଶୁଭ ?

 

–ହଁ ।

 

–ଏ କଥା କାହିଁକି କହୁଛ ?

 

–ମୁଁ ଅନେକ ଦିନ ଆଗରୁ ଦାରାଙ୍କୁ କହିଥିଲି ଜୟସିଂଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନଦେବା ପାଇଁ ।

 

–କିନ୍ତୁ, ମୋର ମନେହୁଏ ଜୟସିଂ ଖୁବ୍‌ ଭଲଲୋକ ।

 

–ନା, ସେ ପ୍ରତାରକ ।

 

–କିନ୍ତୁ, ଜୟସିଂ ଏପର୍ଯ୍ୟନ୍ତ କୌଣସି ବିଶ୍ୱାସଘାତକତା କରିନାହାନ୍ତି ।

 

–ମୋର ଯଦି ଭୁଲ ହୋଇଥାଏ, ତେବେ ସବୁଠାରୁ ବେଶି ମୁଁ ଆନନ୍ଦିତ ହେବି ।

 

–ବେଶ୍‌, ଆଉ କଣ ଖବର ?

 

–ଆପଣଙ୍କ ଭାଇ ଶାହନଶାହଙ୍କ ନାମରେ ମିର୍ଜା ରାଜୀବଙ୍କ ପାଖକୁ ଯେଉଁ ପତ୍ର ଦେଇଛନ୍ତି, ତାର ଫଳାଫଳ କଣ ହେବ କହିପାରିବି ନାହିଁ ।

 

–ଦାରା ପତ୍ର ଲେଖିଛନ୍ତି ? ମୁଁ ତ ଜାଣେନାହିଁ । କଣ ଲେଖିଛନ୍ତି ?

 

–ଦାରା ଲେଖିଛନ୍ତି–ସୁଜାଙ୍କର କଟାମୁଣ୍ଡ ଯେପରି ଶାହନଶାହଙ୍କ ପାଖକୁ ପଠାଯାଏ । ଶାହନଶାହଙ୍କର ଏହା ଏକାନ୍ତ ଇଚ୍ଛା ।

 

–ଜାହାନ୍ନାରା ଚମକିପଡ଼ିଲେ । କାରଣ, ଶାହନଶାହ ରକ୍ତପାତ ଆଦୌ ଚାହାଁନ୍ତି ନାହିଁ–ବିଶେଷତଃ ନିଜ ପୁତ୍ରମାନଙ୍କ ମଧ୍ୟରେ ।

 

ଜାହାନ୍ନାରା ଖୁବ୍‌ ଉତ୍ତେଜିତ ହୋଇ ଯିବାକୁ ବାହାରିଲେ । ମୁଁ ସାମନାରେ ଛିଡ଼ା ହୋଇ ତାଙ୍କୁ ବାଧାଦେଲି । ସେ ନିଶ୍ଚୟ ଦାରାଙ୍କ ପାଖକୁ ଯାଉଛନ୍ତି ।

 

–କଣ କହିବାକୁ ଚାହୁଁଛ ରାଣାଦିଲ୍‌ ?

 

–ଆପଣ ବାଦଶାହଜାଦାଙ୍କ ପାଖକୁ ଯାଉଛନ୍ତି ?

 

–ହଁ ।

 

–ଦୟାକରି ମୋ ନାଁ କହିବେ ନାହିଁ । ସେଦିନ ତ ଦେଖିଲେ ମୁଁ କେତେ ଘୃଣିତ ।

 

ଜାହାନ୍ନାରା ଶାନ୍ତ କଣ୍ଠରେ କହିଲେ–ମନେରଖିବି ରାଣାଦିଲ୍‌, ତୁମେ ଜଣେ ନର୍ତ୍ତକୀ–ଯୁଦ୍ଧ ସମ୍ୱନ୍ଧରେ କିଛି ମନ୍ତବ୍ୟ କରିବା ଯାହା ପକ୍ଷରେ ମୃତ୍ୟୁଦଣ୍ଡଯୋଗ୍ୟ ଅପରାଧ ।

 

ଜାହାନ୍ନାରା ଚାଲିଗଲେ । ଠିକ୍‌ ସେହି ସମୟରେ ଜଣେ ପରିଚାରିକା ଆସି ଖବର ଦେଲା ମତଲବ ଖାଁ ମୋର ଦର୍ଶନପ୍ରାର୍ଥୀ । ମତଲବ କହିଲା–ଜୟସିଂ ସୁଲେମାନଶୁକୋଙ୍କର ଆଦେଶ ଅମାନ୍ୟ କରିଛନ୍ତି । ସୁଜାଙ୍କ ପଛରେ ଅନୁସରଣ କରିବାପାଇଁ ତାଙ୍କୁ କୁହାଗଲା; କିନ୍ତୁ ସେ ଗଲେ ନାହିଁ ।

 

ଶେଷରେ ଆବଦୁଲ୍ଲାର କଥା ସତ୍ୟ ହେଲା । ମତଲବ ଆଉ ଗୋଟିଏ ସମ୍ୱାଦ ଦେଲା । ଯଶୋବନ୍ତ ସିଂ ଆଉରଙ୍ଗଜେବଙ୍କ ନିକଟରେ ପରାଜିତ ହୋଇ ଯୋଧପୁର ଆଡ଼କୁ ଚାଲିଯାଇଛନ୍ତି-। କେତେଜଣ ସେନାଧ୍ୟକ୍ଷ ବିଶ୍ୱାସଘାତକତା କରି ଆଉରଙ୍ଗଜେବଙ୍କ ପକ୍ଷରେ ଯୋଗଦେଇଛନ୍ତି ।

 

ଭୟାବହ ସମ୍ୱାଦ । ଦାରା ଯେଉଁମାନଙ୍କୁ ବିଶ୍ୱାସ କରୁଥିଲେ, ସେମାନଙ୍କ ଅସଲ ରୂପ ବର୍ତ୍ତମାନ ପ୍ରକଟିତ ହେଲା ।

 

ମୁଁ ଉପଯାଚକ ହୋଇ ଜାହାନ୍ନାରାଙ୍କ ସହିତ ଦେଖାକରି ସବୁ କଥା ତାଙ୍କୁ ଜଣେଇଲି । କିନ୍ତୁ ଲକ୍ଷ୍ୟ କଲି, ତାଙ୍କର ଏ ସମ୍ୱାଦ ଶୁଣିବାକୁ କୌଣସି ଆଗ୍ରହ ନାହିଁ । ସେ ବଡ଼ ମ୍ରିୟମାଣ ଦେଖାଯାଉଥିଲେ ।

 

ଜାହାନ୍ନାରା କହିଲେ–କିଛି ଲାଭ ନାହିଁ ରାଣାଦିଲ୍‌ ! ଯାହାହେଲେ ମଧ୍ୟ ମୁଁ ନାରୀ । ଯାହାଙ୍କୁ ନେଇ ମୁଁ କାମ କରିବି ସେ ଯୋଦ୍ଧା ନୁହନ୍ତି । ତାଙ୍କ ସ୍ଥାନ ସିଂହାସନ ଉପରେ ନହୋଇ ଇବାଦତ୍‌ଖାନାରେ ହେବା ଉଚିତ ଥିଲା ।

 

ମୁଁ ବୁଝିପାରିଲି, ପୂର୍ବରୁ ଦେଇଥିବା ସମ୍ୱାଦଗୁଡ଼ିକ ଦାରାଙ୍କୁ ଜଣେଇ କିଛି ଲାଭ ହୋଇନାହିଁ ।

 

–ରାଣାଦିଲ୍‌, ସିଂହାସନର ଭାଗ୍ୟ ନିର୍ଦ୍ଧାରିତ ହୋଇଯାଇଛି ।

 

–କଣ ସେହି ଭାଗ୍ୟ ବେଗମ୍‌ ସାହେବା ?

 

–ତୁମେ କଣ ବୁଝିପାରିନାହଁ ?

 

–ମୁଁ ବୁଦ୍ଧିମତୀ ନୁହେଁ ବେଗମ୍‌ ସାହେବା !

 

–ତୁମେ ଯଥେଷ୍ଟ ବୁଦ୍ଧିମତୀ । କିନ୍ତୁ ତୁମେ ବୁଝିବାକୁ ଚାହଁନାହିଁ; କିଛି ଲାଭ ମଧ୍ୟ ନାହିଁ । ଦାରା ଆଉ ସିଂହାସନରେ ବସିବେ ନାହିଁ । ସୁଜା, ମୁରାଦ, ଆଉରଙ୍ଗଜେବଙ୍କ ମଧ୍ୟରୁ ଜଣେ ଏହାର ଉତ୍ତରାଧିକାରୀ ହେବ । ମୁଁ ଭାବୁଛି, ବୃଦ୍ଧ ଶାହନଶାହଙ୍କ ଅବସ୍ଥା କଣ ହେବ ? ଏମାନେ କଣ ତାଙ୍କୁ ବଞ୍ଚିବାକୁ ଦେବେ ନାହିଁ ?

 

–ଶାହନଶାହ କଣ ଥରେ ଛିଡ଼ା ହୋଇପାରିବେ ନାହିଁ ? ସେ ଯଦି ଥରେ ଦୃଢ଼ ସ୍ୱରରେ କହିବେ ଯେ ସେ ବର୍ତ୍ତମାନ ମଧ୍ୟ ଜୀବିତ, ତେବେ ଅବସ୍ଥା ହୁଏତ ଅନ୍ୟରକମ ହୋଇପାରେ ।

 

–ସେ ଶଯ୍ୟାଶାୟୀ । କାଲି ଦ୍ୱିପ୍ରହରଠାରୁ ସେ ଏକବାରେ ଉତ୍‌ଥାନ ଶକ୍ତି ରହିତ ହୋଇ ପଡ଼ିଛନ୍ତି । କେତେଦିନ ହେଲା ସେ ବାରମ୍ବାର ଦାରାଙ୍କୁ ଡାକିପଠଉଛନ୍ତି । କିନ୍ତୁ ଦାରା ଶାହନଶାହଙ୍କ ସହିତ ଦେଖା କରିନାହାନ୍ତି । ସେଥିପାଇଁ ସେ ବହୁତ ଭାଙ୍ଗି ପଡ଼ିଛନ୍ତି । ବୃଦ୍ଧ ଶାହନଶାହଙ୍କ କଥା ଭାବି ମତେ କାନ୍ଦମାଡ଼ିଲା । ଅବନତ ମସ୍ତକରେ ମୁଁ ଛିଡ଼ା ହୋଇରହିଲି ।

 

ଆକାଶରେ ମେଘ ଜମାଟ ବାନ୍ଧିଛି । ବଜ୍ରର ଘନ ଘନ ଶବ୍ଦ ଶୁଭୁଛି । ହାରେମ୍‌ ହତଶ୍ରୀ ଦେଖାଯାଉଛି । କିନ୍ତୁ ରୋଶନାରାଙ୍କ କକ୍ଷରେ ଆନନ୍ଦର ଜୁଆର । ଆଉରଙ୍ଗଜେବ ଆଗେଇ ଆସୁଛନ୍ତି ଆଗ୍ରା ଆଡ଼କୁ ।

 

ଜାହାନ୍ନାରା ଅଧିକାଂଶ ସମୟରେ ଶଯ୍ୟାଶାୟୀ ଶାହନଶାହଙ୍କ ପାଖରେ ସ୍ଥାଣୁ ପରି ବସିରହିଛନ୍ତି । କାହା ସହିତ ସାକ୍ଷାତ କରୁନାହାନ୍ତି–ମୋସାଙ୍ଗରେ ମଧ୍ୟ ନୁହେଁ । ଫତେମା ଆସି କହିଲା–ସେ ଗୋଟିଏ ପାରାପାଇଁ ପ୍ରତିଦିନ ଉଦ୍‌ଗ୍ରୀବ ହୋଇ ପ୍ରତୀକ୍ଷା କରୁଛନ୍ତି । ପାରା ଯୁଦ୍ଧରତ ବୁନ୍ଦଲରାଜଙ୍କ ପାଖରୁ ଖବର ଆଣିବ ।

 

ପ୍ରବଳ ବୃଷ୍ଟି ଆରମ୍ଭ ହୋଇଛି । ଶୁଣିଲି, ଆସନ୍ତା କାଲି ଦାରା ନିଜେ ଯୁଦ୍ଧଯାତ୍ରା କରିବେ-

 

ଫତେମାକୁ ବିଦାୟ ଦେଇ ମୁଁ ପଲଙ୍କ ଉପରେ ବସିଲି । ଚିରାଗବତି ବାହାରର ଥଣ୍ଡା ପବନରେ ଲିଭି ଲିଭି ଆସୁଛି । ସେହି ସମୟରେ ଦାରା ପ୍ରବେଶ କଲେ । ଚିର ଉନ୍ନତ ମସ୍ତକ ଟିକିଏ ନଇଁପଡ଼ିଛି । ତାଙ୍କୁ ଦେଖି ମୋ ପାଟିରୁ ବୋଧହୁଏ କିଛି ଶବ୍ଦ ବାହାରିଆସିଲା ।

 

–ତୁମେ କଣ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଛ ରାଣାଦିଲ୍‌ ?

 

–ନା ବାଦଶାହଜାଦା !

 

–ମୁଁ ଜାଣେ, ତୁମେ ଆଶ୍ଚର୍ଯ୍ୟ ହୋଇଛ । ମୁଁ ଅନେକଦିନ ହେଲା ତୁମ ପାଖକୁ ଆସିନାହିଁ ।

 

–ତୁମେ ତ ବ୍ୟସ୍ତ ଥିଲ ।

 

–ହଁ, ଖୁବ୍‌ ବ୍ୟସ୍ତ ଥିଲି । ବୋଧହୁଏ ଶେଷଥର ପାଇଁ ତୁମ ପାଖକୁ ଆସିଛି ।

 

–ସେ କଥା କହ ନାହିଁ ଦାରା !

 

–ମୁଁ ଭୁଲ୍‌ କରିଛି ରାଣାଦିଲ୍‌, ସାରା ଜୀବନ କେବଳ ଭୁଲ୍‍ କରିଛି ।

 

–କିଏ ଭୁଲ୍‌ କରେନାହିଁ ବାଦଶାହଜାଦା ? ପୁଣି ମଣିଷ ଭୁଲକୁ ସୁଧାରିନିଏ ।

 

–କିନ୍ତୁ ବର୍ତ୍ତମାନ ଆଉ ସମୟ ନାହିଁ ।

 

–ନାଦିରା ବେଗମ୍‌ ତୁମପାଇଁ ଅପେକ୍ଷା କରିନାହାନ୍ତି ତ ?

 

–ମତେ ଚାଲିଯିବାକୁ କହୁଛ ରାଣାଦିଲ୍‌ ?

 

–ତୁମର ପ୍ରତୀକ୍ଷାରେ ମୋର ପ୍ରତିଟି ମୁହୂର୍ତ୍ତ କଟୁଛି ।

 

–ତୁମେ ବହୁତ ବେଶି ସମ୍ମାନର ସହିତ କଥା କହୁଛ ରାଣାଦିଲ୍‌ ! ଜାଣେ, ମୁଁ ତୁମ ପ୍ରତି ବହୁତ ନିଷ୍ଠୁର ହୋଇଛି । କିନ୍ତୁ ତୁମେ ତ ମତେ ଜାଣ । ମୋର କଥା ଉପରେ ତୁମେ ଏତେ ପ୍ରାଧାନ୍ୟ ଦେଲ ?

 

–ନା, କିନ୍ତୁ ବଡ଼ ଭୟ ହୁଏ ।

 

–ଭୟ ? ମତେ ? ଯମୁନାର ସେହି ପ୍ରଥମ ରାତ୍ରି କଥା କଣ ଭୁଲିଗଲ ?

 

–ଭୁଲିନାହିଁ ଦାରା ! ସେହି ସ୍ମୃତି ମତେ ଚିରଦିନ ଆନନ୍ଦ ଦେବ ।

 

–ମତେ ମଧ୍ୟ । ରାଣାଦିଲ୍‌, ମତେ ଯଦି କେବେ ରାଜଧାନୀ ଛାଡ଼ି ପଳେଇଯିବାକୁ ପଡ଼େ, ତେବେ ନାଦିରାଙ୍କୁ କେବଳ ସାଙ୍ଗରେ ନେବି ।

 

–ମୁଁ ?

 

–ତୁମେ ଏଇଠି ରହିବ ।

 

–କାହାର ଆଶ୍ରୟରେ ?

 

–ଜାଣେନା । ତେବେ ଏତିକି ଜାଣେ, ତୁମେ ନିଜର ବ୍ୟବସ୍ଥା କରିବାକୁ ସକ୍ଷମ–ନାଦିରା ପକ୍ଷରେ ତାହା ଅସମ୍ଭବ ।

 

ଅତି ସ୍ପଷ୍ଟ କଥା । ମୁଁ ଜାଣେନାହିଁ, କାହିଁକି ସେ ଏ ସିଦ୍ଧାନ୍ତ କରିଛନ୍ତି । କିନ୍ତୁ ତାଙ୍କର ଚିନ୍ତାକ୍ଳିଷ୍ଟ ମୁଖକୁ ଦେଖି ଆଉ କୌଣସି ପ୍ରଶ୍ନ ପଚାରିବାକୁ ମୁଁ ଚାହିଁଲି ନାହିଁ ।

 

–ରାଣାଦିଲ୍‌ !

 

–ଦାରା !

 

–ଗୋଟିଏ କଥା ମନେରଖ, ନାଦିରା ଓ ତୁମ ମଧ୍ୟରେ କିଏ ମୋର ହୃଦୟରେ ବେଶି ପ୍ରତିଷ୍ଠିତ ସେ କଥା ମୁଁ ନିଜେ ମଧ୍ୟ ଜାଣେନାହିଁ ।

 

ତୁମକୁ କୈଫିୟତ ଦେବାକୁ ହେବ ନାହିଁ ଦାରା ! ବରଂ କିପରି ଭାବରେ ଶତ୍ରୁକୁ ପରାସ୍ତ କରାଯିବ ସେ କଥା ଭାବ । ତୁମେ ଠିକ୍ କହିଛ ! ତୁମର ରାଣାଦିଲ୍ ନିଜର ପଥ ନିଜେ ଠିକ୍ କରିପାରିବ ।

 

ମୋର ହୃଦୟ ଭାଙ୍ଗିପଡ଼ୁଥିଲା । ଅଶ୍ରୁ କୌଣସି ବାଧା ନମାନି ବାହାରିଆସିବାର ଉପକ୍ରମ କରୁଥିଲା । ତଥାପି ମୁଁ ଅତି ସହଜଭାବରେ ଏକଥା କହିପାରିଲି । ନାଦିରା କେବଳ ତାଙ୍କର ସଙ୍ଗିନୀ କାହିଁକି ହେବେ, କହିପାରିବି ନାହିଁ । ନାଦିରା ଅସହାୟ ବୋଲି ଦାରାଙ୍କର ବୋଧେ ଏ ଅନୁକମ୍ପା; କିମ୍ବା ଏହି ଭୟାବହ ଭ୍ରାତୃଯୁଦ୍ଧରେ ଯଦି ଦାରାଙ୍କର ସବୁ ପୁତ୍ର ନିହତ ହୁଅନ୍ତି ତେବେ ନାଦିରା ତାଙ୍କୁ ଆଉ ଏକ ପୁତ୍ର ଉପହାର ଦେଇପାରିବେ; କିନ୍ତୁ ମୁଁ ନୁହେଁ । ମୋର ଗର୍ଭ ଅନୁର୍ବର କିମ୍ବା ମୋର ଗର୍ଭ ଆଭିଜାତ୍ୟର ଗର୍ବ ନୁହେଁ । କୁଳହୀନ, ଗୋତ୍ରହୀନ ଏକ ନର୍ତ୍ତକୀର ଗର୍ଭ ବାଦଶାହଙ୍କର ଗୁଣାବଳୀ–ସମନ୍ୱିତ ସନ୍ତାନ ଉପହାର ଦେବାର ଯୋଗ୍ୟ ନୁହେଁ ।

 

–କଣ ଭାବୁଛ ରାଣାଦିଲ୍ ?

 

–ଭବୁଛି ... ଜାଣେନା... । କୌଣସି ଭାବନା ମୋର ସଙ୍ଗତିପୂର୍ଣ୍ଣ ନୁହେଁ ।

 

–ଜାଣେ । ମୁଁ ଯାଉଛି ରାଣାଦିଲ୍ ! ମୋର ଉଚ୍ଛ୍ୱାସ, ମୋର ଆବେଗ ସବୁକିଛି ମରିଯାଇଛି ।

 

ଦାରାଙ୍କୁ ଦ୍ୱାର ପର୍ଯ୍ୟନ୍ତ ଛାଡ଼ିଦେଇ ଫେରିଆସିଲି । ଏଥର ମତେ ସବୁ ବ୍ୟବସ୍ଥା କରିବାକୁହେବ । ମତଲବ ଦ୍ୱାରା ଆବଦୁଲ୍ଲା ସହିତ ସଂଯୋଗ ସ୍ଥାପନ କରିବାକୁ ହେବ । ଏହା ହେଉଛି ମୋର ସର୍ବପ୍ରଥମ କାର୍ଯ୍ୟ । ତା’ପରେ ...

 

ତା’ପରେ କଣ କରିବି ଜାଣେ ନାହିଁ । ଭବିଷ୍ୟତର ଦିନଗୁଡ଼ିକ ବଡ଼ ଅନିଶ୍ଚିତ ।

 

ମୁଁ ଲେଖିଜାଣେ ନାହିଁ । ମୋଗଲବଂଶରେ ତ ମୋର ଜନ୍ମ ନୁହେଁ । ବିଧାତା ଏହି ବଂଶର ସ୍ତ୍ରୀ ପୁରୁଷ ସମସ୍ତଙ୍କୁ ସେହି ପ୍ରତିଭା ଦେଇଛନ୍ତି । ଜାହାନ୍ନାର ପ୍ରତିଦିନ କଣ ଲେଖନ୍ତି । ଅନ୍ୟମାନେ ମଧ୍ୟ ଲେଖିପାରନ୍ତେ; କିନ୍ତୁ ଲେଖନ୍ତି ନାହିଁ । କାରଣ ଦେହର ତୀବ୍ର କାମନା ଏବଂ ଭୋଗଲିପ୍‌ସା କ୍ଷୁଧା ସେମାନଙ୍କର ଧୈର୍ଯ୍ୟକୁ ବିନଷ୍ଟ କରେ–ନହେଲେ ରୋଶନାରା କଣ ଲେଖିପାରନ୍ତେ ନାହିଁ ?

 

ମୁଁ ସୁନ୍ଦର ଭଙ୍ଗୀରେ ଆକର୍ଷଣୀୟ ଭାବରେ କହିପାରେ ନାହିଁ । କହିବାର ସାମର୍ଥ୍ୟ ଓ ଧୈର୍ଯ୍ୟ ମଧ୍ୟ ନାହିଁ । ଦିନେ ମୋର ଚରଣଯୁଗଳ ଯେପରି ଚଞ୍ଚଳ ଥିଲା, ମନ ବର୍ତ୍ତମାନ ସେହିପରି ଚଞ୍ଚଳ ହୋଇଛି । ମନ ଯଦି ଚଞ୍ଚଳ ହୋଇନଥାନ୍ତା, ତା’ହେଲେ ଏମିତି ଖାପଛଡ଼ାଭାବରେ ମୋର କାହାଣୀ ତୁମମାନଙ୍କୁ ଶୁଣେଇନଥାନ୍ତି; ଆହୁରି ଭଲ ଭାବରେ କହିପାରିଥାନ୍ତି । ହୁଏତ ତା’ଦ୍ୱାରା ତୁମମାନଙ୍କ ମନରେ ମୋ’ପ୍ରତି ସହାନୁଭୂତି ଉଦ୍ରେକ ହୋଇଥାନ୍ତା । ମୋ ପାଇଁ ନହେଉ, ଅନ୍ତତଃ ଦାରାଙ୍କ ପାଇଁ ତୁମ ହୃଦୟ ବ୍ୟଥିତ ହୋଇଥାନ୍ତା । ଦାରାଙ୍କର ଦୋଷ ଗୁଣ ମୁଁ କିଛି ଗୋପନ କରିନାହିଁ । ଅନ୍ୟ କେହି ହୋଇଥିଲେ ଏପରି କରିନଥାନ୍ତା । ସେମାନେ ବହୁତ ଚତୁର ଓ କୌଶଳୀ-। ସେମାନେ ଦୋଷ–ଦୁର୍ବଳତା ଦିଗଟା ଚାପିଦିଅନ୍ତି । ସେମାନେ ଆଜି ମୋ କାହାଣୀ ତୁମକୁ ଶୁଣେଇଥିଲେ ତୁମର ଚକ୍ଷୁ ଅଶ୍ରୁଭାରାକ୍ରାନ୍ତ ହୋଇ ଦୁଇ ବିନ୍ଦୁ ଅଶ୍ରୁ ତୁମ କୋଳ ଉପରେ ଝରିପଡ଼ିଥାନ୍ତା ।

 

ମୋର ଦୁର୍ଭାଗ୍ୟ । ଏଇ ହେଉଛି ମୋର ଜୀବନ ।

 

ସେହିଦିନ ରାତ୍ରିରେ ହାରେମ୍‌ ଛାଡ଼ି ମୋ କୁଟୀରକୁ ଚାଲିଆସିଲି । ସ୍ତବ୍‌ଧ ରାଜଧାନୀରେ ସର୍ବତ୍ର ଭୟର ସଞ୍ଚାର ହୋଇଛି । ଘରର ବାହାରକୁ ଯିବାପାଇଁ ପ୍ରବଳ ସାହସର ପ୍ରୟୋଜନ ।

 

କେତେଦିନ ହେଲା ହୁମାୟୁନଙ୍କ ସମାଧି ମତେ ଏତେ ପ୍ରବଳଭାବରେ ଟାଣୁଛି କାହିଁକି-? କେତେଥର ମୁଁ ଆବଦୁଲ୍ଲାକୁ କହିବାକୁ ଚାହିଁଛି–ଏଠି ମୁଁ ଆଉ ମୁହୂର୍ତ୍ତେ ମଧ୍ୟ ରହିପାରିବି ନାହିଁ; ମତେ ହୁମାୟୁନଙ୍କ ସମାଧି ପାଖକୁ ନେଇଚାଲ । କିନ୍ତୁ ଶେଷ ପର୍ଯ୍ୟନ୍ତ କହିପାରିଲି ନାହିଁ-। ମତେ ସେ ପାଗଳ ଭାବିବ । ଆଗ୍ରା ଛାଡ଼ି ସେଠାକୁ ଯିବା ପାଗଳାମି ଛଡ଼ା ଆଉ କଣ ହୋଇପାରେ-

 

ତୁମେମାନେ ଇତିହାସ ଜାଣ । ମୁଁ ତୁମକୁ ଇତିହାସ ଶୁଣେଇବାକୁ ଚାହେଁ ନାହିଁ; ମୋର ନିଜକଥା କହିବାକୁ ଚାହେଁ । ଇତିହାସ କଥା କହିବାକୁ ଗଲେ ଆଗ୍ରାର ଅନତିଦୂରରେ ସାମୁଗଡ଼ରେ ଆଉରଙ୍ଗଜେବ ଓ ମୁରାଦଙ୍କର ବିଜୟର କଥା କହିବାକୁ ହେବ । ଜଣ ଜଣ କରି ସବୁ ସେନାନାୟକ କିପରି ଭାବରେ ଦାରାଙ୍କୁ ତ୍ୟାଗ କରି ବିରୁଦ୍ଧ ଦଳରେ ଯୋଗଦେଲେ ଏବଂ ପରମୁହୂର୍ତ୍ତରେ ଆଉରଙ୍ଗଜେବଙ୍କୁ ତୁଷ୍ଟ କରିବା ପାଇଁ ଦାରାଙ୍କର ପଶ୍ଚାତ୍‌ଧାବନ କଲେ ।

 

ଦାରା ଆଗ୍ରାକୁ ଧାଇଁଆସିଥିଲେ । ଶଯ୍ୟାଶାୟୀ ପିତାଙ୍କ ପାଖକୁ ଆସି ନତମସ୍ତକରେ ଛିଡ଼ାହେଲେ । ଶାହନଶାହଙ୍କର ଚକ୍ଷୁ ଲୋତକରେ କେବଳ ପୂର୍ଣ୍ଣ ହୋଇଗଲା । ତା’ପରେ ଦାରା ଜାହାନ୍ନାରଙ୍କ ଆଡ଼କୁ ଚାହିଁଲେ । ସେଠାରେ ମଧ୍ୟ କୌଣସି ଆଶାର ସୂଚନା ପାଇଲେ ନାହିଁ ।

 

ଦାରା ସେଦିନ ପ୍ରଥମ କରି ନିଜର ବାସ୍ତବ ଅବସ୍ଥା ସମ୍ବନ୍ଧରେ ସମ୍ୟକ୍‌ ଉପଲବ୍‌ଧି କଲେ । ସେ ନାଦିରାଙ୍କୁ ସାଙ୍ଗରେ ନେଇ ଆଗ୍ରା ଛାଡ଼ିଲେ । ସାଙ୍ଗରେ କେବଳ ସିପାର୍‌; କାରଣ ସୁଲେମାନ ସେତେବେଳେ ଯୁଦ୍ଧରତ ।

 

ମୋ ସହିତ ଦେଖାକରିବାର ସୁଯୋଗ ସେ ପାଇନାହାନ୍ତି । ଏପରି ପରିସ୍ଥିତିରେ ସମସ୍ତଙ୍କ ସହିତ ସାକ୍ଷାତ କରିବା କାହାରି ପକ୍ଷରେ ସମ୍ଭବ ନୁହେଁ ।

 

ଜାହାନ୍ନାରାଙ୍କ ପାଖରୁ ଶୁଣିଲି, ଦାରା ଆଗ୍ରା ଛାଡ଼ି ଚାଲିଯାଇଛନ୍ତି । ତୁମେମାନେ ଭାବୁଥିବ ଏ ଖବର ଶୁଣି ମୂର୍ଚ୍ଛିତ ହୋଇ ପଡ଼ିଯାଇଥିବି । ନା, ମୋର କିଛି ହୋଇନାହିଁ । ମୋର ମନ ସ୍ଥିର ଥିଲା । ମୁଁ ସାଙ୍ଗେ ସାଙ୍ଗେ ମତଲବ ଖାଁକୁ ଡାକିପଠେଇଥିଲି ।

 

–ଆବଦୁଲ୍ଲାକୁ ଟିକିଏ ଖବର ଦିଅ ।

 

–ଏଇ ହାରେମ୍‌କୁ ?

 

–ହଁ, ଏଇ ହାରେମ୍‌କୁ ଆସିବ ।

 

–ତାହା କଣ ସମ୍ଭବ ?

 

–ତୁମେ ପରା ହାରେମ୍‌ରେ ସବୁ ଖୋଜାଙ୍କଠାରୁ ବଡ଼ ? ତୁମେ ପରା ମତେ ଭଉଣୀ ବୋଲି ଡାକ ? ତେବେ ସମ୍ଭବ ହେବ ନାହିଁ କାହିଁକି ?

 

ମତଲବ ଚାଲିଗଲା । ସନ୍ଧ୍ୟାବେଳେ ଆବଦୁଲ୍ଲା ଆସିଲା । ବହୁତ ଦିନପରେ ତାକୁ ଦେଖିଲି । ଆବଦୁଲ୍ଲାର କୌଣସି ପରିବର୍ତ୍ତନ ହୋଇନାହିଁ; କେବଳ ଟିକିଏ ଗମ୍ଭୀର ହୋଇଯାଇଛି । ତା’ର କପାଳରେ ଚିନ୍ତାର ରେଖା ସୁସ୍ପଷ୍ଟ ।

 

–ଆଉରଙ୍ଗଜେବ କେବେ ଆସି ପହଞ୍ଚିବେ ଆବଦୁଲ୍ଲା ?

 

–କାଲି ଦ୍ୱିପ୍ରହର ସମୟରେ ।

 

–ଏତେ ଶୀଘ୍ର ?

 

–ହଁ । ତେବେ ଜାହାନ୍ନାରା ବେଗମ୍‌ ତାଙ୍କୁ ପ୍ରାସାଦରେ ପ୍ରବେଶ କରିବାକୁ ଦେବେନାହିଁ-

 

–ଏହା କଣ ସମ୍ଭବ ? ସେ ନିଶ୍ଚୟ ବଳପ୍ରୟୋଗକରିବେ ।

 

–କହିପାରିବି ନାହିଁ ।

 

–ମୁଁ କେବେ ହାରେମ୍‌ ଛାଡ଼ିବି ?

 

–ତୁମେ ହାରେମ୍‌ ଛାଡ଼ିବ ରାଣାଦିଲ୍ ?

 

–ମତେ ଏଠାରେ ରହିବାକୁ କହୁଛ ?

 

–ନା । ଆଉରଙ୍ଗଜେବଙ୍କ ହାରେମ୍ ପାଇଁ ଭୋଗ୍ୟପଣ୍ୟ ହୋଇ ରହିବାକୁ ମୁଁ କହିବି ନାହିଁ ।

 

ଆବଦୁଲ୍ଲାର ମନ୍ତବ୍ୟରେ ମୁଁ ଶିହରିଉଠିଲି । ମନ ମଧ୍ୟରେ ଉଙ୍କିମାରିଲା ସେହି ଅଳୀକ ସ୍ୱପ୍ନ କାହାଣୀ–ମା’ ସହିତ ବ୍ରତ ଉଦ୍‌ଯାପନ କରିଛି ।

 

ଚିତ୍କାର କରି କହିଲି–ମତେ ବର୍ତ୍ତମାନ ନେଇ ଚାଲ ଆବଦୁଲ୍ଲା !

 

–ସମ୍ଭବ ନୁହେଁ ।

 

–କାହିଁକି ସମ୍ଭବ ନୁହେଁ ? ତୁମେ ଯେଉଁଠାରେ ରହୁଛ, ମୁଁ କଣ ସେଠାରେ ରହିପାରିବି ନାହିଁ ।

 

–ନା । ସେଠାରେ କୌଣସି ସ୍ତ୍ରୀଲୋକ ରହିପାରିବେ ନାହିଁ । ମୋ ପରି ତିରିଶ ଜଣ ପୁରୁଷ ଲୋକ ସେଠାରେ ଅଛନ୍ତି ।

 

–ତା’ହେଲେ ?

 

–ମୁଁ ରାତିରେ ପୁଣି ଆସିବି । ତୁମେ ପ୍ରସ୍ତୁତ ଥାଅ । ମୁଁ ତୁମପାଇଁ ଆଶ୍ରୟ ଠିକ୍ କରିବି । ତୁମର କଷ୍ଟ ହେବ ନାହିଁ ତ ?

 

–କଷ୍ଟ ?

 

–ହଁ । ସେଠାରେ ଐଶ୍ୱର୍ଯ୍ୟ ନାହିଁ । ଅତି ସାଧାରଣ ଭାବରେ ରହିବାକୁ ହେବ । ନହେଲେ ତୁମ ଉପରେ ଦୃଷ୍ଟି ପଡ଼ିବାର ସମ୍ଭାବନା ଅଛି ।

 

–ମୋର କଷ୍ଟ ମୋ ଦେହପାଇଁ ନୁହେଁ ଆବଦୁଲ୍ଲା ! ମନରେ ମୋର କଷ୍ଟ ରହିଛି । ଦେହ ସବୁକିଛି ସହିପାରିବ ।

 

–ବେଶ୍‌, ମୁଁ ଯାଉଛି ।

 

–ଗୋଟିଏ ଅନୁରୋଧ ଆବଦୁଲ୍ଲା !

 

–କହ ରାଣାଦିଲ୍‌ !

 

–ମୋର ଆଉ ଯୁଦ୍ଧ–ଖବର ଦରକାର ନାହିଁ । କିନ୍ତୁ ଗୋଟିଏ ଖବର ପାଇଁ...

 

–ଜାଣେ । ମୋର ଲୋକ ଦାରାଙ୍କ ପଛରେ ରହିଛନ୍ତି । ତୁମେ ନିଶ୍ଚୟ ଖବର ପାଇବ ।

 

ନଗରୀର ଏକ ଅଜ୍ଞାତ କୁଟୀରରେ ମୋ ଦିନ କଟୁଥିଲା । ଆବଦୁଲ୍ଲା ଖବର ଆଣିଦେଲା ଜାହାନ୍ନାରା ଶେଷ ପର୍ଯ୍ୟନ୍ତ କିଲ୍ଲା ରକ୍ଷା କରି ପାରିଲେ ନାହିଁ । ଆଉରଙ୍ଗଜେବ ବୃଦ୍ଧ ଶାହନଶାହଙ୍କ ସାଙ୍ଗରେ ସାକ୍ଷାତ କରିଛନ୍ତି । ଶାହନଶାହ ବର୍ତ୍ତମାନ କାର୍ଯ୍ୟତଃ ବନ୍ଦୀ । ଦାରାଙ୍କ ହାରେମ୍‌ରେ ବାକି ସମସ୍ତେ ଆଉରଙ୍ଗଜେବଙ୍କ ଆଗମନ ପାଇଁ ଉଦ୍‌ଗ୍ରୀବ ହୋଇ ଅପେକ୍ଷା କରିଛନ୍ତି । ମତେ ଖୋଜି ବାହାର କରିବା ପାଇଁ ଚରମାନଙ୍କୁ ନିଯୁକ୍ତ କରାଯାଇଛି । ବାହାରକୁ ଚାହିଁବାକୁ ଭୟ ହୁଏ । ତେବେ ମୋର ପୋଷାକ ଦେଖି ଆଉ ଚିହ୍ନିବାର ଉପାୟ ନାହିଁ ।

 

ଦାରା କେଉଁଠି ? ଆବଦୁଲ୍ଲା ଏ ପର୍ଯ୍ୟନ୍ତ ଦାରାଙ୍କ ଖବର ଦେଇପାରିନାହିଁ । ମୋ ମନରେ ବିଶ୍ୱାସ ରହିଛି ଦାରା ଲାହୋର ଯିବେ । କାରଣ ସେଠାରେ ଅଛି ମୈନମିର୍‌ଙ୍କର ପୁଣ୍ୟ ସାମାଧି । ଇଦ୍‌ ଜଗତରେ ତାଙ୍କ ଅପେକ୍ଷା ଦାରାଙ୍କ ଅନ୍ତରରେ ଆଉ କେହି ବଡ଼ ନଥିଲେ । ଏହାଛଡ଼ା ଏକମାତ୍ର ଲାହୋରବାସୀ ଦାରାଙ୍କୁ ପ୍ରାଣ ଦେଇ ଭଲପାଉଥିଲେ । ସେଠାରେ ଜଣେ ହେଲେ ମଧ୍ୟ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବେ ନାହିଁ ।

 

ଦିନେ ଆବଦୁଲ୍ଲା ଅତି ବ୍ୟସ୍ତଭାବରେ ମୋ ପାଖକୁ ଆସିଲା । ତାକୁ ଦେଖିଲେ ଉଦ୍‌ଭ୍ରାନ୍ତ ବୋଲି ମନେହେଉଥିଲା ।

 

–କିଛି ଖବର ପାଇଛ ଆବଦୁଲ୍ଲା ? ତୁମକୁ ତ କେବେ ଏପରି ବିଚଳିତ ହେବାର ଦେଖିନାହିଁ । ତେବେ କଣ....

 

–ହଁ ରାଣାଦିଲ୍‌, ଶେଷ ଆଶା ନିର୍ମୂଳ ହେଲା ।

 

–କାହିଁକି ? ଖୋଲି କରି କହ ।

 

–ଦାରା ଲାହୋର ଯାଇଥିଲେ । ସେଠାରୁ ସୁଲେମାନଙ୍କ ପାଖକୁ ଖବର ପଠେଇଛନ୍ତି ସୈନ୍ୟ ସହିତ ତାଙ୍କ ସହ ଯୋଗଦେବାପାଇଁ ।

 

–ଏଥିରେ ବିଚଳିତ ହେବାର କଣ ଅଛି ?

 

–ବିଚଳିତ ହେବି ନାହିଁ ? ସୁଲେମାନ ଯୁଦ୍ଧରତ ଥିଲେ ବୋଲି ଆଉରଙ୍ଗଜେବଙ୍କ ସୈନ୍ୟମାନେ ଆଗେଇବାକୁ ସାହସ କରୁନଥିଲେ । ଏଥର ସେମାନେ ନିଶ୍ଚିନ୍ତରେ ସୁଲେମାନଙ୍କର ପଶ୍ଚାତ୍‌ଧାବନ କରିବେ; ଫଳରେ ବାଦଶାହଜାଦାଙ୍କୁ ଲାହୋର ଛାଡ଼ି ପଳେଇଯିବାକୁ ପଡ଼ିବ । ତା’ପରେ ସେ କେଉଁଠାରେ ଆଶ୍ରୟ ନେବେ ?

 

–ତା’ହେଲେ ?

 

–ଆଉ କିଛି ଉପାୟ ନାହିଁ ? ସୁଲେମାନ ଦାରାଙ୍କ ଆଦେଶ ଅମାନ୍ୟ କରିବେ ନାହିଁ । ଠିକ୍‌ ଦୁଇଦିନ ପରେ ଯେଉଁ ସମ୍ବାଦ ଆସି ପହଞ୍ଚିଲା ସେଥିରୁ ଆବଦୁଲ୍ଲାର ଅନୁମାନ ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହେଲା ।

 

ଦାରା ଲାହୋରରୁ ପଳାଇଯାଇ ହିନ୍ଦୁସ୍ଥାନର ସୀମାନ୍ତ ହିମାଳୟ ଆଡ଼କୁ ଯାତ୍ରାକଲେ ।

 

ହେ ଭଗବାନ ! ମୁଁ ଜାଣେ ଦାରା କାହାର ଭରସାରେ ପାଗଳଙ୍କ ପରି ଉତ୍ତର ଆଡ଼କୁ ଯାଉଛନ୍ତି । ମୁଁ ଜାଣେ, ସେ ଯାଇଛନ୍ତି ଦାଦାର୍‌ କିଲ୍ଲାକୁ । ପଥଶ୍ରାନ୍ତ ଦାରା କେତେ କଷ୍ଟରେ ସେଠାକୁ ଯାଉଛନ୍ତି । ହିନ୍ଦୁସ୍ଥାନରେ କେହି ତାଙ୍କୁ ଆଶ୍ରୟ ଦେବେ ନାହିଁ । ସମସ୍ତେ ବିଶ୍ୱାସଘାତକ । ଲାହୋର ତାଙ୍କୁ ରକ୍ତର ବିନିମୟରେ ଆଶ୍ରୟ ଦେଇ ପାରି ଥାଆନ୍ତା; କିନ୍ତୁ ଲାହୋରର ଏତେ ଶକ୍ତି ନାହିଁ ଯେ ଆଉରଙ୍ଗଜେବଙ୍କ ବିରୁଦ୍ଧରେ ଲଢ଼ିବ ।

 

ହାୟ ନାଦିରା, ତୁମେ କେବେ ଏତେ କଷ୍ଟ ସହିନାହଁ । ତୁମେ କଣ ଏତେ କଷ୍ଟ ସହିପାରିବ ? ତୁମେ କଣ ଏବେ ସୁଦ୍ଧା ବଞ୍ଚିଛ ?

 

ମୋର ମନ ବ୍ୟଥାରେ, ନିରାଶାରେ ଓ ଆତଙ୍କରେ କ୍ଷତବିକ୍ଷତହେଲା । ଆବଦୁଲ୍ଲା ମତେ ସାହାଯ୍ୟ କରିଛି । ସେ ମତେ ବିଷ ଆଣି ଦେଇଛି । ମୁଁ ସବୁବେଳେ ପାଖରେ ତାକୁ ରଖିଛି । ଜାଣେନା, କେତେବେଳେ ଆଉରଙ୍ଗଜେବଙ୍କ ଚର ହାତରେ ଧରାପଡ଼ିଯିବି ।

 

ଦାରା ଯାଇଛନ୍ତି ଦଦାର୍‌ କିଲ୍ଲାକୁ, ଆଫଗାନ୍‌ ନେତା ମାଲିକ ଜିଓୟାନଙ୍କ ପାଖକୁ । ଥରେ ଦାରା ତାଙ୍କର ପ୍ରାଣରକ୍ଷା କରିଥିଲେ । ଆଫଗାନ୍‌ମାନେ ବିଶ୍ୱାସଘାତକ ନୁହନ୍ତି । ଦାରା ଯଦି କୌଣସିମତେ ପାରସ୍ୟ ଶାହାଙ୍କ ସହିତ ସାକ୍ଷାତ କରିପାରନ୍ତି, ତେବେ ହୁଏତ ତାଙ୍କ ସାହାଯ୍ୟରେ ପୁଣି ହିନ୍ଦୁସ୍ଥାନକୁ ଫେରିଆସିବେ । ନାଦିରା ମଧ୍ୟ ଫେରିବେ । ସମସ୍ତେ ଫେରିବେ । ମୁଁ ହାରେମ୍‌କୁ ଫେରିଯିବି । ଏଥର ଆବଦୁଲ୍ଲାକୁ ସାଙ୍ଗରେ ନେବି । ତାକୁ ଅମିର୍‌ କରିବାକୁ ହେବ । ସବୁ କଥା ଶୁଣିଲେ ଦାରା ମୋର ଏ ପ୍ରସ୍ତାବକୁ କେବେହେଲେ ପ୍ରତ୍ୟାଖ୍ୟନ କରିପାରିବେନାହିଁ ।

 

ରାତ୍ରିରେ ହୁମାୟୁନଙ୍କ ସମାଧିର ସ୍ୱପ୍ନ ଦେଖିଲି । ସମାଧି-ସୌଧ ଭିତରେ ମୁଁ ପ୍ରବେଶ କଲି । ସାଙ୍ଗରେ କେହି ନାହିଁ । ମୁଁ ଏକା । ଅଦୂରରେ ଶାୟିତ ହୁମାୟୁନଙ୍କ ଉପରେ ପ୍ରସ୍ତର ନିର୍ମିତ ବେଦୀ । ତାକୁ ଦେଖି ମନେହେଲା, ମୁଁ ଏଠାକୁ ଆଗରୁ ଆସିଛି; ଏ ସ୍ଥାନ ମୋର ଅଜଣା ନୁହେଁ । ତା’ପରେ ଗୋଟିଏ ଗୋଟିଏ ପାଦ ପକେଇ ସମାଧି ଆଡ଼କୁ ଗଲି । ହଠାତ୍‌ ମନରେ ଦ୍ୱିଧା ହେଲା । କାହିଁକି ହୁମାୟୁନଙ୍କ ପାଖକୁ ଯିବି ? ଦାରାଙ୍କ ପରି ସେ ମଧ୍ୟ ବିତାଡ଼ିତ ହୋଇଥିଲେ ବୋଲି କିମ୍ବା ତାଙ୍କ ପରି ଦାରା ମଧ୍ୟ ହୃତ-ରାଜ୍ୟ ଫେରିପାଆନ୍ତୁ–ଏହି ପ୍ରାର୍ଥନା ଜଣେଇବାକୁ ? ହୁଏତ ସେୟା । କିନ୍ତୁ ମୋର ଚରଣଯୁଗଳ ଦ୍ୱିଧା ଜଡ଼ିତ । ମନେ ମନେ ଭାବିଲି, ଲାହୋର ଯାଇ ମୈନମିରଙ୍କ ସମାଧି ପାଖରେ ବସି ପ୍ରାର୍ଥନା କରିବି ।

 

ସ୍ୱପ୍ନରେ ତ ଲାହୋର, ଦିଲ୍ଲୀ ଓ ଆଗ୍ରା ଦୂର ନୁହେଁ; ତେଣୁ ଲାହୋର ଯିବା ଅସମ୍ଭବ ନୁହେଁ ।

 

ଫେରିଆସୁଥିଲି । ସେହି ସମୟରେ କାହାର ଡାକ ଶୁଭିଲା । ମୋର ସର୍ବାଙ୍ଗ କମ୍ପିଉଠିଲା ।

 

–ରାଣାଦିଲ୍‌ !

 

ଏ କଣ ? ସେ ଏଠାକୁ କେମିତି ଆସିଲେ ? ଠିକ୍‌ ସେହି କଣ୍ଠସ୍ୱର, ଯାହା ବହୁବର୍ଷ ପୂର୍ବେ ଦିନେ ରାତିରେ ଶୁଣିଥିଲି ଯମୁନାର କ୍ଷୁଦ୍ର ତରଙ୍ଗରେ ଭାସମାନ ବଜରା ମଧ୍ୟରେ !

 

ଅଟକି ଯାଇ ଚାରିଆଡ଼କୁ ଭଲକରି ଚାହିଁଲି । କେହି ନାହାନ୍ତି । ମୋ ମନର ଭୁଲ୍‌ । ଏଠାକୁ ଦାରା କେମିତି ଆସିବେ ? ଦାଦାର୍‌ କିଲ୍ଲା ଛାଡ଼ି ସେ ପାରସ୍ୟ–ପଥରେ ବହୁଦୂର ଆଗେଇ ଯାଇଥିବେ ।

 

ପୁଣି ଚାଲିବାକୁ ଆରମ୍ଭ କଲି ।

 

–ରାଣାଦିଲ୍‌, ଯାଅନାହିଁ ।

 

ଚିତ୍କାର କରି କାନ୍ଦିଉଠି କହିଲି–ତୁମେ କେଉଁଠି ? ମୁଁ ତୁମକୁ ଦେଖିପାରୁନାହିଁ । ମତେ ଥରେ ଦେଖାଦିଅ । ମୁଁ ଯେ ଆଉ ପାରୁନାହିଁ ।

 

ସ୍ତବ୍‌ଧ ସମାଧିସ୍ଥଳ । ଦାରାଙ୍କଠାରୁ ଜବାବ ମିଳିଲା ନାହିଁ ।

 

–ଦାରା, ତୁମେ କଣ ସତରେ ଏଠି ଅଛ ? ଏହି ସମାଧିରେ ଶେଷରେ ଆଶ୍ରୟ ନେଇଛ-? ନାଦିରା କେଉଁଠି ? କହ । ମୋ ଛଡ଼ା ଏଠି ଆଉ କେହି ନାହିଁ । କିଛି ଭୟ ନାହିଁ । ଦାରା....

 

ମୋର ରୋଦନଭରା କଣ୍ଠସ୍ୱର ସମାଧି–ସୌଧ ଭିତରେ ପ୍ରତିଧ୍ୱନିତ ହୋଇ ଫେରିଆସୁଥିଲା । ମୁଁ ନିଶ୍ଚୟ ସୁସ୍ଥ ନୁହେଁ । ମୋର ମୁଣ୍ଡ ଠିକ୍‌ ନାହିଁ । ସେଥିପାଇଁ ଦାରାଙ୍କ କଥା ବାରମ୍ବାର ମୋ କାନରେ ଭାସିଯାଉଛି । ପଳେଇଯାଏ–

 

–ରାଣାଦିଲ୍‌, ଶେଷରେ ତୁମେ ମଧ୍ୟ ମତେ ଛାଡ଼ି ଚାଲିଯାଉଛ ? ନାଦିରା ଆଉ ନାହାନ୍ତି-। ସେ ମୈନମିରଙ୍କ ପାଖରେ ଆଶ୍ରୟ ନେଇଛନ୍ତି ।

 

ତଳେ ପଡ଼ିଗଲି । ପଥର ଉପରେ ମୁଣ୍ଡ ପିଟିଲି । ଆଉ ପାରୁନାହିଁ । ନା–ନା–ନା–ସେହି ସମୟରେ ନିଦ୍ରା ଭଙ୍ଗ ହେଲା । ଦେଖିଲି, ଆବଦୁଲ୍ଲା ମୋ ଶଯ୍ୟା ପାଖରେ ଛିଡ଼ାହୋଇ ମୋର ଡାହାଣ ହାତଟିକୁ ଚାପିଧରିଛି ।

 

–ଆବଦୁଲ୍ଲା ?

 

–ତୁମେ ନିଦରେ ଖୁବ୍‌ ଜୋର୍‌ରେ କାନ୍ଦୁଥିଲ । ସେଥିପାଇଁ କବାଟ ଭାଙ୍ଗି ମୁଁ ଭିତରକୁ ଆସିଛି ।

 

–ଆବଦୁଲ୍ଲା, ସେମାନେ ଆଉ ବଞ୍ଚିନାହାନ୍ତି ।

 

–ମୁଁ ସେମିତି ଖବର ଏପର୍ଯ୍ୟନ୍ତ ପାଇନାହିଁ ।

 

–ମୁଁ ଜାଣେ । ମତେ ଆଉ କିଛି କହିବା ଦରକାର ନାହିଁ ।

 

ଆବଦୁଲ୍ଲା ନୀରବ ରହିଲା । କଣ ବା ସେ କହିବ ? କେତେଦିନ ପର୍ଯ୍ୟନ୍ତ ମୁଁ ଆଉ କୌଣସି ଖବର ପାଇନାହିଁ । ତା’ପରେ ଦିନେ ଆବଦୁଲ୍ଲାର କେତେ ଜଣ ବନ୍ଧୁ ଫେରିଆସିଲେ ।

 

ତୁମେମାନେ ସମସ୍ତେ ତ ଜାଣ କଣ ଘଟିଥିଲା । ଦାରାଙ୍କ କଥା ସ୍ୱତନ୍ତ୍ର । ସେ ବୀର; କିନ୍ତୁ ନାଦିରାଙ୍କ କଥା ଟିକିଏ ଭାବିଲ ! ତାଙ୍କୁ କେତେ କଷ୍ଟ ସହିବାକୁ ପଡ଼ିଲା ! ନାଦିର ଦାଦାର୍‌ରେ ପହଞ୍ଚିପାରିଲେ ନାହିଁ । ତା’ ପୂର୍ବରୁ ତାଙ୍କର ଜୀବନଦୀପ ଲିଭିଗଲା । ତାଙ୍କର ଦେହାବଶେଷ ଯେ ମୈନମିରଙ୍କ ସମାଧି ନିକଟରେ ସ୍ଥାନପାଇଛି ସେତିକି ଯଥେଷ୍ଟ । ଜୀବନରେ ଏହାଠାରୁ ଭଲ ସ୍ଥାନ ସେ ଆଶା କରିନଥିଲେ । ଏହା ଛଡ଼ା ଲାହୋରବାସୀ ତାଙ୍କୁ ସମ୍ମାନ ଦେବେ । ତାଙ୍କ ସମାଧିରେ ବତି ଜାଳିବେ । ଶ୍ରଦ୍ଧାର ଫୁଲ ଅର୍ପଣ କରିବେ । କାଜି ମକବୁଲ ଥିଲେ ବୋଲି ତାଙ୍କ ଦେହ ଲାହୋରରେ ପହଞ୍ଚିପାରିଥିଲା । ଶୈଶବକାଳରୁ ମକବୁଲ ତାଙ୍କୁ ନିଜ କନ୍ୟାପରି ଦେଖୁଥିଲେ ।

 

ମୋର କାହାଣୀ ଶୁଣିବାକୁ ତୁମମାନଙ୍କୁ ଆଉ ବୋଧେ ଭଲ ଲାଗୁନାହିଁ । ତୁମର ସ୍ୱାମୀ କିମ୍ବା ଭାଇ କିମ୍ବା ଆତ୍ମୀୟମାନେ ଆବଦୁଲ୍ଲା ନେତୃତ୍ୱରେ ଦାରାଙ୍କ ମଙ୍ଗଳପାଇଁ କାମ କରିଛନ୍ତି । ଖବର ସଂଗ୍ରହ ପାଇଁ ତାଙ୍କୁ କେତେ ବିପଦରେ ପଡ଼ିବାକୁ ହୋଇଛି; କେତେ ବିନିଦ୍ର ରଜନୀ ପାଦରେ ଚାଲି କିମ୍ବା ଘୋଡ଼ାରେ ଚଢ଼ି ଦାରାଙ୍କ ପାଇଁ ବହୁଦୂର ପଥ ଅତିକ୍ରମ କରିଛନ୍ତି । ମୁଁ ତାଙ୍କୁ କି ଆର୍ଥିକ ସାହାଯ୍ୟ ଅବା କରିପାରଛି ? ମୋର ସାମର୍ଥ୍ୟ ଅତ୍ୟନ୍ତ ସୀମାବଦ୍ଧ ଥିଲା । ଜାହାନ୍ନାରା ବେଗମ୍‌ଙ୍କ ପାଖରୁ ସାହାଯ୍ୟ ନପାଇଥିଲେ ଶେଷ ପର୍ଯ୍ୟନ୍ତ କଣ ହୋଇଥାନ୍ତା ଜାଣେନାହିଁ । ତୁମମାନଙ୍କର ପୁରୁଷ ଆତ୍ମୀୟମାନଙ୍କ ପାଖରେ ମୁଁ ଚିରକୃତଜ୍ଞ । ସେ ହିସାବରେ ତୁମେମାନେ ମଧ୍ୟ ମୋର ପରମ ଆତ୍ମୀୟ ।

 

ସବୁ ପରିଶ୍ରମ ଯଦିଓ ବ୍ୟର୍ଥ ହେଲା; କିନ୍ତୁ ଦୋଷ କାହାର ନାହିଁ । ମୁଁ ଜାଣେ ତୁମେମାନେ କାହାକୁ ଦୋଷ ଦେବ । କିନ୍ତୁ ସେ ମଣିଷଟାକୁ ତୁମେ ଯଦି ମୋ ପରି ଅନ୍ତର ଦେଇ ଚିହ୍ନିଥାନ୍ତ, ତେବେ ମୋ ପରି ତୁମ ଅନ୍ତର ମଧ୍ୟ ବେଦନାରେ ଫାଟିପଡ଼ନ୍ତା । କେତେ ବଡ଼ ଜ୍ଞାନୀ ସେ; କିନ୍ତୁ ମନ ଶିଶୁ ପରି । ସିଂହାସନରେ ବସିବା ପରି କଠୋର କୂଟବୁଦ୍ଧି ସମ୍ପନ୍ନ ହୋଇ ସେ ଜନ୍ମହୋଇନଥିଲେ । କିନ୍ତୁ ମଣିଷର ପରିଚୟ କଣ କେବଳ ସିଂହାସନରେ ବସିବାର ଯୋଗ୍ୟତାରୁ ମିଳିବ ? ଆବଦୁଲ୍ଲାକୁ ପଚାର, ସେ ଦାରାଙ୍କ ସମ୍ବନ୍ଧରେ ସବୁ କଥା କହିବ । ମୁଁ ବେଗମ୍‌ ହେବା ଆବଦୁଲ୍ଲା ଚାହୁଁ ନଥିଲା । ସେ ଚାହିଁଥିଲା ରାଣାଦିଲ୍‌ ନର୍ତ୍ତକୀ ଭାବରେ ଅମର ହୋଇ ରହୁ । ମୁଁ ଅମର ହୋଇପାରିଲି ନାହିଁ । ନାଦିରାଙ୍କ ପରି ବେଗମ୍‌ ଭାବରେ ମଧ୍ୟ ଇତିହାସ–ପୃଷ୍ଠାରେ ସ୍ଥାନଲାଭର ଯୋଗ୍ୟତା ମୋର ନାହିଁ । ମୁଁ ଏ ଦୁନିଆରୁ ହଜିଯିବି ।

 

ଆବଦୁଲ୍ଲା ଜାଣିଥିଲା ମୁଁ ଦିନେ ହଜିଯିବି, ତଥାପି ସେ ମତେ ବାଧା ଦେଇପାରିନାହିଁ । କାହିଁକି ପାରିନାହିଁ ? ଦାରାଙ୍କ ପାଇଁ ? ଆବଦୁଲ୍ଲା ହୃଦୟରେ ଦାରାଙ୍କ ପାଇଁ ଗୋଟିଏ କୋମଳ ସ୍ଥାନ ଅଛି । ବାଦଶାହଜାଦା ଦାରାଙ୍କ ପାଇଁ ନୁହେଁ–ମଣିଷ ଦାରାଙ୍କ ପାଇଁ । ନହେଲେ ସେ ମଧ୍ୟ ଭଲଭାବରେ ଦାରାଙ୍କ ଦୁର୍ବଳତା କଥା ଜାଣେ ।

 

ଶକଟରେ ବସି ଅତି ଗୋପନରେ ମୁଁ ଚାଲିଛି । ଆଉରଙ୍ଗଜେବଙ୍କ ଚରମାନେ ଜାଣିପାରିଲେ ରକ୍ଷାନାହିଁ । ରାତ୍ରିର ଅନ୍ଧକାରରେ ଏପରି ଭାବରେ ଦୂର ପଥ ଅତିକ୍ରମ କରିବା କଣ ସହଜ ?

 

ବର୍ତ୍ତମାନ ହୁମାୟୁନଙ୍କ ସମାଧି ମୋ ନିକଟରେ ତୀର୍ଥସ୍ଥାନ । ନା, ନା, ମୋ ଆଖିରୁ ଲୁହ ପୋଛିବା ଦରକାର ନାହିଁ । ମୁଁ ନିଜେ ପୋଛିପାରିବି । ନବାବ ବାଦଶାହଜାଦାଙ୍କ ଘରେ ମୋର ଜନ୍ମ ନୁହେଁ । ତା’ଛଡ଼ା, ତୁମେ କେତେ ଲୁହ ପୋଛିବ ? ଏହି ଅଶ୍ରୁଧାରାର କଣ ଶେଷ ଅଛି ?

 

ତୁମେମାନେ ମୋ କଥା ଶୁଣିଯାଅ । ପରେ ହୁଏତ ଏ ସୁଯୋଗ ଆଉ ଆସିବ ନାହିଁ । ଅଲକ୍ଷ୍ୟରେ ଆଚମ୍ବିତ ଭାବରେ କେତେବେଳେ ମୋ ଉପରେ ସିଂହାସନର କ୍ରୋଧ ଆସି ପଡ଼ିବ, କେହି କହିପାରିବେ ନାହିଁ । ତୁମେମାନେ ଶୁଣି ରଖ, ମୁଁ ଶାନ୍ତି ପାଇବି ।

 

ଆବଦୁଲ୍ଲା ଯେତେବେଳେ ମତେ ଚରମ ସମ୍ବାଦ ଦେଲା, ମୁଁ ମୂର୍ଚ୍ଛା ହୋଇଯାଇନାହିଁ । ମୁଁ ତଳେ ପଡ଼ିଯାଇଥିଲି; କିନ୍ତୁ ମୋର ଜ୍ଞାନ ଥିଲା । ଶରୀର ମୋର ଅବଶ ହୋଇଗଲା । କଥା କହିବାର ଶକ୍ତି ବା ଗୋଡ଼ହାତ ହଲେଇବାର ଶକ୍ତି ମୋର ନଥିଲା; ତଥାପି ମସ୍ତିଷ୍କ ସକ୍ରିୟ ଥିଲା । ମୋ ମନରେ କେବଳ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠିଲା, ଆଫଗାନମାନେ ତେବେ କଣ ବିଶ୍ୱାସଘାତକ ? କୌଶଳ କରି ନିଜର ରକ୍ଷାକର୍ତ୍ତାକୁ ଆଉରଙ୍ଗଜେବଙ୍କ ଲୋକମାନଙ୍କ ହାତରେ ସମର୍ପଣ କରିଦେଲେ ? ଏ ଦୃଶ୍ୟ ଦେଖିବା ଆଗରୁ ନାଦିରାଙ୍କର ମୃତ୍ୟୁ ହୋଇ ଭଲହୋଇଛି । ନାଦିରାଙ୍କ ମନ ଠିକ୍‌ ଫୁଲ ପରି କୋମଳ ଥିଲା । ତାଙ୍କୁ କେତେ ଯନ୍ତ୍ରଣା ଭୋଗକରିବାକୁ ପଡ଼ିନଥାନ୍ତା । ସେ ତ ରାଣାଦିଲ୍‌ ପରି ପାଷାଣୀ ନୁହେଁ ? ନଜର ବେଗ୍‌କୁ ତୁମେମାନେ ଚିହ୍ନିନାହଁ; ମୁଁ କିନ୍ତୁ ତାକୁ ଭଲଭାବରେ ଚିହ୍ନେ । ଦିନ ଥିଲା, ଏଇ ନଜର ବେଗ୍‌ ଦାରାଙ୍କର ସାମାନ୍ୟ ଟିକିଏ କୃପା ପାଇଲେ ନିଜକୁ କୃତାର୍ଥ ମନେକରୁଥିଲା । ସେହି ନିମକ୍‌ହାରାମ୍‌ ଶେଷ ପର୍ଯ୍ୟନ୍ତ ବନ୍ଦୀ ଦାରାଙ୍କର ଭାର ନେଲା । ତା’କୁ ଆଦେଶ ଦିଆହୋଇଥିଲା ଦାରାଙ୍କ ଛିନ୍ନ ମସ୍ତକ ଆଣିବା ପାଇଁ । ଓଃ ଦାରା, ମୁଁ ବର୍ତ୍ତମାନ ସୁଦ୍ଧା ଉନ୍ମାଦିନୀ ହୋଇନାହିଁ । ତୁମର ଶେଷ ପରିଣତିର କଥା ଜାଣି ମଧ୍ୟ ମୁଁ ବଞ୍ଚିଛି । ଯଦି ମେ ତୁମେ ବଞ୍ଚିଥାଆନ୍ତ, ତା’ହେଲେ ନିଶ୍ଚୟ ବୁଝିପାରିଥାଆନ୍ତି ମୁଁ ତୁମକୁ କେତେ କମ୍‌ ଭଲପାଏ ।

ତୁମେମାନେ ମତେ ଏମିତି ଚାହିଁଛ କାହିଁକି ? ଭାବୁଛ ମୋ ମୁଣ୍ଡ ଠିକ୍‌ ନାହିଁ ? ନା, ମୋ ମୁଣ୍ଡ ଖରାପ ହେଲେ କିଏ ଫୁଲ ଦେବ ? କିଏ ବତି ଜାଳିବ ?

ସାଫି ଖାଁ କିଏ ? ମୁଁ ତ ଚିହ୍ନେ ନାହିଁ । ଆବଦୁଲ୍ଲା ମଧ୍ୟ ଚିହ୍ନେ ନାହିଁ । ନିଜ ହାତରେ ସେ ଏହି ନୃଶଂସ କାମ କରିପାରିଲା ? ତା’ ହାତ ଟିକିଏ ହେଲେ କମ୍ପିଲା ନାହିଁ । ତା’ର ବିବେକ ତାକୁ ବାଧା ଦେଲା ନାହିଁ ? ସେ ଥରେ ହେଲେ ମଧ୍ୟ ଭାବିଲା ନାହିଁ ଯେ ସେହି ମସ୍ତକ କେତେ ମୂଲ୍ୟବାନ ? କେତେ ପାଣ୍ଡିତ୍ୟରେ ପରିପୂର୍ଣ୍ଣ ?

ଆବଦୁଲ୍ଲା କହୁଥିଲା, ସାଫିଖାଁକୁ ପୃଥିବୀରୁ ନିଶ୍ଚିହ୍ନ କରିଦେବ । ମୁଁ ମନାକରିଛି । ସେମାନେ କହ, କିଛି ଲାଭ ଅଛି ? ତା’ର କଣ ଆଦେଶ ଅମାନ୍ୟ କରିବାର ଦୁଃସାହସ ଅଛି ? ଆଦେଶ ଅମାନ୍ୟ କରିଥିଲେ ତା’ର ମୁଣ୍ଡକାଟ ହୋଇଥାନ୍ତା । ସେଥିପାଇଁ ସାଫିଖାଁକୁ ମୁଁ ଦୋଷ ଦେଉନାହିଁ । ମୁଁ ଦୋଷ ଦେଉଛି ଦାଦାର୍‌ କିଲ୍ଲାର ଆଫଗାନ ଜନତାଙ୍କୁ । ଦାରାଙ୍କୁ ଆଶ୍ରୟର ନିଶ୍ଚିତ ଆଶ୍ୱାସ ଦେଇ ଗୋପନରେ ଖବର ପଠେଇଲେ ଆଉରଙ୍ଗଜେବଙ୍କ ପାଖକୁ ? କିନ୍ତୁ ଏକଥା ମଧ୍ୟ ମୁଁ ଜୋର ଦେଇ କହିପାରେ, ଯେଉଁ ହାତରେ ସାଫିଖାଁ ଏହି ଜଘନ୍ୟ କାମ କରିଛି, ସାରାଜୀବନ ସେହି ହାତ ଥରିବ । ତରବାରି ଧରି ବୀରତ୍ୱ ପ୍ରଦର୍ଶନ କଲେ ମଧ୍ୟ ସେ କେବେହେଲେ ଅମିର ହୋଇ ପାରିବ ନାହିଁ ।

ସମଗ୍ର ହିନ୍ଦୁସ୍ଥାନରେ ପ୍ରଚାରହୋଇଛି, ଦାରା କାଫେର୍‌–ମୁସଲମାନ ଧର୍ମରେ ତାଙ୍କର ବିଶ୍ୱାସ ନଥିଲା । କି ଘୃଣ୍ୟ ମିଥ୍ୟା ! ଜଣେ ଲୋକ ଯଦି ଜ୍ଞାନର ତୃଷ୍ଣା ପାଇଁ ଅନ୍ୟ ଧର୍ମ ପ୍ରତି କୌତୂହଳୀ ହୁଏ, ସେହି ଧର୍ମର ଅନ୍ତର୍ନିହିତ ସତ୍ୟ ଜାଣିବାପାଇଁ ଆଗ୍ରହାନ୍ୱିତ ହୁଏ, ତେବେ ସେ କଣ ବିଧର୍ମୀ ହୋଇଯାଏ ? ଆବଦୁଲ୍ଲା କହେ–ଦେଶ, କାଳ, ପ୍ରାକୃତିକ ଓ ସାମାଜିକ ପରିବେଶ ଅନୁଯାୟୀ ଗୋଟିଏ ଗୋଟିଏ ଦେଶରେ ଗୋଟିଏ ଗୋଟିଏ ଧର୍ମ ଥାଏ । ସବୁକଥା କଣ ଉଡ଼େଇଦେବା ଭଲ ? ନା ତା’ଭିତରର ସାରବସ୍ତୁର ସନ୍ଧାନ ନେବା ଜ୍ଞାନପିପାସୁ ପକ୍ଷେ ସ୍ୱାଭାବିକ-?

ଦାରାଙ୍କୁ କାଫେର୍ ବୋଲି କହିବା ଉଚିତ ହୋଇନାହିଁ । ମୁଁ ତୁମ ପାଖରେ ଶପଥ କରି କହିପାରେ, ଦାରା କାଫେର୍ ନଥିଲେ–ସେ ଥିଲେ ଖାଣ୍ଟି ମୁସଲମାନ ।

ମୋର ଦମ୍‌ ଅଟକିଯାଉଛି । ବକ୍ଷ ବିଦୀର୍ଣ୍ଣ ହୋଇଯାଉଛି । ତଥାପି ତୁମକୁ ଗୋଟିଏ କଥା କହି ଆଜି ମୁଁ କାହାଣୀ ଶେଷ କରିବି । ତୁମେମାନେ ଭାବି ଦେଖ, ଏମିତି ଅବସ୍ଥା ହୋଇଥିଲେ ଆଉରଙ୍ଗଜେବଙ୍କ ମୁହଁରୁ ଗୋଟିଏ ହେଲେ ଶବ୍ଦ ବାହାରିଥାନ୍ତା କି ନାହିଁ ।

ସାଫିଖାଁର ନିଷ୍ଠୁର ତରବାରି ଦାରାଙ୍କ ଉପରକୁ ନଇଁଆସିଲା । ଦାରାଙ୍କର କଟା ମୁଣ୍ଡ ତଳେ ଛିଟ୍‌କି ପଡ଼ିଲା । ଆଉ ସେହି ମସ୍ତକ କଣ କହିଲା ଜାଣ ? ଆବଦୁଲ୍ଲାକୁ ପଚାର । ନା ନା, ମୁଁ କହୁଛି । ସେ ମସ୍ତକ କହିଲା–କାଲିମା–ଇ–ସାହାଦାତ୍‌ ।

 

କିଏ ଏମିତି କଥା କହିପାରେ ? ଇସଲାମ ଧର୍ମ ରକ୍ତ ସାଙ୍ଗରେ ମିଶେଇ ଦେଇ ନପାରିଲେ କିଏ କହିପାରିବ ଏମିତି କଥା ? ତୁମେମାନେ କହ । ପୃଥିବୀକୁ ଏହି ପ୍ରଶ୍ନ ପଚାର । କଣ ଜବାବ ପାଇବ ଦେଖ । ଏହା ପରେ ତୁମେ ଦାରାଙ୍କୁ କାଫେର୍‌ କହିପାରିବ ?

ନା ନା, ମତେ ଧରିବା ଦରକାର ନାହିଁ । ଟିକିଏ ସମୟ ମତେ ଦିଅ । ମୁଁ ନିଜକୁ ସମ୍ଭାଳି ନେଇ ପାରିବି । ମୁଁ ନିଷ୍ଠୁର, ପିଶାଚୀ । ସେଥିପାଇଁ ମୋର ହୃଦ୍‌ଯନ୍ତ୍ର ବନ୍ଦ ହୋଇଯାଉନାହିଁ ।

ଦାରାଙ୍କର କର୍ତ୍ତିତ ମସ୍ତକ ସମାଧି ପାଖରେ ଅବହେଳିତ ଅବସ୍ଥାରେ ପୋତାହୋଇଛି । କେହି ସେଠାରେ ବତି ଜାଳନ୍ତି ନାହିଁ; ପ୍ରାର୍ଥନା କରନ୍ତି ନାହିଁ । ସେଥିପାଇଁ ମୁଁ ଯାଉଛି । ମତେ ଯିବାକୁ ହେବ । ମୁଁ ମରିଗଲେ ତ ଚଳିବ ନାହିଁ । ମତେ ବଞ୍ଚିରହିବାକୁ ପଡ଼ିବ । ସେଠାରେ ପ୍ରାର୍ଥନା କରିବାକୁ ହେବ । ଫୁଲ ଦେବାକୁ ହେବ । ସନ୍ଧ୍ୟାର ଅନ୍ଧକାରରେ ଚୁପ୍‌ଚାପ୍‌ ଯାଇ ସେଠାରେ ବତି ଜାଳିବାକୁ ହେବ । ଆଉରଙ୍ଗଜେବ ଚାହାନ୍ତି ନାହିଁ କେହି ଦାରାଙ୍କୁ ସମ୍ମାନ ଦେଖାନ୍ତୁ । ସେ ଚାହାଁନ୍ତି ମୃତ ଦାରାଙ୍କୁ ପୃଥିବୀ ଭୁଲିଯାଉ ।

ଆଉରଙ୍ଗଜେବ ଉନ୍ମାଦ । କେହି କଣ ଦାରାଙ୍କୁ ଭୁଲିପାରିବ ? ମୁଁ ଭୁଲିପାରିବି ? ଲାହୋରର ଅଧିବାସୀମାନେ ଭୁଲିପାରିବେ ? କେବେ ନୁହେଁ । ଏହାଛଡ଼ା ତାଙ୍କର ପୁସ୍ତକ ? ଏହି ପୁସ୍ତକ ତ ଅମର, ଅକ୍ଷୟ । ଶାହନଶାହ ଶାହଜାହାନଙ୍କର ତାଜମହଲ କୌଣସି ଦିନ ହୁଏତ ଭାଙ୍ଗିଯାଇପାରେ–କିନ୍ତୁ ତାଙ୍କର ପୁସ୍ତକ କିପରି ଅବଲୁପ୍ତ ହେବ ?

ମୁଁ ପ୍ରତିଦିନ ସମାଧି ପାଖକୁ ଯିବି । ମୁଁ ଜାଣେନା, ଦାରାଙ୍କର ମୃତ ଦେହକୁ ସେମାନେ କେଉଁଠାରେ ପୋତିଛନ୍ତି । ହୁଏତ ଶୃଗାଳ, କୁକୁର ଭକ୍ଷଣ କରିଛନ୍ତି । କିନ୍ତୁ ଦାରାଙ୍କର ସେହି ସୁନ୍ଦର ମୁଖଟି ରହିଛି ହୁମାୟୁନଙ୍କ ସମାଧି ପାଖରେ । ସେହି ମୁଖରେ ସେ କେତେ ମଧୁର କଥା ଉଚ୍ଚାରଣ କରନ୍ତି । ସେହି ମସ୍ତକରେ ଥିଲା ହିନ୍ଦୁସ୍ଥାନର ଶ୍ରେଷ୍ଠ ପ୍ରତିଭା । ପୃଥିବୀରେ ଏପରି ଏକ ସମୃଦ୍ଧ ମସ୍ତିଷ୍କ ମିଳିବ ନାହିଁ ।

ମୁଁ ଦାରାଙ୍କୁ ଭୁଲିପାରିବି ? ଆଉରଙ୍ଗଜେବଙ୍କୁ ଉନ୍ମାଦ ଛଡ଼ା ଆଉ କଣ କୁହାଯାଇପାରେ ? ମୁଁ ଯାଉଛି । ପ୍ରତିଦିନ ସେଠାକୁ ଯିବି ।

ମତେ ଯିବାକୁ ହେବ । ତା’ପରେ ଦିନେ ନା ଦିନେ ଧରାପଡ଼ିବି । ଗୋଟିଏ ରମଣୀ ପ୍ରତିଦିନ ଫୁଲ ନେଇ ସମାଧି ପାଖକୁ ଯାଉଛି–ଏ କଥା ଲୁଚିରହିବ ନାହିଁ । ମୁଁ ନିଶ୍ଚୟ ଧରାପଡ଼ିବି ।

ସେତେବେଳେ କଣ ହେବ ? ନା, ତୁମମାନଙ୍କ ଚକ୍ଷୁର ଏହି ଉଦ୍‍ବେଗପୂର୍ଣ୍ଣ ଦୃଷ୍ଟି ବୃଥା-! ମତେ ହସମାଡ଼ୁଛି । ଇଚ୍ଛା କଲେ ମୁଁ ପ୍ରକୃତରେ ଖୁବ୍‌ ହସିପାରିବି ।

ଏଇ ତ ସେଇ ଅମୂଲ୍ୟ ଜିନିଷ ଓଢ଼ଣୀରେ ବନ୍ଧାହୋଇଛି ! ଆବଦୁଲ୍ଲା ମତେ ଦେଇଛି । ସବୁବେଳେ ମୁଁ ତାକୁ ପାଖେ ପାଖେ ରଖିଛି ।

ବିଷ...କିନ୍ତୁ ଖାଇବା ପୂର୍ବରୁ ଆବଦୁଲ୍ଲାର ଇଚ୍ଛା ଅନୁଯାୟୀ ମୁଁ ପୁଣି ଥରେ ରାଜପଥର ନର୍ତ୍ତକୀ ହେବି । ସେହି ନୃତ୍ୟ ବୋଧହୁଏ ମୋର ଶେଷ ନୃତ୍ୟ ହେବ । ରାଜପଥର ରାଣାଦିଲ୍‌ ସମସ୍ତଙ୍କର ଚରଣସ୍ପର୍ଶରେ ଧନ୍ୟ ହୋଇ ରାଜପଥର ଧୂଳି ଉପରେ ଲୋଟିପଡ଼ିବ । ସେଦିନ ତୁମମାନଙ୍କର ଦୁଇବିନ୍ଦୁ ଅଶ୍ରୁର ପ୍ରତ୍ୟାଶୀ ମୁଁ ହେବି ନାହିଁ । ମୁଁ ଯେ ପରିଚୟ ହୀନା ଏକ ନାରୀ ।

Image